ବାଳକେ ମୋର ବୋଲ କର - ଡକ୍ଟର କୁଳମଣି ଓଝା

ଦେଖ ଦେଖ ଶାଶ୍ୱତ, ପ୍ରତ୍ୟୁଷ,
ଆୟୁଷ୍ମାନ, ଅଭିଷେକ,
ଅରବିନ୍ଦ, ଅନିମେଷ !
ଦେଖିନିଅ ଅନନ୍ୟା, ଅଙ୍କିତା,
ଦିବ୍ୟା, ଦେବସ୍ମିତା, ପୂଜା ଓ ପ୍ରିୟଙ୍କା !!
ତମେ ଯେତେ ଏ ମାଟିର
ଛଳଛଳ ଚପଳ ଭବିଷ୍ୟ
ଆଖି ଫେଇ ଦେଖ !

ସମ୍ମୁଖରେ ତୁମ
ସବିନୟ ପ୍ରତିବେଦନର
ଅନୁଚ୍ଚାରିତ ଦିବ୍ୟ ଉଦବେଳନ ;
ଢେଉ ପରେ ଢେଉ ଊର୍ମିଳ-ଉତ୍କଳ
କେତେ କଥା, କେତେ ଉପକଥା
ସମର୍ପିତ ଶାବ୍ଦିକ ସର୍ଜନା
ଜୀବନର ଚିତ୍ରମୟ ସରଳ ଜ୍ୟାମିତି
ସ୍ଥିରତାର ସମବୃତ୍ତ, କ୍ଷେତ୍ର ପୁଣି
ବର୍ଗ ଓ ଆୟତ ; ତରଳିତ ତ୍ରିଭୁଜର
ବିଶ୍ୱସ୍ତ ବିରାମ, ନମ୍ର ମୂଲ୍ୟାଙ୍କନ l

ହେ ମୋର ପ୍ରତିଆତ୍ମା-
ଉଡ୍ରଜାର ଅମୋଘ ବିଶ୍ୱାସ !!
ପୁଣ୍ୟସ୍ପର୍ଶୀ ପ୍ରୟାସର
ପାବନ ପ୍ରସୂନ !!! ଚାହଁ ଟିକେ ଏଣେ
ସେପାଖର ଆତ୍ମାହତ କ୍ଷଣିକ ଉନ୍ମାଦୁ
ସାମୟିକ ଛୁଟି, ଲେଖିଦିଅ ଦରଖାସ୍ତ
ସ୍ଥିର ଆଉ ପ୍ରଶାନ୍ତ ମୁଦ୍ରାରେ
ନିବିଡ଼ ନିଦର ବାତାୟନ ଖୋଲି
ଏଇ ମାତ୍ର ଫୁଟିଥିବା ଫୁଲ ପରି
ସଜ ଏକ ଆଖିରେ ଅନାଅ
ମୁକୁଳିତ ତୃପ୍ତି ଆଉ ବିଲୋଳ ଖୁସିରେ ;

ଚାହଁ ଥରେ ସଲ୍ଲଜ ପଲକେ
ନ ହେଲା ବି ନାହିଁ ଅବା ଅପଲକେ
ଉତ୍ତିଷ୍ଠତ-ଜାଗ୍ରତର ଅମୃତ ଲଗ୍ନରେ
ଦେଖି ନିଅ ନୂଆ ଚାହାଣିରେ
ଦୂର ଦୂର ସୁଦୂର ଆଲୋକ ;
ଚାହିଁ ରୁହ ଚାତକ ଚକ୍ଷୁରେ.......   
ଅବଶ୍ୟ ବର୍ଷିବ ବର୍ଷା
ନିରୁଦବେଗ ଅମିୟ ଆଶିଷ
ତାରାଭର୍ତ୍ତି ପରିବ୍ୟାପ୍ତ ଅନନ୍ତ ଆକାଶୁ
ବୁନ୍ଦା ବୁନ୍ଦା ଶୀତଳ ଆଲୋକ
ଜ୍ଞାନଦୀପ୍ତ ଆହ୍ଲାଦର କୁସୁମିତ ହସ l

ତମେ ଯେତେ ମୋ ମାଟିର
ମନ୍ତ୍ରାର୍ପିତ ଗୀତିମୟ ସ୍ରୋତ
ତମେ ପୁଣି ଆଭାଦୀପ୍ତ
ଉଡ୍ର-ପୀଠ ସୁରକ୍ଷା କବଚ l
ତମେଇ ତ ପୃଷ୍ଠାରେ ପୃଷ୍ଠାରେ
ଲେଖିଯିବ ଓଡ଼ିଶାର, ଉତ୍କର୍ଷର
ନୂଆ ଏକ ମୁଗ୍ଧ ଇତିହାସ l

ତମେ ସବୁ ଅମାନିଆ ଊର୍ମି
ଏଠି ସେଠି ସଂଚରି ସଂଚରି
ଘୂରି ଘୂରି ଭୟାନକ ଵୀଭତ୍ସ ଚୌହଦୀ
କ୍ଳାନ୍ତ-ଶ୍ରାନ୍ତ-ମ୍ଳାନ ମୁଖରତା
ଶସ୍ତା ଏକ ନିମେଷ ଉତ୍ତାପେ
ଜଳିଲାଣି ଭିତର ବାହାର
କୌମାର୍ଯ୍ୟରେ ପ୍ରୌଢ଼ତ୍ୱର ଗ୍ଳାନି
ଫେସବୁକ, ହ୍ୱାଟ୍ସଅପ, ୟୁଟୁବ
ଗ୍ରାସିଲାଣି ଆପାଦମସ୍ତକ
ନେତି ନେତି ତମାମ ମେଦିନୀ l

ଶୁଣ ଶୁଣ ଅଭିଳାଷୀ
ଉଡ୍ରରାଷ୍ଟ୍ର କୋଟିଏ ଉଚ୍ଛ୍ୱIସ-
ସୁକୁମାର ସ୍ବପ୍ନ -ସଂବାହକ !!
ଖୋଜ କେବେ ସାମାଜିକ ଗଣମାଧ୍ୟମରେ,
ନେଟ କିବା ଗୁଗୁଲର ସନ୍ଧାନୀ ଫର୍ଦରେ
ଅସ୍ମିତାର ଦୀର୍ଘ ପରିଚୟ
ଆଉ ବେଳେ ଅତୀତର ଆଇନାରେ
ପରିପୂର୍ଣ୍ଣ ଐଶ୍ବର୍ଯ୍ୟର ବିଦୁସ୍ନାତ ଲୀଳା
ଖୋଜିଯାଅ ନିତ୍ୟ ନୂଆ ଜ୍ଞାନର ଗଙ୍ଗୋତ୍ରୀ
ତମେ ହିଁ ତ ଆୟୁଷ୍ମାନ
ଆଗାମୀ ସର୍ଜକ, ସର୍ଜିଦିଅ
ଚରାଚର ଆଲୋକିତ-ଉତ୍କଳର
ସମ୍ପନ୍ନ ଭବିଷ୍ୟ ! ଦାରୁବ୍ରହ୍ମ ଆଦିଭୂମି
ମାତୃମୟ ଉଦାର ଐଶ୍ଵର୍ଯ୍ୟ l

ଶୁଣ ମୋର ପ୍ରୀତିର ପ୍ରତ୍ୟୟ
ଶ୍ରଦ୍ଧାସ୍ପଦ ବାଳକ/ବାଳିକା
ଆସ ଥରେ ଜହ୍ନ ଖୋଜିଯିବା !
ପୁରୀ କି ଗୋପାଳପୁର ଅବା ଚାନ୍ଦିପୁର
ବାଲିର ବେଳାରେ ଭୁଲିଯିବା
ଡିଜି ଆଉ ହରର ସିରିଜ
ଅବେଳରେ ଯେତେ ସବୁ
ନଗ୍ନ ଉତ୍ତେଜନା, ବିକଳ ବାସନା
ସଁବାଳୁଆରୁ ପ୍ରଜାପତି ପରି
ସନ୍ତର୍ପଣେ ମୁକୁଳିବା କିଛି କ୍ଷଣ
ନିଦ୍ରାହୀନ ଯନ୍ତ୍ର ବିଳାସରୁ l

ଆସରେ ପିଲାଏ !!
ଅନୁଚ୍ଚ ଦୃଷ୍ଟିରେ ଅନେଇବା ଅନୁକ୍ଷଣ
ମହୋଦଧି ନୀଳ ନୀଳ ଉତ୍ତୁଙ୍ଗ ଲହରୀ,
ଶୁଣି ଶୁଣାଇବା ପ୍ରିୟ ପରିଜନେ
'ଛୋଟ ମୋର ଗାଁଟି'ର ଗୀତି
ଆସ ପିଲେ !! ବହିଟିଏ ଖୋଲିଦେବା
ଦାସ ଜଗନ୍ନାଥ ପରମ ବୈଷ୍ଣବ
ପୃଷ୍ଠା ପରେ ପୃଷ୍ଠା ପଢ଼ିଯିବା
ଅଳ୍ପ ଅଳ୍ପ ଉଚ୍ଚାଟ ଆଶାରେ l

ଏବେ ତ ବୁଝି ସାରିବଣି
କେତେ ପରିପୂର୍ଣ୍ଣ ଏଇ ଆମ
ଧ୍ୱନିମୟ ଧୂସର ଧରିତ୍ରୀ l
କହିଥିଲି ପହିଲି ପୁଲକେ
ପଂକ୍ତିଟିଏ-ସୂକ୍ତିଟିଏ ଖାସ ତମ ପାଇଁ
"ବାଳକେ ମୋର ବୋଲ କର
ସତ୍ୟ ପାଳିବ ନିରନ୍ତର l "
ଏ ତ ଶବ୍ଦାୟିତ ସୂକ୍ତିଟିଏ,
କୋଟି କୋଟି ଓଡ଼ିଆଙ୍କ ହୃଦୟରୁ 
ଅବିରତ ସ୍ରବୁଥିବା ଅମୃତ ଓ ଅନ୍ଵେଷାର
ପୁଣ୍ୟପ୍ରଭ ଶବ୍ଦ-ତୀର୍ଥଟିଏ ;
ଦେଖିନିଅ ମନ୍ମୟ ନେତ୍ରରେ
ମାଟି ଆଉ ମାଟିର ଭାଷାକୁ
ମିଳିଯିବ ଦିଶା ଓ ଦର୍ଶନ
ତପସିଦ୍ଧ ପୂର୍ଣ୍ଣତାର ଜୀବନ୍ମୟ
ପଲ୍ଲବିତ ପୁଷ୍ପିତ-କାନନ l
====================
ଉପସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ଆଞ୍ଚଳିକ କାର୍ଯ୍ୟାଳୟ, ବ୍ରହ୍ମପୁର

Post a Comment

0 Comments