ଗଞ୍ଜାମ ଜାତୀୟ ସମିତି - (ଅବକାଶ ଚିନ୍ତା – ଗୋବପନ୍ଧୁ ଦାଶ)


                        (୧)
ଅନ୍ଧାର ଉତ୍କଳ-ନଭେ           ଏବେ ଶୁଭଦିନେ
ଊଇଁଛି ଉଜ୍ଜ୍ଵଳ ଆଶା-           ତାରକା ଦକ୍ଷିଣେ,
ନବୋଦିତ ଯୋଗୁଁ ପ୍ରଭା       ଅଳପ ବିକାଶ
ତଥାପି ଢାଳଇ ପ୍ରତି            ପରାଣେ ଆଶ୍ଵାସ
ଉତ୍କଳ ଜାତୀୟ ପୋତ         ସୁନିଶ୍ଚିତ ପଥ,
ଦେଖାଇବ ଏହି କ୍ଷୁଦ୍ର           ତାରକା ସନ୍ତତ
ଓଡ଼ିଆ ଜାତିର ଏହା            ହେବ ଧ୍ରୁବତାରା
ନାଶୀ ତମଃ ପ୍ରକାଶିବ          ଯଶଃ ଜ୍ୟୋତିଧାରା


                        (୨)
ଦିନେ ଚାଲି ଯାଇଅଛି          ଆହା ସେ ସୁଦିନ!
ସୁଭଗା ଉତ୍କଳ ତେଣୁ           ଆଜି ଦୀନହୀନ
ଦିନେ ଯେଉଁ ଧ୍ରୁବତାରା        କାଞ୍ଚି ଯାତ୍ରାକାଳେ,
ଚିଲିକାର ଚାରୁବକ୍ଷେ           ନୀଳ ଉର୍ମିମାଳେ
ଚଳାଇଲା ଶତ ଶତ            ଓଡ଼ିଆ ବୋଇତ
ଜାତୀୟ ସମିତିରୂପେ           ଆଜି ସେ ଉଦିତ

                        (୩)
ଧନ୍ୟ ହେ ଗଞ୍ଜାମବାସୀ        ଓଡ଼ିଆ ସକଳ
ଧନ୍ୟ ତୁମ୍ଭ କଉଶଳ,            ଧନ୍ୟ ତୁମ୍ଭ ବଳ ।
ରାଧାକୃଷ୍ଣ ପ୍ରେମ କଥା          ମଧୁର ସଙ୍ଗୀତେ,
ତନ୍ତ୍ରୀମୁଖେ ବଳଦେବ          ଯହିଁ ଶୁଦ୍ଧଚିତ୍ତେ,
ଯହିଁ ମହାକବି ଭଞ୍ଜ             ଶ୍ରୀରାମ ଚରିତ,
ଗାଇଲେ ପ୍ରଥମ ଦିବ୍ୟ         ରସମୟ ଗୀତ ।
ରାମକୃଷ୍ଣ ପଦ ଲାଗି            ଯାର ଧୂଳି ପୁତ
ତୁମ୍ଭେମାନେ ସେ ଗଞ୍ଜାମ      ଉପଯୁକ୍ତ ସୁତ ।

                        (୪)
ଦେଖାଇଲ ଯେ ଉତ୍ସାହ        ଉଦ୍ୟମ ଶକତି,
ମାତୃଭାଷା, ମାତୃଭୂମି           ଅଟଳ ଭକତି,
ଦେଲ ଯେ ଜାତୀୟ ଭାବ      ଦୃଢ ପରିଚୟ,
ଚିରଦିନ ଗାଇବେ ତା          ଉତ୍କଳ-ତନୟ;
ଉତ୍କଳର ଇତିହାସେ            ପାଇବ ତା ସ୍ଥାନ,
ଭାବି ବଂଶ ଦେଖାଇବେ       ସାଦର ସମ୍ମାନ,
ଜାତୀୟ ଜୀବନେ ଏହି         ପ୍ରଧାନ ଘଟନା,
ସ୍ଥାନେ ସ୍ଥାନେ ଓଡ଼ିଆଯେ      କରିବେ ବନ୍ଦନା

                        (୫)
ସୁସଭ୍ୟ ଇଂରେଜ-              ରାଜ-ପିତୃ ସୁଶାସନେ
ଶତ ବର୍ଷ ଅନ୍ତେ ଏବେ         ଉତ୍କଳ ଭୁବନେ,
ଫଳିଲା ପାଶ୍ଚାତ୍ୟ ଶିକ୍ଷା        ସୁମଙ୍ଗଳ ଫଳ,
ସମବେତ ଉଦ୍ୟମର            ଅଦଭୁତ ବଳ
ସ୍ଵଦେଶ, ସ୍ଵଜାତି ହିତେ         ସାଧୁ ସ୍ଵାର୍ଥତ୍ୟାଗ,
ସ୍ଵସମାଜ ସ୍ଵଧରମେ            ଗାଢ ଅନୁରାଗ,
ସୁସାହସେ ଦେଖାଇଲ         ଯେ ଉଚ୍ଚ ଆଦର୍ଶ,
ଅନୁସରନ୍ତୁ ଉତ୍କଳେ,            ସର୍ବେ ପ୍ରତିବର୍ଷ

Post a Comment

0 Comments