ପୁରୁଷ - ଅଜିତ କୁମାର ସାବତ

ଅନ୍ଧାର ହେବ ଆଗରୁ
ନିଶା ଓ ପେଶାର ଚୌହଦିରୁ ବାହାରି
ଦେହର ଖଣ୍ଡ ଖଣ୍ଡ କଷ୍ଟକୁ
ପାଶୋରୀ ଦେଇ
ମୋତେ ଫେରିବାକୁ ହେବ । ୧।

ବିଶ୍ଵାସର ଭଣ୍ଡାରଟିଏ ସାଉଁଟି
ହଜାର ଆଶ୍ଵାସନାର ପୁଞ୍ଜିମାନଙ୍କୁ
ଗଣ୍ଠିଲି କରି
ମୁକ୍ତି ହିଁ ମୁକ୍ତିର
ମିଛ ଅଭିନୟ କରି
ମୋତେ ଫେରିବାକୁ ହେବ। ୨।

ମାଆ ଗର୍ଭରୁ ବାହାରି
ମାଟି ଗର୍ଭକୁ ଯିବା ପର୍ଯ୍ୟନ୍ତ
ସବୁବେଳେ ସଭିଙ୍କର
ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ
ଜନ୍ମରୁ ଜନ୍ମାନ୍ତଯାଏଁ
କର୍ତ୍ତବ୍ୟର ତିକ୍ଷ୍ଣ
ଖଡ୍ଗ ଧାରରେ
ମୋତେ ଚାଲିବାକୁ ହେବ,
ଯେଉଁଆଡ଼େ ଯାଇଥିଲି ମଧ୍ୟ
ମୋତେ ଫେରିବାକୁ ହେବ । ୩।

ନିଜ ପଞ୍ଜରାକୁ
ଦାୟିତ୍ଵ ପଞ୍ଜୁରୀରେ ବନ୍ଦୀ କରି
ସମସ୍ତଙ୍କ ପାଇଁ
କିଛି ନା କିଛି ଅଜାଡି ଦେବାର
ପ୍ରତିଶ୍ରୁତି ସହ
ମୋତେ ଫେରିବାକୁ ହେବ । ୪।

ଆଉ ଏ ସବୁ ମଧ୍ୟରେ
ମୁଁ ଜାଣି ପାରୁନାହିଁ ଯେ
ମୁଁ ବଞ୍ଚି ଚାଲିଛି
ନା ମରି ଚାଲିଛି,
ଯୁଗ ଯୁଗରୁ କେବଳ
ନିଜ ପୁରୁଷତ୍ଵକୁ
ପ୍ରମାଣିତ କରିବାର
ତୀବ୍ରତାରେ
ନା ସମର୍ପି ଦେବାରେ
ମିଠା ଯନ୍ତ୍ରଣାରେ ॥୫॥
-----------------------------
ଅଜିତ କୁମାର ସାବତଙ୍କ 'ମୁଁ ନିଜ ନିଜ ସହ ଏକାଏକା' ପୁସ୍ତକରୁ ଉଦ୍ଧୃତ । 

Post a Comment

0 Comments