ଭାଗବତ କଥା "ଶ୍ରୀକୃଷ୍ଣଙ୍କ ଦୂତରୂପେ ଉଦ୍ଧବଙ୍କ ବ୍ରଜଧାମ ଗମନ" - ନରେନ୍ଦ୍ର ପ୍ରସାଦ ବେହେରା

ଶ୍ରୀକୃଷ୍ଣ ମଥୁରାକୁ ଯିବା ଦିନଠାରୁ ବ୍ରଜଧାମରେ ମା'  ଯଶୋଦା ଓ ନନ୍ଦରାଜାଙ୍କ ଠାରୁ ଆରମ୍ଭ କରି ଗୋପାଙ୍ଗନାମାନେ ସମସ୍ତେ ତାଙ୍କ ବିରହରେ ବ୍ଯାକୁଳ । ଅନ୍ତର୍ଯ୍ୟାମୀ ଭଗବାନ ସେମାନଙ୍କ ହୃଦୟର ବେଦନା ଜାଣିପାରି ସେମାନଙ୍କୁ ସାନ୍ତ୍ବନା ଦେବାଲାଗି,ତାଙ୍କର ବନ୍ଧୁ ଉଦ୍ଧବଙ୍କୁ ଦୂତରୂପେ ଗୋପପୁରକୁ ପଠାଇଲେ । ଉଦ୍ଧବ ନନ୍ଦ ରାଜାଙ୍କ ଗୃହରେ ପହଞ୍ଚିବା କ୍ଷଣି କୃଷ୍ଣ ଙ୍କ ଖବର ଶୁଣିବା ଲାଗି ବ୍ରଜଲଳନାମାନେ ଆସି ରୁଣ୍ଡ ହୋଇ ଯାଇଥିଲେ । ସେମାନେ କହିଲେ, ତୁମେ ଶ୍ରୀକୃଷ୍ଣଙ୍କ ବନ୍ଧୁ ବୋଲି ଆମେ ଜାଣିଲୁ । ବାପା-ମା'ଙ୍କର ଖବର ନେବାପାଇଁ ସେ ବୋଧହୁଏ ତୁମକୁ ଏଠାକୁ ପଠାଇଛନ୍ତି । ଆମମାନଙ୍କୁ ସେ ନିଶ୍ଚୟ ଭୁଲି ଯାଇଥିବେ । ଆଉ ମନେ ରଖିବାର ଦରକାର କ'ଣ ? ଆମକୁ କନ୍ଦାଇବାରେ ତାଙ୍କର ଆନନ୍ଦ । ତାଙ୍କୁ ଦିନରାତି ଝୁରି ଝୁରି ଆମର ଶରୀର କ୍ଷୀଣ ହୋଇଗଲାଣି । ଆମ ଅବସ୍ଥା ତୁମେ ତ ଦେଖୁଛ । ସେ ଏପରି ନିର୍ଦ୍ଦୟ ହେବେ ବୋଲି ଆମେ ଜାଣି ନ ଥିଲୁ । 

ଉଦ୍ଧବ ଗୋପୀମାନଙ୍କୁ ସାନ୍ତ୍ବନା ଦେଇ କହିଲେ, ତୁମେ ସବୁ ଏତେ ଅଧିର ହେଉଛ କାହିଁକି ? କୃଷ୍ଣ ତୁମମାନଙ୍କୁ ଆଦୌ ଭୁଲି ନାହାନ୍ତି । ତୁମେମାନେ ମହା ଭାଗ୍ଯବତୀ । ଜନ୍ମଜନ୍ମାନ୍ତରର ପୂଣ୍ଯ ବଳରେ ତୁମେ ପୁରୁଷୋତ୍ତମଙ୍କୁ ପରମ ପତି ରୂପେ ବରଣ କରିନେଇଛ । ମୁଁ ତୁମର ପ୍ରିୟତମଙ୍କ ନିକଟରୁ ତୁମମାନଙ୍କ ପାଇଁ କିଛି ବାର୍ତ୍ତା ବହନ କରିଆଣିଛି । ସେ ଯାହା କହିଛନ୍ତି ଶୁଣ- ହେ ମୋର ପ୍ରାଣପ୍ରିୟା ଗୋପାଙ୍ଗନାଗଣ, ତୁମମାନଙ୍କ ସହିତ ମୋର କେତେବେଳେ ବିଚ୍ଛେଦ ହୋଇନାହିଁ । ମୁଁ ତ ସମସ୍ତଙ୍କର  ଆତ୍ମା । ମୁଁ ତ ତୁମରି ଅନ୍ତର ଭିତରେ ସଦାସର୍ବଦା ରହିଛି । ମୁଁ ଜାଣେ ଯେ ମୁଁ ତୁମର ନୟନର ମଣି,ହୃଦୟର ଏକାନ୍ତ ଆପଣାର । ତେବେ ମୁଁ ଯେ ତୁମମାନଙ୍କ ଠାରୁ ଦୂରେଇ ରହୁଛି, ତାର ଗୋଟାଏ ଉଦ୍ଦେଶ୍ୟ ଅଛି । ମୋର ଅନୁପସ୍ଥିରେ ତୁମେ ମୋ କଥା ସଦାସର୍ବଦା ଚିନ୍ତା କରିବ, ମୋତେ ସ୍ମରଣ ମନନ କରିବ,ଧ୍ଯାନ କରିବ ଏବଂ ଧ୍ଯାନରେ ମୋ ସହିତ ମିଳନ ହେବ । ମୁଁ ଦୂରରେ ଥାଇ ସୁଦ୍ଧା ତୁମର ଅତି ନିକଟରେ ଅଛି ବୋଲି ଜାଣବ । ମୁଁ ଭକ୍ତର ପ୍ରେମର ବନ୍ଧନରେ ବାନ୍ଧିହୋଇ ରହିଥାଏ । ବ୍ରଜନାରୀମାନେ ପ୍ରିୟତମଙ୍କର ସନ୍ଦେଶ ଶୁଣି ଅତ୍ଯନ୍ତ ଆନନ୍ଦିତ ହେଲେ । ସେମାନଙ୍କୁ କୃଷ୍ଣକଥା ଶୁଣାଇ ସନ୍ତୋଷ ପ୍ରଦାନ କରିବା ସହିତ ନନ୍ଦରାଜାଙ୍କର ଆତିଥ୍ଯ ଗ୍ରହଣ କରି ଉଦ୍ଧବ ବ୍ରଜଧାମରେ କିଛି ଦିନ ଅତିବାହିତ କରିଥିଲେ । ଉଦ୍ଧବ ଗୋପୀମାନଙ୍କର ଈଶ୍ବର ପ୍ରେମ ଓ ପ୍ରଗାଢ ଭକ୍ତି ଦେଖି ଭାବିଲେ,ଏହାର ନାମ ହିଁ ଅହୈତୁକୀ ଭକ୍ତି । ଏହି କୃଷ୍ଣ ପ୍ରିୟାମାନଙ୍କର ପ୍ରେମର ବନ୍ଧନରେ ଭଗବାନ ବାନ୍ଧିହୋଇ ରାସୋତ୍ସବରେ ସେମାନଙ୍କର ମନୋରଥ ପୂର୍ଣ୍ଣ କରିଥିଲେ । ଧନ୍ଯ ଏହି ବ୍ରଜନାରୀଗଣ ।ଏମାନଙ୍କ ଚରଣ ଧୂଳି ପାଇଲେ ମୁଁ ନିଜକୁ ଧନ୍ୟ ମନେ କରିବି । 
ଏହାପରେ କିଛି କାଳ ନନ୍ଦରାଜାଙ୍କ ଗୃହରେ ଅତିଥି ରୂପେ ରହି ଉଦ୍ଧବ ବିଦାୟ ନେଇ ମଥୁରା ଫେରି ଆସି କୃଷ୍ଣ ଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଥିଲେ । 
--------------------------------------
ସଂଗ୍ରହକାରୀ- ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

Post a Comment

0 Comments