ପ୍ରଣୟର ସ୍ଵପ୍ନ - ନରେଶ କୁମାର ବେହେରା


            ମୋ ମତରେ ତୀର୍ଥ ତାହାକୁ ହିଁ କୁହାଯାଇପାରେ, ଯେଉଁଠିକୁ ଗଲେ ମନର ଗ୍ରନ୍ଥିର ମୋଚନ ବା ସମାଧାନ ହୁଏ । ଆଉ ଏହି ତୀର୍ଥଟିଏ କରିବାକୁ ଆଜିର ସାମାଜିକ ସାଂସାରିକ ପ୍ରପୀଡିତ ମାନବ କେଉଁ କେଉଁ ସ୍ଥାନକୁ ନ ଯାଏ । ଶେଷରେ ସାରା ଜୀବନର ଇତିହାସକୁ ପରିକଳ୍ପିତ କରି, ନିଜକୁ ଗୋଟେ ଭିତଗ୍ରସ୍ତ ମନେକରି, ହୃଦୟରେ ଏକ ବିରାଟ ଆଲୋଡନ ସୃଷ୍ଟି କରେ, ଯାହାକୁ ସେ ଅସମ୍ଭାଳ ହୋଇ ନିଜ ହୃଦୟରୁ ବାହାର କରିଦିଏ। ଆଉ ଏକ ନିଶ୍ଚଳ, ନିଥର ପଥର ସଦୃଶ ପଡି ରହେ। ଭବିପାରେନା, କାହିଁକି ଏ ସବୁ ମୋ ମୁଣ୍ଡକୁ ଜୁଟୁଛି। ମନରେ ଏକ ବିରାଟ ଧୂଳିଝଡ଼। ହୃଦୟରେ ସେହିପରି ରକ୍ତର ଉତ୍ତପ୍ତ ଲାଭା, ଉଥଳ ପୁଥଳ ହେଉଥାଏ, ଆଉ ଶରୀରର ଶିରା ପ୍ରଶିରାଗୁଡିକ ଭୁଲବଶତ: କେତେବେଳେ ଟୁ–ୱେ ହୋଇଯାଇଛି, ଆଉ କିଛି କ୍ଷଣରେ ହିଁ ଯେପଋ ଏକ ବିସ୍ଫୋରଣ ଘଟିବ। ହଠାତ ପୋଖରିଟା ସାମନାକୁ ଆସିଗଲା । ଏଇଟା ହିଁ ବୋଧେ ମୋର ସେଇ ତୀର୍ଥ। ଉତ୍ତରପଟେ ଥାଏ ଏକ ବିରାଟ ବାଟ ବୃକ୍ଷ। ମୁଁ ଆପେ ଆପେ ଚାଲିଗଲି ତାହାଙ୍କ ସମୀପକୁ।

            ସୂର୍ଯ୍ୟ ଅସ୍ତାଚଳ ଗାମୀ। ଦୀର୍ଘ ଶତାବ୍ଦୀ ବ୍ୟାପୀ ଅଗ୍ନିପିଣ୍ଡଟାଏ, ଜଳୁଥାଏ, କିଛି ଗୋଟାଏ ଜଣାଇବାକୁ ଚାହୁଁଛି, କିନ୍ତୁ ତାକୁ ଆଖି ମିଶାଇ ଦେଖିପାରନ୍ତିନି, ଜଳିଯାନ୍ତି ଯେପରି, ବୁଝିପାରନ୍ତି ନାହିଁ, କଣ ଯେ ଜଳୁଛି, ତା ଦେହେ, ଜଳି ଜଳି ଦିନକୁ ଦିନ ଆହୁରି ଉତ୍ତପ୍ତ ଓ ଦଗ୍ଧ ହୋଇ ଉଠୁଥାଏ, କିନ୍ତୁ କେହି ଜାଣିବାକୁ ଚେଷ୍ଟା କରନ୍ତିନି । ଏପରି ଏକ ମନର ଅବକ୍ଷୟରେ, ଅସ୍ଥିରତାରେ ଠିଆ ହୋଇ ମୁଁ ପାପ ଓ ପୂଣ୍ୟର ବିଚାର କରୁଥାଏ । ବୋଧେ, ଯାହା କରିବାଦ୍ୱାରା ଅସ୍ତିତ୍ଵକୁ ରକ୍ଷା କରିହୁଏ, ତାହା ହିଁ ପୂଣ୍ୟ; ଆଉ ଯାହା କରିଲେ ରକ୍ଷା ପାଇବାରୁ ପତିତ ହୁଏ, ତାହା ହିଁ ପାପ।
            ବଟବୃକ୍ଷ ତଳେ ଠିଆ ହୋଇ ମୁଁ ଗାଁଟିକୁ ଏକାବାରେ ଚାହୁଁଥାଏ । ଦୂରରୁ ଗାଁଟି ସମ୍ପୂର୍ଣ୍ଣ ଶାନ୍ତ ଓ ନିଶ୍ଚଳ ଲାଗୁଥିଲା। ପୂରାପୂରି ସୁନସାନ । ଗାଁର ଝଡ ତ ଶାନ୍ତ ହୋଇଯାଇଥାଏ, କିନ୍ତୁ ମୋ ହୃଦୟରେ ଛୁଟୁଥିବା ବନ୍ୟାର କୋଳାହଳ କାହାକୁ ବି ଶୁଭୁନଥିଲା । ସମସ୍ତେ ଜାଣି ବି ଅଜଣା। ସେ ସବୁକୁ ତ ମୋତେ ହିଁ ସହନ କରିବାକୁ ହେବ। ଏହି ବନ୍ୟାର ସ୍ରୋତରେ ମୁଁ ଯେପରି ସଂପୂର୍ଣ୍ଣ ଅଜ୍ଞାନ ଓ ପାଗଳ ହୋଇଯାଇଥିଲି।
            ଟିକେ ବସିପଡି, ମୁଁ ଡାହାଣ ହାତଟିକୁ ବଢାଇ ପାଣିକୁ ଛୁଇଁଲି । ଆଗ ଅପେକ୍ଷା ଏ ପାଣି କାହିଁକି ଅଧିକା ଥଣ୍ଡା ଲାଗୁଛି! ଏବଂ ସେଥିରେ ଗୋଡା ଗୋଡି ହୋଇ ଖେଳୁଥାନ୍ତି ଛୋଟଛୋଟ ମାଛଗୁଡିକ। ଚୁଞ୍ଚି ଚୁଞ୍ଚି କଣ ସବୁ ଖାଆନ୍ତି ଏବଂ ନିଜ ନିଜ ମଧ୍ୟେ କଥା ହୋଇଯାଆନ୍ତି। ପୁଣି ବେଳେ ବେଳେ ଜୁଳୁ ଜୁଳୁ ଆଖି କରି ମୋ ମୁହଁକୁ ବି ଦେଖନ୍ତି । ବହୁତ ଖୁସି ଲାଗେ, ଇଚ୍ଛା ହୁଏ ତାଙ୍କ ସହ କିଛି ଗପ ମାରିବାକୁ, ଧରି ସେମାନଙ୍କୁ ଗେଲ କରିବାକୁ। ପିଲାବେଳେ ବହୁତ ଖେଳିଛି ଏମାନଙ୍କ ପୂର୍ବପୁରୁଷଙ୍କ ସହ । ଆଉ ବହୁତ ହଇରାଣ ବି କରୁଥାଏ, ନିଜ ସାଙ୍ଗପିଲାଙ୍କ ସହ ଖରାବେଳେ ଆସି ସେମାନଙ୍କୁ ଧରେ, ସେମାନଙ୍କ ସହ କଥା ହୁଏ, ତାଙ୍କୁ ଟିକିଏ କଷ୍ଟ ହେଲେ ପୁଣି ଛାଡିଦିଏ ପାଣିରେ। ଏଥିରେ ମୋତେ ବହୁତ ଆନନ୍ଦ ଲାଗେ। ବହୁତ ସମୟ ଧରି, ଖିଆପିଆ ଭୁଲି ମୁଁ ଏଠି ବସୁଥାଏ। କିନ୍ତୁ ମୋର ଏହି ଖେଳରେ ବାଧା ଦେବା ପାଇଁ ଜଣେ ମାତ୍ର ଶତ୍ରୁଥାଏ, ‘ସ୍ମିତା। ଖୁବ ସୁନ୍ଦର, ସୁଶୀଳା ଝିଅଟିଏ। ବୟସରେ ମୋଠୁଁ ଦୁଇ ବର୍ଷ ବଡ। କିନ୍ତୁ ସାଙ୍ଗଠୁ ଅଧିକା। ଏକାଠି ପଢୁ, ଏକାଠି ଖେଳୁ, ବୁଲୁ, ଆଉ ଖୁବ ଝଗଡା କରୁ। ବାପାଙ୍କ ଘନିଷ୍ଠ ମିତ୍ର ଏବଂ ଗାଁର ଜଣାଶୁଣା ବ୍ୟକ୍ତି ପଣ୍ଡିତ ରାମକୃଷ୍ଣ ମିଶ୍ରଙ୍କ ଝିଅ ସେ। ସେ ଜଣେ ମଧ୍ୟମ ଧନିବର୍ଗର ଲୋକ।
            ସ୍ମିତା ପାଟିକରେ, ‘ରେ ମୂର୍ଖ, ଏଠି କଣ କରୁଛୁ ଏମାନଙ୍କ ସହ... ମାଛ ଧରୁଛୁ..., ରହ ରହ, ମୁଁ ଏଇନା ଯାଇ ମଉସାଙ୍କୁ କହେ
            ମୁଁ ତା ପଛେ ପଛେ ଦୌଡି ଯାଇ ହାତ ଯୋଡି କହେ, ‘ନାଇଁ ମିତା, ବାପାଙ୍କୁ କିଛି କହନା, ତୁ କଣ ଜାଣିନୁ,  ସେ କିମିତି ରାଗନ୍ତି... ଆଉ ତୁ ପରା ମୋର ସାଙ୍ଗ, ସବୁଠୁ ଭଲ ସାଙ୍ଗ, ହଁ କି ନାଇଁ କଇଲୁ?’
            “ହଉ ଠିକ୍ ଅଛି,” ସ୍ମିତା ଏକ ଦୁଷ୍ଟାମି ହସଟିଏ ହସି ଦେଇ, ଅଧିକାର ପୁର୍ବକ କହେ, “ତୁ ମୋ ସାଂଗେ ଆ” | ସେ ମୋତେ ପଛେ ପଛେ ନିଜ ଘରକୁ ନେଇଯାଏ | ପଚାରିବାକୁ ସାହସ ବି କରିପାରୁନଥାଏ | ସେ ମୋ ସାମ୍ନାରେ ଦୁଇଟି ଖାତା ରଖିଦିଏ, ଗୋଟାଏ ତା’ର, ଆଉ ଗୋଟାଏ ତା’ ସାଂଗର | ସେଥିରୁ ତା ଖାତାକୁ ଉତାରିବାକୁ କହେ | ସେତେବେଳେ ସ୍ମିତା ସପ୍ତମରେ, ଆଉ ମୁଁ ପଂଚମରେ | ସେ ଭଲଭାବେ ଜାଣେ, ଯେ ନକଲ କରିବାରେ ମୁଁ କୌଣସି ଭୁଲ ଭୁଲ କରିବି ନାଇଁ | କାରଣ, ଆଜି ପର୍ଯ୍ୟନ୍ତ କୌଣସି ଭୁଲ ଯେ ହୋଇନାହିଁ | ସ୍ମୀତା କିନ୍ତୁ, ମୋର ଏହି ସମୟ, ସୁଯୋଗ ଦେଖି, ମୋତେ ସବୁବେଳେ ବ୍ଲାକ୍-ମେଲ୍ କରୁଥାଏ | ମୁଁ ତାର ଆହୁରି  ମଧ୍ୟ ବହୁତ କାମ କରିଦିଏ | ସେ ମୋ ଦ୍ବାରା କାମ ତ କରାଏ, କିନ୍ତୁ ସେତିକି ସ୍ନେହ ମଧ୍ୟ ଦିଏ |
+ - + -  + - +
କିଛି ବର୍ଷ ପରେ |
ସ୍ମୀତା ହାଇସ୍କୁଲ୍ ପାସ୍ କରିଥାଏ | ଝିଅଟିଏ ହୋଇଥିବାରୁ, ଗାଁର ତୁଳନାରେ ବହୁତ ପାଠପଢ଼ି ସାରିଥିଲା ସେ | ବାପା ତା’ର ବରଟିଏ ଖୋଜିବାରେ ଲାଗିପଡିଲେ | ଆମର ଏଭଳି ଦୁର୍ନୀତିଭରା ସମାଜରେ ଭଲ ବରଟିଏ ମିଳିବାଟା କଷ୍ଟକର ଥିଲା | ବାପା ରାମକୃଷ୍ଣଙ୍କ ଅର୍ଥର ଅଭାବ ନଥିଲା | ନିଜର ଏକମାତ୍ର କନ୍ୟାର ବିବାହ ସକାଶେ ସେ କେତେ ବି ଖର୍ଚ୍ଚ କରିବାକୁ ଏବଂ ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସେଇଥିପାଇଁ ସେ କୌଣସି ଛୋଟିଆ ବର ମଧ୍ୟ ଖୋଜୁନଥିଲା |
ଦିନେ ସ୍ମୀତା ଓ ମୁଁ ଦୁହେଁ ତା ରୁମ୍ ରେ  ବସିଥିଲୁ | ସେ ଠିକ୍ ମୋ ସାମ୍ନାରେ ବସିଥାଏ, ଆଉ ମୁଁ ଅପଲକ ଦୃଷ୍ଟିରେ ତା’କୁ ଚାହିଁ  ରହିଥିଲି | ପ୍ରଥମଥର ପାଇଁ ମୁଁ ଯେପରି କିଛି ଗୋଟାଏ ଅଲଗା ଅନୁଭବ କରୁଥିଲି, ତା’ର ସେହି ସୁନ୍ଦର ଚେହେରାଟିରୁ କେତେ ଯେ ଅଜ୍ଞାନତା ଝରି ପଡୁଥିଲା, ତା’ ଆଖି, ଓ ଆଖିର ଚାହାଣୀ... ଓଠ ଏବଂ ତା ଭିତରେ ଲୁଚି ଚମକୁ ଥିବା ମୁକ୍ତାଗୁଡିକ ସବୁ ଯେପରି ଚୁମ୍ବକ ଭଳି ତା’କୁ କିଛିଟା କହିବାପାଇଁ ଟାଣୁଥାଏ | ମୁଁ ହଠାତ ପଚାରି ଦେଲି, “ସ୍ମୀତା, ତୁ ମୋତେ ବାହା ହେବୁ?”
            ହୃଦୟରେ ଏକ ଭିନ୍ନ ପ୍ରକାରର ଆଲୋଡନ ସୃଷ୍ଟି ହେଉଥାଏ, ଅଜଣା ଚିନ୍ତାଧାରା ସବୁ ମୋ ମନରେ ଖେଲୁଥିଲା, ପ୍ରକୃତରେ ମୁଁ ତା’କୁ ଠିକ୍ ରୁପେ ପ୍ରକାଶ କରିପାରିନଥିଲି | ବୋଧେ ତା’କୁ ଖରାପ ଲାଗିଥିଵ |
            ସେ ହସିବାରେ ଲାଗିଲା | ବହୁ ଜୋରରେ ହସୁଥାଏ ସେ | “ତୁ....?” ସେ ଆଶ୍ଚର୍ଯ୍ୟରେ ବଡ଼ବଡ଼ ଆଖି ଦେଖାଇ କହୁଥାଏ, “ତୁ ପୁଣି ବାହା ହେବୁ? ... ତୁ କ’ଣ ଜାଣିନୁ, ମୁଁ ତୋ’ଠୁ କେତେ ବଡ଼? ସବୁଠୁ ବଡ଼ କଥା ହେଲା ତୁ ଜଣେ ଗରିବ ସ୍କୁଲ୍ ମାଷ୍ଟରର ପୁଅ, ତୋତେ ବାହା ହେଲେ ମୋତେ କ’ଣ ମିଳିବ ଯେ? ... ମୁଁ ତ କେଉଁ ଦେଶର ରାଜକୁମାରକୁ ବାହା ହେବି | ସେ ତା’ ସୁନ୍ଦର ରଥରେ ଆସି ମୋତେ ବସାଇ, ତା’ ରାଜମହଲକୁ ନେଇଯିବ ... |” ଉପରକୁ ଚାହିଁ କେଉଁ ଅଜଣା ରାଇଜରେ ହଜି ବୁଲୁଥିଲା | ଆଉ, ସେହି ବାଦଲଗୁଡିକୁ ଧରିବାକୁ ପ୍ରୟାସ କରୁଥିଲା ସ୍ମୀତା; ସତରେ! ସେ ଯଦି ଧରିପାରିଥାନ୍ତା ! ସ୍ମୀତା ବାହାହେଲା | ପୁଅଟି ସମ୍ବଲପୁରରେ ଡାକ୍ତରୀ ପଢୁଥାଏ | ସେ କେଉଁ ଦେଶର ରାଜକୁମାର ତ ନଥିଲା, କିନ୍ତୁ ସମାଜର ଜଣେ ଉଚ୍ଚ ସମ୍ମାନିତ ବର୍ଗର ଥିଲା | ସେ ବେଶୀ ଧନୀ ତ ନଥିଲା, କିନ୍ତୁ ସ୍ମିତାର ସ୍ବପ୍ନର ରାଜକୁମାର ଥିଲା, ଏପରି ମୁଁ ବି କହିପାରୁନଥାଏ |
+ - + - + - +
            କିଛି ଦିନ ଗଲା | କେତେ ମାସ ଗଲା | ମନଟା ସବୁବେଳେ ଖରାପ ଲାଗୁଥାଏ | ସ୍ମୀତା ଚାଲିଗଲା ପରେ ମୋର ସେମିତି ଆଉ କେହି ସାଂଗ ନଥିଲେ, ଯାହା ସହ କି ମୁଁ ମନ ଖୋଲି କଥା ହୋଇଥା’ନ୍ତି | ଯୁକ୍ତ ଦୁଇ ପାସ୍ କରି ନିକଟ ଏକ କଲେଜରେ ଭର୍ତ୍ତି ହୋଇଥାଏ | ସବୁ ନୁଆ ନୁଆ ଚେହେରା, ନୁଆ ନୁଆ ଢଂଗୀ | କାହାକୁ  ମିଶିବାକୁ ବି ଇଚ୍ଛା ହେଉନଥାଏ, କିନ୍ତୁ କିଛି ଗୋଟାଏ ଖୋଜୁଥାଏ, ତା’ ଭଳି ସାଥିଟିଏ | ଏଭଳି ମୋତେ ଲାଗେ |
ଦିନେ କଲେଜରୁ ଫେରି, ହାଲକା ନାସ୍ତା ମୁଁ କରୁଥାଏ | ସେତିକି ବେଳେ ମୋ ଛୋଟ ଭଉଣୀ ଦୌଡି ଆସି କହିଲା, “ଭାଇ, ତୁମେ ଶୁଣିଲ? ସ୍ମୀତା ଅପା ଆସିଛି, ଆଉ ସେ କେବେ ସେଠିକି ଯିବା ନାହିଁ |” ଏତିକି ଶୁଣି ଏପରି ଲାଗିଲା ମୋ ପାଦତଳୁ ଭୁମିଟା ଯେପରି ଖସିଯାଇଛି | ମୁଁ ଆଶ୍ଚର୍ଯ୍ୟରେ ଚାହିଂ ପ୍ରଶ୍ନକଲି, “କ’ଣ ... କ’ଣ କହିଲୁ?”
“ହଁ, ତା ସ୍ବାମୀ ତାକୁ ଛାଡପତ୍ର ଦେଇଛନ୍ତି |”
ମୁଁ ଅତ୍ୟନ୍ତ ଆବେଗ ସହକାରେ ଠିଆ ହେଲି, “ଛାଡପତ୍ର, କାହିଁକି?”
“ତା ସ୍ବାମୀ ସମ୍ବଲପୁରରେ ନିଜ ସାଥିରେ ପଢୁଥିବା ଝିଅ ସହ ବାହା ହୋଇଛି |”
କ୍ଷଣିକ ପାଇଁ ମୁଁ ଅବାକ୍ ରହିଗଲି | କିଛି ଚିନ୍ତା କରିପାରୁନଥାଏ, ଏଭଳି ଅନିନ୍ଦ୍ୟ ସୁନ୍ଦରୀ ଝିଅଟିକୁ କିଏ ବା’ ଛାଡି ଦେଇପାରେ? ସେ ଗୋଟାଏ ଅନ୍ଧଟା ନା’ କ’ଣ?
ସ୍ମିତାର ଶାନ୍ତ, ସରଳ ଓ ସୁନ୍ଦର ଚେହେରାଟି ମୋ ଆଖି ଆଗରେ ନାଚିବାରେ ଲାଗିଲା | କ’ଣ ନ ଘଟୁଥିବ ତା’ ଉପରେ, କ’ଣ ସେ ଏସବୁ ସହି ପାରୁଥିବ? ତା’ ହେଲେ କ’ଣ ଏଇ ତିନି ବର୍ଷ କାଳ, କାହାକୁ କିଛି ବା ନ ଜଣାଇ ... ହେ ପ୍ରଭୁ!
ପରେ ଜାଣିବାକୁ ପାଇଲି, ଯେ ସ୍ମିତାର ସ୍ବାମୀ ପୁର୍ବରୁ ହିଁ କେଉଁ ଝିଅ ସହ ସମ୍ପର୍କ ରଖିଥିଲା | ସ୍ମିତାକୁ ବାହା ହୋଇ ସେ କେବଳ ନିଜ ବାପା ମା’କୁ ଦେଇଥିବା କଥାକୁ ସମ୍ପୂର୍ଣ୍ଣ କରିଥିଲା | ମୁଖ୍ୟ ବିଷୟଟା ତ’ ବୋଧେ ଯୌତୁକ ହୋଇଥିବ, ଯାହାକି ପଂଡିତେ ରାମକୃଷ୍ଣ ଭରପୁର ଦେଇଥିଲେ | ଆଜିର ଏ ପରିସ୍ଥିତି ତା’ ବାପାଙ୍କ ଆଗେ ଏକ ପ୍ରଶ୍ନଚିହ୍ନ ଭଳି ଛିଡା ହୋଇରହିଛି, ସ୍ମୀତା ପାଇଁ ସେ ବାଛି ବାଛି ବରତିଏ ଖୋଜିଥିଲେ, ପୁଣି ଏକ ସମ୍ମାନିତ ପରିବାର ଦେଖି, ତେବେ ଏପରି କାହିଁକି, ସ୍ମିତାକୁ ଏକ ପରିତ୍ୟକ୍ତାର ଜୀବନ ବିତାଇବାକୁ ବାଧ୍ୟ ହୋଇ ପଡିଲା |
ମୁଁ ଯେବେ ସ୍ମିତାକୁ ଦେଖିଲି, ବିଶ୍ବାସ କରିପାରିଲିନାହିଁ | ତା’ର ସୁନ୍ଦର, ସୁଗଠିତ ଶରୀରରେ ହାଡ଼ର ଢାଂଚା ମାତ୍ର ହିଁ ଶେଷ ରହିଯାଇଥିଲା | ମୁହଁରୁ ତେଜ ଚାଲିଯାଇଥିଲା | ଗାଲରୁ ବାହାରି ଆସିଥିବା ଅସ୍ତିଗୁଡିକ ଦୁରରୁ ଫୁଟି ଦିଶୁଥିଲା | ତା’ ଆଖିର ଔଜ୍ବଲ୍ୟ କେଉଁଠି ହଜିଯାଇଥିଲା, ଯେଉଁଥିରେ କି ତା’ ସ୍ବପ୍ନର ଏକ ଛୋଟିଆ ଚିହ୍ନଟିଏ ବି ନଥିଲା | ଭାଗ୍ୟ – ଏତେ ଭୟଂକର ଉପହାସ ତା’ ସହ କ’ଣ ପାଇଁ କରିଲା | ସେ ତ କାହାର ଅନିଷ୍ଟ କରିନଥିଲା, ତେବେ ତା’ ଜୀବନଟା ଏଭଳି ଜଳନ୍ତା ଅଂଗାର କାହିଁକି ପାଲଟିଗଲା ?
            ସେ ଆଜିକୁ ପ୍ରାୟ କୋଡିଏ ଦିନ ହେବ | ଏ ପର୍ଯ୍ୟନ୍ତ ସେ ଘରୁ ପଦାକୁ ଆସୁନଥାଏ | ମୁଁ ବ୍ୟାକୁଳ ହୋଇ ବାରମ୍ବାର ତା’ ଘରକୁ ଯାଏ, କିନ୍ତୁ ଏକୁଟିଆ ଭେଟିବାର ସୁଯୋଗ ନ ପାଇ ଫେରିଆସେ | ଆଜି ସେ କୌଣସି କାମରେ ପ୍ରଥମ ଥର ଆମ ଘରକୁ ଆସିଥାଏ | ଯେତେ ସମୟ ସେ ଆମ ଘରେ ରହିଲା, ମୁଁ ବାହାର ବାରଣ୍ଡାରେ ଛିଡା ହୋଇ ଅପେକ୍ଷା କରୁଥାଏ | ପ୍ରାୟ ପନ୍ଦର ମିନଟ୍ ପରେ ସେ ଘରୁ ଆସିଲା | ମୋତେ ଦେଖି, ମୋ ପାଖକୁ ଆସି, କିଛି ନ କହି ମୁଣ୍ଡ ତଳକୁ ପୋତି ଛିଡା ହେଲା |  ମୁଁ ବିଲକୁଲ୍ ତା’ ପାଖେ ଯାଇ, ଧିର ସ୍ବରରେ କହିଲି, “ସ୍ମୀତା” |
            ସେ କିନ୍ତୁ ଛୁପ୍ | ଖାଲି ମୁଣ୍ଡ ହଲାଇ ରହିଗଲା, ହଁ କରିବା ଇସାରାରେ | ଆଉ ପୁଣି, ତା’ ପାଖରେ କହିବା ପାଇଁ ଥିଲା ବା’ କ’ଣ? ମୋତେ ହିଁ କହିବାକୁ ଥିଲା, ମୋ ହୃଦୟରେ ସାଇତିରଖିଥିବା କଥା ସବୁ |
            “ସ୍ମୀତା, ମୁଁ ବହୁତ୍ ଦୁ:ଖୀ | ଜାଣେନା, ଭଗବାନ ତୋତେ କେଉଁ ଜନ୍ମର ପାପର ଦଣ୍ଡ ଦେଉଛନ୍ତି | ... ହେଲେ ଭାଗବାନଂକୁ ବି କେଉଁ ଅଧିକାର ଅଛି ଯେ ସଂସାରର ପ୍ରତି ସୁନ୍ଦର ବସ୍ତୁଟିକୁ ସେ ନଷ୍ଟ କରିଦେବେ ? ... କିନ୍ତୁ, ସେହି ମନୁଷ୍ୟ ହିଁ କ’ଣ ଯେ ନିଜ ଦୁଖକୁ ହୃଦୟରେ ବାନ୍ଧି ବସିରହେ | ଦୁଖ ଆଉ ସୁଖ ଏ ଜୀବନରେ ଲାଗିରହିଥାଏ | ଆମକୁ ଭାଗ୍ୟର ଫଳରେ ବି କାହିଁକି କାନ୍ଦିବାକୁ ହେବ? ମନୁଷ୍ୟ ଯଦି ସାହାସରେ କାର୍ଯ୍ୟକରେ ତେବେ ସବୁ ଦୁଖକୁ ସେ ଆରାମରେ ମୁକାବିଲା କରିପାରିବ | ପୁଣି ଖୁସିରେ ତା’ ଜୀବନ ପୁନର୍ଗଠିତ ହେବ |”
            ସେ ମୋତେ ଦେଖିଲା | ଆଖିରେ କେବଳ ଶୋକର ହତାଶ ଏବଂ ଏକକ ଝଲସି ଉଠୁଥାଏ | ଜୀବନର ଏପରି ଏକ ଅଯୌକ୍ତିକ, ଅତିଶୟ ବ୍ୟଥାତୁର ଘଟଣାରେ ସେ ନିଜ ଚିନ୍ତା ଶକ୍ତି ହରାଇ ବସିଥିଲା | ମୁଁ ତା’କୁ ବୁଝାଇବାର ଅଂଦାଜରେ କହିଲି, “ଦେଖେ, ତୋର ବାହାର୍ଘର ସେହି ବ୍ୟକ୍ତି ସହ ହେଲା, ଯାହା ବିଷୟରେ ତୁ ବା’ କ’ଣ, ତୋ ଘରଲୋକ ବି ଠିକ୍ ସେ ଜାଣି ନଥିଲେ | ତୋର ବାହାଘର ତ କେବଳ ତୁମ ଜାତି-ଘର ଦେଖି କରାଗଲା | କିନ୍ତୁ, କ’ଣ ସବୁ ଦେଇଗଲା ଏଇ ଜାତି-ସମାଜ? କେବଳ ଦୁଖ ଓ ମାନସିକ ବ୍ୟଥା | ... ଯେଉଁ ଗଣ୍ଡରେ ଏହି ସମାଜ ତୋତେ ଠେଲି ଦେଇଛି, ସେ ଏତେ ଗଭୀର ଯେ ତୁ ବାହାରକୁ ଆସିପାରିବୁନି | ଯେଉଁ ପୂର୍ବ କର୍ମର ଫଳ ତୁ ଆଜି ଭୋଗ କରୁଛୁ, ସେଥିପାଇଁ ସାରା ଜୀବନ କାନ୍ଦିବାଟା ମୋ ମତରେ ବ୍ୟର୍ଥ | କାରଣ, କାନ୍ଦିବା ଆମର ଧର୍ମ ନୁହେଁ | ତୁ ଚାହିଁଲେ ତୋ ଲୁହ ତୁ ନିଜେ ପୋଛି ଦେଇ ପାରିବୁ |”
ସେ କାନ୍ଦୁଥାଏ | ମାନେ ଆଖିରୁ ଦୁଇଧାର କେବଳ | ଆଉ ମୁଁ ଯେପରି ତା’ ଜଖମରେ ନମକ୍ ମାରୁଥାଏ | ମୁଁ ପୁଣି କହିଲି, “ତୁ ଜଣେ ରାଜକୁମାରକୁ ବାହା ହେବା ପାଇଁ ଇଚ୍ଛା କରିଥିଲୁ | କିନ୍ତୁ ତାହା ହେଲାନାହିଁ | ଏବେ କିନ୍ତୁ ଯଥାର୍ଥ କଠୋର ଭୁମି ଉପରେ ଓହ୍ଲାଇ ଆସି କାହିଁକି ନା ତୁ ବାସ୍ତବିକତାକୁ ସ୍ବୀକାର କରି ପୁଣି ଏକ ସୁଖୀ ଜୀବନ ବ୍ୟତିତ କରିବୁ !”
“କିପରି?” ଲୁହ ପୋଛି ପୋଛି, ସେ ମୁହଁ ଟିକେ ଖୋଲିଲା |
“ଏବେ ଯାହା କିଛି ହେଲା, ଭୁଲିବାକୁ ଚେଷ୍ଟାକର | ଜୀବନଟା ବହୁତ୍ ଲମ୍ବା | ତୋର ଏକ ଉଜ୍ଜ୍ବଳ ଭବିଷ୍ୟତ ବି ଆଗକୁ ଥାଇପାରେ | ... ତୋର ମନେ ଥାଇପାରେ, ଦିନେ ମୁଁ ତୋତେ ପଚାରିଥିଲି, ତୁ ମୋତେ ବାହା ହେବୁକି ? ତୁ ମନା କରିଥିଲୁ | ମୁଁ ମଧ୍ୟ ସେତେବେଳେ ଅଜ୍ଞାନ ଥିଲି | କିନ୍ତୁ ଆଜି, ଯେଉଁ ରାସ୍ତାରେ ତୁ ଛିଡ଼ା ହୋଇଛୁ, ସେଠାକୁ ଫେରି ତୁ କାହିଁକି ନା ସ୍ବୀକାର କରିବୁ, ଯାହା ତୁ ବହୁତ ପଛରେ ଛାଡ଼ି ଦେଇ ଆସିଥିଲୁ | ... ମୁଁ ଜାଣେ ତାହା ସୁନା ହୋଇନପାରେ, ତା’ ବୋଲି ସେ ରାସ୍ତାର ପଥରଟାଏ ତ ନୁହେଁ, ଯାହାକୁ ପୁଜା ନ କରାଯାଏ, ... ଆଉ ତୁ ତା’କୁ ଛୁଇଁ ଦେଲେ, ବୋଧେ ତାହା ସୁନା ବି ପାଲଟି ଯାଇପାରେ |”
            ସ୍ମୀତା ଆଗରେ ବହୁତ ଗୁଡିଏ ପ୍ରଶ୍ନର ପ୍ରସ୍ତାବ ବାଢିନେଇଗଲି, ଯାହାର ଉତ୍ତର ସ୍ବୟଂ ମୋ ପାଖେ ବି ନଥିଲା | ଆମ୍ଭେ ଦୁହେଁ ବହୁ ସମୟବ୍ୟାପି କଥା ହେଲୁ | ଜାଣେନା, କେତେଦୁର ସେ ମୋତେ ବୁଝିବାରେ ସମର୍ଥ ହେଲା | କିନ୍ତୁ, ତା ଆଖିରେ ଏକ ନୂତନ ପ୍ରକାର ଜାଗରଣ ଦେଖିବାକୁ ପାଇଲି | ସେ ପୁଣି କିଛି ସମୟ ଚୁପ୍ ରହି ଭାବିବାରେ ଲାଗିଲା | ଆଉ ଯାଉ ଯାଉ କହିଲା, “ମୁଁ ସବୁକିଛି ଭଲଭାବେ ଚିନ୍ତା କରି... କାଲି କହିବି |”
            ତା’ ପର ଦିନ ପୁଣି ଆମେ ସେହି ସ୍ଥାନରେ, ସେହି ସମୟରେ ଭେଟ ହେଲୁ | କିନ୍ତୁ, ମୁଁ ପୂର୍ବପରି ତା’ ଆଖିରେ ଖୁସିର କୌଣସି ଚିହ୍ନ ଦେଖିବାକୁ ପାଇଲି ନାହିଁ |
ମୁଁ ଆଗେଇ ପଚାରିଲି, “କ’ଣ ଠିକ୍ କରିଲୁ, ତୁ?”
“ସାଗର... ମୁଁ ଏ ପର୍ଯ୍ୟନ୍ତ କିଛି ଠିକ୍ ନିର୍ଣ୍ଣୟ ନେଇ ପାରିନାହିଁ |” ସେ ଧିର କଣ୍ଠରେ କହିଲା, “ମୋର ଆଉ ସେତେଟା ଶକ୍ତି ନାହିଁ ଯେ କିଛିଟା ଚିନ୍ତା କରିବି ବା’ ନିର୍ଣ୍ଣୟ ନେବି |”
“ତୁ କ’ଣ କହୁଛୁ, ମୁଁ କିଛି ବୁଝିପାରୁନାହିଁ?| ମୁଁ ଅତ୍ୟନ୍ତ ଆବେଗପୂର୍ଣ୍ଣ ସ୍ବରରେ କହିଲି, “ଏଥିରେ ଚିନ୍ତା କରିବାର ବା’ କ’ଣ ଅଛି? ତୋତେ ତ ଜଣା ଆମକୁ ଯାହା କରିବାକୁ ହେବ | କ’ଣ ତୋ ଭଲମନ୍ଦ ତୁ ନିଜେ ଚିନ୍ତା କରିପାରୁନାହୁଁ? ... ସବୁକିଛି ତ ଆଇନା ଭଳି ତୋ ଆଗରେ ନିର୍ମଳ ଦିଶୁଛି |”
କିଛି ସମୟ ପରେ ସେ କହିଲା, “ଆମର ଏପରି ପାଦ ବଢେଇବା, କ’ଣ ଭୁଲ୍ ହେବନି ସାଗର? ସମାଜରେ ଏହାର କ’ଣ ପ୍ରତିକ୍ରିୟା ହେବ? ସମାଜିକ ମାନ୍ୟତାକୁ ଉଲ୍ଲଂଘନ କରିବା କ’ଣ ଉଚିତ୍ ହେବ? ଆମର ଏହି ବିବାହକୁ କିଏ ବା ଗ୍ରହଣ କରିବ? ସାମାଜିକ ଉପେକ୍ଷାର ଶିକାର ହୋଇ ଆମେ କଣ ସାମାନ୍ୟ ଜୀବନ ବ୍ୟତିତ କରିପାରିବା?”
“ହୁଁ...” ଘୃଣାରେ ମୁଁ ମୁହଁଟି ବୁଲେଇ ଦେଲି, “କି ସମାଜ, କି ପରିବାର? ଏହି ସମାଜ ତୋତେ ଯାହା କିଛି ଦେଲା, କ’ଣ ତୁ ସ୍ବପ୍ନରେ ସୁଧା ଭାବିଥିଲୁ? ଯଦି, ତୁ ସମାଜ ବିଷୟରେ ଏପରି ଭାବିବୁ ତେବେ ତୋ ଆଖିର ଲୁହ କେବେ ବି ଶୁଖିବ ନାହିଁ | ସାମାଜିକ ମାନ୍ୟତା ସେ ପର୍ଯ୍ୟନ୍ତ ଠିକ୍ ଅଛି, ଯେଉଁ ପର୍ଯ୍ୟନ୍ତ ଆମ ବ୍ୟକ୍ତିଗତ ଜୀବନରେ କାହାର କୌଣସି ପ୍ରଭାବ ନ ପଡ଼େ | ଆମେ ଭୋକରେ ମରିଲା ବେଳେ ଏଇ ସମାଜର ଲୋକେ, କେବେ ଖଣ୍ଡେ ରୋଟି ମଧ୍ୟ ଦିଅନ୍ତିନାହିଁ; ତେବେ ତା’ର ଏତେ ଚିନ୍ତା କରିବା ଆମର କ’ଣ ବା’ ଆବଶ୍ୟକ?”
“ମୋର କହିବାର ଅର୍ଥ ଏହା ନଥିଲା, ତୁ ବୁଝିବାକୁ ଚେଷ୍ଟା କରୁନୁ କାହିଁକି? ମୁଁ ଜଣେ ବିବାହିତା, ଉଚ୍ଚକୁଳର, ସ୍ବାମୀ ଛାଡ଼ିଦେଲେ କ’ଣ ହେଲା, ଆମ ଧର୍ମରେ ଦ୍ବିତୀୟ ବିବାହ ବର୍ଜିତ ଅଟେ | କିଏ ଏହାକୁ ସ୍ବୀକାର କରିବେ ନାହିଁ; କ’ଣ ଆମ ପାରିବାର, ଆଉ ଏ ସମାଜର ବିରୋଧର ସାମନା କରିବାର କ୍ଷମତା ତୋ ପାଖେ ଅଛି?”
“ଯଦି ତୁ ସାଥି ହେବୁ”, ମୋ ସ୍ବର ଟିକେ ଧିମେଇ ହୋଇପଡିଲା |
“ତୁ କ’ଣ ଭାବୁଛୁ, ଏହା ଏତେ ସହଜ?”
“ମୁଁ ତ ଏହା ଭାବୁଛି, କାରଣ ନିଜଠୁଂ ମୋତେ ତୋ ଉପରେ ଅଧିକ ଭରସା ଅଛି |”
ସ୍ମୀତା ଏବେ ବି ସନ୍ତୁଷ୍ଟ ନଥାଏ, “କିନ୍ତୁ, ଆମ ବୟସରେ କେତେ ଯେ ପାର୍ଥକ୍ୟ ଅଛି? ମୁଁ ଥରେ ବାହା ହୋଇ ସାରିଛି, ଏବେ ମୁଁ ଆଗ ଭଳି ସେଇ ସ୍ମୀତା ନୁହେଁ | ... ହଁ, ଏହା ସତ ଯେ ମୋ ସ୍ବାମୀ ମୋତେ ଥରେ ବି ସ୍ପର୍ଶ କରିନାହାନ୍ତି, ତା ବୋଲି ସେ ମୋ ମଥାରେ ସିନ୍ଦୁର ଟିକକ ତ ଲଗାଇଛନ୍ତି ! ... ଆଉ, ତୁ ଜଣେ ଯୁବକ, ଅବିବାହିତ | କେତେ ଯେ ଝିଅ ତୋତେ ପାଇବାପାଇଁ ପାଗଳ, ପୁଣି ତୁ ମୋ ପାଇଁ କାହିଁକି ଏମିତି...”
“ସେ ସବୁ ମୁଁ ଜାଣେନା ସ୍ମୀତା’, ଯାହା କିଛି ହୃଦୟରେ ମୁଁ ଆଜି ପର୍ଯ୍ୟନ୍ତ ସାଇତି ବାନ୍ଧି ରଖିଥିଲି, ସେ ସବୁକୁ ମୁଁ ଖୋଲି ତୋ ଆଗେ ପସରା କରି ଦେଇଛି | ଆଉ ଝିଅ ମାମଲାରେ ମୁଁ କ’ଣ କହିବି? ବହୁତ ଝିଅ ମିଲିବେ ସତ! କିନ୍ତୁ, କ’ଣ ସେଥିରୁ ‘ସ୍ମୀତା’ ଭଳି କିଏ ବା’ ଥାଇପାରେ ?”
“କ’ଣ ତୁ ମୋତେ ଏତେ ଭଲ ପାଉଛୁ?” ଏକ ତୀକ୍ଷ୍ଣ ଦୁଷ୍ଟିରେ ସେ ମୋତେ ଦେଖି କହିଲା | ପ୍ରଥମଥର ପାଇଁ ତା’ ଓଠରେ ଏକ ସ୍ମିତ ହାସ୍ୟର ପତଳା ରେଖାଟିଏ ଟାଣି ହୋଇ ପୁଣି ହଜିଗଲା |
“ମୁଁ ନିଜେ ଜାଣେନା, ମୁଁ କେତେ ଭଲପାଏ”, ମୁଁ ତା ପାଖକୁ ଚାଲିଗଲି | ତା’ର ପ୍ରଶ୍ବାସ ମୋ ଛାତିରେ ବାଜୁଥାଏ, କିନ୍ତୁ ତା’କୁ ଛୁଇଁବାକୁ ମୋର ସାହସ ହେଉନଥାଏ |  ସେ ମୋ ହାତଟିକୁ ନିଜ ହାତରେ ଜାବୁଡି ଧରିନେଲା | ତା’ ହାତର କୋମଳ ସ୍ପର୍ଶରେ ମୋତେ ଅସୀମ ସୁଖ ପ୍ରାପ୍ତ ହେଉଥାଏ | ତା’ ଆଖିରେ ପୁଲକର ଫଗୁ, ଶ୍ରାବଣର ଉଦ୍ଦାମତା | ଏକ ସଫଳ ପ୍ରେମିକାର ଅହମିକା ନେଇ, ଦୁହେଁ ପରସ୍ପରର ଆଖିର ଭାଷା ପଢିବାରେ ବ୍ୟସ୍ତ ରହିଲୁ |
“ସାଗର୍... ସାଗର୍ ..” କିଏ ଜଣେ ଯେପରି ମୋତେ ହଲାଇ ଦେଲା | “ଏତେ ରାତିରେ ଏଠି କଣ କରୁଛୁ? ଘରେ ବାପା ବ୍ୟସ୍ତ ହେଲେଣି, ଚାଲ୍, ଜଲଦୀ ଚାଲ୍ |”
“ଓ ସରି ବିନୟ,  ମୁଁ ଜାଣେନା କେତେବେଳେ ଆଖି ଲାଗିଗଲା, ...ସମୟ କେତେଟା ହେଲାଣି?”
“ସାଢ଼େ ଏଗାର୍, ତୁ ଏଠି କ’ଣ କରୁଥିଲୁ?”
“କିଛି ନାହିଁ, ଆଉ କରିବାକୁ କ’ଣ ବା’ ଅଛି? ବସି ଭାବୁଭାବୁ କେତେବେଳେ ଶୋଇପଡିଥିଲି ... ବାପା କ’ଣ ତୋତେ ଡାକି ପଠେଇଲେ?”
“ହଁ ...” ସେ କ’ଣ କ’ଣ ସବୁ କହୁଥାଏ, କିଛି ମୋତେ ଶୁଭୁନଥାଏ, ସବୁ ଏପଟରୁ ସେପଟ |
ଜହ୍ନର ଶୀତଳ ଆଲୋକ, ଏହି ବିରାଟ ପୋଖରୀ, ତା’ ପାଖରେ ଥିବା ବରଗଚ୍ଛଟା,  ଆଉ ପାଣିରେ ଖେଳୁଥିବା କୁନି କୁନି ମାଛ ଗୁଡିକର କୋଳାହଳ, କେଉଁ ଏକ ନାଟକର ମନ ମୁଗଧକାରୀ ଦୃଶ୍ୟର ପାର୍ଶ୍ବଧ୍ବନି ଭଳି ପରିଲକ୍ଷିତ ହେଉଥାଏ | ମୋ ସ୍ବପ୍ନଟି କିନ୍ତୁ ଏତେ ସରଳ ନଥିଲା, ଯାହାକି ମୁଁ ଭାବୁଥିଲି, କିଛି ନ ହୋଇ ମଧ୍ୟ ବହୁତ କିଛି ଘଟିଗଲା, ଆମ ଦୁଇ ପରିବାରରେ ଆମ ନିର୍ଣ୍ଣୟର ବିଷୟ ଜାଣିବାପରେ | ଗାଁରେ ତ ଏକ ବନ୍ୟା ଯେମିତି କି ମାଡି ଆସିଗଲା | ସେହି ବନ୍ୟା ସୁଅରେ ଭାସିବା ଅପେକ୍ଷା ଜିବନଠୁଂ ମୃତ୍ୟୁ ହିଁ ଅଧିକ ଉଚିତ୍ ମନେ ହେଉଥିଲା | ଆମ ବାପା-ମାଂକଠୁଁ ବେଶୀ ଚିନ୍ତା ତ ଗାଁ ଲୋକଙ୍କର ଥିଲା |  ସତେ, ଯେପରି ଏ ସମାଜକୁ ସୁଧାରିବାର କାନୁନର ଦଣ୍ଡଟା ତାଂକ ହାତରେ ଅଛି! ବାପା ତ କିଛି କହିଲେନି, କିନ୍ତୁ ମାଁ ଚୁପ୍ ରହିଲେନି, ବହୁତ କିଛି କହିଲେ ସେ ମୋତେ |  ଆଉ ସ୍ମୀତା? ସେ କିପରି ଥିବ ମୁଁ ଜାଣେନା ? ତା’ର କୌଣସି ଖବର ମୁଁ ପାଇପାରୁନଥାଏ | ସେ ତା’ ଘରୁ ବାହାରୁନଥାଏ | ବୋଧେ ତା’କୁ  ବାହାରିବାକୁ ମନା ଥିଲା | ମୋତେ ବି ତାଂକ ଘରକୁ ଯିବା ମନା ହୋଇଗଲା | ଦୁହିଂକ ଘରର ବନ୍ୟା ସୁଅରେ ମୁଁ ମୁହଁର ପତର ହୋଇ ଭାସୁଥାଏ | ମୋର କୌଣସି କୁଳ କି କିନାରା ନଥାଏ |

Post a Comment

0 Comments