ମଝିଆ କ’ଣ ନୁହେଁ କାହାର? - ସୁଧାଞ୍ଜଳି ମିଶ୍ର

ସବୁଜ ବୃକ୍ଷଲତାରେ ଭରା ପ୍ରକୃତି ବିମଣ୍ଡିତା, ସହରର ଅନତିଦୂରରେ ଏକ ଛୋଟିଆ ଗ୍ରାମ ନାମ ନରେନ୍ଦ୍ରପୁର । ସେହି ଗ୍ରାମରେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥାଏ ଦେବଦତ୍ତ । ଘରର ମଝିଆ ପୁଅ ସେ। ବଡଭାଇଙ୍କ ସହ ବାପଙ୍କର ଦାୟିତ୍ଵ ବହନ କରି ଦୁଇ ଭଉଣୀଙ୍କ ବାହାଘର କରାଇ ଦିଏ । ହସ ଖୁସିରେ ଦିନ ବିତିଯାଏ ସେମାନଙ୍କର । ଏଭିତରେ ବଡ ପୁଅର ବାହାଘର ହୋଇସାରିଛି । ମଝିଆ ପୁବ ଦେବଦତ୍ତର ମଧ୍ୟ ବାହାଘର ହୋଇଗଲା ନିକଟବର୍ତ୍ତୀ ଗ୍ରାମ ଜଗନ୍ନାଥପୁର ଶାସନରେ । ଝିଅ ଦେଖିବାକୁ ଗୋଟିଏ ଚାଉଳରେ ଗଢା । ବହୁତ ସୁନ୍ଦର, ହେଲେ ଖରପ୍ରକୃତିର ମଧ୍ୟଶିକ୍ଷିତା (ଅର୍ଥାତ୍ ମାଟ୍ରିକ ପାସ) କିଛି ଦିନ ଶାନ୍ତି ଶ୍ରୁଙ୍ଖଳାରେ ଦିନଗୁଡିକ ଅତିବାହିତ ହୋଇଗଲା । ବାପଙ୍କର ମୃତ୍ୟୁ ପରେ ଆରମ୍ଭ ହୋଇଗଲା ‘ଝଡ଼’ ।
ବଡପୁଅ ତାଙ୍କ ଛୁଆଙ୍କ ପାଠପଢା ଆଳରେ ସହରକୁ ଚାଲିଆସିଲେ । ଗାଁରେ ରହିଗଲେ ମାଁ, ମଝିଆ ପୁଆବୋହୂ, ନାତି ଓ ସାନପୁଅ । ଘରେ ଅଶାନ୍ତିର ବାତାବରଣ, ସବୁବେଳେ ଝଗଡ଼ା ଲାଗିରହିଲା । ଝଡ଼ ଥମିବାର ନାଁ ହିଁ ନେଉନି । ବିଚରା ଦେବଦତ୍ତ ଉଭଯଙ୍କୁ ବୁଝାଇ ନୟାନ୍ତ ହୋଇପଡ଼େ, କେହି ମଧ୍ୟ ବୁଝିବାକୁ ନାରାଜ, ଉଭୟେ ନିଜ ଜିଦ୍ଦରେ ଅଟଳ । ଶେଷରେ ଦେବଦତ୍ତ ବିଫଳ ହୋଇ, ଝଗଡ଼ା ଆରମ୍ଭ ହେଲେ କାହାକୁ କିଛି ନ କହି ବାହାରକୁ ଚାଲିଯାଏ । ଆସିଲା ପରେ ମଧ୍ୟ ଉଭୟଙ୍କ କଥାକୁ ଅଣଦେଖା କରିଦିଏ । ତାହାର ରୋଜଗାର ମଧ୍ୟ ଅଧିକ ନୁହେଁ ଯେ, ବଡଭାଇ ଭଳି ଛୁଆପିଲାଙ୍କୁ ଧରି ସହରକୁ ଆସିଯିବ । ପରିବାରରେ ପୁଣି ଥରେ ଭାଗବଣ୍ଟା ଆରମ୍ଭ ହୋଇଗଲା ।  ମା’ଙ୍କୁ ଆଉ ଗୋଟେ ସହର ଯେ ମିଳିଗଲା । ସାନପୁଅ ।  ରୋଷେଇଶଲ ମଧ୍ୟ ଅଲଗା ହୋଇଗଲା । ତଥାପି ଝଡ଼ କମିବାର ନାମ ହିଁ ନେଉନି। ସବୁବେଳେ ମାନସିକ ଅଶାନ୍ତିରେ ରହେ ଦେବଦତ୍ତ । କାହାକୁ କହିବ? ଯଦି ମା’କୁ କିଛି କହେ, ମା କହିବେ ‘ସ୍ତ୍ରୀ ବୋଲକରା, ସ୍ତ୍ରୀ ପଟ କହୁଛି ।  ଯଦି ସ୍ତ୍ରୀକୁ କିଛି ବୁଝେଇବାକୁ ଚେଷ୍ଟା କରେ ତେବେ ସେ କହିବ, ସାନପୁଅ ଭଳି ମା’ଙ୍କୁ ନେଇ ରହିଲନି, ମୋତେ କାହିଁକି ଆନିଲ ଯେ? ତୁମ ମା ଯାହା କହିବେ ମୁଁ ତାହା କରିବାକୁ ବାଧ୍ୟ ନ କଣ, ମୋର ମନ ବୋଲି କିଛି ନାହିଁ ? ତୁମେ ତୁମ ମା’ଙ୍କୁ ନେଇ  ରୁହ ଏବଂ ତୁମ ଛୁଆଙ୍କୁ ତୁମେ ସମ୍ଭାଳ ମୁଁ ଚାଲିଲି ମୋ ବାପଘରକୁ । ବିଚରା ସ୍ଵାମୀ ନା ସ୍ତ୍ରୀର ଉତ୍ତମ ପଟି ହୋଇପାରୁଛି ନା ମାଁର ଉତ୍ତମ ପୁତ୍ର । ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ବସୁଛି । ସବୁବେଳେ କଲିଝଗଡ଼ାକୁ ନେଇ ଅନ୍ୟ ମନସ୍କ ରୁହେ। କାହାକୁ ବା ଏ କଥା କହିବ? ଯେତେବେଳେ ଇଯେ ଜନ୍ମ କରିଥିବା ମାଁ ଏବଂ ସୁଖଦୁଃଖର ସାଥି ବୋଲାଉଥିବା ଅର୍ଦ୍ଧାଙ୍ଗିନୀ ତାକୁ ବୁଝିପାରୁନାହାନ୍ତି, ଆଉ କିଏ ବା’ କ’ଣ କରିପାରିବ? କ’ଣ କଲେ ପୁଣିଥରେ ଶାନ୍ତିଶ୍ରୁଙ୍ଖଳା ବଜାୟ ରହିବ ଏବଂ ମନୁଷ୍ୟ ଟିକେ ଶାନ୍ତିରେ ନିଃଶ୍ଵାସ ମାରିପାରିବ । ସବୁବେଳେ ଏକଥା ଦେବଦତ୍ତକୁ ବ୍ୟତିବ୍ୟସ୍ତ କରିଦେଉଥାଏ । ହଠାତ୍ କୌଣସି କାମରେ ସହରକୁ ଯାଇଥାଏ ଦେବଦତ୍ତ କାମସାରି ସହରରୁ ଫେରୁଫେରୁ ସନ୍ଧ୍ୟା ହୋଇଆସିଲାଣି । ମିଛି ମିଛି ଅନ୍ଧାରରେ କିପରି ଘରେ ପହଞ୍ଚିବ ଭାବି ସାଇକେଲରେ ଦ୍ରୁତଗତିରେ ଫେରୁଥାଏ ହଠାତ ପଛପଟୁ ଏକ ବସ ସହ ତା’ର ଧକ୍କା ହୋଇଯାଏ । ସଙ୍ଗେ ସଙ୍ଗେ ବିଶାଖାପାଟଣା ନିଆଗଲା କିନ୍ତୁ ସେ ଆଉ ଫେରିଲାନି । ସତେ ଯେମିତି, ମାତୃକୋଳରେ ଶାନ୍ତିରେ ଚିରନିଦ୍ରା ଯାଇଥିଲା ତଥାପି ତା’ର ଆତ୍ମା ପ୍ରଶ୍ନ କରୁଥିଲା – ‘କୁହାଯାଏ, ବଡପୁଅ ବାପାର, ସାନପୁଅ ମା’ର, ମଝିଆ ନୁହେଁ କାହାର?’

ଯଦିଓ ମଝିଆ ପୁଅ, ଝିଅ ଆଜିକାଲି ନାହାନ୍ତି। ଛୋଟ ପରିବାର ‘ଆମେ ଦୁଇ ଆମର ଦୁଇ’ ବର୍ତ୍ତମାନ ‘ଆମେ ଦୁଇ ଆମର ଏକ’ ହେଲେ ମଧ୍ୟ ସ୍ତ୍ରୀ ଓ ମା ଭିତରେ ଫସିଯାଇଥିବା ମାଝି ବ୍ୟକ୍ତିଟି ପ୍ରକୃତରେ କାହାର? ନା’ ସେ ସ୍ତ୍ରୀ ର, ନା’ ସେ ମା’ର, ସତରେ ‘ମଝିଆ କ’ଣ ନୁହେଁ କାହାର...?’

Post a Comment

0 Comments