ଝରକାଟିଏ ବନି ଯିବାର ଗପ - ଭାସ୍ଵତୀ ବସୁ

ଚୋରଟିଏ ଚାରି ମହଲାର ଝାରକାରେ ଚଢିଲା
କାର୍ନିସ୍ରେ ବିପଦଜନକ ପାଦ ଥୋଇ ଭିତରକୁ ଦୃଷ୍ଟି ପହଁରେଇଲା
ପଲଙ୍କରେ ଶୋଇଛି ରାଜକନ୍ୟା
ଅପରୂପା, ନିଦ୍ରିତା
ବିହ୍ଵଳ ବୋକା ଚୋର ଭାବିବାକୁ ଲାଗିଲା
-ମୁଁ ବି ଝରକାଟିଏ ହେଇ ଯାନ୍ତି କି!
ଆକାଶର ବାର୍ତା ପହଞ୍ଚେଇ ଦିଅନ୍ତି ତା ହୃଦୟର ଉପତ୍ୟକାର

ପାଲଟି ଯାନ୍ତି କି ଝରକାର କାଚ,
ପ୍ରଥମ ସୂର୍ଯ୍ୟର କିରଣକୁ ମୋ ରଙ୍ଗରେ ରଙ୍ଗିନ କରି
ମୋହିନୀ କଟାକ୍ଷରେ ବୋଳି ଦିଅନ୍ତି ଇନ୍ଦ୍ରଧନୁ କୁ!
କିଛି ନହେଲେ ଲୁହାର ରେଲିଂ ଟିଏ ବନି ଯାନ୍ତି,
ସେ ମୋ ଦେହରେ ଗାଲ ଛୁଆଁଇ ପୃଥିବୀ ଦେଖନ୍ତା....
ଖୁବ ସକାଳେ
ଯେବେ ରାସ୍ତା ଉପରେ ଚୋର ର ନିସ୍ପ୍ରାଣ ଶରୀରକୁ ଘେରି
ଜଳ୍ପନା କଳ୍ପନା ଚାଲିଥିଲା, ସେତେବେଳେ ବି ତା ଖୋଲା ଦୁଇ ଆଖିରେ
ଝରକାର ପରଦାଟିଏ ହେଇ ଯିବାର ସ୍ଵପ୍ନ ଉଡୁଥିଲା । 

Post a Comment

0 Comments