ଏପ୍ରିଲ ଫୁଲ୍ - ବିଶ୍ଵ ଭାରତୀ (ଗୋସ୍ଵାମୀ) ଦାଶ

ବର୍ଷକ ବାରମାସ । ମାର୍ଚ୍ଚ ମାସ ସରୁ ସରୁ ଆରମ୍ଭ ହୋଇଯାଏ ଏପ୍ରିଲ ମାସ । ଏବେ ବି ମନେପଡେ ସେଇ ଦିନ, କେବେ ବି ଭୁଲିଳ ପାରିବିନି । ସାନୁ ଦୌଡ଼ି ଦୌଡ଼ି ଧଇଁସଇଁ ହୋଇ କହିଲା ମିଲୁ ଭାଇ, ତୁମ ବାବାଙ୍କୁ ପୋଲିସ ନେଇଗଲା । ମୁଁ ପଡ଼ିଆରେ ଖେଳୁଥିଲି, ଧାଇଁଲି ଘରମୁହାଁ । ବୋଉକୁ ପଚାରିଲି, ବାପା କାହାନ୍ତି? ବୋଊ କହିଲା ପ୍ରିୟ ମଉସା (ଯେ କି ପୋଲିସରେ ଅଛନ୍ତି)ଙ୍କ ସହ ବଜାର ଯାଇଛନ୍ତି । ଟିକେ ଶାନ୍ତ ପଡ଼ିଲି ଏତକ ଶୁଣି ।

ସାନୁ ମୋଠୁ ବର୍ଷକର ସାନ । ପଞ୍ଚମରେ ପଢୁଥିଲା, ମୁଁ ଷଷ୍ଠରେ ।  ସେ ବା କେମିତି ଜାଣିଲା, ପୋଲିସବାଲା ମୋ ବାବାଙ୍କ ବନ୍ଧୁ ବୋଲି। ସେ ଯାହା ଦେଖିଲ, ମୋତେ କହିଥିଲା । ପିଲାଥିଲି ରାଗରେ ପାଚି ଲାଲ ପଡିଗଲି । ତେଣୁ ତାକୁ ମଜା ଚଖେଇବାକୁ ମେନ ମେନ ସ୍ଥିର କରି ବ୍ୟବସ୍ଥା କଲି । ଦୁଇ ଦିନ ପରେ ତା ଉପରକୁ ନକଲି ସାପଟିଏ ପକେଇଦେଲି... ଆଜି ଯାଏ ସେ କଥା କହିପାରୁନି । ତା ବାକଶକ୍ତି ସେ ହରେଈ ଦେଇଛି, ଅନେକ ଚିକିତ୍ସା ପରେ ବି ।
ସେଦିନଠୁ ଆଜିଯାଏ ଏପ୍ରିଲ ଫୁଲ କରିବା ହିଁ ଛାଡ଼ି ଦେଲି । ଏ ପର୍ଯ୍ୟନ୍ତ ଏପ୍ରିଲ ମାସକୁ ଖୁବ ଘୃଣା କରେ ଓ ମୋର ନିଜ ମାନସିକତାକୁ ମଧ୍ୟ । ଉତ୍କଳ ଦିବସରେ ଏ ପିଲାଦିନ ଯାହା ଏକ ଦୃଶ୍ୟପଟ୍ଟ ହୋଇ ରହିଗଲା, ସେ ଦିନଠାରୁ ଆଜି ଯାଏ ମିଛ କହିବା ଖୁସିରେ ଖୁସିରେ ବି କଷ୍ଟ ଦିଏ ମୋତେ ।

ସମୟର ସ୍ରୋତରେ ବନ୍ଧା ଏ ଜୀବନ । ଏବେ ଓଡ଼ିଶା ବାହାରେ ରହି ଉତ୍କଳ ଦିବସ ପାଳନ କରାଯାଉଛି । ସେଦିନ କିଛି ନା କିଛି ବାହାନା କରି ଅନୁପସ୍ଥିତ ରହେ । ଯଦିଓ ସେସବୁର ମୁଖ୍ୟ ଆବାହକ ମୁଁ, ଆମ ଓଡ଼ିଶାର ପରମ୍ପରାକୁ ବଞ୍ଚାଇ ରଖିବାର ଏକ ସାମାନ୍ୟ ପ୍ରୟାସ ମାତ୍ର । ଗୋଟିଏ ଛୋଟିଆ,  ଅଜଣା ଭୁଲ ବି ମଣିଷକୁ ଥରେ ଥରେ ଅଣନିଶ୍ଵାସୀ କରିଦିଏ ସାରା ଜୀବନ... ॥ 

Post a Comment

0 Comments