ମୋର ବୟସ ସେତେବେଳକୁ ୭ କି ୮ ବର୍ଷ ହେବ
। ତୃତୀୟ ଶ୍ରେଣୀରେ ପଢୁଥାଏ । ନାନା ଥାଆନ୍ତି ଜେଲର । ଜେଲ କୋଲୋନୀର କ୍ଵାର୍ଟରରେ ଆମେ ରହୁଥାଉ
। କଲୋନୀର ଚାରିଜଣ ଆମେ ଗୋଟିଏ ବିଦ୍ୟାଳୟରେ ପଢୁଥାଉ ।
ଜଣେ ମୋର କ୍ଲାସ୍ସମେଟ, ଜଣେ ତଳ ଆଉ ଜଣେ ଉପର ଶ୍ରେଣୀର । ମୋର କ୍ଲାସମେଟଟି ଗୋଟିଏ ପୁଅ ସଚ୍ଚିନ୍, ଆଉ ବାକି ସୁକନ୍ୟା, ନିଶି ଓ ମୁଁ । ସ୍କୁଲରୁ ଫେରିବା ପରେ ଖାଇସାରି ଧୂମ ଖେଳୁ । ଏବେପରି
ଟିଉସନ ଫିଉସନର ଜଞ୍ଜାଳ ହିଁ ନାହିଁ । ପାଠ ବୁଝୁନି ତ ଶ୍ରେଣୀରେ ଶିକ୍ଷକ ବା’ ଘରେ ବାପା, ମା କି ବଡ ଭାଇ ଭଉଣୀଙ୍କୁ ପଚାରୁ । ସଞ୍ଜ ହୋଇ ଘରୁ ବୋଊର ପାଟି
ଶୁଭିଲେ ଏଡ଼ିକି ଏଡ଼ିକି ଲାଭ, ଯା’ ଘରକୁ ସିଏ ଯାଉ... ପାଟି କରି ଧାଉଁ।
ପାଠ ନ ବୁଝିଲା ନାଇଁ, ଟେନ୍ସନ ନେବାର ନାଇଁ, କି ମଜା ଅଛି ସେ ବନ୍ଧନରେ ।
ସ୍ନେହ ବୋଲି ଝିଅଟି । ଆମ ସହିତ ମିଶେନି । ଛାତି ଉପରେ ହାତ ଛନ୍ଦି ଦୂରରୁ
ଖେଳ ଦେଖେ । ଡାକିଲେ ଆସେନି । ଆମକୁ ଖରାପ ଲାଗେ
। ତା’ ଭାଇ କୁଆଡ଼େ କଟକରେ ପୋଲିସ । ଆଣିଥାନ୍ତି ତା’ ପାଇଁ ଗୋଟେ ଲୁଡୁପାଳି ପଟା । ସେ ଆମକୁ
ଫୁଲେଈ ହୋଇ ଦେଖାଇଲା କିନ୍ତୁ ଛୁଆଁଇ ଦେଲା ନାହିଁ ... ।
କେଡ଼େ ସୁନ୍ଦର ଖେଳ ପଟାଟି । ଏପଟେ
ସାପସିଡ଼ି ସେପଟେ ଲୁଡୁ...। ମନ ଅଥୟ । ଭବିଲୁ, ଚାରି ଜଣ ମିଶି ଲୁଡୁପାଳି କିଣିବୁ । ବଜାର ସାରା ବୁଲିବୁଲି ଗୋଟିଏ ବହି ଦୋକାନରେ ସନ୍ଧାନ
ପାଇଲୁ । ଦୋକାନୀ କହିଲା ୨ ଟଙ୍କା ରେଟ ଅଛି । ସେତେବେଳେ ୨ଟଙ୍କା ବହୁତ ବେଶୀ । ଦୋକାନୀ ଚାରେଣୀଟିଏ ବି କାଟି ପାରିବନି ବୋଲି ରୋକଠୋକ
ମନାକଲା । ଜଣେକା ୫୦ ପଇସା ପଡିବ । ମୁଁ ଜାଣେ, ବୋଊ ରୋଷେଇଘରେ ଗିନାରେ କିଛି ଖୁଚୁରା ପଇସା ରଖିଥାଏ । ଆମକୁ ଦିଏ ବା ଫେରିବାଲାଠୁ କିଣେ
। ମାଗିଲେ ତ ଦେବ ନାହିଁ । ‘ପାଠପଢ’ କହିବ । ଚୋରେଇଲେ ଜାଣିଦେବ । ତା’ ଛଡ଼ା ହସ୍ତାକ୍ଷରରେ ଲେଖାଅଛି ମିଛ କହିବା ଓ ଚୋରୀ କରିବା ମହାପାପ
ବୋଲି । ମୋର ଗୋଟିଏ ସରାଗାତ ଥାଏ । ବୋଊ
ଖରାବେଳେ ଶୋଇଛି । ଚୁପ୍ କରି ନେଇଆସି ସେଥିରୁ ଝାଙ୍କି ଝାଙ୍କି ପଚାଶ ପଇସା ବାହାର କଲି । ଦୌଡିଲି
ସଚ୍ଚିନ ଘରକୁ । ସେମାନେ କେମିତି ପଇସା ଆଣିଲେ ପଚାରିବାକୁ ତାର ନାହିଁ... ।
ଆମ ଦାଣ୍ଡପିଣ୍ଡାରେ ଆରମ୍ଭ ହେଲା ଖେଳ ।
ଭାରି ମଜା ଆସୁଥାଏ । ଖେଳ ଜମିଲା । ଭୋକଶୋଷ ଗାୟବ । ସ୍ନେହ ମୁହଁରେ ଚୂନକଳା ...।
ସମସ୍ତେ ତ ଲୁଡୁପାଲିର ଅଧିକାରୀ । ସମସ୍ୟା ହେଲା, ରହିବ ଏଇଟା କୋଉଠି? ପ୍ରତିଦିନ ଜଣେ କରି ସେଇଟା ପାଖରେ ରଖିବେ ବୋଲି ନିଷ୍ପତ୍ତି ହେଲା । କଟିଗଲା ୪ ଦିନ । ହଠାତ୍ ଦିନେ, ନିଶା ଖେଳରେ ଗୋଳିଆ କାଢିଲା । କଥା କଟାକଟିରୁ ରାଗରୁଷା, କଳି । ତା’ଠୁ ଚୁଟି ଝିଙ୍କା ଖାଇ ଲୁହ ଲାଳ ହୋଇଥିବା ସୁକନ୍ୟା ତା’ର ପଇସା ଦାବି କଳା ।
ପଇସା ଦବ କିଏ? ଲୁଡୁପାଲି ଟଣାଟଣି । ଦୋକାନୀ ଲୁଡୁପାଲି ଫେରସ୍ତ ନେବାକୁ ମନାକଲା । ଅନୋନ୍ୟପାୟ ହୋଇ
ଲୁଡୁପାଲି ଚାରିବଣ୍ଟା ହେବ ବୋଲି ନିଷ୍ପତ୍ତିହେଲା । କଇଁଚି, ଛୁରୀ ଖୋଲିବାକୁ ତାର ନାହିଁ । ମୁଁ ଆମ ଘର ପରିବାକଟା ପନିକି ଧରି
ଆସିଲି । ସଚ୍ଚିନ ସମାନ ଚାରିଖଣ୍ଡ କରି କାଟିଦେଲା ଲୁଡୁପାଲିଟା କର୍ର କର୍ର କରି ... ।
ପିକ ସବୁ ଭାଗ ବଣ୍ଟା । ଲୁଡୁ ଗୋଟି ଛେଚି ଛେଚି ଗୁଣ୍ଡ । ଆହା! ଛାତି ଭିତରଟା
ଦୁଃଖରେ କଣ ହେଇଯାଉଥାଏ । ଆଖି ଲୁହ ଟଳମଳ ମୁଣ୍ଡପୋତି ସେ ଦିନ ସଞ୍ଜ ଆଗରୁ ଯିଏ ଯା’ ଘରକୁ ଗଲୁ ଭାଗ ନେଇ ।
ଦେଖିଲି, ସ୍ନେହ ତାଙ୍କ ଘର ଗେଟ ପାଖରେ ତାର ଲୁଡୁପାଲି ଧରି ପ୍ରସନ୍ନ
ମୁଦ୍ରାରେ ଚାହିଁ ରହିଛି ... ॥
1 Comments
ସୁନ୍ଦର ରଚନା ।
ReplyDelete