ସେଲଫି - ମୃତ୍ୟୁଞ୍ଜୟ ବେହେରା

ବାହାଘର ବର୍ଷେଯାଏ ତୁମେ ଅଝଟ କରୁଥିଲ
ଫଟୋଟିଏ ଉଠାନ୍ତେନି!
ହେଲେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା
ସୁଖ ଟିକକ ସାଉତୁ ସାଉତୁ
କେତେବେଳେ ପାଶୋରୀ ହୋଇଗଲା ସେକଥା
ମହଳଣ ପଡିଆସୁଥିଲା ବାହାଘର ସ୍ମୃତି
ଦେହଘଷା ହୋଇସାରିଥିଲା ସଂପର୍କ ଆଉ ପ୍ରେମ
ଏବେ ଏତେ ବର୍ଷ ପରେ କ୍ୟାମେରାଟିଏ ପାଇ
କାହିଁକି କେଜାଣି ଭାରି ଇଚ୍ଛା ହେଲା
ତୁମର ଫୋଟଟିଏ ଉଠେଇବାକୁ
ଘର ଅଗଣାରେ ଘଷି ପାରୁଥିଲ ତୁମେ
ହାତସାରା ଲେସି ହୋଇଥିଲା ଗୋବର
ଅଲରା ବାଳ ସବୁ ଉଡୁଥିଲେ ପବନରେ
ମାଟିରେ ଲୋଟୁଥିଲା ପିନ୍ଧା କାନୀ
କ୍ୟାମେରା ଧରି ମୁଁ ଡାକିଲି
ଚାହଁ ତ ଟିକେ ଇଆଡେ
କ୍ୟାମେରା କ୍ଲିକ୍ କଲାବେଳକୁ
ଛିଃ କହି ବୁଲେଇ ନେଲ ମୁହଁ
ଦେଖିବା ବେଳକୁ ଫଟୋରେ କେବଳ
ତୁମ ମୁକୁଳା ପିଠିରେ ଖରାପଡି
ଫୁଟି ଉଠୁଥିବା ବିନ୍ଦୁ ବିନ୍ଦୁ ଝାଳର ଛବି.....

ନଦୀରୁ ଗାଧୋଇ ସାରି ଫେରୁଥିଲ ତୁମେ
ଦେହକୁ ଜାବୋଡି ଧରିଥିଲା ଓଦାଲୁଗା
କାଖରେ ଟୁଳୁମୁଳୁ କଳସୀ
ଆଗକୁ ଆସି କ୍ୟାମେରା କ୍ଲିକ୍ କଲାବେଳକୁ
ଉଁ ହୁଁ କହି ପଛକୁ ବୁଲି ପଡିଲ ଯେ
ଦେଖିବା ବେଳକୁ ଫଟୋରେ କେବଳ
ତୁମ ଓଦା କେଶରୁ ଝରୁଥିବା
ଥପ୍ ଥପ୍ ପାଣିର ଛବି
ରୋଷେଇ ଘରେ ପରିବା କଟୁଥିଲ
ରୁଣୁଝୁଣୁ ଶୁଭୂଥିଲା ଚୁଡିର ଶବ୍ଦ
ମନେ ମନେ ଗୁଣୁଗୁଣୁ ଗୀତ ଗାଉଥିଲ
ଦୂରରୁ ଥାଇ କ୍ୟାମେରା କ୍ଲିକ୍ କଲାବେଳକୁ
ଅନ୍ଧାରରେ ଲୁଚେଇ ଦେଲ ନିଜକୁ
ଦେଖିବା ବେଳକୁ ଫଟୋରେ କେବଳ
ପଛପଟେ ଚୁଲିରେ ଜଳୁଥିବା
ଦାଉ ଦାଉ ନିଆଁର ଛବି
ଏଥର ବିରକ୍ତ ହୋଇପଡିଲି ମୁଁ
ପଛପଟୁ ହସି ହସି ଆସିଲ ତୁମେ
ଗେହ୍ଲେଇ ହୋଇ ପାଖକୁ ଲାଗି ବସିଲ
କହିଲ ତୁମକୁ ଛାଡି ମୁଁ କେମିତି
ଏକୁଟିଆ ଫଟୋ ଉଠାଇଥାନ୍ତି ଯେ
ଏବେ ଉଠାଇ ଦିଅନା
ଏମିତି ଆମେ ପାଖାପାଖି ଲାଗି ବସିଥିବା
ଗୋଟେ ସୁନ୍ଦର ଫଟୋ
ଯୋଉଥିରେ ଥିବା ଆମେ ଦୁହେଁ
ଆଉ ଥିବ ଆମ ସତେଜ ପ୍ରେମ
କ୍ୟାମେରାକୁ ଅଟୋ କ୍ଲିକ୍ ମୋଡ୍ ରେ ରଖି
ତୁମକୁ ଆଉଜାଇ ଆଣିଲି ପାଖକୁ
କ୍ଲିକ୍ କଲା କ୍ୟାମେରା
ଦେଖିଲା ବେଳକୁ ଫଟୋରେ ଅଛି
ଝାଳ...ପାଣି....ନିଆଁ...
ଆଉ ଆମ ଦୁହିଁଙ୍କର ପରିତୃପ୍ତ ହସ...

Post a Comment

0 Comments