ଦୃଢ ଇଚ୍ଛା ଶକ୍ତି ଥିଲେ - ନୃସିଂହ ଚରଣ ବେହେରା

ଜୀବନ ଯାତ୍ରାରେ ଆମେ ଅନେକ ପ୍ରକାରର ଅନୁଭୂତିକୁ ସାଉଣ୍ଟୁ । ତା ଭିତରେ କିଛିତା ସୁଖଦ ଆଉ କିଛିଟା ଦୁଃଖଦ । ହେଲେ ଏହି ସବୁ ଅନୁଭୂତି ସ୍ମୃତି ହୋଇ ରହିଯାଏ ଆମ ମାନସ ପଟ୍ଟରେ । ତନ୍ମଧ୍ୟରୁ କିଛି ବିସ୍ତୃତି ହୋଇଯାଏ ଆଉ କିଛି ମନେ ରହିଯାଏ ସାରା ଜୀବନ ପାଇଁ । ସେହିଭଳି କିଛି ସ୍ମୃତି ମଧ୍ୟରୁ ମୁଁ ଆଜି ମୋ ପିଲାଦିନର ଗୋଟିଏ ସ୍ମୃତି ବିଷୟରେ ବର୍ଣ୍ଣନା କରୁଛି।
ଆଜି ମୁଁ ରହୁଛି ସହରରେ । ହେଲେ ମୋର ଜନ୍ମ ଏବଂ ଜୀବନ ଆରମ୍ଭ ଗାଁରୁ । ମୋ ଗାଁ ଉତ୍ତର ଦିଗରେ କଳକଳ ନାଦ କରି ବହିଯାଉଛି ବ୍ରାହ୍ମଣୀ ନଦୀ । ଦକ୍ଷୀଣରେ ଶାଳ ଜଙ୍ଗଲର ପାଦ ଦେଶରେ ଆମ୍ବତୋଟା । ଅନ୍ୟ ଦୁଇ ଦିଗରେ ବିସ୍ତିର୍ଣ୍ଣ ଚାଷ ଜମି । ନଦୀ ସହିତ ଆସି ମିଶିଛି ଏକ ଉପନଦୀ ।  ନଦୀ ଏବଂ ଉପନଦୀର ମିଳନ ସ୍ଥଳରେ ଅଛି ଏକ ଉଚ୍ଚ ଭୂମି ଯାହାକୁ କୁହାଯାଏ କୁଦ ବୋଲି । ସେହି କୁଦରେ ଗ୍ରାମବାସୀ ମିଳିମିଶି ଜଡା ଓ ସୋରିଷ ଚାଷ କରନ୍ତି ଯାହାର ବିକ୍ରର ଲାଭାଂଶରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଥା ନାନା ପର୍ବ ପର୍ବାଣି ପାଳନ କରାଯାଏ । ଗାଁରେ ସ୍କୁଲଟିଏ ଥାଏ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ । ଦୁଇଜଣ ଶିକ୍ଷକ ପିଲାମାନଙ୍କୁ ପାଠ ପଢାଉଥିଲେ । ସେ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ଗୋଟେ ଘଟଣା ଯାହା ଏବେ ବି ସାଇତା ହୋଇ ରହିଛି ମୋ ସ୍ମୃତିରେ।  ଖରାଦିନ, ସକାଳୁଆ ସ୍କୁଲ ।  ସ୍କୁଲ ଛୁଟି ପରେ ଘରକୁ ଦୌଡ଼ିଯାଇ ବହି ବସ୍ତାନି ଥୋଇ ଯାଊ ନଦୀରେ ହାଜର । ଗାଧୋଇବାରେ କେତେଯେ ସମୟ ବିତିଯାଏ ଜଣା ପଡ଼େନି ଜମାରୁ ।  ସବୁଦିନେ ଆମେ ଆମ ସାହିର ଚାରିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ସାଥି ହୋଇଯାଉ । ବେଳେବେଳେ ଡଙ୍ଗା ନେଇ କୁଦକୁ ଯାଉ ଆଉ ସେଠାରେ ବରକୋଳି ଖାଉ । ପଣି ଭିତରେ ନାନା ପ୍ରକାର ଖେଳ ମଧ୍ୟ ଖେଳୁ।

ଦିନକର କଥା ଆମ ସାଙ୍ଗମାନଙ୍କ ଭିତରୁ ଦାମ ତା ଅଜା ଘରକୁ ଯାଇଥାଏ । ତେଣୁ ଗାଧୋଇବାକୁ ଗଲୁ ଦିନି ଜଣ । ସେଦିନ ଆମେ କୂଳରୁ ଡଙ୍ଗାକୁ ଫିଟାଇ ସେପଟକୁ ଯିବାକୁ ଡଙ୍ଗାରେ ଚଢିଲୁ । ଡଙ୍ଗା କୂଳରୁ ଅଳ୍ପ ଦୂରକୁ ଯାଇଥାଏ ମୋ ସାଙ୍ଗ ଦିଜଣ ଡଙ୍ଗାର କାତକୁ ଫୋପାଡ଼ି ଦେଇ ଡଙ୍ଗାରୁ ଫଟାଫଟ୍ ଡେଇଁ ପଡିଲେ ପାଣିକୁ । ମୁଁ କିଛି ବୁଝିବା ପୂର୍ବରୁ ସେମାନେ ପହଁରି ପହଁରି କୂଳରେ ଠିଆ । ମୁଁ ତାଙ୍କୁ ଯେତେ ବିକଳରେ ଡାକିଲେ ସୁଦ୍ଧା ସେମାନେ ମୋ କଥାକୁ ନ ଶୁଣି ହସୁଥାନ୍ତି । ମୋତେ ତ ପହଁରା ଜଣା ନଥିଲା । କଣ କରିବି? କିଛି ସ୍ଥିର କରି ନପାରି ଡଙ୍ଗାରୁ ଡେଇଁ ପଡିଲି । ପାଣିରେ ମୁଁ ଖାଲି ବୁଡୁଥାଏ ଆଉ ଉଠୁଥାଏ, ହେଲେ ଉଦ୍ଧାର କରିବା ପାଇଁ କେହି ନଥାନ୍ତି। ସାଙ୍ଗ ଦୁଇ ଜଣ ଖାଲି ହସୁଥାନ୍ତି ।  ମୋ ଅବସ୍ଥା ଦେଖି ଅଳ୍ପ ଦୂରରେ ଗାଧୋଊଥିବା ଜଣେ ଯୁବକ ଆସି ମୋତେ କୁଳକୁ ଟାଣି ନେଇ ରକ୍ଷା ଗଲେ । ମୁଁ ମନ ଦୁଃଖରେ ଘରକୁ ଫେଋ କାହାକୁ କିଛି କହୁ ନଥାଏ । ମାତ୍ର ସନ୍ଧ୍ୟା ବେଳକୁ ଗାଁରେ ଏ ଖବର ସମସ୍ତେ ଜାଣିଲେ । ଆମେ ଅନ୍ୟର ଡଙ୍ଗା ଫିଟାଇ ନଦୀରେ ଖେଳିଥିବାରୁ ଦଣ୍ଡ ପାଇଲୁ।

ତା ପରଦିନ ଦାମ ତା ଅଜାଘରୁ ଫେରି ସବୁ ଶୁଣିଲା ।  ସେ ତା ସାଥିରେ ଗାଧୋଇ ଯିବାକୁ ଡାକୁ ନେଇ ମୋତେ ପହଁରିବା ଶିଖାଇଲା। ପାଣିରେ ପଶି କିପରି ଗୋଡ ହାତ ହଲାଇବା, ମୁଣ୍ଡ ଉପରକୁ କରି କିପରି ଅଙ୍ଗଚାଳନା କରିବା ଇତ୍ୟାଦି ବତେଇଦେଇ ମୋତେ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟକଲା । ମୋର ଶିକ୍ଷା ଚାଲିଥାଏ ।  ମାସେ ପରେ ଦିନେ ସେ ଗାଧୁଆତୁଠ ଠାରୁ ଅଳ୍ପ ଦୂରକୁ ମୋତେ ଡାକି ନେଇ ପାଣି ଭିତରକୁ ଠେଲି ଦେଲା । ସେ ସ୍ଥାନରେ ପାଣି ଅଧିକା, ମୁଁ ପ୍ରାଣ ବିକଳରେ ପହଁରି ପହଁରି ଆସି କୂଳରେ ଛିଡ଼ା ହେବାରୁ ସେ କହିଲା, ମୋର ଶିକ୍ଷା ସମାପ୍ତ ହୋଇଛି ଏବଂ ଆଉ ପାଣିକୁଆ ଭୟ କରିବାର କିଛି କାରଣ ନାହିଁ।

ମୁଁ ପ୍ରତିଦିନ ନଦୀରେ ଗାଧୋଇବା ସହିତ ପହଁରିବା ମଧ୍ୟ ଚାଲୁ ରଖିଥାଏ । ଠାରେ ଆମ ସାଙ୍ଗମାନଙ୍କ ଭିତରେ ପହଁରିବା ପ୍ରତିଯୋଗୀତା ହେଲା। ମୁଁ ମଧ୍ୟ ଯୋଗ ଦେଲି । ଯଥା ସମୟରେ ପ୍ରତିଯୋଗୀତା ହେଲା ଏବଂ ମୁଁ ପ୍ରଥମ ହୋଇଥିଲି ।  ମୋ ସାଙ୍ଗମାନେ  ସମସ୍ତେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଥାନ୍ତି । ମୁଁ ସେମାନଙ୍କୁ କହିଲି, ଦୃଢ ଇଚ୍ଛାଶକ୍ତି ଥିଲେ ଯେ କୌଣସି କାର୍ଯ୍ୟ କରିବା ଅସମ୍ଭବ ନୁହେଁ।

ଅତୀତରେ ଯେକୌଣସି ଯୁଗକୁ ଦେଖାଯାଉ, ଗୁରୁକୁଲ ଶିକ୍ଷା ହେଉ କିମ୍ବା ନିଜ ପ୍ରଚେଷ୍ଟାରେ ହେଉ ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଜ୍ଞାନର ବିକାଶ ସହିତ ଆପଣାର ଇଛାଶକ୍ତି ସର୍ବଦା ପଥ ପ୍ରଦର୍ଶକ ହୋଇଥାଏ । ସଦା ସର୍ବଦା ନୂତନ ସୁର୍ଜ୍ୟୋଦୟ ଆଶା ରଖି ଧୀର ଚିତ୍ତ ସ୍ଥିର ବୁଦ୍ଧିରେ କାର୍ଯ୍ୟକାଲେ ସଫଳତା ନିଶ୍ଚୟ ମିଳିବ । ଆମ ଜୀବନରେ ସବୁ ସ୍ମୃତି ଆମକୁ କିଛି ନା କିଛି ବାର୍ତ୍ତା ଦିଅନ୍ତି । ସେଥିପାଇଁ ମୋ ମତରେ –

 ‘ସୁଖେ ଦୁଃଖେ ଭରା ମୋ ସ୍ମୃତି ପସରା
କିଛି ମନେ ଅଛି କିଛି ନାହିଁ,
ଛୋଟିଆ ସ୍ମୃତିଟି ଯଥେଷ୍ଟ ଅଟଇ
ଖୁସିର ଦୀପାଳି ଜାଳିବା ପାଇଁ ।

Post a Comment

0 Comments