ଅଭୂଲା ସ୍ମୃତି - ସଞ୍ଜୟ କୁମାର ପଣ୍ଡା

ଏକ ଲମ୍ବା ବ୍ୟବଧାନ ପରେ ଯେତେବେଳେ ମୋ ଗାଁ ମାଟିରେ ପାଦଦେଲି ଏକ ଅଜଣା ଆପଣାର ଭାବ ମନଭିତରକୁ ଧସେଇ ପଶି ଆସିଲା । ସମୟର ଆବର୍ତ୍ତନରେ ପଡ଼ି ଅବା ବୃତ୍ତିଗତ ବ୍ୟସ୍ତତାରେ ଦ୍ଵାହି ଦେଇ ଗାଁର ସେ ଧୁଳିଧୂସରିତ ଚିତ୍ରପଟ୍ଟକୁ ମୋ ମନର କାନଭାସରୁ ବହୁବାର ଲିଭେଇଦେବାର ଅପଚେଷ୍ଟା କରିଥିଲି ସତ କିନ୍ତୁ ତାହା ଛାଇ ଭଳି ଆଜୀବ୍ୟ ମୋ ପିଛା କରୁଥିଲା ଗାଁରେ ପାଦ ଦେଊ ଦେଉ ସବୁ ବୁଝା ପଡିଗଲା । ମାଆ ପାଖରେ ବ୍ୟାଗ ଫିଙ୍ଗିଦେଇ ବାହାରି ପଡିଲି ଗାଁ ଶେଷ ମୁଣ୍ଡରେ ଥିବା ପଡିଆ ପାଖକୁ ଯିବାପାଇଁ । କାଳେ ପିଲାଦିନର ସେ ବିଛୁଆତି ସାଙ୍ଗମାନଙ୍କ ମେଳି ସହିତ ଭେଟ ବି ହୋଇଯାଇପାରେ ।

ବହୁତ ଆଖି ବୁଲାଇଲା ପରେ ବି ନା ବିଛୁଆତି ମାନଙ୍କ ସହ ଭେଟ ହେଲା ନା ସେଠାରେ କିଛି ପଡ଼ିଆ ଥିଲା । ଥିଲା କେବଳ କିଛି ଶୈଶବ ଆଉ ଯୁବକ ଅବସ୍ଥାରେ ଥିବା ରଙ୍ଗବେରଙ୍ଗର ଅଟ୍ଟାଳିକା ମାନ । ସନ୍ଧ୍ୟା ହୋଇ ଆସୁଥିବାରୁ ସେହି ଅଟ୍ଟାଳିକା ମାନ ବିଭିନ୍ନ ଆଲୁଅରେ ମଧ୍ୟ ସଜ୍ଜିତ ହୋଇଗଲେଣି । ହଠାତ୍ ଆଖିରେ ପଡିଲା ଏକ ନୀଳ ରଙ୍ଗର ସୁଉଚ୍ଚ ଅଟ୍ଟାଳିକାଟିଏ ।  ସମ୍ମୁଖ ଭାଗରେ ଏକ ବିରାଟ ସାଇନ ବୋର୍ଡ ବି ଲାଗିଥାଏ ହେଲେ ଚଷମଟା ଘରେ ଛାଡ଼ି ଆସିଥିବାରୁ ପଢିବାକୁ ଅସମର୍ଥ ହେଲି ।
ହଁ ଏଥର ଭଲଭାବରେ ମନେ ପକେଇ ପାରୁଥାଏ ପିଲାଦିନର ସେ ଚିରସବୁଜ ସ୍ମୃତି ସବୁକୁ । ଯାହା ଚାପିହୋଇ ରହିଥିଲା ସେହି ଅଟ୍ଟାଳିକା ତଳେ । କବର ନେଇଯାଇଥିଲା ବହୁଦିନୁ ତଳୁ । ଝଲକାଏ ଶୀତଳ ପବନ ସହିତ କିଛି ସ୍ମୃତି ବିଞ୍ଚିହୋଇଗଲା ମୋ ମନର ଅରଣ୍ୟ ମଧ୍ୟରେ ।
ଲାଗିଲା ଯେମିତି ସେହି ପୁରୁଣା ଦିନ ଆଉଥରେ ଫେରିଆସିଛି ସେଠାରେ ଅଟ୍ଟାଳିକାଟି ନାହିଁ, ଅଛି ଗୋଇଟେ ବିରାଟ ପଡ଼ିଆ । ଆଉ ସେ ପଡ଼ିଆର ପଶ୍ଚିମ ଦିଗରେ ଧ୍ୟାନମଗ୍ନ ଋଷି ଭଳି ଜଟା ଓହଳେଇ ବସିରହିଛନ୍ତି ଦୁଇଟି ବରଗଛ । ଅଧା ଭଙ୍ଗା ବଳଦ ଗାଡ଼ିଟିଏ ନୀରବରେ ନିଜ ପିଠି ଦେଖେଇ ଶୋଇ ରହିଛ, ଆଉ ତା ପିଠି ଉପରେ କେତେଟା ବିଛୁଆତି ପିଲା ଫୁଙ୍ଗୁଳା ପିଠିରେ ନାଚକୁଦ କରୁଛନ୍ତି। ଗାଈ ଖୋଜିବାକୁ ଆସି ଜଟି ମାଉସୀ ଗୋବର ଦୁଇ ନେଣ୍ଡା ଗୋଟାଇ ନେଉଛି । ନାଲୁଆ ଅଜା ସବୁଦିନ ଭଳି ସେଠାରେ ଜାଲ ବୁଣୁଛି ଆଉ ମଝିରେ ମଝିରେ ଚିତ୍କାର କରୁଛି –
ହଇରେ ବିଛୁଆତି ଛୁଆ । ମୋ ଦିଅରେ ବଲ୍ ବାଜିଲେ ଗୋଡ଼େଇ ଗୋଡ଼େଇ ଛେଚିଦେବୀ ପିଠିରେ ।ସତରେ ବିଛୁଆତି ପିଲା ଗୁଡାକ। ହେଇ ଦେଖୁନ, ହକି ଖେଳ ପୁରା ଦମରେ ଚାଲୁଥିବା ବେଳେ ମଧ୍ୟ ବନୁଆ ମୁଣ୍ଡ ହଲେଇ କଣ କହିପକଉଚି –
ବାଜିଲେ ବାଜିବ । ତୁ ବୁଢା ସେଠାରେ କାଇଁ ବଇଛୁ । ଆମ ଗାଁ ୱାର୍ଡମେମ୍ବରକୁ ବି ଆମେ ଦରିବୁ ଆଉ ତୋତେ ଡରିବୁ?’
ତାପରେ ବଲ୍ ବଲ୍ କହି ଚିତ୍କାର କରି ଉଠିଲେ ପୁଞ୍ଜାଏ ପିଲା ।  ସମସ୍ତଙ୍କ ହାତରେ ପୁରା ଦେଶୀ ହକିଷ୍ଟିକ୍ । ମୂଳ ବଙ୍କା ବାଉଁଶରେ ତିଆରି ହୋଇଥାଏ । ଆଉ ବଲ୍ କହିଲେ କାଗଜ ଆଉ ଜରିରେ ସୂତା ବନ୍ଧା ବଲ୍, ସମସ୍ତେ ଝାଳନାଳ ହୋଇ ଦୌଡୁଛନ୍ତି ।  ଆଉ ମୁଁ ତ ପୁରା ପବନ ବେଗରେ ଦୌଡୁଛି ।  ହେଲେ ଏ ଯାଏଁ ଗୋଟେ ଥର ବି ବଲ୍ ମୋ ବାଡ଼ିରେ ବାଜିନି ।
ଓ ହୋ! ଆଉ ଟିକକୁ ତ ଗୋଲ ହୋଇଯାଇଥାନ୍ତା । ଆଉ ଏଥର ମୋ ହାତରେ ବଲ୍ । ଖେଳାଳି ଛୁଆଟା ପରି ଡାକ ଦେଲି – ଆସ ମୋ ପାଖରୁ ବଲ୍ ନେବାର କାହାର ସାହସ ଅଛି?’ ବାଘ ସିଂହ ପରି ଖେଳାଳିମାନେ ମାଡ଼ି ଆସିଲେ ମୋ ଚତୁର୍ଦିଗରୁ ।  ଆଉ ନଟ ବଲ୍ ମାରିବାକୁ ମୋ ଆଗରେ ତ ସାମାନ୍ୟ ନଇଁପଡ଼ି ପ୍ରସ୍ତୁତ ହୋଇଗଲାଣି । ନା ଆଉ ଅପେକ୍ଷା ନକରି ମୋର ସବୁତକ ବଳ ଖର୍ଚ୍ଚ କରି ବଲକୁ ଦୁମ୍ କରି ପ୍ରହାର ବସେଇ ଦେଲି । ବଲ୍ ତ ଗଲା ଆଉ ତା ସହିତ ମୋ ହାତରୁ ସେ ବାଡିଟା ଖସିଯାଇ ନଟର ଦାନ୍ତରେ ଜୋରରେ ବାଜିଲା । ଟପଟାପ ହୋଇ ତା ଆଗ ଦାନ୍ତ ଯୋଡ଼ାଏ ଗଳିପଡିଲା ।  ଠୋ ଠୋ ହୋଇ ହସିବାକୁ ଲାଗିଲି । ଆଉ ହସି ହସି ପଡ଼ିଆର ଚାରିଆଡ଼କୁ ଚାହିଁ ଦେଖିଲି ଯେ ପଡ଼ିଆ ଖାଲି । ସମସ୍ତେ ନଟ ମାଆର ଗାଳିକୁ ଭୟ କରି ପ୍ରାଣପଣେ ଦୌଡିଛନ୍ତି । ସେତେବେଳେ ପୁରା ଡରିଗଲି ମୁଁ । ଆଖିରୁ ମୋର ଲୁହ ଗୁଡାକ ଅବିରତ ବୋହିଚାଲିଲା । ବାପା ଆଜି ମୋତେ ନିଶ୍ଚୟ ବାଡେଇବେ ।  ପୁରା ନିର୍ବାକ ହୋଇ ଛିଡା ହୋଇଥାଏ ମୁଁ, କେବଳ କାନକୁ ଶୁଭୁଥାଏ – ଇଁ... ଇଁ... ମୋ ଦାନ୍ତ ଆଣିକି ଦେ ଇଁ... ଇଁ... ମୋ ମାଆ ଆଜି ଗାଳି ଦେବ ମୋତେ ।

ପଛପଟୁ କାନ୍ଧରେ ମାଆର ହାତର ସ୍ପର୍ଶ ପାଇ ପ୍ରକୃତିସ୍ଥ ହେଲି । ଆଖିର ଦ୍ଵାରଦେଶରେ ବାହାରିଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଲୁହ ଦୁଇ ବୁନ୍ଦା ପୁଣି ଫେରିଗଲେ । ଉକୁଟି ଆସୁଥିବା ଅନ୍ତରର କୋହ ବି ଲିଭିଗଲା ହଠାତ । ମା ମୋତେ ହାତ ଠାରି ଠାରି ସବୁ ଅଟ୍ଟାଳିକାର ପରିଚୟ କରାଇଦେଉଥିଲା । 

Post a Comment

0 Comments