ଧର୍ମ କରି ଧର୍ମଯୁଦ୍ଧରେ ପରାସ୍ତ - ବିବେକାନନ୍ଦ ପଟେଲ

କୁରୁକ୍ଷେତ୍ରେ ଚାଲେ ରଣ ଯେ ବିଶ୍ୱେ ବିରାଟ
ଲଢେ ବୀର ବଞ୍ଚାଇସେ  ଧର୍ମର  କିରୀଟ
ମରନ୍ତି ମନୁଷ୍ୟ ଯୁଦ୍ଧ କ୍ଷେତ୍ରେ କ୍ଷଣେ କ୍ଷଣେ
ପାର୍ଥ କର୍ଣ୍ଣ ଲଢ଼ୁଥାନ୍ତି କ୍ରୋଧ ହୁତାସନେ ll

କର୍ଣ୍ଣ ପାଖେ ଆବିର୍ଭାବ ଭୁଜଙ୍ଗ କୁଟିଳ
କର୍ଣ୍ଣ ବୋଲନ୍ତି ସିଏ କଥାଟି ଜଟିଳ
ଅର୍ଜୁନ ତୋ ଶତ୍ରୁ ଅଟେ ମୋର ବି ବଇରୀ
ମୋର ଜନନୀକୁ ମାରି ହେଲା ହତ୍ୟାକାରୀ ll

ତୁମ୍ଭ ଦୁହି ସ୍ଵନ୍ଦନ  ମଧ୍ୟରେ ଅଗ୍ନିଗାର
ପାରୁନି ଡେଇଁ ହେ ସେପଟେ ଅର୍ଜୁନର
ତୁମ୍ଭ ବିଶଖରେ  ମୋତେ କରିଣ ସ୍ଥାନିତ
ଲକ୍ଷ୍ୟ ବିନ୍ଧି ସେଇ ସ୍ଥାନେ କରହେ ପ୍ରେରିତ ll

ତୁମ୍ଭ କାର୍ଯ୍ୟ କରିଦେବି ମୁହିଁ ଅନାୟାସେ
ଚିରନିଦ୍ରା ଦେବି ତାକୁ ମୋ କୁଟିଳ ବିଷେ
ରାଧେ ଯେ କୁହନ୍ତି ଆରେ ମୂର୍ଖ ହସି ହସି
ମୁର୍ଖତାର ପରିଚୟ ଦେଉ ପାଖେ ଆସି !!

ବାହୁବଳେ ଅଛି ମୋର ବ୍ରହ୍ମାଣ୍ଡ ଶକତି
ତୋ ସାହାଯ୍ୟ ଲୋଡିବାକୁ ନାହିଁ ମୋ ନିୟତି
ଏକାଳ ପର୍ଯ୍ୟନ୍ତ ଯାହା ପାଇଅଛି ଯଶ
ତୋ ସାହାଯ୍ୟ ପାଇ କିଆଁ କରିବିରେ ଧ୍ୱଂସ ll

କାଲି ପଢା ହେବି ଯେତେବେଳେ ଇତିହାସେ
ସର୍ପ ସାହା ହେଲା ମୋର. ଯିବି ପରିହାସେ
ଲଢ଼ିବି ମୁଁ ମୋରବଳେ ମୁହିଁ ସୂର୍ଯ୍ୟବୀର
କର୍ଣ୍ଣ ନ ହେବ କୁଟୀଳ  ହୋଇବ ଅମର ll

ମାନବ ଚାହୁଁଛି ଏ ଭୁଜଙ୍ଗ ବିଷଧର
ଏହାବଳେ ଶ୍ରେଷ୍ଠ ହେବ ସିଏ ଅବନୀର !??
କୌରବ ସପକ୍ଷ ଥିଲେ ଥାଉ ରବିସୁତ
ଧର୍ମ କରି ଧର୍ମ ଯୁଦ୍ଧେ ହୋଇଛି ପରାସ୍ତ ll

କର୍ଣ୍ଣ ଜୀବନକୁ ଯଦି ବୁଝନ୍ତି ମାନବ
ଅନାୟାସେ ନ ମିଳନ୍ତେ ରାକ୍ଷସ ଦାନବ lll
  ==================

Post a Comment

0 Comments