ଓଡ଼ିଆ ଢଗଢଗାଳି (ଚ, ଛ, ଜ, ଝ)

ଚଁର ପୋଖରୀ ଡଅଁର ଗଣ୍ଡରେ
            ଭଅଁର କରିଛି ବସା
କୋଊ କଥା ପାଇଁ କରିଲି ଆଶା
            ଦାଣ୍ଡେ ହେଲି ଲୋକହସା ।
ଚକ ଢିଲାକୁ ଅଖ ଢିଲା
ଯାଉ ଯାଉ ଗାଡ଼ି ଯୁଆଡ଼େ ଗଲା ।
ଚମ ବାଇଦ କୋଶେ
ତୁଣ୍ଡ ବାଇଦ ସହସ୍ର କୋଶେ ।
ଚଷା, ଲକ୍ଷେ ଜୀବ ପୋଷା ।
ଚଷା ହୁଡିଲେ ବରଷେ
ଭୋଟର ହୁଡିଲେ ପାଞ୍ଚ ବରଷ ।
ଚହଚହକା ମହମହକା
ପାଇ ଆଣିଥିଲି ତୋତେ
ଟାକୁଆ ଗାଲରେ ମାଉଁସ ଲାଗିଲା
ଜବାବ ଦେଉଛୁ ମୋତେ ।
ଚାଉଳ ସେରକ କେତେ
ନା, ମୁଁ ମଠରେ ଖାଏ ।
ଚାଉଳ କେତେ ଭାଉ
ଆମେ ମାମୁଙ୍କ ବସାରେ ଖାଉ ।
ଚାଉଳ ସେରକୁ ତିନି ପରାଣୀ
ଆହୁରି ଯାଉଛି ବୋହୁକୁ ଆଣି ।
ଛାତ ଘର ପୁଅ ଚାଟ
ଭାଟ ଘର ପୁଅ ଭାଟ ।
ଚାଟୁଥା
ପଚ୍ଛରୁ ଗଳାକୁ କାଟୁଥା ।
ଚାଳେ ଚାଳେ ଗଲା ଚାଳୁଆ ମୂଷା
କେହି ନଜାଣିଲେ ସାଇ ପଡ଼ିଶା ।
ଚାଷ ନାହିଁ ଯା’ର
ବାସ ନାହିଁ ତା’ର ।
ଚାଷ ହୁଡିଲେ ବରଷେ
ପାଠ ହୁଡିଲେ ପୁରୁଷେ ।
ଚିନ୍ତା ଖାଏ ଗଣ୍ଡି
ଲୁଣ ଖାଏ ହାଣ୍ଡି ।
ଚିହ୍ନା ବ୍ରାହ୍ମଣର କି
            ପଇତା ଲୋଡା ?
ଚୂନ ରଗ ପାନେ ମରୁ
ମନ ରଗ ମନେ ମରୁ ।
ଚେଇଁ ଶୋଇଥିବ ଯିଏ
ତାକୁ ଉଠେଇବ କିଏ?
ଚୋରଙ୍କର ଭାରି ମୁହଁ ଟାଣ।
ଚୋର ମାଆ କାନ୍ଦେ ନାହିଁ
ଯଦି କାନ୍ଦେ ଦୁଆର ଦେଇ କାନ୍ଦେ ।
ଚୋର ପଳାଇବା ପରେ ବୁଦ୍ଧି ବାହାରେ ।
ଚୋର ହୋଇ ପୁଣି ପାଇକ ପଣ ।
ଚୋରକୁ କହୁଛି ଚୋରୀ କର
ସିପାହିକୁ କହୁଛି ଜଗିଥା ।
ଚୋର ମନ ଗଣ୍ଠିଲିରେ
ବାବାଜୀ ମନ କଣ୍ଠିରେ
ବେପାରୀ ମନ ପାଣ୍ଠିରେ ।
ଚୋରୀ କଲା ଲୋକର ଏକ ପାପ
ଚୋରୀ ଗଲା ଲୋକର ସହସ୍ର ପାପ ।
ଛ’ଅଡ଼ା ବଣିକ ବାନ୍ଧେ ପାଣି ।
ଛାଇତ ଛାଇ, ଛତାର ଛାଇ
ଗଛ ଛାଇ, କି ସଙ୍ଗତେ ଯାଇ?
ଛିଣ୍ଡା କବଟା, ହଜିଲେ ମଠା ।
ଛି ଛିରେ ପଚା ପଇଡ
            ଭାସି ଯାଉଥିଲୁ ମଝି ନଈର
ସାଉଣ୍ଟି ଆଣିଲି ତୋତେ
            ତୋ ଦେହରେ ଚେରିମି ଲାଗିଲା
ଜବାବ ଦେଉଛୁ ମୋତେ ।
ଛି ଲୋ ଛତୁ,
ମେଘ ବରଶିଲେ କେତେ ତୁ ଫୁଟୁ ।
ଛି ଲୋ ବିଲେଇ କାହିଁକି ଋଷୁ
ସେଇ ଭାଡ଼ି ତଳେ ପୁଣି ପଶୁ ।
ଛୋଟ ସାପର ବିଷ ଟାଣ ।

ଛୋଟୀ ବିରାଡି
କୁଜି ଅସରପା ଉପରେ ଟାଣ ।
ଛୋଟୀ କି ଶ୍ରୀବନ୍ତି କହିଲେ
ଗୋଡକୁ ବୁଲାଇ ପକାଏ ।
ଜଗନ୍ନାଥଙ୍କର ବଡେଇ
କାହାକୁ ଦିଅନ୍ତି ପାଟ ପୀତାମ୍ବରୀ
କାହାକୁ ଦିଅନ୍ତି ଗଡେଇ ।
ଜର କଲା ଧାନ କୁଟା ବେଳକୁ
ଛାଡିଗଲା ଭାଟ ଫୁଟା ବେଳକୁ ।
ଜାନ ଯାଉ, ମହତ ଥାଉ
ମହତ ଗଲେ ନମିଳେ ଆଉ ।
ଝାମ୍ପୁରୀ ମୁଣ୍ଡି ଓଲେଈ ତୁଣ୍ଡି
ଏମାନଙ୍କ ହାତେ ନଦେବ ହାଣ୍ଡି ।
ଝିମିଟି ଖେଳରୁ ମହାଭାରତ ।

Post a Comment

0 Comments