ବିବାହ ଏକ ସାମାଜିକ ପରମ୍ପରା । ନାରୀ ଓ ପୁରୁଷର ସମ୍ପର୍କର ସୀମାରେଖା । ହିନ୍ଦୁଧର୍ମରେ
କେଉଁ ଆଦି କାଳରୁ ଦେବଦେବୀଙ୍କର ବିବାହର ପ୍ରଥା ଚାଲି ଆସିଛି । ଯେପରି କି ରୁକ୍ମିଣୀ ବିବାହ, ତୁଳସୀ ବିବାହ, ଶିବ ବିବାହ ଇତ୍ୟାଦି । ଆମ ସମାଜରେ ଶିବ ବିବାହର ଏକ ସ୍ୱାତନ୍ତ୍ର୍ୟ ରହିଛି । ଦେବାଧିଦେଵ ମହାଦେବ ହେଉଛନ୍ତି ଶିବ
ଆଉ ମାତା ପାର୍ବତୀ ହେଉଛନ୍ତି ଶକ୍ତିର ପ୍ରତୀକ । ଶିବ ଓ ଶକ୍ତିର ମିଳନରେ ସୃଷ୍ଟିର ଉଦ୍ଭବ ।
ଏହି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୀତଳ ଷଷ୍ଠୀ କୁହାଯାଏ ।
ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ
ପଞ୍ଚମୀ ଦିନ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ। ତା ପରଦିନ ମାତା ପାର୍ବତୀ ଓ ମହାଦେବ ଗଁଠାଳ
ହୋଇ ଏକ ସୁଉଚ୍ଚ,
ସୁସଜ୍ଜିତ ବିମାନରେ
ବସି ସହରବାସୀଙ୍କୁ ଦର୍ଶନ ଦେବା ନିମନ୍ତେ ନଗର ପରିକ୍ରମାରେ ବାହାରି ଥାନ୍ତି । ବିବାହ ସାରି
ତା'ପର ଦିନ ସନ୍ଧ୍ୟାରେ ମାତା ପାର୍ବତୀ ବହୁ ବେଶରେ
ଆସନ୍ତି ଏବଂ ରାତି ସମୟରେ ନଗର ପରିକ୍ରମା କରନ୍ତି । ସାରାରାତି ଯାତ୍ରା ଅନୁଷ୍ଠିତ ହୁଏ । ତା
ପରଦିନ ସପ୍ତମୀ ତିଥିରେ ଶିଵପାର୍ବତୀଙ୍କ ମନ୍ଦିର ପ୍ରବେଶ ହୁଏ । ଏହି ଯାତ୍ରାକୁ ଶୀତଳ ଷଷ୍ଠୀ କାହିଁକି କୁହାଯାଏ ? ଏହାର ଏକ ସୁନ୍ଦର ପ୍ରାମାଣିକ ଉଦାହରଣ ରହଇଅଛି ।
ପ୍ରଚଣ୍ଡ ରୌଦ୍ରତାପରେ ପୃଥିବୀ ଯେତେବେଳେ ହାହାକାର ହେଉଥାଏ, ମାଟି ଫାଟି ଆଁ କରିଥାଏ,ସେତେବେଳେ ଏହି ତିଥି ବା ଉତ୍ସବ ଦିନ ଆଦ୍ୟ ଆଷାଢ଼ର
ସୂଚନା ଦେବା ପରି ଇନ୍ଦ୍ର ଦେବତା ନିଶ୍ଚୟ ଆକାଶ ମାର୍ଗରୁ ଜଳ ବୃଷ୍ଟି କରନ୍ତି। ପ୍ରତୀକାତ୍ମକ
ଭାବରେ ସତେ
ଯେମିତି ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହୁଏ । ପ୍ରଥମ ବର୍ଷାର
ଆଗମନରେ ପୃଥିବୀ ଶୀତଳ ହୋଇଯାଏ। ଓଦା ମାଟିର ମହାମହ ବାସ୍ନାରେ ଅପୂର୍ବ ଏକ ଶିହରଣ ଖେଳିଯାଏ ଦେହ
ଓ ମନରେ। ଆତ୍ମା ଭିତରେ ଦିବ୍ୟତ୍ୱର ଅନୁଭବ କରିହୁଏ। (ବିଜୟିନୀ ପଣ୍ଡା) |
ଏହା ଯଦିଓ ଶୀତଳଷଷ୍ଠୀ ପ୍ରଥମେ ଜଗନ୍ନାଥ ଧାମ ବା ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଥିଲା
ତଥାପି ପଶ୍ଚିମ ଓଡିଶାରେ ଏହି ପରମ୍ପରାର ଏକ ସ୍ୱାତନ୍ତ୍ର୍ୟତା ଦେଖିବାକୁ ମିଳେ । ବିଶେଷତଃ
ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲାରେ ଦୀର୍ଘ ୪୦୦ ବର୍ଷ ଧରି ଶୀତଳ ଷଷ୍ଠୀ ଯାତ୍ରା ନିଜର ଏକ ଭିନ୍ନ ପରିଚୟ
ସୃଷ୍ଟି କରି ପାରିଛି।
କିମ୍ବଦନ୍ତୀ ଓ ପୁରାଣ :-
ଶିବ ପୁରାଣର ବର୍ଣନା ଅନୁସାରେ ଧରାପୃଷ୍ଠରେ ଥରେ ତାଡକାସୁର ନାମକ ରାକ୍ଷସ ତପସ୍ୟା କରି ଭଗବାନ
ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ହେଇ ଅତ୍ୟନ୍ତ ପରାକ୍ରମୀ ହେଇ ଅତ୍ୟାଚାର କଲା । ତାର ଅତ୍ୟାଚାରରେ
ମାନବ,
ଦେବତା ସମସ୍ତେ
ଅତିଷ୍ଠ ହେଇଗଲେ । ଦେବତାମାନେ ବିଷ୍ଣୁଙ୍କ ଶରଣ ନେଲେ । କିନ୍ତୁ ବିଷ୍ଣୁ ମଧ୍ୟ ନିଜେ କିଛି
ଅସମର୍ଥ ହେଇଥିଲେ କାରଣ ବର ଅନୁସାରେ ତାଡକାସୁର କେବଳ ମହାଦେବ ଶିବଙ୍କ ପୁତ୍ର ହାତରେ ନିହତ
ହେଇପାରିବ । ଏଣେ ଶିବ ତ ଭୋଳା ବାବା । ତାଙ୍କର ପ୍ରଥମ ପତ୍ନୀ ସତୀଙ୍କ ମୃତ୍ୟୁ ଅନ୍ତେ ଶିବ
ସନ୍ତାନହୀନ ହେଇ ସନ୍ୟାସୀ ଭାବରେ ଘୋର ଅରଣ୍ୟରେ ରହି ତପସ୍ୟା କରୁଥିଲେ ଓ ତାଙ୍କର ଆଉ ବିବାହ କରିବାର ସମ୍ଭାବନା ଦିଶୁ ନଥିଲା । ତେଣୁ ତାଡକାସୁର ନିଜକୁ ନିରଙ୍କୁଶ
ଭାବି ତାର ଅତ୍ୟାଚାର ଆହୁରି ବୃଦ୍ଧି କରିଚାଲିଥିଲା । ତେଣୁ ବିଷ୍ଣୁ ସବୁ ଦେବତାଙ୍କୁ
ଦେବୀଶକ୍ତି ଙ୍କୁ ଅନୁରୋଧ କରିବାକୁ କହିଲେ ଯେ, ସେ ନାରୀ ଭାବରେ ଜନ୍ମ ଗ୍ରହଣ କରି ଶିବଙ୍କୁ ବିବାହ
କରନ୍ତୁ ଓ ତାଙ୍କ ଔରସରୁ ଜାତ ପୁତ୍ର ହିଁ ତାଡକାସୁରକୁ ବଧ କରିପାରିବ । ସେହି ଅନୁସାରେ ଶକ୍ତି ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ପାର୍ବତୀ ଭାବରେ ହିମାଳୟଙ୍କ ଠାରୁ ଜନ୍ମ ନେଲେ । ବିବାହ ବୟସ
ଆସିବାରୁ ସେ ଶିବଙ୍କୁ ପତି
ରୂପରେ ପାଇବାକୁ
ତପସ୍ୟା ରତ ହେଲେ । ତେବେ ବହୁ ବର୍ଷ ଗଡିଗଲା, ହେଲେ ଶିବଙ୍କ ତପସ୍ୟା ଭଙ୍ଗ ହେଲା ନାହିଁ । ପୁଣି
ଭଗବାନ ବିଷ୍ଣୁ ହସ୍ତକ୍ଷେପ କରି କାମଦେବଙ୍କୁ ପଠେଇ କାମବାଣ ପ୍ରୟୋଗ କରି ଶିବଙ୍କ ତପସ୍ୟା ଭଙ୍ଗ
କଲେ । ତାହା ପରେ ସେ ପାର୍ବତୀ ଙ୍କ ନିଷ୍ଠାର ପରୀକ୍ଷା ନେବା ପରେ ତାଙ୍କୁ ବିବାହ କରିବାକୁ
ସମ୍ମତି ଦେଲେ ଓ ଏହି ବୈଶାଖ ଶୁକ୍ଲ ଷଷ୍ଠୀ ଦିନ ଭଗବାନ ଶିବ ତାଙ୍କର ରୁଦ୍ର ସନ୍ୟାସୀ ରୂପ
ତ୍ୟାଗ କରି ପୁନଶ୍ଚ ଦିବ୍ୟ ରୂପ ଧାରଣ କରି ସୁନ୍ଦରୀ ପାର୍ବତୀଙ୍କୁ ବିବାହ କଲେ । ରୁଦ୍ର ରୂପ
ତ୍ୟାଗ କରି ମହାଦେବ ଶିବ ପାର୍ବତୀଙ୍କ ସାନିଧ୍ୟ ପାଇ ଶାନ୍ତ ବା ଶୀତଳ ହେଲେ ଓ ଏହି ବିବାହ
ଦ୍ଵାରା ଧରା ପୃଷ୍ଠରେ ଶାନ୍ତି ଓ ଶୀତଳତାର ଅଗମନୀ ସଂକେତ ମିଳିଲା ତେଣୁ ପରବର୍ତୀ କାଳରେ ଶିବ
ବିବାହ ପ୍ରତିବର୍ଷ ପାଳନ ହୁଏ ଏହି ଦିନ ଓ ଏହାକୁ କୁହାଯାଏ “ ଶୀତଳଷଷ୍ଠୀ “ ।
ମାତ୍ର ଇତିହାସ କହେ ......
ପ୍ରକୃତ ଶୀତଳଷଷ୍ଠୀର ଅୟମାରମ୍ଭ କାଳ ବିଷୟରେ ସଠିକ ପ୍ରମାଣ ମିଳି ନଥିଲେ ମଧ୍ୟ ୧୭୭୨
ମସିହାର ଏକ କୋର୍ଟ କେସର ଦଲିଲ ଅନୁସାରେ ଶୀତଳଷଷ୍ଠୀଟି ଯାତ୍ରା ନେଇ
ଏକ କେଶ ଦୟାର ହେଇଥିଲା । ଏଥିରେ ମନ୍ଦିର ପୂଜକ ଦେଇଥିବା ବୟାନ ଅନୁସାରେ ସମ୍ବଲପୁରରେ
ଶୀତଳଷଷ୍ଠୀ ତାଙ୍କ ପ୍ରପିତାମହଙ୍କ ସମୟରୁ ମଧ୍ୟ ହଉଥିଲା । ତେଣୁ ନିରାପଦରେ କୁହାଯାଇପାରେ ଯେ
ଏହି ପର୍ବ ୪୦୦ରୁ ଅଧିକ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ହେଇ
ଆସୁଛି ।
ଜନଶ୍ରୁତି କହେ
ସମ୍ବଲପୁରର ଛତ୍ରପତି ମହାରାଜ ବୀର ବଳିଆର ସିଂହଙ୍କ ସମୟରେ ଏହି ପର୍ବ ଆରମ୍ଭ ହେଇଥିଲା ।
ମହାରାଜ ଅନୁରୋଧରେ ପୁରୀରୁ କେତେକ ବ୍ରାହ୍ମଣ ପରିବାର ଆସି ନନ୍ଦପଡା ଓ ଶାସନ ଗ୍ରାମରେ ସ୍ଥାୟୀ ଭାବରେ ରହିଲେ ।
ତାହାପରେ ଏହି ଶିବ ବିବାହ ପରମ୍ପରା ଆରମ୍ଭ ହେଇଥିବାର କୁହାଯାଇଥାଏ । ମାତ୍ର ସେହି ଉତ୍କଳୀୟ
ବ୍ରାହ୍ମଣମାନେ ଶିବବିବାହ ଆରମ୍ଭ କରିଥିଲେ କିନ୍ତୁ ଆରଣ୍ୟକ ବ୍ରାହ୍ମଣମାନେ ବିବାହ ସହ ଯାତ୍ରାକୁ
ସାଂସ୍କୃତିକ ରୂପ ଦେଇଥିଲେ ।
ବିବାହ ପରମ୍ପରା :-
ଏହି ଶିବ ବିବାହରେ ଯଦିଓ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୁଏ ତାହା ସାଧାରଣ ବ୍ୟକ୍ତି ବିଶେଷଙ୍କ ବିବାହ ପରି
ସବୁ ବୈଦିକ ନୀତି ରୀତି ସହ ପାଳିତ ହୁଏ । ପ୍ରତିବର୍ଷ ପାଇଁ ସମ୍ବଲପୁର ସହରର ଝାଡୁଆପଡାର ଲୋକନାଥ
ବାବା,
ମୁଦିପଡାର
ଜାଗେଶ୍ଵର ବାବା,
ନନ୍ଦପଡାର ବଂ
ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ପ୍ରତିବର୍ଷ ପିତାମାତାର ସ୍ଥାନ ଗ୍ରହଣ କରାଇବାକୁ
ଦମ୍ପତ୍ତି ଚୟନ କରାଯାଇଥାଏ । ସେହିପରି ପାର୍ବତୀଙ୍କ ପାଇଁ ମଧ୍ୟ କନ୍ୟା ପିତା ମାତା ମଧ୍ୟ ଚୟନ
କରାଯାଇଥାଏ । ଶିବ ବା ପାର୍ବତୀଙ୍କ ପିତାମାତା ଭାବରେ କାର୍ଯ୍ୟ ସମ୍ପାଦନକୁ ଅତି ପୂଣ୍ୟର
କାର୍ଯ୍ୟ ବୋଲି ବିବେଚନା କରାଯାଉଥିବାରୁ ଏଥିପାଇଁ ଅନେକ ଦମ୍ପତ୍ତି ଆଗ୍ରହ ପ୍ରକାଶ କରିଥାନ୍ତି
। ସାଧାରଣ ବିବାହ ପରି ଯେପରି କନ୍ୟା ଅନ୍ଵେଷଣ, ନିର୍ବନ୍ଧ, ନିମନ୍ତ୍ରଣ ପାତ୍ର ବଣ୍ଟନ, ଜାନି ଯୌତୁକ, ବରପକ୍ଷ ପାଇଁ ଭୋଜି , ବିବାହ , କନ୍ୟା ବିଦାୟ ଠିକ ସାଧାରଣ ବିବାହ ପରି ଅନୁଷ୍ଠିତ
ହୁଏ । ପଞ୍ଚମୀ ତିଥିର ରାତିରେ
ଶିବ ବରବେଶ ଧାରଣ
କରି ପାଲିଙ୍କିରେ ହଜାର ହଜାର ବରଯାତ୍ରୀଙ୍କ ଗହଣରେ ପାର୍ବତୀଙ୍କ ଗୃହକୁ ଗମନ କରନ୍ତି । ବରଯାତ୍ରୀରେ ବର ବେଶ ସଜ୍ଜିତ ଶିବଙ୍କ ସମ୍ମୁଖରେ
ବିଭିନ୍ନ ରଥ ମାନଙ୍କରେ ରମ୍ଭା,
ମେନକା, ଉର୍ବଶୀ ପରି ଗନ୍ଧର୍ବୀମାନଙ୍କର ଅନୁରୂପ ଭାବେ ଦୁର୍
ଦୁରାନ୍ତରୁ କଳାକାରମାନେ ଆସି ନୃତ୍ୟ ପରିବେଷଣ କରିଥାନ୍ତି । ମଧ୍ୟ ରାତ୍ର ସୁଦ୍ଧା ବିବାହ
ଅନୁଷ୍ଠିତ ହେଲା ପରେ
ନବବିବାହିତ
ପାର୍ବତୀଙ୍କ ସହ ଶିବ ନିଜ ସାହି ବା ପଡାକୁ ଆସନ୍ତି । ସେହି ଦିନ ରାତ୍ରୀରେ ମୁଖ୍ୟ ଶୋଭାଯାତ୍ରା ବାହାରେ, ଯାହାକି ଏହି ପର୍ବର ମୁଖ୍ୟ ଆକର୍ଷଣ । ଏହି
ଶୋଭାଯାତ୍ରା ରାତି ସାରା ଚାଲି ଆର ଦିନ ଦ୍ଵିପହରରେ ସମାପ୍ତ ହୁଏ ଓ ମନ୍ଦିର ପ୍ରବେଶ ହୁଏ ।
ସମ୍ବଲପୁରର ନନ୍ଦପଡାର ବମ ବରାଡ ବାବା , ଝାଡୁଆ ପଡାର ଲୋକନାଥ ବାବା ଓ ମୁଦିପଡାର ଭୋଳେଶ୍ଵର
ବାବା ଙ୍କ ଶୀତଳଷଷ୍ଠୀ ସର୍ବ ପୁରାତନ ହେଇଥିଲେ ମଧ୍ୟ , ଏବେ ଆହୁରି ଅନେକ ଶିବ ମନ୍ଦିରରେ ଏହି ଯାତ୍ରା
ଅନୁଷ୍ଠିତ ହେଇ ଆସୁଛି ଓ ସମ୍ବଲପୁର ବାହାରେ ବରପାଲି , ଆଦି ଅନେକ ଅଞ୍ଚଲରେ ମଧ୍ୟ ଶୀତଳଷଷ୍ଠୀ ହେଇ ଆସୁଛି ।
ତେବେ ସର୍ବପ୍ରଚୀନ ସମ୍ବଲପୁର ଶୀତଳଷଷ୍ଠୀ ହିଁ ମୁଖ୍ୟ ଆକର୍ଷଣ ହେଇଥାଏ ।
ସଂସ୍କୃତିକ ଦିଗ :-
ଆମେ ମାନେ ଓଡିଶାର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଲୋକ ନୃତ୍ୟ ଆଜିକାଲି ଲୋକ ମହୋତ୍ସବ ସମୟରେ
ନିଶ୍ଚୟ ଦେଖିଥାଉ । ତେବେ କଳାହାଣ୍ଡିର ଘୁମୁରା ନାଚ , ସମ୍ବଲପୁରର ଡାଳଖାଇ ନାଚ , ଖୋର୍ଦ୍ଧା ଅଞ୍ଚଲର ପାଇକ ନାଚ ,ପୁରୀର ମେଢ଼ ନୃତ୍ୟ, ବାଘ ଷଣ୍ଢ ନୃତ୍ୟ, କଳାହାଣ୍ଡିର ଆଦିବାସୀ ନୃତ୍ୟ, ଆସାମର ବିହୁ ନୃତ୍ୟ,
ପଞ୍ଜାବର ଭାଙ୍ଗଡା
ନୃତ୍ୟ ଆଦି ଦେଶୀୟ ବାଦ୍ୟ ସହ ସହରର ରାସ୍ତାରେ ଦେଖିବାର ଆନନ୍ଦ
ସତରେ ଅତି ନିଆରା । ଲୋକମାନେ ଝୁମି ଉଠନ୍ତି ସମ୍ପ୍ରଦାୟର ବାଦ୍ୟ ନୃତ୍ୟର ତାଳେ ତାଳେ ଓ ସାରା ସହର ପାଲଟି
ଯାଏ ଏକ ବିଶାଳ ରଙ୍ଗମଞ୍ଚରେ ଯେପରି । ବିଭିନ୍ନ ରାଜ୍ୟରୁ
ମଧ୍ୟ କଳାକାର ଦଳମାନେ ଆସି ତାଙ୍କର କଳାର ପ୍ରଦର୍ଶନ ଚଳମାନ ମଞ୍ଚ ଉପରେ ପ୍ରଦର୍ଶନ କରିଚାଳନ୍ତି
। ବିଭିନ୍ନ ରାଜ୍ୟରୁ ହଜାର ସଂଖ୍ୟାରେ ହିଞ୍ଜଡାମାନେ ଆସିବା ଏକ ବିଶେଷ କଥା । ସେମାନଙ୍କ
ବିଶ୍ବାସ ଶିବ ପାର୍ବତୀଙ୍କ ବିବାହରେ ନୃତ୍ୟ କଲେ ତାଙ୍କୁ ପରଜନ୍ମରେ ମୁକ୍ତି ମିଳିଥାଏ । ଲକ୍ଷ
ଲକ୍ଷ ଲୋକଙ୍କ ସମାଗମରେ ସହର ଓ ଆଖପାଖ ଅଞ୍ଚଳ ଲୋକାରଣ୍ୟ ହେଇଯାଏ ଏହି ଦୁଇଦିନ । ଆଉ ଏକ ଦୈବ
ଯୋଗ କୁହାଯାଇପାରେ ,
ପ୍ରତିବର୍ଷ ଏହି
ଶିତଲଷଷ୍ଠୀ ଦିବସ ବା ରାତ୍ରରେ ଶୋଭାଯାତ୍ରା ସମୟରେ ଟିକିଏ ବର୍ଷା ନିଶ୍ଚୟ ହୁଏ ଦର୍ଶକମାନଙ୍କୁ
ଶୀତଳତା ପ୍ରଦାନ କରେ ।
ଦେବାଧିଦେଵ ମହାଦେବ ଓ ମାଁ ପାର୍ବତୀଙ୍କ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ଯାତ୍ରା ପଶ୍ଚିମ
ଓଡ଼ିଶାର ମୁଖ୍ୟତଃ ସମ୍ବଲପୁରରେ ବହୁ ଧୁମଧାମରେ ପାଳନ କରାଯାଏ । ଏହି ବିବାହୋତ୍ସଵ ସମ୍ପୂର୍ଣ
ଲୋକାଚାରରେ ଅନୁଷ୍ଠିତ ହୋଇଥାଏ । ଯେମିତିକା ଆମେ ହିନ୍ଦୁ ଧର୍ମାବଲମ୍ବୀ ଲୋକେ ସ୍ଥାନୀୟ
ସଂସ୍କୃତି ଓ ପରମ୍ପରାରେ ନିଜ ଘରେ ଆମର ବିବାହ କାର୍ଯ୍ୟ ନିଭେଇ ଥାଉ, ସେପରି ଦେବତା ହେଲେବି ଭଗବାନ ଶିବଙ୍କ ବିବାହ
କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ସମ୍ପୂର୍ଣ ଲୋକାଚାରରେ ।
ଏହି ବିବାହୋତ୍ସଵ ଓ ଯାତ୍ରା ମୁଖ୍ୟତଃ ସାତଟି ପର୍ଯାୟରେ ସମ୍ପାଦିତ ହୋଇଥାଏ ।
ଯଥା:-
୧- ଥାଳ ଉଠା/କନ୍ୟାପିତା ଚୟନ :-
ପବିତ୍ର ଅକ୍ଷୟ ତୃତୀୟା ଦିନ ଶୀତଳଷଷ୍ଠୀ ପାଇଁ ଅନୁକୁଳ
କରାଯାଇଥାଏ । ଏହିଦିନ ବିଶେଷ ପୂଜାର୍ଚନା ସହ ଯାତ୍ରା ପାଇଁ ଆର୍ଥିକ ସହଯୋଗ ନିମନ୍ତେ ଥାଳ ଧରି
ପଡା/ସାହିରେ ଘରଘର ବୁଲି ଚାନ୍ଦା ସଂଗ୍ରହ କରାଯାଏ । ଆଉ ମଧ୍ୟ ଚଳିତ ବର୍ଷ ପାଇଁ ମାଁ ପାର୍ବତୀଙ୍କ
କନ୍ୟାଦାନ ହେତୁ ପିତାମାତାର ଚୟନ କରାଯାଏ । ଚୟନ ହୋଇଥିବା ପିତାମାତା ଦ୍ୱାରା ସଂକଳ୍ପ ପୂଜା
ଅନୁଷ୍ଠିତ ହୁଏ । ଆହୋ ଭାଗ୍ୟ ଥିଲେ ଯାଇ ଏହି ମହତ୍ୱ ତଥା ପୁଣ୍ୟ କାର୍ଯ୍ୟପାଇଁ ସୁଯୋଗ ମିଳେ ।
୨- ପତ୍ରପେଣ୍ଡି ବା ପିନ୍ଧାଣି:-
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ତୃତୀୟା ଦିନ ପଡାର ବୟୋଜ୍ୟେଷ୍ଠ
ବ୍ୟକ୍ତିମାନେ ବାଜା ରୋଷଣୀ ବଜାଇ ଚୟନ ହୋଇଥିବା ପିତାମାତାଙ୍କ ଘରକୁ ଯାଆନ୍ତି, କନ୍ୟା ଦେଖିବା ସଂଗେସଂଗେ ଆଗାମୀ ବିବାହ ପାଇଁ
କଥାବାର୍ତା ଛିଣ୍ଡେଇବା ପାଇଁ । ସାଙ୍ଗରେ ନେଇଥାଆନ୍ତି ରୁପା ଥାଳିରେ ମାଁ ପାର୍ବତୀଙ୍କ ପାଇଁ
ଶାଢ଼ୀ,ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଓ ଗୋଟିଏ
ବିଡ଼ା ଶାଳପତ୍ର । ସେଥିପାଇଁ ଏହାକୁ ପତ୍ରପେଣ୍ଡି ଉତ୍ସବ ବୋଲି କୁହାଯାଏ । ବୟୋଜ୍ୟେଷ୍ଠଙ୍କ
ମଧରୁ ଜଣେ ଭଗବାନ ଶିବଙ୍କ ପିତାର ଦାୟିତ୍ୱ ଓ ଅନ୍ୟମାନେ ସପ୍ତଋଷି ରୂପେ ପ୍ରତିନିଧିତ୍ୱ
କରିଥାଆନ୍ତି । ଆମେ ମନୁଷ୍ୟମାନେ ଯେପରି ନିଜ ପୁତ୍ର ପାଇଁ କନ୍ୟା ଦେଖା ସମୟରେ ନିଜ ପୁତ୍ରର
ଗୁଣ ବୈଶିଷ୍ଟ୍ୟ,
ସୁନ୍ଦରତା, କାର୍ଯ୍ୟକଳାପ ବିଷୟରେ ବଖାଣି ଥାଉ, ସେହି ସବୁ କଥୋପକଥନ ବି ହୋଇଥାଏ । ଏହା ଦେଖିବା ଓ
ଶୁଣିବା ବେଶ କୌତୁହଳ ଓ ମଜାଦାର ଅନୁଭୂତ ହୁଏ ।
୩- ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ:-
ଜେଷ୍ଠ ଶୁକ୍ଳ ଚତୁର୍ଥୀରେ ଭଗବାନ ଶିବଙ୍କ ତରଫରୁ
ଦୂତ ଭାବେ ହନୁମାନ ନିମନ୍ତ୍ରଣ ଗୁଆ ନେଇ ଘଣ୍ଟ ଶଙ୍ଖ ଧ୍ୱନି ସହ ସହରର ବିଭିନ୍ନ ମନ୍ଦିରରେ ଥିବା
ଦେବଦେବୀଙ୍କୁ ଏହି ବିବାହୋତ୍ସଵରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥାନ୍ତି ।
୪- ଗଂଠାଲ ଫିଟା:-
ସେହିପରି ପଞ୍ଚମୀ ତିଥିରେ ଅର୍ଥାତ ବିବାହର ସକାଳରେ ଶିବ ଓ ପାର୍ବତୀଙ୍କୁ
ପୂର୍ବ ବର୍ଷର କନ୍ୟା ପିତାଙ୍କ ଗୃହକୁ ନେଇ ପୂର୍ବବର୍ଷ ବିବାହରେ ପଡିଥିବା ଗଂଠାଲକୁ ବିଶେଷ
ପୂଜାର୍ଚ୍ଚନା ସହ ଖୋଲି ଦିଆଯାଏ । ସେଇଠୁ ହିଁ ପୂର୍ବ ପିତାମାତାଙ୍କ ସହ ସମ୍ପର୍କ ତୁଟି ଯାଏ ଓ
ଚଳିତ ବର୍ଷର ପିତାମାତା ମାଁ ପାର୍ବତଙ୍କୁ ଶ୍ରଦ୍ଧାର ସହ ନିଜ ଘରକୁ ନେଇ ଯାଆନ୍ତି । ଭଗବାନ ଶିବ
ନିଜ ମନ୍ଦିରରେ ଏକା ରହିଥାନ୍ତି । ପରେ ତାଙ୍କରି ବିବାହ ପୂର୍ବ ପ୍ରସ୍ତୁତି ଯଥା ତୈଳ ଅଭିଷେକ, ଶୃଙ୍ଗାର ଆଦି କରାଯାଏ ।
୫- ବରଯାତ୍ରା ଓ ବିବାହ :-
ସେହି ପଞ୍ଚମୀ ତିଥିର ମଧ୍ୟରାତ୍ରରେ ଦେବଙ୍କ ଦେବ ଭଗବାନ ଶିବଶମ୍ଭୁ କୁଇଣ୍ଟାଲ କୁଇଣ୍ଟାଲ
ରୁପା ଓ ସୁନା ଅଳଙ୍କାରରେ ବର ବେଶରେ ସୁସଜ୍ଜିତ ହୋଇ ବାହାରି ପଡନ୍ତି ମାଁ ପାର୍ବତୀଙ୍କ ସହ
ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ସୁନ୍ଦର ସଜ୍ଜିତ ବିମାନରେ । ସାଥିରେ ଥାଆନ୍ତି
ଶ୍ରୀଗୋପୀନାଥ ଜୀଉ,
ହନୁମାନ, ପଞ୍ଚ ଭକ୍ତ, ନନ୍ଦୀ ଭୃକୁଟି । ବାଜା, ଘଣ୍ଟ, ଶଙ୍ଖ, ମୃଦଙ୍ଗ ତଥା ଓଡିଶାର ବିଭିନ୍ନ ପୁରପଲ୍ଲୀରୁ
ଆସିଥିବା ଲୋକନୃତ୍ୟ ଦଳ ଗୁଡିକର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରକମ୍ପିତ ହୁଏ ସମଗ୍ର ସହର ।
ରାତିସାରା ଯାତ୍ରା କରି କନ୍ୟାପିତାଙ୍କ ଘରକୁ ପହଂଚିବା ପରେ ଆରମ୍ଭ ହୁଏ ସମ୍ପୂର୍ଣ ଲୋକାଚାରରେ
ବିବାହ କାର୍ଯ୍ୟ ।
୬- ଯୁଗଳମୂର୍ତ୍ତିଙ୍କ ନଗର ଭ୍ରମଣ ଓ ମୁଖ୍ୟ ଯାତ୍ରା:-
ତା'ପର ଦିନ ଶିବ ଓ ପାର୍ବତୀ କନ୍ୟାପିତା ଘରୁ ବିଦାୟ
ନେଇ ଫେରି ଆସନ୍ତି ନିଜ ସାହିକୁ ଜାନି ଯୌତୁକ ସହ । ସେହି ଦିନ ରାତ୍ରିରେ ଅନୁଷ୍ଟିତ ହୁଏ ଯୁଗଳ
ମୂର୍ତ୍ତିଙ୍କ ନଗର ପରିକ୍ରମା ବା ମୁଖ୍ୟ ଯାତ୍ରା । ଭାରତର ବିଭିନ୍ନ ଲୋକନୃତ୍ୟ ଦଳ ଯଥା ଆସାମର
ବିହୁ,
ପଞ୍ଜାବର ଭାଙ୍ଗଡା, ମହାରାଷ୍ଟ୍ରର ଲାଵନୀ ସହ ଓଡିଶାର ବାଘ ନାଚ, ରଣପା, ଯୋଡି ଶଙ୍ଖ, ଗୋଟିପୁଅ ଓ ପଶ୍ଚିମ ଓଡିଶାର ଦୁଳଦୁଲି, ସମ୍ପ୍ରଦା, ଘଣ୍ଟ ବାଦ୍ୟରେ ସହର ଉଛୁଳି ପଡେ । ଲକ୍ଷ ଲକ୍ଷ
ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ଘଟେ ଏହି ପାଞ୍ଚଦିନ ବ୍ୟାପି ଯାତ୍ରାରେ । ସକାଳ ୬ଟାରେ
ଯାତ୍ରାର କିଛି ଘଣ୍ଟା ପାଇଁ ବିରାମ ହୁଏ ।
୭- ମନ୍ଦିର ପ୍ରବେଶ:-
ତା'ପର ଦିନ ଅର୍ଥାତ ସପ୍ତମୀର ସକାଳ ୧୦ ଟାରୁ ପୁଣି
ଆରମ୍ଭ ହୁଏ ବାକି ଥିବା ଯାତ୍ରା ଓ ସନ୍ଧ୍ୟାରେ ମନ୍ଦିର ପ୍ରବେଶ ହୁଏ । ଏହି ସମୟରେ ସହର
ସମ୍ପୂର୍ଣ ଶିବମୟ ହୋଇଯାଏ ।
ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ଶୀତଳଷଷ୍ଠୀ
ଯାତ୍ରା ଖୁବ ନିଆରା। କାରଣ ପୁରୁଣା ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ସୁଦୃଢ ମାଧ୍ୟମ ଏହି
ଯାତ୍ରା। ଓଡ଼ିଶାର ଯେଉଁ ଯେଉଁ ପୁରାତନ କଳା ସଂସ୍କୃତି ଆଜି ବିଲୁପ୍ତ ପ୍ରାୟ ସେମାନଙ୍କୁ
ଉଦ୍ଧାର କରି ଏହି ଶୋଭାଯାତ୍ରାରେ ସ୍ଥାନ ଦେବା ସହିତ ବିଭିନ୍ନ ଆନ୍ତଃ ରାଜ୍ୟର କଳା ସଂସ୍କୃତିକୁ
ମଧ୍ୟ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପ୍ରୟାସ କରେ ଏହି ଶିତଲଷଷ୍ଠୀ ଯାତ୍ରା କମିଟୀ ।
ଲକ୍ଷ ଲକ୍ଷ ଲୋକଙ୍କ ଜନ ସମାଗମ ହେତୁ ସମ୍ବଲପୁର ଜିଲ୍ଲା ପାଲଟେ ଏକ ଆଞ୍ଚଳିକ ବ୍ୟବସାୟ
କେନ୍ଦ୍ର। ନାନା ପ୍ରକାର ଆଲୋକସଜ୍ଜାରେ ସହର ସାରା ରୋମାଂଚିତ ହୁଏ।
ଘଣ୍ଟ ଶଙ୍ଖ ,ମୃଦଙ୍ଗ ବାଦ୍ୟରେ ସହରର କୋଣ କୋଣ ଗାଇଉଠେ .....
"ସତ୍ୟମ ଶିବମ ସୁନ୍ଦରମ"
-
ଶିକ୍ଷୟିତ୍ରୀ, ମହମ୍ମଦପୁର ନୋଡାଲ ହାଇ ସ୍କୁଲ, ହୀରାକୁଦ,
ସମ୍ବଲପୁର
0 Comments