ଉତ୍କଳ ଦିବସ: ଏକ ଅନୁଚିନ୍ତା - ସିପ୍ରା ନାମତା

ସାଧାରଣତଃ ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାକୁ ଉତ୍କଳ ଦିବସ ରୂପେ ଓଡିଆ ମାନଙ୍କ ଦ୍ୱାରା ପାଳନ କରାଯାଇଥାଏ। ଓଡିଆ ଭାଷାଭାଷୀ ଓଡ଼ିଶାବାସୀ ଏହି ଦିବସଟିକୁ ଓଡିଶା ରାଜ୍ୟ ତଥା ଏହାର ଗଠନରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ସୁମନାଞ୍ଜଳୀ ଅର୍ପଣ କରିଥାନ୍ତି। ତେବେ ଏହା ଉତ୍କଳ ଦିବସ ରୂପେ କିପରି ପରିଚିତ ହେଲା ସେ ସମ୍ପର୍କରେ ଏକ ବିହଙ୍ଗାବୋଲକନ : ଇତିହାସ ପୃଷ୍ଠାରେ ଭିନ୍ନ ଭିନ୍ନ ସମୟରେ ଓଡିଶା ଓଡ୍ର, ଉତ୍କଳ, ତୋଷାଳି, କୋଶଳ, କଙ୍ଗୋଦଏହିପରି ୬ଟି ନାମରେ ପ୍ରସିଦ୍ଧ ଥିଲା। ଓଡ୍ର ବା ଓଡ୍ରଦେଶରୁ ଓଡିଶା ଶବ୍ଦ ହୋଇଛି ଏବଂ ଏହା କପିଳେନ୍ଦ୍ରଦେବଙ୍କ ସମୟରେ ହୋଇଛି ବୋଲି ବିଶ୍ୱାସ କରାଯାଏ। ଖ୍ରୀ.ପୂ. ୪୦୦ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରୁ ଓଡିଶାରେ ଗଣତନ୍ତ୍ର ପ୍ରତିଷ୍ଠା ହେବାର ସମ୍ଭାବନା ହୋଇଥିଲା ବୋଲି କୁହାଯାଏ। ତ୍ରୟୋଦଶ ଶତାବ୍ଦୀଠାରୁ ମୁସଲମାନମାନଙ୍କ ଅହରହ ଆକ୍ରମଣ ଲାଗି ରହିଥିଲା। ଓଡିଶାର ଶେଷ ସ୍ୱାଧୀନ ରାଜା ଥିଲେ ମୁକୁନ୍ଦଦେବ। ତାଙ୍କୁ ଆଫଗାନମାନେ ହତ୍ୟା କରିଥିଲେ । ପ୍ରଥମେ ଆଫଗାନ ତତ୍ପରେ ମୁଗଲ ଏବଂ ପରିଶେଷରେ ମରହଟ୍ଟା ମାନେ ଓଡିଶାକୁ ଶାସନ କରିଥିଲେ। ୧୮୦୩ରେ ଇଂରେଜମାନେ ଓଡିଶାକୁ ପର୍ଯ୍ୟାୟକ୍ରମେ ଅଧିକାର କରିନେଲେ।

ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଭାଷା ଆନ୍ଦୋଳନ ଓ ପରେ ବିଂଶ ଶତାବ୍ଦୀରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ରାଜନୈତିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସେତେବେଳେ ଓଡିଆ ଭାଷୀ ଅଞ୍ଚଳ ମାନ ତିନି ପ୍ରଦେଶରେ ବିଭକ୍ତ ହୋଇ  ଶାସିତ ହେଉଥିଲା। ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଯୋଗୁଁ ଓଡିଶାର ଏକ ନବ୍ୟ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ ସହିତ ନୂତନ ସମାଜର ଉନ୍ମେଷ ହୋଇଥିଲା। ଓଡିଆ ଭାଷା ଆନ୍ଦୋଳନ, ସରକାରୀ ଉଦ୍ୟୋଗରେ ଶିକ୍ଷାର ପ୍ରସାର ସହ ଓତୋପ୍ରତୋ ଭାଵରେ ଜଡ଼ିତ ହେବା ଦ୍ୱାରା ଓଡିଆମାନଙ୍କୁ ମହାନ ଜାତୀୟତା ବୋଧ ମନୋଭାବ ଉଦ୍ରେକ କରାଇଥିଲା। ଓଡିଆ ଜାତି ,ଓଡିଆ ରାଜ୍ୟ, ଓଡିଆ ଭାଷା, ଓଡିଆ ସଂସ୍କୃତି ଆଦିର ସ୍ୱତନ୍ତ୍ର ପରିକଳ୍ପନା ଦିଗରେ ଉତ୍ସାହ ପ୍ରଦାନ କରାଯାଉଥିଲା । ଓଡିଆ ଭାଷା ଆନ୍ଦୋଳନ ଓ ଉତ୍କଳ ପ୍ରଦେଶ ଗଠନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କାରଣ ଏହି ଭାଷାଗତ ଅସୁବିଧାକୁ ନେଇ ସର୍ବ ପ୍ରଥମେ ସମ୍ବଲପୁରରେ ତୀବ୍ର ଉଦବେଗ ଦେଖା ଦେଇଥିଲା ଏବଂ ସମଗ୍ର ରାଜ୍ୟରେ ତାହା ବ୍ୟାପ୍ତ ହୋଇଥିଲା। ୧୮୭୦ ରୁ ୧୯୨୦ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। କାରଣ ଓଡିଆ ସରକାରୀ ଭାଷା ରୂପେ ଯଦିଓ ଗୃହୀତ ହୋଇସାରିଥିଲା ଲିଖିତ ପାଠ୍ୟ ପୁସ୍ତକର ଘୋର ଅଭାବ ଯୋଗୁଁ କିଛି ବଙ୍ଗଳା ବିଦ୍ଵେଷକାରୀଙ୍କ ଓଡିଆ ଭାଷା ଓ ଓଡିଆ ଜାତିକୁ ନିଶ୍ଚିହ୍ନ କରିବାର ଚକ୍ରାନ୍ତ ହୋଇଥିଲା। ସେପଟେ ହିନ୍ଦୀ ଭାଷା, ତେଲୁଗୁ ଭାଷା, ଓ ଏପଟେ ବଙ୍ଗଳା ଭାଷାର ଚାପରେ ଅତିଷ୍ଠ ହୋଇ ଓଡିଆ ଭାଷାଭାଷୀ ଅଣନିଶ୍ୱାସୀ ହୋଇପଡିଥିଲେ।

ସେହି ସମୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଯୋଗୁଁ  ଓଡିଶାରେ ଏକ ନବ୍ୟ ଶିକ୍ଷିତ ଗୋଷ୍ଠୀର ଆବିର୍ଭାବ  ହେବା ସଙ୍ଗେ ସଙ୍ଗେ ନୂତନ ସମାଜର ଉନ୍ମେଷ ସମ୍ଭବ ହୋଇଥିଲା । ଏହି ସମୟରେ ଗୌରୀ ଶଙ୍କର ରାୟ, ବୈକୁଣ୍ଠନାଥ ଦେ, ରାମଶଙ୍କର ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ସୀତାନାଥ ରାୟ, ଦ୍ଵାରିକାନାଥ ଚକ୍ରବର୍ତ୍ତୀ, ନିମାଁଇବଲ୍ଲଭ ବିଦ୍ୟାସାଗର, କୃଷ୍ଣପ୍ରସାଦ ଚୌଧୁରୀ, ପ୍ରଭୃତି କିଛି ବଙ୍ଗାଳୀ ଭଦ୍ରଲୋକଙ୍କ ସହିତ ଓଡିଆ ଶିକ୍ଷିତ ଗୋଷ୍ଠୀ, ମଧୁସୂଦନ ଦାସ, ଗୋପାଳବଲ୍ଲଭ ଦାସ, ଗୋବିନ୍ଦ ରଥ, ଚତୁର୍ଭୁଜ ଦାସ, ନବିନଚନ୍ଦ୍ର ଷଡଙ୍ଗୀ, ଫକୀରମୋହନ ସେନାପତି, ଗୋପାଳଚନ୍ଦ୍ର ପ୍ରହରାଜ, ଅଭିରାମ ଭଞ୍ଜ, ନନ୍ଦକିଶୋର ବଳ, ରାଧାନଥ ରାୟ, ମଧୁସୂଦନ ରାଓ, ବିଶ୍ୱନାଥ କର ଇତ୍ୟାଦି ନବଜାଗରଣର ବାର୍ତ୍ତାବହ ଥିଲେ । ଏହି ସମୟ ମଧ୍ୟରେ ବିଭିନ୍ନ ସଭା ସମିତିର ଆୟୋଜନ କରି ବିଭିନ୍ନ ସମସ୍ୟାକୁ ସରକାରଙ୍କୁ ଅବଗତ କରାଯାଉଥିଲା ଏବଂ ଏହାର ମୁଖ୍ୟ ପୁରୋଧା ଥିଲେ ମଧୁସୂଦନ ଦାସ । ରୁଗ୍ଣ ମାନସିକତା ଓ ହୀନମନ୍ୟତାର ଶୀକାର ହୋଇଥିବା ଓଡିଆ ଜାତିକୁ ପୁନର୍ଜୀବିତ କରି ଗଢିବାର ଆହ୍ଵାନ ଥିଲା ଏବଂ ସେଥିରେ ପ୍ରଥମ ଉଦ୍ୟମ ଥିଲା ବିଭାଜିତ ଓଡିଶାର ରାଜନୀତିକ ଏକତ୍ରିକରଣ ପାଇଁ ପ୍ରଚେଷ୍ଟା। ଭାଷା ଆନ୍ଦୋଳନରେ ଉପକୂଳ ଓଡିଶା ଓ ପଶ୍ଚିମାଞ୍ଚଳ ଓଡିଶା ଭିତରେ ଏକ ନିବିଡ ଭାବଗତ ସୁସମ୍ପର୍କ ଗଢିଉଠିଥିଲା ।

ସବୁ ଓଡିଆବାସୀ ଅଞ୍ଚଳକୁ ଏକଶାସନାଧୀନ କରିବା ଦାବୀ ନେଇ ଯେଉଁ ସ୍ମାରକପତ୍ର ମଧୁସୂଦନ ଦାସ ଲର୍ଡ଼ କର୍ଜନଙ୍କୁ ପ୍ରେରଣ ଜରିଥିଲେ ତାହା ରିଜଲେ ସରକୁଲାର ଅନୁଯାୟୀ (ରାଜ୍ୟ ପୁନର୍ଗଠନ ) ସଫଳ ହୋଇଥିଲା। ଏହାଥିଲା ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସୋପାନ। ୧୯୦୩ରେ ମୟୁରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ,କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ, ଖଲ୍ଲିକୋଟ ରାଜା ହରିହର ମର୍ଦରାଜ ଦେଓ ଇତ୍ୟାଦିଙ୍କ ପୃଷ୍ଠପୋଷକତାରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଓଡିଶାକୁ ଏକ ନବ ଦିଗନ୍ତ ଆଣି ଦେଲା ।ଏହି ସମୟରେ ଓଡିଆ ସମ୍ବାଦ ପତ୍ର ଗୁଡ଼ିକର ଭୂମିକା ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ସମ୍ବଲପୁର ହିତୈଷୀଣି, ଉତ୍କଳ ଦୀପିକା, ସମ୍ବାଦବାହିକା, ଉତ୍କଳ ସାହିତ୍ୟ, ଓଡିଆ ଓ ନବ ସମ୍ବାଦ, ଉତ୍କଳ ସେବକ ଇତ୍ୟାଦିଙ୍କୁ ଛାଡିଦେଲେ ଉତ୍କଳ ସମ୍ମିଳନୀର କାର୍ଯ୍ୟକ୍ରମର ବିବରଣୀ ପ୍ରକାଶ ପାଇଁ 'ଦି ଓଡିଆ’ ନାଁ ରେ ଏକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା। କିନ୍ତୁ ୧୯୨୦ ବେଳକୁ ଏହା ବିଲୋପ ହୋଇଗଲା। ମାତ୍ର ୧୮ବର୍ଷ ମଧ୍ୟରେ ଓଡିଆବାସୀଙ୍କୁ ଯଥେଷ୍ଟ ସଚେତନତା ଆଣିଦେଇଥିଲେ ମଧୁବାବୁ। ଏହି ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା 'ସମାଜ' ସମ୍ବାଦ ପତ୍ରର ପ୍ରକାଶନ ହେଲା ଯାହା କି ଓଡିଶାରେ ସ୍ଵାଧୀନତା ସଂଗ୍ରାମକୁ ଗଣ ଆନ୍ଦୋଳନରେ ପରିଣତ କରିଥିଲା ।

ଦେଶାତ୍ମବୋଧ ଓ ଜାତୀୟତା ବୋଧକୁ ତ୍ୱରାନ୍ୱିତ କରିବାରେ ସତ୍ୟବାଦୀ ବନ ବିଦ୍ୟାଳୟ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା। ଅସହଯୋଗ ଆନ୍ଦୋଳନକୁ ଗୋପବନ୍ଧୁ ଦାସ ଓଡିଶାରେ ପୂର୍ଣ୍ଣ ମାତ୍ରାରେ ଲୋକପ୍ରିୟ କରାଇଥିଲେ। ଏହା ଥିଲା ଭାଷା ଭିତ୍ତିରେ ପ୍ରଦେଶ ଗଠନ ପାଇଁ ଜାତୀୟ କଂଗ୍ରେସର ନିଷ୍ପତ୍ତି। କାରଣ ଏହା ପୂର୍ବରୁ morle-minto ସଂସ୍କାର, Montagu Chelmsford ସଂସ୍କାର ପ୍ରଣୟନ ହୋଇଥିଲେ ମଧ୍ୟ ସେଥିରୁ କିଛି ଲାଭ ମିଳିନଥିଲା। କିନ୍ତୁ କଂଗ୍ରେସର ଲକ୍ଷ୍ୟ ଥିଲା ପୂର୍ଣ୍ଣ ସ୍ୱରାଜ ପାଇଁ। ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ବିଶେଷ ସ୍ପୃହା ନ ଥିଲା। ୧୯୨୩ରେ ଶଶୀଭୂଷଣ ରଥଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀ ପୁନଃ କାର୍ଯ୍ୟକ୍ଷମ ହେଲା ଓ ୧୯୨୭ ବେଳକୁ ଓଡିଶାକୁ ଏକ ଶାସନାଧୀନ କରି ରଖିବାର ପରିକଳ୍ପନା ତ୍ୟାଗ କରି ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବୀ ହେଲା। ୧୯୨୮ରେ ସାଇମନ କମିଶନକୁ ଓଡିଶାର ନରମପନ୍ଥୀ ଉତ୍କଳ ସମ୍ମିଳନୀର ସମର୍ଥକ ଗୋଷ୍ଠୀ। ବିହାର-ଓଡିଶା ଵିଧାନ ପରିଷଦର ସଦସ୍ୟ କନିକା ରାଜାସାହେବ, ବ୍ରଜସୁନ୍ଦର ଦାସ, ବ୍ରଜାନନ୍ଦ ଦାସ, ଏବଂ ଲକ୍ଷ୍ମୀଧର ମହାନ୍ତି ଥିଲେ। କମିଶନର ସୁପାରିଶ ବିନା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଅସମ୍ଭବ ବୋଲି ସେମାନେ ଜାଣିଥିଲେ। ବହୁ ବାଧା ଏବଂ ବାଦାନୁବାଦ ସହିତ ଅବଶେଷରେ ୧୯୩୦ରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ସାଇମନ କମିଶନ ସୁପାରିଶ ଦେଇଥିଲା ।

୧୯୩୧ରେ ଲଣ୍ଡନରେ ଆହୂତ ହୋଇଥିବା ଗୋଲଟେବୁଲ ବୈଠକରେ ପାରଳା ରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଓଡିଶା ପ୍ରଦେଶ ସମ୍ପର୍କିତ ଅଭିମତର ସ୍ମାରକପତ୍ର ଉପସ୍ଥାପନ କରିଥିଲେ। ଓଡିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ଇତିହାସରେ ୧୯୩୧ ଥିଲା ଏକ ଘଡିସନ୍ଧି ମୁହୂର୍ତ୍ତ। ୧୯୩୨ରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଶ୍ୱେତପତ୍ର ପ୍ରକାଶ ପାଇବା ପରେ ପ୍ରଦେଶର ପ୍ରଶାସନିକ ବ୍ୟବସ୍ଥା କିପରି ସୁଚାରୁରୂପେ ପରିଚାଳିତ ହେବ ସେଥିପାଇଁ ଜନ ଅଷ୍ଟିନ ହୁବାକଙ୍କ ଅଧ୍ୟକ୍ଷତାରେ ମଧୁସୂଦନ ଦାସ, ଲକ୍ଷ୍ମୀଧର ମହାନ୍ତି, ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର, ଏନ. ଆର .ନାଇଡୁ, ଡବ୍ଲୁ ଓ ନିଉ ସାମ୍ପ୍, ନୀଳମଣି ସେନାପତି, ଲୋକନାଥ ମିଶ୍ର ଏବଂ ଗୌରଚନ୍ଦ୍ର ଦେବ ଆଦିଙ୍କୁ ନେଇ ଆଠ ଜଣିଆ ସଭ୍ୟ ବିଶିଷ୍ଟ ଏକ ଓଡିଶା ପ୍ରଶାସନିକ କମିଟି ନାମରେ ଏକ କମିଟି ଗଠିତ ହେଲା। ୧୯୩୩ରେ ଓଡିଶା ପାଇଁ ସାମୟିକ ଭାବରେ ଏକ କାମଚଳା ସରକାର ଗଠନ କରିବାକୁ ନିର୍ଦେଶ ମିଳିଲା ।

ଅବଶେଷରେ ବହୁ ପ୍ରତୀକ୍ଷୀତ ପ୍ରଦେଶ ଗଠନ ପାଇଁ ୧୯୩୬ ଜାନୁୟାରୀରେ ନୂତନ ଓଡିଶା ପ୍ରଦେଶ ଗଠନ ଆଇନର ଚିଠା ପ୍ରସ୍ତାବ ବ୍ରିଟିଶ ପାର୍ଲାମେଣ୍ଟରେ ଉପସ୍ଥାପିତ ହେଲା ଏବଂ ୧୯୩୬ ମାର୍ଚ୍ଚରେ 'ଭାରତ ସରକାର--ଓଡିଶା ପ୍ରଦେଶ ଗଠନ ଆଦେଶ --୧୯୩୬' ଘୋଷଣା ଅନୁସାରେ ଏପ୍ରିଲ-୧ ତାରିଖ ଠାରୁ ନୂତନ ପ୍ରଦେଶ କାର୍ଯ୍ୟକାରୀ ହେବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏପ୍ରିଲ ପହିଲା ଦିନ ସାର ଜନ ଅଷ୍ଟିନ ହୁବାକଙ୍କୁ ଓଡିଶାର ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ନିରବିଛିନ୍ନ ଉଦ୍ୟମ ଓ ଶାନ୍ତିପୂର୍ଣ୍ଣ ସଂଗ୍ରାମ ପରିଶେଷରେ ଫଳବତୀ ହେଲା--ଓଡିଆ ଜାତି ତା'ର ସ୍ଵପ୍ନ ବାସ୍ତବରେ ପରିଣତ ହେଲା। ନିଜର ଏକ ସ୍ୱତନ୍ତ୍ର ପ୍ରଦେଶ ସହିତ ରାଜନୀତିକ ପରିଚୟ ମଧ୍ୟ ହାସଲ କରିପାରିଥିଲା। ଏପ୍ରିଲ ୧ ତେଣୁ ଓଡିଆଭାଷୀ ମାନଙ୍କ ପାଇଁ ଏକ ସ୍ମରଣୀୟ ଦିବସ-- ଉତ୍କଳ ଦିବସ। ଏହିଦିବସଟିକୁ ଜାତୀୟଦିବସ ରୂପେ ସମଗ୍ର ରାଜ୍ୟରେ, ପୁରପଲ୍ଲୀରେ, ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ମାନଙ୍କରେ ପାଳିତ ହୋଇଥାଏ। ଓଡିଆ ଐତିହ୍ୟର ପ୍ରାଣପୁରୁଷମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ବିଦ୍ୟାଳୟରେ ଏବଂ ବିଭିନ୍ନ ସଭା ସମିତି ଆୟୋଜନ କରି କୃତୀ ଶିଶୁମାନଙ୍କୁ ବିପ୍ଲବୀ ବୀର ବାଜିରାଉତ ପୁରସ୍କାର ଦିଆଯାଇଥାଏ। ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ହୋଇଥିବାରୁ ମାତୃଭାଷାର ଉନ୍ନତି ନିମନ୍ତେ ବିଭିନ୍ନ ସଭା ସମିତିରେ ବକ୍ତୃତା, ନାଟକ, ସଙ୍ଗୀତ, ନୃତ୍ୟ ଇତ୍ୟାଦିର ଆୟୋଜନ କରାଯାଇଥାଏ ।

ଦୀର୍ଘ ଦିନର ସ୍ଵପ୍ନ ପୂରଣ ହୋଇ ଏହି ଦିବସକୁ ପାଳନ କରି ଆସୁଛି। କିନ୍ତୁ ବର୍ତ୍ତମାନ ସମୟରେ ନିଃସ୍ୱାର୍ଥପର ଜନନାୟକଙ୍କ ପ୍ରେରଣାର ଅଭାବ ପରିଲକ୍ଷିତ ହୁଏ। କାରଣ ସୀମାନ୍ତ ଅଞ୍ଚଳ ଗୁଡିକ ଓଡିଆଭାଷାକୁ ବଞ୍ଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ରହୁଛି। ପଡୋଶୀ ଭାଷାର ପ୍ରୟୋଗ ରହୁଛି ତଥା ପଡୋଶୀ ରାଜ୍ୟର ମାଲିକାନା ଦ୍ୱାରା ସେମାନେ ଅନୁନ୍ନତ ଓ ପଛୁଆ ହୋଇ ରହୁଛନ୍ତି। ବିଛିନ୍ନାଞ୍ଚଳ ଓଡିଆ ଭାଷୀମାନେ (ଷଢେଇକଳା ଓ ଖରସୁଆଁ ) ଅଦ୍ୟାପି ଭୀଷଣ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ସେଥିପ୍ରତି ରାଜ୍ୟ ସରକାର ଉଦାସୀନ ମନୋଭାବ ସ୍ପୃହଣୀୟ ନୁହେଁ । ଓଡିଆ ବୋଲି ଗର୍ବ କରିବାର ବିଷୟ ସେତିକିବେଳେ ବିଶେଷ ଭାବେ ପରିଲକ୍ଷିତ ହେବ ଯେତେବେଳେ କୁଳବୃଦ୍ଧ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁଙ୍କ ପରି ସମଗ୍ର ଓଡିଆଙ୍କ ଉନ୍ନତି କଳ୍ପେ ଅନେକ କିଛି କରିବାର ଆଗ୍ରହ ସୃଷ୍ଟି କରାଇ ପାରିବେ। ଉତ୍କଳର ଭାଷା ସାହିତ୍ୟ ବହୁ ପ୍ରାଚୀନ, ଏହାର ଲିପି ଶବ୍ଦଚାରଣ ଓ ବ୍ୟାକରଣ ଦୃଷ୍ଟିରୁ ଅତୀବ ସ୍ୱାତନ୍ତ୍ର୍ୟ। ତେଣୁ ଜଣେ ଉତ୍କଳୀୟ ରୂପେ ଗର୍ବ କରିବା ପାଇଁ ଏହାର ସଂସ୍କୃତି, ସ୍ଥାପତ୍ୟ, ଚାରୁଶିଳ୍ପ ଖାଦ୍ୟପେୟ, ଯୁଦ୍ଧବିଦ୍ୟା ଇତ୍ୟାଦି ଅନେକ କିଛି ବିଷୟ ଅଛି ।

କିନ୍ତୁ ବିଶେଷ ଭାବେ ରୁଧିମନ୍ତ ଥିବା ଭାଷା ସାହିତ୍ୟ ବର୍ତ୍ତମାନ ସଙ୍କଟରେ। ଏହାର ପ୍ରଚାର ଓ ପ୍ରସାର ବିପନ୍ନ ହେଉଛି ବୋଲି ବୁଝିବାକୁ ହେବ। ସାମଗ୍ରୀକ ରୂପେ ଓଡିଶାର ଉନ୍ନତି ପଥ ପରିଷ୍କାର କରି ଅର୍ଥନୈତିକ, ସାମାଜିକ, ଓ ରାଜନୈତିକ ସମାନତା ପାଇଁ ସରକାର ତାଙ୍କର ଉଦାସୀନତା ପରିହାର କରିବା ଉଚିତ। କେବଳ ସରକାରୀ ଭାଷା କରି ଆଇନ ତିଆରି କରିଦେଲେ ତାହା ଯଥେଷ୍ଟ ନୁହେଁ ସେଥିପାଇଁ ଲିଖିତ ପୁସ୍ତକ, ପ୍ରକାଶନ, ତଥା ଶିକ୍ଷକ ଯୋଗାଇଦେବା ନିତାନ୍ତ ଅପରିହାର୍ଯ୍ୟ। ପ୍ରବାସୀ ଓଡିଆ ତଥା ରାଜ୍ୟବାସୀଙ୍କର ଜାତୀୟ ପ୍ରୀତି ଅକ୍ଷୁର୍ଣ୍ଣ ରହିଲେ ଉତ୍କଳ ଦିବସ ପାଳିତ ହେବାର ଯଥାର୍ଥତା ପ୍ରତିପାଦିତ ହୋଇପାରିବ । ବନ୍ଦେ ଉତ୍କଳ ଜନନୀ । 

Post a Comment

0 Comments