ଆଜି ମୋ ଭାରତ - ନରେଶ କୁମାର ବେହେରା

ଆଜି ମୋ ଅଖଣ୍ଡ ଭାରତ
ବିଖଣ୍ଡିତ ଚିନ୍ତାଧାରା
ସିଂହାସନ ଆଳରେ ଭିନ୍ନ ଭିନ୍ନ ମତ
ହେଲେ, ହୁଅନ୍ତି ଯେ ବନ୍ଧୁ
ନୈଶ୍ୟ ଭୋଜିରେ ସଭିଏଁ ଏକତ୍ର ।

କିଂକର୍ତ୍ତବ୍ୟମୂଢ ଏ ସମାଜ
ଯାହା ସଜ୍ଞାହୀନ ଆଜି
ଦୁଃଷିତ ପାଂଶୁଳ ପ୍ରତିବିମ୍ବ ତା
ଅସ୍ଵସ୍ଥ ଶିକ୍ଷାର ପରିଧିରେ
କରେ ଯେ ପ୍ରୟାସ
ଖୋଦିବାକୁ କୃତ୍ରିମ ପ୍ରତିମା ମୋ ଭାରତର ।

ସଭିଏଁ ଶକୁନି ଏଠି,
ବିନା ଖେଳରେ ଘର ହୁଏ ହାଟ
ଚାଲେ ଭାଗବଣ୍ଟା, କିଣାବିକା
ସମ୍ପତ୍ତିର, ଏ ମାଟିର, ମୋ ଦେଶର ।

ଗୁରୁ ସ୍ଵୟଂ ଦ୍ରୋହୀ, କାରାଗାରେ
ଲୁଣ୍ଠନ, ଅତ୍ୟାଚାରେ ପେଷିତ
ଅଚମ୍ଭିତ ଅଣାୟତ ଭକ୍ତ
ଦେଉଛନ୍ତି ବାର୍ତ୍ତା ପୁଣି
ଗଢିବାକୁ ଆଦର୍ଶ ଭାରତ !

ମଣ୍ଡିରେ ଶସ୍ୟ ଅଭାବି
ନା ଅମଳ, ନା ବିକ୍ରି
ଯଦ୍ୟପି ସରକାର ଆଶ୍ଵସ୍ତ
ବାଣ୍ଟୁଛି ପାଞ୍ଚ ଟଙ୍କିଆ ଅନ୍ନ
ଦୁଇ ଟଙ୍କିଆ ଚାଉଳ
ଆଖିପତା ପଡୁନାହିଁ
ହେଲେ, ଦେଖୁଛି ସପନ
ସ୍ଵର୍ଣ୍ଣିମ ଭାରତର  ।

ଜାଗହେ ସନ୍ତାନଗଣ
ଫେର ଦିବାସ୍ଵପ୍ନରୁ
ଆଉ ନାହିଁ ବେଳ
ସରିଲାଣି ପଶାଖେଳ
ଫୁଙ୍ଗୁଳା ଭାରତ ଆଜି
ଅନ୍ତବସ୍ତ୍ର ହୀନ ବିଶ୍ଵଦରବାରେ
କିଛିତ କର ଶରମ
ଲେଉଟାଅ ପୁଣି ସେ କାଳ ।

Post a Comment

0 Comments