ଓଡ଼ିଆ ଢଗଢଗାଳି (ମ, ଯ)

ମଇଁଷି ଶିଙ୍ଗ ଫଟା
ଯୁଝିଲା ବେଳକୁ ଗୋଟା ।
ମଞ୍ଚା ବାନ୍ଧିଲି ବାଘ ପାଇଁ
ବାଘ ପଳେଇଲା ମଞ୍ଚା ଡେଇଁ ।
ମଞ୍ଜି ଗୁଣେ ଫଳ
ତୀର୍ଥ ଗୁଣେ ଜଳ ।
ମଣିଷର ଯେବେ କପାଳ ପୋଡ଼େ
ଯୋଊ ଡାଳ ଧରେ ସେ ଡାଳ ଛିଣ୍ଡେ ।
ମତେ ନିଅଣ୍ଟ ନା ସାଇରେ ବାଣ୍ଟ।
ମତେ ନ ବୋଳିବ ବୁଢୀ
ମୁଁ ବୟସରେ ପାଞ୍ଚ କୋଡ଼ି ।
ମତେ ମୁଣ୍ଡ ଗୁଞ୍ଜିବାକୁ ଥାନ ନାହିଁ
ମୁଁ ଝୁରି ମରୁଥାଏ ପର ପାଇଁ ।
ମନ ତୋର ମରେ ବିକଳ ହୋଇ
ଧନ ତୋର ମରେ ଜବତ ହୋଇ ।  
ମନ ଦୃଢ କଲେ ଗାଡିଆ ଗଙ୍ଗା ।
ମନରେ ନାଇଁ କି ମାଳାରେ ନାଇଁ
ଭାଳି ହେଉଥିଲେ ପାଇବୁ କାହିଁ?
ମଳୁ ଖୋଜୁଥିଲା ପଇଡ ପାଣି
ବଇଦ କହିଲା ପି ତୋରାଣି ।
ମଲା ବେଳକୁ ହନୁ
ସତ କହିଲା।
ମା ଝିଅ ଦିହେଁ
            ଦେଉଳ ଗଲେ
ଯେ ଯାହା ଶୁଭ
            ଯିଏ ମନାସିଲେ ।
ମାଆଲୋ ମଲି
ଗାଁ ଚାରିପଟେ ବୁଲି ଆଇଲି
କେହି ନକହିଲେ
            ବସ ବୋଲି ।
ମାଇ ନୁହଁ କି ଗାଈ ନୁହଁ ।
ମାଙ୍କଡ଼ ହାତରେ ଶାଳଗ୍ରାମ
ନଚାଇ ନଚାଇ ନେଲା ପ୍ରାଣ ।
ମା ଗାଳି ପାଣିର ଗାର
ବାପ ଗାଳି ବଜ୍ରର ଧାର ।  
ମାଗି ଆଣିଲା ତିଅଣ ସୋଡକାଏ ।
ମାଗିଖିଆ ଲାଗି ଖାଏ ନାହିଁ
କି ଲାଗିଖିଆ ମାଗି ଖାଏ ନାହିଁ ।
ମାଗିବା ଠାରୁ ହିଁ ନାହିଁ
କି ଦେବାଠାରୁ ପୂଣ୍ୟ ନାହିଁ ।
ମାଗୁର ମାଛର ଝୋଲ
ବେଟା ହରିଆ ହରିଆ ବୋଲ୍ ।
ମାଛ ଖାଇବୁ କି ବଗ?
ତହିଁ କି ଭେଣ୍ଡିଆ ଆଗ ।
ଧାନ କୁଟିବୁ କି ବଗ?
ମୋ ନଳୀ ଗୋଡ ଭାଙ୍ଗିଯିବ ।
ମାଣ୍ଡିଆ ଜାଉ ଖୋଇବ ଯିଏ
ରାତି ଅଧରେ ହଗେଇ ନିଏ ।
ମାଧିଆ ଭାଇ
ସବୁ କଥାରେ ହଇ ହଇ ।
ମାରୁଥିବେ ମହାପାତ୍ରେ
ଚାହିଁଥିବେ ଜଳକା ।
ମାରେ ସିପାହୀ,
ନାଆଁ ସର୍ଦ୍ଦାରର ।
ମାରେ ହଋ ରଖେ କିଏ
ରଖେ ହଋ ମାରେ କିଏ?
ମାଳୀକି ଛେଳି ଅଡୁଆ ।
ମୁଖ ଫିଟିଲେ ଦୁଃଖ ଯାଏ ।
ମୁଣ୍ଡରେ ପଗଡି ପାଦରେ ତେଲ
ବଇଦ ସାଙ୍ଗରେ କରିବ ଗେଲ ।
ମୁଣ୍ଡରେ ରାମ ଟହଲିଆ ଖୋଷା
ଘରେ ବାଇଆ ଚଢେଇ ବସା ।
ମୁଁ ମରୁଥାଏ ମାଇଁ ମାଇଁ
ମାଇଁର ଦୟା କି ଧରମ ନାଇଁ ।
ମୁହଁରେ ମାଇଲେ ଯିବ ସରି
ଦେବଙ୍କ ସଙ୍ଗେ କିମ୍ପା କଳି ।
ମେଣ୍ଢା ଧୋଊ ଧୋଊ ନିର୍ବାଳ ।
ମୋର ତ ନାଇଁ ଭାଇ
ପର ଭାଇଟିକି ଭାଇ କରିଥିଲି
ନଣନ୍ଦ ପୁଟୁଳି ପାଇଁ।
ମୋର ସିନା ନିଶ ନାଇଁ
ମୋ ବନମାଳିଆ ଭାଇର ଅଛି।
ଯାଚିଲେ ନରୁଚେ ମଣ୍ଡା ଗଇଣ୍ଠା
ମାଗି ଖାଉଥାଏ ବସି ଅଇଁଠା ।
ଯାହା ପୁଅକୁ ସାପ କାମୁଡ଼େ
ତା’ ମା ପାଳଦଉଡି ଦେଖିଲେ ଡରେ ।
ଯାହା ଲାଗି କଳି ଚୋରୀ
ସେଇ ବୋଲେ ଚୋର ।
ଯାହା କରିବେ ସାଇଁ
ତା କାହାରି ହାତରେ ନାଇଁ ।
ଯାହାକୁ ରଖିବେ ଅନନ୍ତ
କି କରିପାରେ ବଳବନ୍ତ ।
ଯାହା ଖାଇଥିବ ପେଟକୁ
ଯାହା ନେଇଥିବ ବାଟକୁ
ଯାହା ରଖିଥିବ ଖଣ୍ଟକୁ ।
ଯାହା ତୋଟିରେ ବଥ ଉଠିଲା
ସେ କହିଲା ‘ମିଛ’
ଯାହା ଗୋଡରେ କଣ୍ଟା ଫୁଟିଲା
ସେ କହିଲା ‘ମଲି’ ।
ଯାହା ନାହିଁ ଭାରତେ
ତାହା ନାହିଁ ଜଗତେ ।
ଯା ବାପ ଚଢେ ଘୋଡ଼ା
ତା ପୁଅ ଥୋଡା ଥୋଡା ।
ଯାହାର ମନ ଯହିଁକି ରସେ
ତାହା ବିନା ତାକୁ ଆଣ ନ ଦିଶେ ।
ଯାହାର ତେଲ ପସରା ପଡିଗଲା
            ସେ କହିଲା ମୋର ଗଲା
ଯାହାର ବେଲ ପସରା ପଡିଗଲା
            ସେ କହିଲା ମୋର ଗଲା ।
ଯାହାର ବାହାଘର ତା ମନେ ନାଇଁ
ସାଇ ପଡ଼ିଶାକୁ ନିଦ ନାଇଁ ।
ଯାହାର ଯେମନ୍ତ ସ୍ଵଭାବ
ଗୁରୁ ବଚନେ କିସ ହେବ?
ଯିଏ ଖାଇଚି ଦୋହରା ଖାଉ
ଯିଏ ନଖାଇଚି ଅପାଶେ ରହୁ ।
ଯିଏ ପାଉଚି ତ ପାଉଚି
ଯିଏ ଚାହୁଁଛି ତ ଚାହୁଁଛି ।
ଯିଏ ଯାହାକୁ ରସେ
ସିଏ ତାକୁ କିଆ ଫୁଲ ପରି ବାସେ ।
ଯେଉଁ ଘରକୁ ଯେଉଁ ବତା
ନିର୍ମାଣ କରିଛି ବିଧାତା ।
ଯେଉଁ ଡାଳକୁ ଧରୁଚି
ସେ ଡାଳ ଚିଣ୍ଡୁଚି ।
ଯେଉଁ ହାର ଦେଲେ ବର
ସେଇ ହେଲେ ହରବର ।
ଯେଝା ଘର ତାକୁ ମଥୁରାପୁରୀ
ଯେଝା ବାର ତାକୁ ଶ୍ରୀକୃଷ୍ଣ ସରି ।
ଯେଝା ହାତରେ ଯିଏ ଚଉଦ ପା ।
ଯେଡେ ବାଉଁଶକୁ ସେଡେ ପୋଲ ।
ଯେଡେ ବଡ ପାଟି,
ତେଡେ ବଡ ଗୁଣ୍ଡା ।
ଯେଣେ ଇଚ୍ଛା ତେଣେ ଯା
କର୍ମ ଘେନି ବୁଲୁଥା ।
ଯେତେ ଭାଇ ସେତେ ଘର
ଯେତେ କଣିଆ ସେତେ ବର ।
ଯେ ପକ୍ଷୀ ଉଡ଼େ ଯେତେ ଦୂର
ସେ ଜାଣେ ତହିଁର ବେଭାର ।  
ଯେତେ ଦିନ ଥିବ ଅଣ୍ଟାରେ ବଳ
ସଂଗାତ ମଇତ୍ର ଦୁଆରେ ଠୁଳ ।
ଯେବେ ମୂର୍ଖ ସଙ୍ଗେ ଚାଲିବ ବାଟ
କହୁଣି କ୍ଷୟବ ରଅଟ ରଅଟ ।
ଯେମନ୍ତ ଦିଅଁକୁ ତେମନ୍ତ ପୂଜା ।
ବାଲି ଗରଡାକୁ ଚାଉଳ ଭଜା ।
ଯେସାକୁ ତେସା
ହାରାମଜାଦାକୁ ଟାଙ୍ଗିଆ ପଶା ।
ଯେ ଚିନତେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
ଯୋଡାକୁ ଘୋଡ଼ା ସରି ନୁହେଁ ।

Post a Comment

0 Comments