ପ୍ରାର୍ଥନା (ଅବକାଶ ଚିନ୍ତା – ଗୋବପନ୍ଧୁ ଦାଶ)

ପ୍ରଭୁ ଦୟାମୟ ଜଗତପତି
ଅନାଥର ନାଥ ଅଗତିଗତି,
ତବ ଶ୍ରୀଚରଣେ ଏହି ବିନତି,
କରୁଛୁ ଉତ୍କଳ-ଶିଶୁ ସନ୍ତତି
ମିଳି ଆଜି ଏକମନେ ହେ,
ଦିଅ ନବ ତେଜ ନବୀନ ସାହସ
ଉତ୍କଳମାତା ଜୀବନେ ହେ

ହିନ୍ଦୁ, ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭ୍ରାତୃ ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଦି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ବିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ ୨।

ଉତ୍କଳମାତାର ଅତିତ ଯଶ,
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ,
ଦେଖି ଅବସ୍ଥାର ଏ ବିପର୍ଯୟ
ରକ୍ତ-ମାଂସ-ଦେହ ଧରି ଯେ,
ଅଧୀର ଆତୁର କିଏ ସେ ନ ହେବ
ଦେଖି ମାତା ଏତେ ସଋ ଯେ ୩।

ଅଛି ସେହି ନଦୀ, ଅଛି ସେ ଗିରି,
ଅଛି ସେ ବିପିନ, କାହିଁ ସେ ଶିରୀ?
ଅଛି ସେହି ସେତୁ, ସେହି ଦେଉଳ,
କାହିଁ ସେହୁ ଦକ୍ଷ କର ସଙ୍କୁଳ?
କଲା ଯା ଏତେ କୀରତି ଯେ,
ଦଶ ଦିଗ ଶୂନ୍ୟ, କାହିଁ ପୂର୍ବ ପୁଣ୍ୟ,
କାହିଁ ସେ ପୂର୍ବ ଶକତି ଯେ? ୪।

ରହିଅଛି କାବ୍ୟ ନାହାନ୍ତି କବି,
ଅଛି ସେହି ଦେଶ ନାହିଁ ସେ ଛବି,
କାଳବେଳ ସବୁ ସରିଛି ସାର,
ଆହା କି ସୁନ୍ଦର କି ନାରଖାର!
କି ଘୋର କର୍ମବିପାକ ହେ,
ହର ଏ ଦୁର୍ଗତି ହଋ ବିଶ୍ଵପତି
ଶୁଣ ଏ କାତର ଡାକ ହେ ୫।

ସର୍ବ ଧର୍ମଧାମ ପୂଣ୍ୟ ଉତ୍କଳ-
ବଦାନେ ବିକାଶୁ ଚାରୁ ବିମଳ,
ଜାଗୁ ଚଉଦିଗେ ନବ ପରାଣ,
କର ଏ କରୁଣା ଆରତତ୍ରାଣ,
ନୀଳାଚଳ, ନୀଳାଚଳ ହେ,
ବୋଲି ସୁବିଶାଳ ଭାରତ ଭୁବନେ
ପଡୁ ସତତ ଚହଳ ହେ ୬।

ବ୍ରାହ୍ମଣ-ଶାସନ ଶବରପଲ୍ଲୀ,
କୃଶକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତେ ହେଉ ପ୍ଳାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
ତେଜୀ ସ୍ଵାର୍ଥ ଅଭିମାନ ଯେ,
ଜନନୀ-କଲ୍ୟାଣେ ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ ୭।

ସଂସାର ତୁମୁଳ ରଣପ୍ରାଙ୍ଗଣେ,
ଉତ୍କଳର ଦୀନ ତନୟ-ଗଣେ,
ପଛରେ କେବେହେଁ ନ ପଡୁ ଦେବ,
ଶ୍ରୀଛାମୁରୁ ଏହି ଆଦେଶ ହେବ,
ଘେନି ଅପୂର୍ବ ଉତ୍ସାହ ଯେ,
ଭାରତର ମହା ଜାତୀୟ ତରଙ୍ଗେ
ମିଶୁ ଉତ୍କଳ ପ୍ରବାହ ଯେ ୮।

Post a Comment

0 Comments