ଅଭୂଲା ସ୍ମୃତି - ଡଃ ସଙ୍ଘମିତ୍ରା ମହାପାତ୍ର

ସ୍କୁଲ ସମୟ ପ୍ରକୃତରେ ଭାରି ସ୍ମରଣୀୟ । ଯେତେ ଭୁଲିବାକୁ ଚାହିଁଲେ ବି ଭୁଲି ହୁଏନା ।  ଅବଶ୍ୟ ସ୍କୁଲ ଜୀବନରେ ଅନେକ ଘଟଣା ଘଟିଛି । ଏବେ ବି ଏହା ମାନସ ପଟରେ ଉଙ୍କିମାରେ । ସେଇ ସ୍ମୃତିରୁ ଗୋଟିଏ । ଖରାଦିନ ଛୁଟି ହେବାକୁ ପାଖ-ପାଖି ଦାଶ, ପନ୍ଦର ଦିନ ବାକିଥାଏ । ପରୀକ୍ଷା ସବୁ ସଋ ଯାଇଥିଲା । ଅନେକ ସମୟରେ ଆମେ ଶିକ୍ଷକ ମାନଙ୍କ ସହ ମିଶି ଭୋଜିଭାତ କରିଥାଉ।  ଆଜି ପର୍ଯ୍ୟନ୍ତ ଅତିବାହିତ ହୋଇଥିବା ସମୟ ଭିତରେ ବୋଧହୁଏ ସବୁଠାରୁ ବେଶି ଭୋଜି ହୋଇଛି ସେହି ଗାଁ ସ୍କୁଲରେ ପଢିବା ସମୟରେ। ଆମେ ଆମ ଗାଁ ସ୍କୁଲର ପ୍ରଥମ ଷଷ୍ଠ ଓ ସପ୍ତମ ବ୍ୟାଚର ପିଲା ଥିଲୁ। ଆମେମାନେ ସ୍କୁଲ ଘର ନିର୍ମାଣ କ୍ଷେତ୍ରରେ ବହୁ ସହଯୋଗ କରିଥିଲୁ। ସେତେବେଳେ ମାଟି ଚଟାଣ ଥାଏ,  ତାକୁ ମଧ୍ୟ ଲିପାଲିପି କରୁଥିଲୁ। ଆଜି ଯେପରି ସ୍କୁଲ ପିଲାଙ୍କୁ କୌଣସି କାର୍ଯ୍ୟରେ ଲଗାଇବା ମାତ୍ରେ ସମସ୍ୟା ସୃଷ୍ଟି ହେଉଛି ଏବଂ ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆର ଖବର ହୋଇ ନାନା ବାଦବିବାଦ ସୃଷ୍ଟି କରୁଛି, ସେତେବେଳେ ଏ ସବୁର ଭୟ ନଥିଲା ।

ଆମେ ମିଶି ସ୍କୁଲ ହଟା ମଧ୍ୟରେ ଥିବା ଖାଲି ସ୍ଥାନରେ ନାନ ଫସଲ କରୁଥିଲୁ ।  ପ୍ରତି ଦୁଇଜଣରେ ଗୋଟିଏ ଗୋଟିଏ ପଟାଳି ଆମକୁ ଦିଆଯାଉଥିଲା । ଆମେ ସେହି ପଟାଳିରେ ଶାଗ, ପିଆଜ, ଟମାଟୋ, କୋବି, ମୂଳା, ଲଙ୍କା ଆଦି ଚାଷ କରୁଥିଲୁ । ଖାଲି ସେତିକି ନୁହେଁ କଦଳୀ  ଗଛ ଓ ସ୍ଥାୟୀ ଭାବରେ ସ୍କୁଲ ଭିତରେ ଥିବା ନଡ଼ିଆ ଗଛରେ ମଧ୍ୟ ଆମକୁ ପାଣି ଦେବାକୁ ପଡୁଥିଲା । ସେତେବେଳେ ନଳକୂଅ ବ୍ୟବସ୍ଥା ନଥିଲା । ହଟା ଭିତରେ ଗୋଟିଏ ବୋଲି କୂଅ ଥିଲା । ସେହି କୁଆରୁ ପାଣି ଆଣି ସବୁ ଗଛ ମୂଳରେ ଆମେ ଦେଉଥିଲୁ । ଆମେ ଦିଜଣ ମିଶି ଗୋଟିଏ ପଟାଳିରେ ଶାଗ ଆଉ ପିଆଜ ଚାଷ କରିଥିଲୁ । ଏହା ସହ ନଡିଆ ଓ କଦଳୀ ଗଛ ମୂଳେ ମଧ୍ୟ ପାଣି ଦେବାର ସୁଯୋଗ ଆମ ପାଖରେ ଥିଲା । ଗଛରେ ପାଣି ଦେବା ସହ ପଟାଳି ଭିତରେ ଅବାଧରେ ଠିଆ ହୋଇଥିବା ଘାସଗଛ ସବୁ ଉପାଡ଼ିବା ମଧ୍ୟ ଆମର କାମ ଥିଲା । ଘାସଗଛ ସବୁ ଉପାଡ଼ି ପିଆଜ ଗଛ ମୂଳରେ ନାଳ କରିଦେଉଥିଲୁ । ଗଛମୂଳ ଘୁଷେଇ ତା ମୂଳରେ ପାଣି ଦେଉଥିଲୁ। ଶାଗ ପିଆଜ ଏକାବେଳେ ଲଗାଯାଇଥାଏ,  ଶାଗ ଆଗେ ଖାଇବା ଊପଯୋଗୀ ହୋଇଗଲେ ଉପାଡ଼ି ଦେଇ ତାକୁ ଆମେ ଆମ ଭୋଜିର ଗୋଟିଏ ଆଇଟମ କରିଦେଉଥିଲୁ । ଅନ୍ୟ ସମୟରେ ଶାଗ ଉପାଡ଼ି ଆମେ ମାନେ କିଛି କିଛି ଘରକୁ ମଧ୍ୟ ନେଉଥିଲୁ । ଏସବୁ ନେବାରେ ଯେତିକି ଖୁସି ନ ଥିଲା ତାଠାରୁ ଢେର ଖୁସିଥିଲା ମଞ୍ଜି ଲଗାଇବା, ପଣି ଦେବା, ଗଛର ଯତ୍ନ ନେବା ସର୍ବୋପରି ସାର ମାନେ ଯେତେବେଳେ ପଟାଳି ସବୁ ବୁଲି ଦେଖି କହୁଥିଲେ, ‘ଦେଖ, ଏ ପଟାଳିଟି ସବୁଠାରୁ ଭଲ ହୋଇଛି, ଗଛଗୁଡ଼ିକ କେତେ ସୁନ୍ଦର ଭାବେ ବଢିଛନ୍ତି । ସେତେବବେଳେ ଆମକୁ ଭାରି ଆନନ୍ଦ ଲାଗେ । ଆମ ଶିକ୍ଷକ ମାନେ ଖୁବ ଭଲଥିଲେ ।

ଦିନକର କଥା ସେଦିନ ମଧ୍ୟ ଅନ୍ୟ ଦିନପରି ସ୍କୁଲରେ ଭୋଜିଭାତ ଆୟୋଜନ କରାଯାଇଥିଲା । ଭାତ, ଡାଲି, ଚିକେନ (ମାଂସ ତରକାରୀ) ଓ ଖଟା ଥିଲା ଭୋଜିର ଆଇଟମ ।  ଆମେ ସମସ୍ତେ ମିଶି କରି ଖାଇଲୁ, ଭୋଜି ଖୁବ ଭଲ ହୋଇଥିଲା । ଭୋଜି ଖାଇସାରିଲା ପରେ ବାସନ ମଜା ପର୍ବ କଥା ପଡିଲା ।  କିଏ କିଏ ବାସନ ମାଜିବ ସାର ପଚାରିଲେ । ଆମେ ପାଞ୍ଚଜଣ ଠିକ ହେଲୁ ମଜିବା ପାଇଁ । କୁଆର ପାଣି ତଳକୁ ଚାଲିଯାଇଥିଲା । ସେଥିରୁ ପାଣି ବାହାର କରି ହଣ୍ଡାହାଣ୍ଡି ମାଜିବା କଷ୍ଟକର ବ୍ୟାପାର ।  ତେଣୁ ଆମେ ଠିକ କଲୁଆ ବଡପୋଖରୀକୁ ।  ଆମ ଗାଁ ପୋଖରୀର ନାମ ହେଉଛି ବଡପୋଖରୀ । ଅବଶ୍ୟ ଏଠିକୁ ଯିବାପାଇଁ ସାର ଅନୁମତି ଲୋଡ଼ିବାକୁ ପଡିଲା । ସାର ଆମ କଥାରେ ରାଜି ହୋଇଗଲେ । ଆମେ ପାଞ୍ଚଜଣ ମିଶିକାରୀ ସବୁ ହଣ୍ଡାହାଣ୍ଡି ନେଇ ପୋଖରୀ ଅଭିମୁଖେ ଯାତ୍ରା କଲୁ । ଗଲାବେଳେ ମିଛୁ ସାର କହିଲେ ,’ଠିକରେ ସବୁ ଜିନିଷ ଆଣିବ, କିଛି ହଜାଇବ ନାହିଁ, ନହେଲେ ଅସୁବିଧା ହେବ। ସାରଙ୍କୁ ହଁ କହି ଆମେ ଆସିଲୁ ।

ସେମାନେ ମୋତେ କହିଲେ, ‘ତୁ ଉପର ପାହାଚରେ ରହ, ଆମେ ଗୋଟେ ଗୋଟେ କରି ବାସନ ମାଜି ଦେବୁ, ତୁ ଉପରେ ନେଇ ରଖିଦେଇ ଆସିବୁ ।  ଏଥିରେ ରାଜି ହୋଇ ଠିଆ ହେଲି । ସେମାନେ ତାଙ୍କ କାମରେ ଲାଗିପଡ଼ିଲେ । ହଠାତ ପାଣି ଭିତରେ କିଛି ଗୋଟେ ପଡ଼ିଯିବାର ଶବ୍ଦ ହେଲା । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତଥିଲେ ।  ଜଣେ କେବଳ ଜାଣିପାରିଥିଲା ଏ ବିଷୟରେ । ସଙ୍ଗେ ସଙ୍ଗେ ପୋଖରୀ ଭିତରକୁ ଡେଇଁପଡ଼ିଲି । ମୋର ଏଭଳି କାର୍ଯ୍ୟ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟଚକିତ ହେଲେ । ମୋତେ ପହଁରା ଜଣା ନଥିଲା । ଯଦିଓ ଆମର ଗୋଟିଏ ସ୍ଵତନ୍ତ୍ର ପୋଖରୀ ବଗିଚାରେ ଅଛି ତଥାପି ଏ ପର୍ଯ୍ୟନ୍ତ ମୁଁ ଅସଫଳ ଏ କ୍ଷେତ୍ରରେ । ମୋତେ ନଦେଖି ସେମାନକୁ ମଧ୍ୟରୁ ଜଣେ ପୋଖରୀ ଭିତରକୁ ପଶିବାକୁ ଉଦ୍ୟମ କଲା ସମୟରେ ପାଣି ଭିତରୁ ହାତରେ ଡଙ୍କିକି ଧରି ଉପରକୁ ଉଠାଇଲି। ସେମାନେ ନିଶ୍ଚିନ୍ତ ହେଲେ । ପୁଣି ପାଣିରେ ଡୁବିଗଲି । ଆପ୍ରାଣ ଉଦ୍ୟମ କରୁଥାଏ ପାହାଚକୁ ଧରିବା ଲାଗି କିନ୍ତୁ ବାରମ୍ବାର ବିଫଳ ସତ୍ତ୍ୱେ ହରାଇନଥିଲି  ଆତ୍ମବିଶ୍ଵାସ ।  ଟିକେପରେ ଶେଷ ପାହାଚ ପାଖର ବାଲି ମୋ ଗୋଡରେ ଲାଗିଲା ।  ଆସ୍ତେ ଆସ୍ତେ ତଳ ପାହାଚକୁ ଧରିବାକୁ ଚେଷ୍ଟା କଲି । ଟିକେ ପରେ ଆଗକୁ ଆସିବାକୁ ପାହାଚ ସ୍ପର୍ଶ କଲି । ତାପରେ ଗୋଟିଏ ଗୋଟିଏ ପାହାଚ ଚଢି ଉପରକୁ ଉଠିଆସିଲି । ସମସ୍ତେ ମୋତେ ଆସି କୁଣ୍ଢାଇପକାଇଲେ ।  କହିଲେ, ‘ଯାହା ହେଉ ଭଗବାନଙ୍କ କୃପାରୁ ତୁ ଭଲରେ ଚାଲି ଆସିଲୁ ନେହେଲ କଣ ଯେ ଆଜି ହୋଇଥାନ୍ତା । ଡଙ୍କି ପକାଇଥିବା ସାଙ୍ଗ ମୌସୁମୀ ହାତରୁ ଆସି ଡଙ୍କି ନେଇ କହିଲା, ‘ଯାହା ହେଉ ତୋ ଲାଗି ଆଜି ମୁଁ ବଞ୍ଚିଗଲି, ନହେଲେ ସାର ଆଜି ବହୁତ ଗାଳି କରିଥାଆନ୍ତେ ।

ନୀରବ ରହି କିଛି ସମୟ ହସିଲି । ଯାହା ଯାହା ସବୁ ଜିନିଷପାତ୍ର ନେଇଯାଇଥିଲୁ ସେ ସବୁକୁ ସଜାଡ଼ି ଆସିବା ପାଇଁ ପ୍ରସ୍ତୁତ ହେଲୁ ।  କିଛି ସମୟରେ ଆସିପହଞ୍ଚିଲୁ, ସ୍କୁଲ ବାରଣ୍ଡାରେ ।  ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଡ୍ରେସ ଓଦା ହୋଇଯାଇଥିଲା ।  ସାରଙ୍କ ପାଖରେ ସବୁ ଠିକରେ ରଖିଲୁ ।  ସାର ଜିନିଷପତ୍ର ସବୁ ଦେଖିନେଲେ । ସାର କିଛି କହିବା ଆଗରୁ ସାରଙ୍କୁ ଆମେ ପ୍ରଣାମ କରି ଚାଲିଆସିଲୁ । ସାର ଆଶୀର୍ବାଦ ଭଙ୍ଗୀରେ ଠିଆ ହୋଇ ରହିଥିଲେ । 

Post a Comment

0 Comments