ମୋ ଦୁର୍ଗରେ, ଦୁର୍ଗନ୍ଧରେ
ଦୁର୍ଗ ମୋର ଗଢା ଈର୍ଷାରେ
ସଙ୍କୋଚପଣର ଐଶ୍ଵର୍ଜ୍ୟରେ
ଶକ୍ତ କରି ଖଞ୍ଜିଛି କବାଟ, ମୋ ଗୋପନ ପାପରେ
ଝରକା, ମୋ କୃତ୍ରିମ ଖୋଳପାରେ
ମୁଁ ଯାହା ଦେଖାଯାଏ
ତାହା କେବଳ ମୋ ଦୁର୍ଗର ରଙ୍ଗ
ଭିତରେ ମୋ ସଂଚିତ ଦୁର୍ଗନ୍ଧ
ମୁ ଜାଣେ, ଅଥଚ ଜଣାଏନା କେବେ
ମୋ ଦୁର୍ଗ ନିର୍ମାଣର ଭେଦ
ସତରେ, ବଡ ଅସହ୍ୟ ସେ ଗନ୍ଧ
ସଂପର୍କର ବିପ୍ପଣୀରେ ବିଶ୍ଵାସରେ ବିଷ ଭରି
ମୁଁ ଗଢିଛି ମୋ ପରିଚୟର ପାଚେରୀ
ମୋ ଚତୁରତାର କାରିଗରୀ
ଫୁଲ କହିଲା ମତେ ଦେଖ୍, ଦେଖିଲିନି
ପବନ କହିଲା ମତେ ଛୁ, ଛୁଇଁଲିନି
ଆକାଶ କହିଲା ଆଖି ବୁଜିଲେ ମୁଁ
ହସିଲି, କହିଲି ବେଳ ନାହିଁ
ମୋ ଇପସିତ ଦୁର୍ଗର ନିର୍ମାଣ ଚାଲିଛି
ଆୟୁଷ ନିଅଣ୍ଟ ପଡୁଛି
ଆଉ କା’ ଭାଗର ସୁଖରେ ଗଢା
ମୋ ଦୁର୍ଗର ଗମ୍ଭୁଜ
ଆଉ କା’ ଅଣ୍ଟାକୁ ଭାଙ୍ଗି
ଖଞ୍ଜିଛି ପଥର ଓ ଛଡ
ଅର୍ଜିତ ପରଧନରେ କରିଛି ସିମେଣ୍ଟର ବ୍ୟବସ୍ଥା
ମୋ ଦୁର୍ଗର ମୂଳଦୁଆ
ମତେ କବଳିତ କରିଥିବା ଦୁର୍ବାର ଇଛା
ଆଖିରେ ସମାହିତ ହେଉ ନଥିବା
ଉପରବାଲାର ଦୁର୍ଗରେ ମୁଁ ଜଣେ ବାସିନ୍ଦା
ବାରମ୍ବାର ଏକଥା ଭୁଲିଲି
ଅସ୍ଵାକାର କଲି
ସେ ଅନନ୍ୟ ଇମାରତର କାରୁକାର୍ଜ୍ୟକୁ
ବାରମ୍ବାର ତାକୁ ବିକୃତ କଲି, ବେରଙ୍ଗ କଲି
ନିଜ ଇଛାରେ ଗଢିଲି ମୋ ଇପସିତ ଦୁର୍ଗ
ବୃଥାରେ ସାରା ଆୟୁଷ ଖର୍ଚ୍ଚ କରି
ଦୁର୍ଗ ନାଁରେ ନିର୍ମାଣ କଲି
ଅନ୍ତରଙ୍ଗ ଦୁଃଖର ଦୁର୍ଗନ୍ଧ ।

0 Comments