ସେଦିନ - ଅମିୟରଞ୍ଜନ ମହାପାତ୍ର

ସେଦିନ ବୋଧହୁଏ ହୋଲି ନଥିଲା....
ହେଲେ ସେ ଧରିଥିଲା
ମୁଠାଏ ଲିପଷ୍ଟିକ ରଙ୍ଗ ଅବିର । 

କିଛି କହିବା ଆଗରୁ
ମୋ ଗାଲ ପାଖରେ ପହଞ୍ଚି ସାରିଥିଲା
ପତ୍ର ପରି କଅଁଳି ଆସୁଥିବା ହଳେ ହାତ । 

ଦେହସାରା ବଳି ହୋଇ ସାରିଥିଲା
ସୂର୍ଯ୍ୟାସ୍ତ ରଙ୍ଗର ଗୋଟେ ସାଧବବୋହୂର ଭ୍ରମ
କେହି ବୋଧେ ଲିପଷ୍ଟିକରେ ଦାଗ ଲେଖିଦେଇ
ଜାଚୁଥିଲା ଗୋଟେ ମାୟାବୀ ତଥାସ୍ତୁ । 

ହେଲେ ପରାଦ ରଙ୍ଗର ପଞ୍ଜୁରିଟେ
ପିନ୍ଧିବାର ସାହସ ବୋଧହୁଏ ନ ଥିଲା
ମୋ ଖଣ୍ଡିଉଡା ଦେଉଥିବା ଆକାଶର । 

ସାମନାରେ ଠିଆ ହୋଇଥିଲା
ତଳକୁ ମୂହଁପୋତି ଭଦ୍ରଲୋକମାନେ ଯାଉଥିବା
ଗୋଟାଏ ସରୁ ଗଳିରସ୍ତା । 

ଫର୍ଦେ ଫଏଲ ପେପରରେ
ନିଜକୁ ଗୁଡେଇ ଫେରିଲି ଘରକୁ । 
ସାବୁନରେ ଘଷିମାଜି ହେଲି । 

ନିଜକୁ ରଗଡ଼ିଲି ନିଷ୍ଠୁର ଭାବରେ । 
ତଥାପି ଛାଡୁନଥିଲା ରଙ୍ଗ । 
ଫୁଲ ପରି ସ୍ପର୍ଶଟିଏ ବୋଧହୁଏ
ବଗିଚା ହୋଇସାରିଥିଲା ମୋ ଦେହରେ । 

ହେଲେ ବାହାରକୁ ଆସି ଦେଖେତ
ସମସ୍ତଙ୍କ ବାହୁଡା ରାସ୍ତାରେ
ପ୍ରଜାପତିମାନଙ୍କ ପାଦଚିହ୍ନ । 

ସମସ୍ତେ ଗୋଟେ ଗୋଟେ
ରଙ୍ଗଗାଧୁଆ ଦେହ ନେଇ
ଫେରୁଥିଲେ ଇନ୍ଦ୍ରଧନୁର ତୁଠରୁ । 
ସେଦିନ ହୋଇଥିଲା ବୋଧହୁଏ...। 

Post a Comment

0 Comments