ଅଭିଶାପର ପ୍ରତିଧ୍ୱନି - ନରେଶ କୁମାର ବେହେରା

ବର୍ଷଣମୁଖୀ ଗଗନର ଜଳଧର ଗର୍ଜନରେ
ସ୍ଵପ୍ନଟି ଭାଙ୍ଗିଗଲା ସୂର୍ଯ୍ୟଟିର...
କଜ୍ଜ୍ଵଳ ଲୋଚନ ରସମୟୀ ବାଦଲକୁ ଦେଖି
କମ୍ପିଉଠିଲା ଭୟରେ ଥରହର ହୋଇ

ରାଗିଯାଉଥିଲା ସନ୍ଦେହରେ,
ତା ଧାରଣାରେ ଜଳଦଟି ଲୁଚାଇ ରଖିଛି
ତା ପ୍ରିୟାଚନ୍ଦାକୁ ନିଜ ଆୟତ୍ତରେ ।

ସେହି କରାଳ ଦାନବର ବାହୁବନ୍ଧନରେ
ସୂର୍ଯ୍ୟବି ଫସିଯାଇଥିଲା ଦିନେ
ଆଉ ଅନୁଭବ କରିଥିଲା... ସେ
ନିଜ ପ୍ରିୟତମାର ଶୀତଳତା
ଖୋଜିଥିଲା ଚାରିଆଡ଼େ
କିନ୍ତୁ ଫାଇଲ ନାହିଁ ।

ଆଜି ନୁହେଁ, କାଲି ନୁହେଁ,
ସବୁଦିନ ସେ ଅସରନ୍ତି ଆଶାରେ
ଆସୁଛି, ଯାଉଛି ।

ସେ ତା ପ୍ରିୟତମାକୁ ଭୁଲିପାରିନି
ଅନୁପମ ସୌନ୍ଦର୍ଯ୍ୟର ଅଧିକାରିଣୀ
ଦେହରେ ତୁହିନ-ସିତ-ରଶ୍ମି
ସଦା ହାସ୍ୟମୟୀ ଚନ୍ଦ୍ରମା
ବିଭାସିନୀ, ମୋହିନୀ, କମନୀୟ କାନ୍ତି
ପ୍ରତିତି ଲୋମକୁପରେ ଥିଲା
ଏକ ସ୍ଵତନ୍ତ୍ର ସ୍ଫୁଲିଙ୍ଗ ।

କିନ୍ତୁ, ଆଜି ସେହି ଜହ୍ନଟି ହରାଇ ବସିଛି
ନିଜର ସବୁକିଛି,
ବିଚ୍ଛେଦର ପ୍ରବଳ ଦୁଃଖ ଓ ମିଳନର ଅସିମତୃଷ୍ଣାରେ
ରୁଚିର ଯୌବନର ସାର ମର୍ମତକ ଲୋପପାଇଛି
ତାର ଦିପ୍ତିଲୋଚନ ପାଂଶୁଳ ହୋଇଯାଇଛି
ତାର ଆସ୍ୟ ଅବସାଦ ବିଚାରର ଅନ୍ତରାୟାରେ
କଳଙ୍କିତ ହୋଇଯାଇଛି ।

Post a Comment

0 Comments