ଓଡ଼ିଆ ଢଗଢଗାଳି (ଗ, ଘ)

ଗଙ୍ଗା ଯା ଗଯା ଯା
କର୍ମ ଘେନି ବୁଲୁଥା ।
ଗଙ୍ଗା ବୋଇଲେ ଥିବି
ଗାଙ୍ଗୀ ବୋଇଲେ ଯିବି ।
ଗଙ୍ଗା ଗଳିଳ ଯେତିକି
ଫଳ ପାଇଲି ସେତିକି ।
ଗରଜିଲା ମେଘ ବରଷେ ନାଇଁ
ଭୁକିଲା କୁକୁର କାମୁଡ଼େ ନାଇଁ ।
ଗରିବ ମାଈପ ସବୁରି ଶାଳି ।
ଗାଆଣକୁ ଗାଆ କହିଲେ-
            ଗାଏ ନାହିଁ
ଡାହାଣୀକୁ ଖାଆ କହିଲେ –
            ଖାଏ ନାହିଁ ।
ଗାଈ ମାଇଲେ ମଲି
ଗାଈବି ମାଇଲେ ମଲି ।
ଗାଈ ସହଦେବଙ୍କର
ଷଣ୍ଢ ମହାଦେବଙ୍କର
ବଳଦ ବାପୁଡା କାହାରି ନୁହଁ ।
ଗାଁ କନିଆ ଶିଙ୍ଘାଣୀ ନାକି ।
ଗାଲୁଆଙ୍କ ବାରବାଟୀ ଚାଷ ।
ଗୁଡ଼ ଘରେ ପିମ୍ପୁଡ଼ି ପରିଛା ।
ଗୁଡ଼ ଚାଖୁ ଚାଖୁ ଯାଏ
ତେଲ ମାଖୁ ମାଖୁ ଯାଏ ।
ଗୁଣ ସୁନ୍ଦର ବୋଲି ଗୋଳି ପିଇବ କି
ରୂପ ସୁନ୍ଦର ବୋଲି ପାରି ଶୋଇବ କି?
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ ।
ଗୋଠ ମାତିଲେ ଖଣ୍ଡିଆ ମାତେ ।
ଗୋଡାଉଥିବୁ ଧରିବୁ ନାଇଁ
ଉଞ୍ଚାଉଥିବୁ ମାରିବୁ ନାଇଁ ।
ଗୋଦରା କୋଡ଼େ ଯେତେ
            ମାଡ଼େ ସେତେ।    
ଗୋରୁ ଲାଙ୍ଗୁଡ ଧରି
ବୈତରଣୀ ପାରି ।
ଘର ଦୁଆର ସବୁ ତୋର
କାହିଁରେ ନଦେବୁ ହାତ ।
ଘର ପୋଡ଼ିଯାଉ ପଛେ
ମୂଷା ପାଆନ୍ତୁ କେଞ୍ଚେ ।
ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି
କାଳ କହୁଛି ମେଘ ଦୁଲୁକୁଚି ।
ଘର ପୋଡ଼ିରୁ ବିପତ୍ତି ନାଇଁ
ଘୋଡ଼ା ଚଢାରୁ ସମ୍ପତ୍ତି ନାଇଁ ।
ଘର ପୋଡ଼ିରୁ କୁଟାଖିଏ ପାଇଲେ ସହି ।
ଘର ପୋଡ଼ିଗଲେ ସଭିଏଁ ଜାଣିବେ
ମନ ପୋଡ଼ିଗଲେ ଜାଣୁଛି କିଏ?
ଘର ପୋଡ଼ି ବେଳେ କୂଅ ଖୋଳା ।
ଘର ବର ଦେଖି ପେଟ ପୁରୁଛି
ସଉତୁଣୀ ଦେଖି ହଁସା ଉଡୁଛି ।
ଘରେ ନଥାଇ ଲେମ୍ବୁ ଲୁଣ
ବାହାରେ ଦେଖ ଚାତର ପଣ ।
ଘରେ ବରଡ଼ା ତାଟି
ଅଣ୍ଟାରେ ଚାବିକାଠି ।
ଘରେ ଫୁଟୁ ଫୁଟୁକିଆ ବସା
ଦାଣ୍ଡକୁ ମଦନ ମୋହନ ଖୋଷା ।
ଘଷର ଘଷର ଆହୁରି ଘଷର
            ପୁଣି ଘଷର ପାଣି
ତୁମେ ଯହିଁ ପାଇଁ ନସର ପସର
            ଆମେ ସେଇକଥା ଜାଣି ।
ଘା ଯାଏ, ଦାଗ ଥାଏ
ଲୋକ ଯାଏ, କଥା ଥାଏ ।
ଘୁଙ୍ଗା ଯାହା ସପନ ଦେଖେ
ମନ କଥା ମନରେ ରଖେ ।
ଘୁଷୁରି କି କାହିଁ ପାଚିଲା କଦଳୀ
            ଅନ୍ଧ ହାତେ ରତ୍ନ ମୁଦି
ପେଚା ଚଢେଇ କି ସୁବର୍ଣ୍ଣ ପଞ୍ଜୁରି
            କୋରଡ଼ ସୁମାରି କାନ୍ଦି ।
ଘୁଷୁରି ପ୍ରକୃତି ପଙ୍କେ ଲୋଟେ
ମଣିଷ ପ୍ରକୃତି ମଲେ ତୁଟେ ।
ଘୋଡ଼ା ଛ’ଟଙ୍କାକୁ
            ଦାନା ନ’ଟଙ୍କା ।
ଘୋଡ଼ା ଦଉଡି ଦଉଡି ଯେଉଁଠି
ହାତୀ ପଳାସୀ ପଳାସୀ ସେଇଠି ।

Post a Comment

0 Comments