କାହା ଉପଦେଶ ମାନି ବ୍ଯାସଦେବ ଶ୍ରୀମଦଭାଗବତ ରଚନା କରିଥିଲେ? - ନରେନ୍ଦ୍ର ପ୍ରସାଦ ବେହେରା

ଶ୍ରୀମଦଭାଗବତ ହେଉଛି ଭାରତବର୍ଷର ଅନନ୍ଯ ସାହିତ୍ୟ ମଧ୍ଯରେ ଏକ ଅକ୍ଷୟ କୀର୍ତ୍ତି । ସମସ୍ତ ପୁରାଣ ମଧ୍ଯରେ ଏହା ହେଉଛି ଶ୍ରେଷ୍ଠତମ । ସ୍ବୟଂ ଭଗବାନ ଏହି ଭାଗବତର ବିଷୟବସ୍ତୁ ବ୍ରହ୍ମାଙ୍କୁ କହିଥିଲେ । ବ୍ରହ୍ମା ତାଙ୍କ ପୁତ୍ର ତଥା ନାରଦଙ୍କୁ ଏହା ଶିକ୍ଷା ଦେଇଥିଲେ । ସୁତରାଂ ଶ୍ରୀମଦଭାଗବତ ସହିତ ନାରଦଙ୍କର ନିବିଡ ସମ୍ପର୍କ ଅଛି । 

ଏହି ନାରଦଙ୍କର ଜନ୍ମବୃତ୍ତାନ୍ତ ଅତି ପ୍ରାଚୀନ କାଳର କଥା । ପୁରାଣ ମାନଙ୍କରେ ତାଙ୍କ ନାମ ବିଶେଷ ଭାବରେ ଶୁଣିବାକୁ ମିଳେ । ସେ ଅହରହ ବୀଣା ବଜାଇ ହରିନାମ ଗାନ କରି ସ୍ବର୍ଗ-ମର୍ତ୍ତ୍ଯ-ପାତାଳ ସର୍ବତ୍ର ବିଚରଣ କରନ୍ତି । ନାରଦଙ୍କର ପୂର୍ବ ଜନ୍ମ ବିବରଣୀ ଅତି ରହସ୍ଯମୟ । ସେ ଶୈଶବ କାଳରୁ ନିଜ ପିତାଙ୍କୁ ହରାଇଥିଲେ । ତାଙ୍କର ମାତା ଜଣେ ଦାସୀ ରୂପରେ ଏକ ତପୋବନରେ ଋଷିମାନଙ୍କର ସେବା କରୁଥିଲେ । ସେହି ତପୋବନରେ ସେ ଲାଳିତ ପାଳିତ ହୋଇଥିଲେ । ହଠାତ୍ ତାଙ୍କ ମାତାଙ୍କର ମୃତ୍ୟୁ ହେଲା । ଏହି ଅନାଥ ବାଳକ ଋଷିମାନଙ୍କର ସେବା କରୁଥିଲେ ଏବଂ ସେମାନଙ୍କ ଠାରୁ ଭଗବତ୍ ପ୍ରସଙ୍ଗ ଶ୍ରବଣ କରି ଭଗବାନଙ୍କ ଦର୍ଶନ ନିମନ୍ତେ ତାଙ୍କ ପ୍ରାଣରେ ଅଦମ୍ଯ ବାସନା ଜାଗିଉଠିଲା । ଦିନେ ଏହି ବାଳକ ତପୋବନ ତ୍ଯାଗ କରି ଈଶ୍ବରଙ୍କ ଅନ୍ବେଷଣରେ ଭ୍ରମଣ କରୁ କରୁ ଏକ ଘନ ଅରଣ୍ୟ ମଧ୍ଯରେ ପ୍ରବେଶ କଲେ ଏବଂ ତପସ୍ୟା କରିବାକୁ ଲାଗିଲେ । ସେ ତପସ୍ଯାରତ ଥିବା ସମୟରେ ଆକାଶବାଣୀ ହେଲା,ହେ ବତ୍ସ,ତୁ ଏ ଜନ୍ମରେ ମୋର ଦେଖା ପାଇବୁ ନାହିଁ । ତୋର ତପସ୍ଯାରେ ମୁଁ ସନ୍ତୁଷ୍ଟ , ଆସନ୍ତା ଜନ୍ମରେ ତୁ ମୋତେ ପ୍ରାପ୍ତ ହେବୁ । ଭଗବାନଙ୍କର ଆରାଧନା କରି ତାଙ୍କ କୃପାରୁ ସେ ପରବର୍ତ୍ତୀ ଜନ୍ମରେ ବ୍ରହ୍ମାଙ୍କର ପୁତ୍ରରୂପେ ସଂସାରକୁ ଆସିଲେ । 
ସେ ହେଉଛନ୍ତି ନାରଦ, ଯିଏ କି ଭାଗବତ ତତ୍ତ୍ୱ ହସ୍ତାନ୍ତର କରିଥିଲେ ବ୍ଯାସଦେବଙ୍କୁ । ଭଗବାନଙ୍କର ଅଂଶରେ ଜାତ ମହାମୁନି ବ୍ଯାସଦେବ ଅଷ୍ଟାଦଶ ପୁରାଣ ରଚନା କରିଥିଲେ ଏବଂ ସୁବିଶାଳ ବେଦଶାସ୍ତ୍ରକୁ ଋକ,ସାମ,ଯର୍ଦୁ,ଅର୍ଥବ,ଏହିପରି ଚାରି ଭାଗରେ ବିଭକ୍ତ କରିଥିଲେ । ମହାଭାରତ ମଧ୍ଯ ତାଙ୍କରି ରଚନା । କିନ୍ତୁ ଏତେ ପୁରାଣଶାସ୍ତ୍ର ରଚନା କରି ମଧ୍ଯ ବ୍ଯାସଦେବଙ୍କ ମନରେ ତୃପ୍ତି ଆସିଲା ନାହିଁ । ସେ ଅନୁଭବ କଲେ ସତେ ଯେପରି ତାଙ୍କ ଜୀବନରେ କିଛି ଅଭାବ ରହିଯାଇଛି । ନାରଦ ତ୍ରିଭୂବନ ଭ୍ରମଣ କରୁଥିବା ଅବସ୍ଥାରେ  ସେ ବ୍ଯାସଦେବଙ୍କର ମନରେ ଅଶାନ୍ତି କଥା ଜାଣିପାରି ତାଙ୍କ ତପୋବନରେ ଆସି ପହଞ୍ଚିଲେ । ସେ କହିଲେ ହେ ବ୍ଯାସ,ଆମ୍ଭେ ତୁମ ମନରେ ଜାତ ହୋଇଥିବା ଅଶାନ୍ତିର କଥା ଜାଣିପାରିଛୁ । ଯେହେତୁ ତୁମେ ଶ୍ରୀହରିଙ୍କର ମର୍ତ୍ତ୍ଯ ଲୀଳା କଥା ବର୍ଣ୍ଣନା କରି ନାହିଁ, ତେଣୁ ତୁମ ମନରେ ଅଶାନ୍ତି ଦେଖା ଦେଇଛି । ସୁତରାଂ ତୁମେ ଆଉ ଗୋଟିଏ ଗ୍ରନ୍ଥ ରଚନା କର,ଯାହା ଶ୍ରୀମଦଭାଗବତ ରୂପେ ଖ୍ଯାତିଲାଭ କରିବ ଏବଂ ପ୍ରାଣୀମାନଙ୍କର ଭବସାଗର ପାରିହେବାରେ ନୌକା ସଦୃଶ ଏହା କାର୍ଯ୍ୟ କରିବ । ଏହା କହି ଦେବର୍ଷି ଅନ୍ତର୍ଦ୍ଧାନ ହୋଇଗଲେ । 
ନାରଦଙ୍କ ଉପଦେଶ ଅନୁସାରେ ବ୍ଯାସଦେବ ଶ୍ରୀହରିଙ୍କର ଲୀଳା କଥା ବର୍ଣ୍ଣନା କରି ଅଠର ହଜାର ଶ୍ଲୋକରେ ଶ୍ରୀମଦଭାଗବତ ରଚନା କଲେ । ପିତାଙ୍କ ନିକଟରୁ ଭାଗବତଶାସ୍ତ୍ର ଶିକ୍ଷା ପାଇଥିଲେ ତାଙ୍କ ପୁତ୍ର ଶୁକଦେବ ମୁନି । ଅଭିଶାପଗ୍ରସ୍ତ ପରୀକ୍ଷିତ ମହାରାଜାଙ୍କୁ ଗଙ୍ଗା କୂଳରେ ଶୁକଦେବ ସାତଦିନ କାଳ ଏହି ପବିତ୍ର ଶାସ୍ତ୍ର ଭାଗବତ ଶୁଣାଇଥିଲେ , ଯାହାକୁ ଶ୍ରବଣ କରି ତକ୍ଷକ ସର୍ପ  ଦଂଶନ କରିବା ପୂର୍ବରୁ ତାଙ୍କର ସ୍ବର୍ଗାରୋହଣ ହୋଇଥିଲା । ଋଷିମାନଙ୍କର ଏହି ସମାବେଶରେ ଉପସ୍ଥିତ ଥିବା ଶ୍ରୁତିଧର ମୁନି ସୂତ ଉଗ୍ରଶ୍ରବା ଭାଗବତ ଶାସ୍ତ୍ରକୁ ଶ୍ରବଣ କରିଥିଲେ । ସେ ପୁଣି ଏହାକୁ ନୈମିଷାରଣ୍ଯରେ ଋଷିମୁନି ମାନଙ୍କର ଯଜ୍ଞାନୁଷ୍ଠାନରେ ଶୁଣାଇଥିଲେ । 
---------------------
ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର

Post a Comment

0 Comments