ଓଡ଼ିଆ ଢଗଢଗାଳି (ନ, ପ, ଫ, ବ, ଭ)

ନଇଁକେ ବାଙ୍କ
ଦେଶକେ ଫାଙ୍କ ।
ନଡିଆ ଗଛରେ ନଡିଆ ନାଇଁ
ଦେଖିଲେ କଥା ନକହେ ।
ନଇଁ ପଡ଼ିଥିବ ଯେତିକି ବେଳେ
ବିଧାଏ ମାରିବ ସେତିକି ବେଳେ ।
ନବ ଗୁଞ୍ଜର
ଆପଣା ମନକୁ ଆପେ ସୁନ୍ଦର ।
ନ ରସି ଭ୍ରମର ରସିଲା
ଜାଇ ଜୁଇ ଫୁଲ ପାଣିକି ପକାଇ
ପୋକଶୁଙ୍ଗା ମୂଳେ ବସିଲା ।
ନ ଲାଗିଲେ ସବୁବେଳେ
            ଘର କି ଶୋଭେ
ନ ମାଠିଲେ ବୟସ ବେଳେ
            ମନ କି ଲୋଭେ?
ନାଆଁକୁ ଧନ୍ଵନ୍ତରୀ
ଚିକିତ୍ସାରେ ଯମ ।
ନାକଚଣ୍ଡା ବୋଲି ଖଣ୍ଡେ
ତାକୁ ବୋହୁ ନାଉଥାଏ ଦଣ୍ଡେ
ତାକୁ ଶାଶୁ ନାଉଥାଏ ଦଣ୍ଡେ ।
ନାଗର ପୁଅ ନାଗ
ବାଘର ପୁଅ ବାଘ ।
ନାମ ବଡ଼ା
ଦର୍ଶନ ଥୋଡ଼ା ।
ନାହିଁ ମାମୁଁଠାରୁ
କଣା ମାମୁଁ ଭଲ ।
ନିରିମାଇଲ
କାହିଁ କଥା ନେଇ କାହିଁ ମାଇଲ ?
ନିଲଜ ଲାଉ
ଟେକି ଟାକି ଦେଲେ ପିଢାକୁ ଯାଉ ।
ନେଥେଇ ଫୁଲୀର କାନରେ କାପ
କାନ କରୁଥିଲା କଅପ କପ ।
ପଥ ସୁମରି ପିତା ଘର ଯିବ
ଆଉ ଅଯୋଧ୍ୟା ମନେ ନ କରିବ ।
ପର ଘରେ ପଶି ମଙ୍ଗଳବାର ଓଷା ।
ପର ଲୁଗା ପିନ୍ଧି ଯାତକୁ ଯାଏ
ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ ।
ପଲାଇ ପଶିଲି ମାଉସୀ ଘରେ
ମାଉସୀ ମଇଳା ଦି ପାହାରେ ।
ପାଇଚି
ପାଇଲା ଗଡ଼ିଆ ବୋହୁଚି ।
ପାଖରେ ଶୁଏ କାନରେ କୁହେ
ତା କଥା କି ଅନ୍ୟଥା ହୁଏ ?
ପାଟି ସୁଆଦ
ପେଟ କି ଜାଣଇ ତହିଁର ଭେଦ?
ପାପ ଧନ
ପ୍ରାୟଶ୍ଚିତରେ ଯାଏ ।
ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ ।
ହାତୀ ଗଳି ଯାଉଛି ।
ପୁଅ ନାଇଁ, ପୁଅ ପେଟରେ
ପୁଅର ବାପ ଖଡୁ ଗଡଉଛି
ବନମାଳୀପୁର ହାଟରେ ।
ପୁଅ ବସିଚି କଚେରୀରେ
ବାପ ଖାଉଚି ପଥୁରିରେ ।
ପୁଅ ଯଦି ଯୋଗ୍ୟ ହୁଏ
            ଧନ କାହିଁ ପାଇଁ ସଞ୍ଚୁ
ପୁଅ ଯଦି ଅଯୋଗ୍ୟ ହୁଏ
            ଧନ କାହିଁ ପାଇଁ ସଞ୍ଚୁ ?
ପୁଅର ପୁଅ ନାତି
            ମାରଇ ଝିଅଙ୍କର କାତି
ଝିଅର ପୁଅ ନାତି
            ସରଗେ ଜାଳଇ ବତୀ ।
ପୂରୁବ କହ୍ନେଇ କି?
କହ୍ନେଇ କନ୍ଧରେ ନାଲି ଗାମୁଛା
କହ୍ନେଇ ମଣିଷ ଚିହ୍ନଇ କି?
ପେଟକୁ ଦେଇ
ପିଠିକି ମାଇଲେ ସୁହାଉ ଥାଉ ।
ପେଟ ପୋଷ
ନାହିଁ ଦୋଷ ।
ପେଟରେ ଭୋକ, ମୁହଁରେ ଲାଜ ।
ଫମ୍ପା ମାଠିଆର ଶବଦ ବେଶୀ ।
ବଗଡ଼ା ଭାତ
ନିଶାରେ ହାତ ।
ବାଗ ମୁହଁ ଚାହିଁ ବଗୁଲୀ ବସେ
ତୋ ମୁହଁ ମୋ ମୁହଁ ସୁନ୍ଦର ଦିଶେ ।
ବଚନ ମଧୁର ତିଳକ ସରୁ
ଏହାକୁ ଜାଣିବ ଠକଙ୍କ ଗୁରୁ ।
ବଡ ବଡ ଗଲେ ଫସର ଫାଟି
ସାନ ବାହାରିଲେ ବେସର ବାଟି।
ବନ ପୋଡିଗଲେ ସଭିଏଁ ଜାଣନ୍ତି
ମନ ପୋଡିଗଲେ ଜାନୁଛି କିଏ ?
ବତେଇ ଦେଉଛି ପରକୁ
ବୁଦ୍ଧି ନ ଆସଇ ଘରକୁ ।
ବନ୍ଧୁ ବଳ ଦିଏ
ନଇ ଥଳ ଦିଏ ।
ବହିଗଲା ପାଣି ଯାଉ ତେଣିକି
ବନ୍ଧେଇଲା ପଣି ରହୁ ଏଣିକି ।
ବାଉଁଶ ଫୁଲରେ ମରେ
ମଣିଷ ଫୁଲିଲେ ମରେ ।
ବାଟରେ ଦେଖିଲି କମାର
ଲୁହା ପଜାଇଦେ ଆମର ।
ବାପ ତେଲ ବିହୁନେ ଲଣ୍ଡା
ପୁଅ ବୁଲେଇ ବେଣ୍ଟି ରଖୁଛି ।
ବାହାଘର ବେଳେ ବାଇଗଣ ରୁଆ ।
ବାପଥିଲା ପୁଅ ସଭାରେ ଜିଣେ
ବୁଦ୍ଧିଥିଲା ପୁଅ ପୋଷାଇ ପଣେ।
ବାପ ରାଣ, ଢିଙ୍କି ଗିଳ ।
ବାପ ଖାଇଛନ୍ତି ତାଳ
ପୁଅଙ୍କ ପାଇଁ ତା କାଳ ।
ବାହା ସରିଲେ ବେଦୀ ମୁହଁ ପୋଡ଼ା ।
ବାୟାର କି ଯାଏ,
ବା କଲେ ବସା ଦୋହଲୁଥାଏ ।
ବୁଝି ବିଚାରୀ କାର୍ଯ୍ୟ କଲେ
ପ୍ରମାଦ ନପଡଇ ଭଲେ ।
ବୁଡିଗଲା ଗୋଡ଼ ତଳକୁ ତଳକୁ ।
ବୁଡିଗଲା ଲୋକର କୁଟାଖିଅକୁ ଆଶ୍ରା ।
ବୁଲେଇ ବିକିଲେ ମାଣିକ ଭେଣ୍ଡି।
ବେଙ୍ଗ ବୋଲେ ବେଙ୍ଗୁଲୀଲୋ
ମହୀ କ୍ଷଣକ୍ଷଣକେ ଆନ ।
ଭାତ ଉତୁରିଲେ ଚୂଲିରେ ପଶେ
ମଣିଷ ଉତୁରିଲେ ଗାତରେ ପଶେ ।
ଭାତ ଖୁଆଇଲି କୁକୁରକୁ
କୁକୁର ଚଢିଲା ଉପରକୁ ।
ଭାରିଜା ଲାଗି ସାନ ଶଳାକୁ ନମସ୍କାର ।
ଭିମ ବଳ କୁଇନ୍ତାକୁ ଜଣା ।
ଭୂରିଶ୍ରବା ପାଗ ବାନ୍ଧୁ ବାନ୍ଧୁ
            ମହାଭାରତ ଯୁଦ୍ଧ ଶେଷ ।
ଭେକ ଥିଲେ ଭିକ ମିଳେ ।
ଭୋକ ବିକଳରେ ତାଟିଆକୁ କାମୁଡା।  
ଭୋକିଲା ପାଟିକି ଆମ୍ବିଳା
            ଆମ୍ବ ସୁଆଦ ।

Post a Comment

0 Comments