ଆସ ଟିକେ ବାହାରେ ବସିବା - ସତ୍ୟ ପଟ୍ଟନାୟକ

ଏତେ ଦିନ ପରେ
ଆକାଶରେ ଜହ୍ନ ଊଇଁଛି
ମନରେ କଇଁ ଫୁଟିଛି
ପବନରେ ସତେଜତା
ଜୀବନରେ ସ୍ଥିରତା ଆସିଛି
ଅନେକ ଦିନ ହେଲା ବାହାରେ ବସିନେ
ଦିନ ନୁହଁ
ଯୁଗ କୁହ
ତମ ଜଞ୍ଜାଳରେ ତମେ
ମୋ ବ୍ୟସ୍ତତାରେ ମୁଁ
ପାଖେ ପାଖେ ଥାଇ ବି
ମୁହଁ ଖୋଲି ଥରେ ହସିନେ
ବାହାରେ ବସିନେ

ଆଉଥରେ ସ୍ଵପ୍ନରେ ହଜିବା
ପୁରୁଣା ଦିନକୁ ଖୋଜିବା
ଆସ, ଟିକେ ବାହାରେ ବସିବା

ଦେଖ, କମିତି ଆପେ ଆପେ
ସଜାଡି ହୋଇଯାଇଛି ସମୟ
ଯେତେ ଯାହା ଘଟିବାର ଥିଲା, ଘଟିଗଲା
ଆଉ କାହିଁକି ଭୟ?
ଅବଶିଷ୍ଟ ଆୟୁଷକୁ ଆମର କରିବା
ଇଆଡେ ସିଆଡେ ବିଂଚିହୋଇ ପଡିଥିବା ସ୍ମୃତିକୁ
ସାଉଁଟିବା, ଆବୋରିବା
ଛାତିରେ ଜାକିବା
ଅନେକ କଷିଲେ ଜଞ୍ଜାଳର ଜ୍ୟାମିତି
ଏଥର କିଛି ରୋମାଣ୍ଟିକ କବିତା ପଢିବା
ଆସ, ଟିକେ ବାହାରେ ବସିବା

ପିଲାମାନେ ଯିଏ ଯାହା ଦୁନିଆରେ ବ୍ୟସ୍ତ
ଆଜିକାଲି ଚେର ଓ ଡାଳ ଭିତରେ
ବଢିଗଲାଣି ଦୁରତ୍ଵ
କେହି କାହାକୁ ବଢାଉନି ହାତ
ଜୀବନର ସତକୁ ବୁଝିବା
ପରସ୍ପର ହୃଦୟକୁ ଝାଙ୍କିବା
ନୂଆ ଏକ ସମ୍ପର୍କ ଆଙ୍କିବା
ଚା କପ୍ ଧରି
ଆସ, ଟିକେ ବାହାରେ ବସିବା  

Post a Comment

0 Comments