କ୍ଷୁଦ୍ରଗଳ୍ପ 'ପଶ୍ଚାତାପ' - ନରେଶ କୁମାର ବେହେରା

ଧର୍ମ ଏଠି ନିମିତ୍ତମାତ୍ର । କାରଣ ମୁଁ ଜାଣେ କେତେ ଦୁଷ୍କର୍ମ ଥିଲା ଏହି ମହାଯୁଦ୍ଧ । ଏହି ନୀଚ କର୍ମକୁ ଧର୍ମ କହିବା, ଧର୍ମର ସଜ୍ଞା ଦେବା, ଧର୍ମ ପାଇଁ ଏକ ମହାନ ଅପମାନ । ଦୁହିଙ୍କ ପକ୍ଷର ବୀରମାନେ ଏହି ଯୁଦ୍ଧରେ ଧର୍ମର କାର୍ଯ୍ୟ କରିପାରିଲେନି । ଦୁଇ ଦଳଙ୍କ ସମ୍ମୁଖରେ ସାଧ୍ୟ ପ୍ରମୁଖ ଓ ସାଧନା ନାମମାତ୍ର ଥିଲା । ପ୍ରିୟ ଅଭିମନ୍ୟୁର ହତ୍ୟା ପାପ, ଅନ୍ୟାୟରେ ହେଲେ ମଧ୍ୟ ଭୀଷ୍ମ, ଦ୍ରୋଣ, ଭୂରିଶ୍ରବା ଆଉ ଦୁର୍ଯୋଧନର ହତ୍ୟା କଣ ଅଧର୍ମରେ ହୋଇନି? ଯେଉଁ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, ଓ ଶ୍ରୀକୃଷ୍ଣ ଥାଇ ବି ଧର୍ମର ପାଳନ ହୋଇନାହିଁ, ଏଥିରୁ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ, ଯୁଦ୍ଧ କେବେହେଲେ ଧର୍ମର ରାସ୍ତାରେ ଯାଇ ଲଢାଯାଇପାରିବନି । ହିଂସାର ଆରମ୍ଭଟି ଅଧର୍ମ, ମଧ୍ୟ ବି ଅଧର୍ମ ଓ ଶେଷ ବି ଅଧର୍ମ ଅଟେ। ଯୁଦ୍ଧରେ କେବଳ ସେହି ବ୍ୟକ୍ତି ହିଁ ସମ୍ମିଳିତ ହୋଇପାରିବେ ଯାହାର ଆଖିରେ ଲୋଭର କଳାକନା ବନ୍ଧାହୋଇଥିବ । ଶ୍ରୀକୃଷ୍ଣ ଏବଂ ବ୍ୟାସଦେବ ବାରମ୍ବାର କହୁଥାନ୍ତି ଯୁଦ୍ଧକୁ ଆମେ ନିମନ୍ତ୍ରିତ କଋନାହୁଁ । ତାହା ଆମ ଉପରେ ବାଧ୍ୟତାମୂଳକ ଲଦି ଦିଆଯାଇଛି । ଦୁର୍ଯୋଧନର ଅତ୍ୟାଚାରର କିଛିତ ପରିଣାମ ହେବାକୁ ଥିଲା !

କୁରୁକ୍ଷେତ୍ରର ଯୁଦ୍ଧ ଆଜି ସମାପ୍ତ ହୋଇଯାଇଅଛି ସତ କିନ୍ତୁ ଏଠି ଯେଉଁ ଅଭିଶପ୍ତର ନିଆଁ ଲାଗିରହିଛି ତାହା ବର୍ଷ ବର୍ଷ ପରେ ବି ଲିଭିବ କି ନାହିଁ ମୋତେ ସନ୍ଦେହ । ଅଠର ଅକ୍ଷୋହିଣୀ ସେନାଙ୍କ ଶବ ଏଠି ପଟି ପରି ପଡିରହିଛି । ଚାରିଆଡେ ଦୁର୍ଗନ୍ଧମୟ, ମୁଣ୍ଡ-ଗଣ୍ଡି ସବୁ ବିଛେଇ ହୋଇ ପଡିରହିଛି । ଆଉ ଏହି ଭୟାଭୟ ଦୃଶ୍ୟମଧ୍ୟେ ବୃଦ୍ଧ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି । ମୋତେ ଏପରି ପ୍ରତୀତ ହେଉଛି, ଯେପରି ହସ୍ତିନାପୁର ସହର ଏକ ବିଧବାର ସ୍ଵଚ୍ଛ ବସ୍ତ୍ରପରେ ପଡିଥିବା ରକ୍ତର କାଳୀମା ସଦୃଶ । ସହରର ସବୁକିଛି ଜଳି ପାଉଁଶ ହୋଇଯାଇଛି । ବିଜୟର ପୁରସ୍କାର ରୂପେ କଣ ଭୁତ-ପ୍ରେତମାନଙ୍କ ଏହି ସହର ମୋ ଭାଗ୍ୟରେ ଅଛି? ଦୁର୍ଯୋଧନର ମରଣାଗତ ବାଣୀ ଏବେ ବି ମୋ ମସ୍ତିସ୍କରେ ଗୁଞ୍ଜିଉଠୁଛି – ଯୁଧିଷ୍ଟିର ! ବୀରମାନଙ୍କୁ ନେଇ ତ ମୁଁ ସ୍ଵର୍ଗ ଚାଲିଲି, ଏବେ ବିଧବାମାନଙ୍କୁ ନେଇ ଶାସନକର ।ପ୍ରକୃତରେ ତାଙ୍କରି ଏହି ଉକ୍ତିଟିରେ  ସଂପୂର୍ଣ୍ଣ ସତ୍ୟତା ଅଛି । ହସ୍ତିନାପୁରର ସବୁ ବୀରଗଣ ଆଜି ସ୍ଵର୍ଗାଭିମୁଖୀ । ବଳକା ଏଠି କେବଳ ସେହି ବୀରଙ୍କ ବିଧବା ନାରୀମାନଙ୍କ ଚୁଡି ଭାଙ୍ଗିବାର ଶବ୍ଦ ଓ ସେମାନଙ୍କ ଅନାଥପିଲାମାନଙ୍କ କରୁଣ ଚିତ୍କାର । ମୋତେ କଣ ଆଜି ଏମାନଙ୍କୁ ଶାସନ କରିବାକୁ ହେବ?

ଆଜିର ଏ ଶାନ୍ତ ପରିବେଶ – ଶ୍ମଶାନରୂପ, ଭୟଙ୍କର  ସୁନସାନ ଭିତରେ ମୋତେ କେବଳ ଗୋଟିଏ ହି ସ୍ଵର ଶୁଭୁଥାଏ – “ଯୁଧିଷ୍ଟିର! କଣ ତୁମେ ଏହି ଶାନ୍ତି ପାଇଁ ଯୁଦ୍ଧ କରିଥିଲ?”

ପ୍ରକୃତରେ ମୋର ଆକଳନ ସମ୍ପୂର୍ଣ୍ଣରୂପେ ଭୁଲ ପ୍ରତିପାଦିତ ହୋଇଛି । ଆଜି ମୁଁ ଛାର ଏକ ସିଂହାସନପାଇଁ ଭାରତର ବିଖ୍ୟାତ ବିଖ୍ୟାତ ବୀରମାନଙ୍କୁ ହରାଇ ବସିଲି । ଶକୁନିଠାରୁ ପଶାଖେଳରେ ତ ମୁଁ କିଛିଟା ହରାଇଥିଲି; ଆଜି କିନ୍ତୁ ଏତେ ବଡ ମହାଯୁଦ୍ଧ ଜିତି ବି, ମୋତେ ଏପରି ଲାଗୁଛି ଯେପରି ମୁଁ ସର୍ବସ୍ଵ ହରାଇବସିଛି । ହସ୍ତିନାପୁରରେ ବର୍ତ୍ତମାନ ଗୋଟିଏ ହେଲେ ଘର ନାହିଁ, ଯେଉଁଠି ଯୁବକ ଯୁବତୀମାନେ ଉଲ୍ଲାସରେ ଗୀତଗାଇ ନାଚୁଥିଲେ, ଯେଉଁଠି ଯୁବକମାନଙ୍କ ଅଟ୍ଟହାସ୍ୟ ଗୁଞ୍ଜରୀ ଉଠୁଥିଲା, ଯେଉଁଠି ଛୋଟ ଛୋଟ ପିଲାମାନଙ୍କ ହସି ଖେଳିବାର ମଧୁର ହାସ୍ୟ ଫୁଟି ଉଠୁଥିଲା । ଏହି ମହା ଭୟାନକ ଶ୍ମଶାନରେ ଶୁଭୁଛି କେବଳ ସ୍ତ୍ରୀ ଓ ପିଲାମାନଙ୍କ ବିକଚ ବିଳାପ । ରାଜଧାନୀ ଭଳି ଏହି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ଦେଶରେ ଅଛି । ଦେଶରେ ସମ୍ଭବତ: ଏମିତି କେଉଁ ଘର ନାହିଁ, ଯାହାର ଗୋଟିଏ ଯୁବକ ଏହି ମହାଯୁଦ୍ଧରେ ବଳି ନ ହୋଇଛି?

ମହାକାଳର ଏହି ଅଗ୍ନି ସବୁକିଛି ନାଶ କରିଦେଇଛି । ଯେଉଁ ଭାରତବର୍ଷ ଆଜିକୁ କିଛି ଦିନ ତଳେ ଶହ ଶହ ମହାନ ବୀର ସୈନିକଙ୍କୁ ନେଇ ବହୁତ ଗର୍ବିତଥିଲା, ଆଜି ସେମାନଙ୍କ ମଧ୍ୟରୁ ମାତ୍ର ଦଶଜଣ ହିଁ ବଞ୍ଚିଅଛନ୍ତି । ସେମାନେ ହେଲେ ପଞ୍ଚୁପାଣ୍ଡବ ଓ ପାଣ୍ଡବପକ୍ଷରୁ କୃଷ୍ଣ ଓ ସାତ୍ୟକି ଏବଂ କୌରବଙ୍କପକ୍ଷରୁ କୃତବର୍ମା, କୃପାଚାର୍ଜ୍ୟ ଓ ଅଶ୍ଵତ୍ଥାମା । ଆଜିଠୁ କିଛି ଦିନ ପୂର୍ବେ ଯେତେ ମହାରଥି ଏହି ଦେଶରେ ଥିଲେ ସେମାନେ ଇତିହାସରେ ବୋଧେ ଏହି ଗୋଟିଏ ଥର ହିଁ ଏକାଠି ହୋଇଥିଲେ । ଭୀଷ୍ମ, ଦ୍ରୋଣ, ଅଶ୍ଵତ୍ଥାମା, କର୍ଣ୍ଣ, ଦୁର୍ଯୋଧନ, ଜୟଦ୍ରଥ, କୃପାଚାର୍ଯ, କୃତବର୍ମା, ଶଲ୍ୟ, ଭୂରିଶ୍ରବା, ଚେକିତାନ, ଘଟୋତ୍କଚ ଏବଂ କୁନ୍ତିଭୋଜ ଭଳି ମହାନ ବୀରମାନେ ଭବିଷ୍ୟତରେ ପୁଣି ଏକାଠି ହେବା ଅସମ୍ଭବ ଏହି  ଦେଶମାଟିରେ । କାରଣ କେବଳ ଭୀଷ୍ମ ହିଁ ନୁହଁ, ଭାରତର ବିଶାଳ ସଂସ୍କୃତି ଆଜି ଯେପରି ସେହି ଶରସୟାରେ ଶୋଇଯାଇଛି । ଏପରିକିଛି ଉପାୟ ଅଛି ଯଦି କୁହ,  ଯାଦ୍ଵାରା ମୃତ୍ୟୁର ଗର୍ଭକୁ ଯାଉଥିବା ଏହି ବିଶାଳ ସଂସ୍କୃତିକୁ ରକ୍ଷା କରାଯାଇପାରିବ? ମହାଭାରତ ତ ଶେଷ ହୋଇଯାଇଛି କିନ୍ତୁ ଦେଶରେ ଯେଉଁ ହଣାକଟାର ମାନସିକତା ବ୍ୟାପୀ ରହିଛି, ତାହା କଣ ହେବ?

Post a Comment

2 Comments

  1. Nice comparison of holy epic Mahabharata story with real time. Each line is so meaningful.

    ReplyDelete
    Replies
    1. Thanks for reading my story and your valuable comment on this.

      Delete