ବର୍ଷାରେ ତୁମେ - ମୃତ୍ୟୁଞ୍ଜୟ ବେହେରା

ଫିରି ଫିରି ବର୍ଷା
ତୁମ ଚୂନରୀକୁ ମୁଣ୍ଡ ଉପରେ ଧରି
ଆମେ ଧାଉଁଥିଲେ ପାଖ ଗଛ ମୂଳକୁ
ମୁଁ ଭାବୁଥିଲି ଉଭେଇ ଯାଆନ୍ତା କି ଗଛଟା
ଆଗରେ ଲମ୍ବିଯାଅନ୍ତା
ଗୋଟେ ଆଶ୍ରାହୀନ ରାସ୍ତା
ଆଉ ଲାଗିରହନ୍ତା ଗୋଟେ ଅବିଶ୍ରାନ୍ତ ବର୍ଷା
ଆମେ ଏମିତି ଭିଜିଭିଜି
ନିରୁଦ୍ଧିଷ୍ଟ ହୋଇଯାଆନ୍ତେ ତା ଭିତରେ.......

ଝିପି ଝିପି ବର୍ଷା
ତୁମ ଚୁନା ଚୁନା କେଶରୁ
ନିଗିଡି ପଡୁଥିବା ପାଣି
ଚିବୁକ ଦେଇ ବହିଯାଉଥାଏ
ନିମ୍ନ ଗାମୀ ହୋଇ
ଛୁଇଁ ଦେଇ କଅଁଳ ଓଠର ଉପତ୍ୟକାକୁ
ଲେଖି ଦେଉଥାଏ ଗୋଟେ
ନଈର ଆତ୍ମକାହାଣୀ
ନିରୁଦ୍ଧିଷ୍ଟ ନାଉରୀଟିଏ ହୋଇ
ନଈର ମୁହଁରୁ ମୁହାଣ ପର୍ଯ୍ୟନ୍ତ
ମୁଁ କେବଳ ଅନୁଭବ କରୁଥାଏ ତୁମକୁ
ସେହି ଜଳ ସ୍ରୋତକୁ ଛୁଇଁ ଛୁଇଁ
ଟପ୍ ଟପ୍ ବର୍ଷା
ନିଗିଡି ପଡୁଥିଲା ପାଣିକୁ
ସଂଗ୍ରହ କରୁଥିଲ ତୁମେ ଆଞ୍ଜୁଳାରେ
ଆଉ ହସୁଥିଲ ଗୋଟେ ଛୋଟ ଝିଅପରି
ଖୋଲା ପାଦକୁ ବଢାଉଥିଲ ବର୍ଷା ଆଡକୁ
ଭିଜି ଯାଉଥିଲା ତୁମର
କଅଁଳ ପାଦ... ପାଉଁଜି....ନେଲ୍ ପଲିସ
ଫାଜିଲ ଝିଅଟେ ପରି
ସାଉଁଟୁ ଥିଲ ବର୍ଷାରୁ ଶୀତଳତା
ମୁଁ ତାଗିଦ କଲି.... ଏ ବର୍ଷା ବଡ ମାରାତ୍ମକ
ଅଥଚ ତମେ ହସି ହସି
ମୋତେ ଠେଲି ଦେଲ ସେଇ ବର୍ଷା ତଳକୁ
ଢୁ ଢୁ ବର୍ଷା
ସବୁଆଡେ ଓଦା..... ସବୁ ଜଳମଗ୍ନ
ତମେ ଫୋନ କଲ.... ଆଜି ଭୀଷଣ ବର୍ଷା
ମୁଁ କହିଲି ଲଘୁଚାପ ଘନୀଭୂତ ହୋଇଛି
ଆହୁରି ଦୁଇଦିନ ବର୍ଷିବ
ତୁମେ ହସି ହସି କହିଲ...
ୱିସ୍ୟୁ ଏ ହାପି ରେନ୍
ମୁଁ କହିଲି- ସେମ୍ ଟୁ ୟୁ 

Post a Comment

0 Comments