ଦେଖ, ଏଇଠି ବସିଲ ମାନେ
ନଈ ଭିତରକୁ ତମେ କିଛି ନା’ କିଛି
ଫିଙ୍ଗିବା କଥା ଫିଙ୍ଗିବ
ଗୋଡି ହଉ କି ଖପରା
ଯାବତୀୟ ମାନ-ଅଭିମାନ, ରାଗ-ରୁଷା, ଛେପ
କିଛି ନହେଲେ ହାଲକା ପଦେ ଗୀତ
ନଈ କିଛି କହିବ ନାହିଁ
।
ଦିନେ କ’ଣହେଲା ନା’
ପ୍ରକାଶ ସହ ବୁଲୁଥିଲି ନଈ କୂଳରେ
ହଟାତ ଦେଖିଲି ପାଣି ଭିତରୁ ଉଠିଚି ଗୋଟେ ହାତ
ଅଥଚ ପ୍ରକାଶକୁ କହିଲା ବେଳକୁ
ସେ ହାତ ସେଠୁ ଉଭାନ୍ !
ପ୍ରକାଶ ହସିଲା, କହିଲା- ୟେ କିଛି ନୁହଁ
ଖାଲି ଗୋଟାଏ ଭ୍ରମ ।
ଦିନେ ମଙ୍ଗୁଳୁ ସହ ଥିଲାବେଳେ ସେଇ ଏକା ଦୃଶ୍ୟ ଦେଖିଲି
ଅଥଚ ମଙ୍ଗୁଲୁ କିଛି ଦେଖି ପାରିଲାନି
ଯଦିଓ ଅନୁମାନ କରି କହିଲା ଯେ’-
ଏଇଟା ନିଶ୍ଚେ ସେଇ ବୁଧିଆ ମହାନ୍ତିର ଭୁତ
ଯିଏ ଗଲା ସନ୍ ଭାସି ଯାଇଥିଲା ନଈବଢିରେ ।
ଆଜି ଅନେକ ଦିନ ପରେ ସେଇ ନଈକୂଳରେ ମୁଁ ।
ସେଇ ହାତ ଆଜି ଦିଶନ୍ତା କି ପୁଣି ଥରେ ?
କିନ୍ତୁ ନା..... ସେମିତି କିଛି ହେଲା ନାହିଁ
ମୁଁ ଠିଆହେଲି, ଅଳସ ଭାଙ୍ଗିଲି
ତେବେ ହଠାତ ଏ କ’ଣ ହେଲା ?
କେହି ଜଣେ ମୋତେ ଧକ୍କା ଦେଲା ବୋଲି ଜାଣିଲା ବେଳକୁ
ମୁଁ ଥିଲି ନଈର ଅଥଳ ପାଣିରେ ।
ମୁଁ ଅଣନିଃଶ୍ଵାସୀ ହେଇ କୁଳଆଡକୁ ଚାହିଁଲି
ଚାହିଁ ଆଚମ୍ବିତ ହେଲି ଯେ’
କୂଳରେ ବି ମୁଁ ହିଁ ଥିଲି
ବୁଡି ଯାଉ ଯାଉ ଉପରକୁ ହାତ ଉଠେଇ
ନିଜ ପାଖରେ ସାହାଯ୍ୟ ଭିକ୍ଷା କରୁଥିଲି
ମୁଁ ଅଥୟ, ଅଧୀର ଓ ଅସ୍ଥିର
ହେଲେ ବିଡମ୍ବନା ଦେଖ
କୂଳରେ ଥାଇ ମୁଁ ଜାଣି ପାରୁନଥିଲି ଯେ’
ବୁଡି ଯାଉଥିବା ସେଇ ହାତ ବି ଥିଲା ମୋର !
ଆଜି ଅନେକଦିନ ପରେ ମୁଁ ପୁଣି ଥରେ ସେଇ ନଈକୂଳରେ
ସେଇ ଚକା ପଥର ଉପରେ...
ଯୋଉଠି ଦିନେ ବସିଥିଲି, ଠିକ୍ ସେଇଠି !
0 Comments