ଅଣୁଗଳ୍ପ- 'ଯମଦଣ୍ଡ' - ବିନୟ ମହାପାତ୍ର

ପ୍ରବଚନ ଚାଲିଥାଏ । ପଣ୍ଡିତ ମହାଶୟ ଗୀତାଜ୍ଞାନରେ ମୃତ୍ୟୁ ପରେ ପରେ କଣ ହୁଏ ବୁଝାଉ ଥିଲେ, କହିଲେ, ଉପରେ ଥାଇ ଧର୍ମଦେବତା ସବୁ ଦେଖୁଛି । ଜମ ଦରବାରରେ ଚିତ୍ରଗୁପ୍ତ ସମସ୍ତ ମଣିଷଙ୍କର ପଞ୍ଜିକା ମେଳେଇ ବସିଛି । ଯାହାର ଯେଉଁଦିନ ଆୟୁଷ ସରିଯାଏ, ସେଦିନ ଯମଦୂତମାନେ ଆସି ପହଞ୍ଚି ଯାଆନ୍ତି । ଚମଦଉଡିରେ ଜୀବର ପ୍ରାଣକୁ ବାନ୍ଧି ନେଇ ଯାଆନ୍ତି ଆଉ ଯମ ଦରବାରରେ ପେଶ କରନ୍ତି । ଯମ ଦଣ୍ଡର ଦେବତା, ସମସ୍ତଙ୍କର ପାପ ପୂଣ୍ୟର ପୋଥିନେଇ ବସିଛି, ହିସାବ କିତାବ କରି କେତେ ପାପ କେତେ ପୂଣ୍ୟ ଅର୍ଜନ କରିଛ ତାର ହିସାବ କରି କିଏ ନର୍କକୁ ଯିବ ଆଉ କିଏ ସ୍ୱର୍ଗକୁ ଯିବ କହିବ । ପାପ ଅନୁଶାରେ ଜୀବକୁ ନର୍କରେ ଗରମ ତେଲରେ ପକେଇବେ କି କଣ୍ଟାର ଗଦାରେ ପିଟିବେ କି ନିଆଁର ପକେଇ ସୁଖୁଆ ପରି ପୋଡି ପୋଡି ଦଣ୍ଡଦେବେ ସେକଥା ବିଚାର କରିବେ । 
ଏ ସବୁ ଶୁଣି ପ୍ରବଚନ ଶୁଣୁଥିବା ହରାଦାସ, ପଣ୍ଡିତ ମହାଶୟଙ୍କୁ ପଚାରିଲା ପଣ୍ଡିତ ମହାଶୟେ, ଟିକିଏ ଆଗରୁ ଆପଣେ କହୁଥିଲେ ମଣିଷ ମରିଗଲା ପରେ ମଣିଷଦେହ ଏଇଠି ରହିଯାଏ, ପଞ୍ଚଭୂତର ଶରୀର ପଞ୍ଚଭୂତରେ ମିଶି ଯାଏ, ତେବେ ଯମଦୂତ କାହାକୁ ନେଇ ଯିବେ? 
ପଣ୍ତିତେ ଟିକେ ନାରାଜ ହୋଇ କହିଲେ, ହଇଓ କହିଲି ପରା ଯମଦୂତମାନେ ପ୍ରାଣକୁ ନେଇକରି ଯିବେବୋଲି । ଶରୀର ଆଉ ପ୍ରାଣ କଣ ବୁଝିଛଟି ? 
ହରିଦାସ କହିଲା, ହଁ ପଣ୍ଡିତେ ଟିକିଏ ଆଗରୁ ତ ଆପଣ ବୁଝଉଥିଲେ, ପ୍ରାଣ ମାନେ ଆତ୍ମା । 
ପଣ୍ଠିତେ କହିଲେ, ହଁ, ଠିକ୍ ବୁଝିଛ, ପ୍ରାଣ ମାନେ ଆତ୍ମା ସେଇଟା ଭଗବାନ ପରମାତ୍ମାର ଅଂଶ, ଆଉ ଏଇ ଶରୀର ପଞ୍ଚଭୂତରେ ଗଢା । ମରିଗଲା ପରେ ଶରୀର ଏଇଠି ରହିଯିବ, ଜଳେଇଦେଲେ ପଞ୍ଚଭୂତ ପଞ୍ଚମହାଭୂତରେ ବିଲିନ ହୋଇଯାଏ । 
ହରିଦାସ ଯେପରି କିଛି ବୁଝିପାରୁନଥିଲା ପଚାରିଲା, ପଣ୍ଡିତେ, ଯମଦୂତ ମାନେ ପ୍ରାଣ, ଆତ୍ମାକୁ ସାଙ୍ଗରେ ନେଇ ଯାଆନ୍ତି । ଟିକିଏ ଆଗରୁ ଆପଣେ ଯୋଉ କହୁଥିଲେ, ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି 'ନୈନଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକଃ...' ମାନେ ଆତ୍ମାକୁ ଶସ୍ତ୍ର କାଟି ପାରିବନି, ପାଣି ଓଦା କରି ପାରିବନି, ପବନ ଉଡେଇ ନେଇଯାଇ ପାରିବନି, ଅଗ୍ନି ଜଳାଇ ପାରିବନି, ସେଇ ଆତ୍ମାକୁ ଯମଦୂତ ନେଇ ଯାଆନ୍ତି ନା? 
ପଣ୍ଡିତେ ଏଥର ବିରକ୍ତ ହୋଇ କହିଲେ ହଁ ହୋ ସେଇ ଆତ୍ମାକୁ ଯମଦୂତ ମାନେ ନେଇ ଯାଆନ୍ତି । 
ହରିଦାସ ପଚାରିଲା, ଯେଉଁ ଆତ୍ମା ସହିତ କେହି କିଛି ବି କରାଯାଇ ପାରିବ ନାହିଁ, ତାକୁ ପୁଣି ଯମଦୂତ ମାନେ ଏତେ ଜମଯନ୍ତ୍ରଣା କେମିତି ଦିଅନ୍ତି ? 
ପଣ୍ତିତେ କିଛି ସମୟ ଚୁପ୍ ରହି କହିଲେ, ଏ ସବୁ ଧର୍ମର କଥା, ବିଶ୍ୱାସର କଥା, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର । ଏଥିରେ ତର୍କ କରନା, ପାପରେ ଭାଗୀ ହେବ, ମରିଗଲା ପରେ ଯମଦଣ୍ଡ ଭୋଗିବ ।
-----------------------------------------------
ପଟିଆ, ଭୁବନେଶ୍ଵର
binay.mohapatra2010@gmail.com

Post a Comment

0 Comments