ଭାଇନା ପେସେନ୍ସ ନାହିଁ – ନରେଶ କୁମାର ବେହେରା

ସକାଳୁ ସକାଳୁ ଦୁଇ ରାଉଣ୍ଡରେ
ହାଲିଆ ହେଲିଣି, ଗ୍ରାଉଣ୍ଡରେ
ଭାଇନା,
ଆଉ ପେସେନ୍ସ ନାହିଁ!
ହର୍ନ ମାରିଲେ, ହଟୁନାହିଁ ଜମା
ଟାଇମ ହେଲାଣି, ଦେଖୁନା
ଭାଇନା, ଆଉ ପେସେନ୍ସ ନାହିଁ!

ଏତେ ତରବରେ, ଆସିଲି ଧାଇଁ ମୁଁ ଅଫିସ
ହେଲେ, ଲିଫ୍ଟ ବନ୍ଦ ଭାଇନା,
ଆଉ ପେସେନ୍ସ ନାହିଁ!
ଉଦୁଉଦିଆ ଖରାକୁ, ପକେଟ ଥଣ୍ଡା
ସକେଟ ଗରମ, ଭାଇନା,
ଗଦାଗଦା ଏ ଫାଇଲି
ଆଉ ପେସେନ୍ସ ନାହିଁ!

ଖାଇବାକୁ ନାହିଁ ଟାଇମି
ହେଲେ ପେଟ ତ ବଢିବା ଖାଇମି
ଚାଲିବାକୁ କାହିଁ ବଳ, ଭାଇନା,
ଆଉ ପେସେନ୍ସ ନାହିଁ!
ଡାକ୍ତରଖାନାରେ ଲାଇନି, ଦେଖି
ଗୋଳମାଳ ହେଲା ବ୍ରେଇନି
ଆଉ ପେସେନ୍ସ ନାହିଁ!

ଘରକୁ ଫେରିଲି ବେଇଗି
ଧରି ପରିବା ପତର ବେଗ
ଯାଇ ଗଡି ପଡିବି ବେଇଗି,
ଆଉ ପେସେନ୍ସ ନାହିଁ!
ହେଲେ, ପୁଅ ପଡିଲା ପଛରେ
ଖୋଲି ଖାତା ପତର,
ବାପରେ,
ଆଉ ପେସେନ୍ସ ନାହିଁ!

ସ୍ତ୍ରୀକୁ କହିଲି, ହଇହେ
ଟିକେ ବୁଝୁଥାଅ କଥା ପୁଅର
ଆଉ ପେସେନ୍ସ ନାହିଁ!
ଯାହା ଉତ୍ତରେ ଆସିଲା ସେପଟୁ
କାହିଁ ବଖାଣିବି କଥା ତୁମକୁ
ଆଉ ପେସେନ୍ସ ନାହିଁ!

ସେ ଯାହା ହେଉ, ଗଲା ଦିନଟି
ଟିକେ ଆସିବା ମାରି ଖଇଟି
ଆଉ ପେସେନ୍ସ ନାହିଁ!
ପସରା ଚାଲିଛି, ହେଇଟି
ବସିଛନ୍ତି ସବୁ ସାଇତି,
ହେଲେ ଭାଇନା,
ଆଉ ପେସେନ୍ସ କାହିଁ ??

Post a Comment

0 Comments