ଓଡ଼ିଆ ଢଗଢଗାଳି (ଟ, ଠ, ଡ, ଢ, ତ, ଥ, ଦ, ଧ)

ଟୁପୁ ଟୁପୁ ପାଣି ପଥର କାଟେ
ଟୁପୁ ଟୁପୁ କଥା ଅନ୍ତର କାଟେ ।
ଠକଙ୍କ ଗୁରୁ
ଉପର ଚିକ୍କଣ ଭିତର ମାରୁ ।
ଠାକୁର ଘରେ କିଏ?
ନା, ମୁଁ କଦଳୀ ଖାଇ ନାହିଁ।
ଡର କାହାକୁ ଭୟ କାହାକୁ
ଠାକୁର ଅଛନ୍ତି ଚଉବାହାକୁ ।
ଡେଙ୍ଗା ମୁଣ୍ଡରେ ଠେଙ୍ଗା ।
ଢାଇଁ ଢାଇଁ ଢାଉଁ
            ବାଜଇ ଢୋଲ
ବାହାର ଚିକ୍କଣ
            ଭିତର ପୋଲ ।
ଢିଙ୍କି ସ୍ଵର୍ଗକୁ ଗଲେ ବି
ଧାନ କୁଟେ ।
ଢୋଲ କାନ୍ଧରେ ପଡୁ
ଛାଏଁ ଛାଏଁ ବଜାଇ ଶିଖିବ ।
ଢୋଲ ଖାଏ ମାଡ
ଢୋଲିଆ ଖାଏ କଉଡି ।
ତପେ ବର,
ନ ହେଲେ କୋପେ ବର ।
ତରଜିଲା କୁଆ
ଶହେ ବରଷ ଜିଏଁ ।
ତଳ ବରଡ଼ା ଖସୁଛି
            ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ ବୋଇଲା
            ମୋ ଦିନ କାଳ ଆସୁଛି ।
ତା’ ଦୁଆରେ କ୍ଷତ ଖତ କୂଢ
ସିଏ ପର ଦୁଆର ଓଳାଉଚି ।
ତିନି ଘର କୁଣିଆ ଓପାସ ରହେ ।
ତିନି ଥେଣ୍ଟିଆ କାକୁଡ଼ି ଭାଡ଼ି
ଶିଆଳ ଖାଏ ମୋଡ଼ି ମୋଡ଼ି ।
ତୁ ଗୁହାରି କରୁଛୁ ଯାହାକୁ
ମୁଁ ଜୁଆଇଂ କରିଛି ତାହାକୁ ।
ତୁଣ୍ଡ ନରେନ୍ଦ୍ର, ପିଠି ଅରକ୍ଷିତ ।
ତୁଚ୍ଛାକୁ ଏତେ
ମୁଦି ନାହିଁ ଗୋଡ଼ କଚାଡୁ କେତେ,
ପିତ୍ତଳ ଗୁଣାକୁ ନାକ ଟାଉଁ ଟାଉଁ
ସୁନା ଗୁଣା ଥିଲେ ହୁଅନ୍ତୁ କେତେ?
ତୁ ଗଲେ ଡାଳେ ଡାଳେ
ମୁଁ ଯିବି ପତରେ ପତରେ ।
ତୁ ଯେତେ ମାଠିବୁ ମାଠ
ମୁଁ ସେଇ ଦରପୋଡା କାଠ ।
ତୁଲସୀ ମାଳି
ଭିତରେ ଭିତରେ ସଲାସୁତୁରା
ଉପରେ ଉପରେ କଳି ।
ତୁଳସୀ ଦୁଇ ପତ୍ରରୁ ବାସେ
ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ ।
ତେଲ ତେଲ, ପାଣି ପାଣି ।
ତେଲିଆ ମୁଣ୍ଡରେ ତେଲ ।
ତୋଡି ପେଟିଆ ସବୁ ଖାଏ
ଥନ୍ତଇ ପେଟିଆ ନାଆଁରେ ଯାଏ ।
ତୋରାଣି ସାଙ୍ଗକୁ ନଥାଏ ଲୁଣ
ମିଛେ ବୋଲୁଥାଏ ତିନି ତୁଅଣ ।
ତୋହରି ଧାନ ତୋତେ ଦେଇ
ମଝିରେ ମଧ୍ୟସ୍ଥି ବୋଲାଇ ।
ଥିଲା ହାତ ଖଲ ଖଲ
ନଥିଲା ହାତ କଲବଲ।
ଥିଲେ ଚିରାକନା, ହଜିଲେ ମାଠ ।
ଥିଲେ ବାଘର ଆହାର
ନଥିଲେ ସାପର ଆହାର ।
ଥିଲେ ଥାଉ ପଛେ ଗୁଣ ହଜାର
ଚରିତ୍ର ନଥିଲେ ସବୁ ଅସାର ।
ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣଇ ସେଣିକି ଯାଇ ।
ଦେବୁ ଦେବୁ ବୋଲି ପୁରିଲା ମାସେ
ଆହୁରି ବୋଲୁତୁ କାଲିକି ଆସେ ।
ଦନେଇ ଆଇଲେ ମୂଳରୁ ଗା ।
ଦହିବାଲାକୁ ଚୂଡ଼ାବାଲା ସାକ୍ଷୀ ।
ଦହି ସୁନ୍ଦର ଚୂଡ଼ାକୁ
ଫୁଲ ସୁନ୍ଦର ଜୁଡାକୁ ।
ଦାଆ ଥିଲେ ଅଠର ଗନ୍ଦା ବେଣ୍ଟ ।
ଦାଣ୍ଡରେ ପଥର ଝୁଣ୍ଟିଚି
ଘରେ ଶିଳ ଭାଙ୍ଗୁଛି ।
ଦାନ୍ତ ବେଳକୁ ଚଣା ନାଇଁ
ଚଣା ବେଳକୁ ଦାନ୍ତ ନାଇଁ ।
ଦାନୀ, ନା ମୁଣ୍ଡକୁ ନପାଏ କାନି ।
ଦିଅଁ ଗଢୁ ଗଢୁ ମାଙ୍କଡ଼ ।
ଦିଅଁଙ୍କୁ ଖାଇ, ଖଟୁଲି ଖାଇ
ଆହୁରି ପଚାରେ ପୂଜାରୀ କାହିଁ?
ଦିଆକୁ ଦିଆ
ଅଦିଆକୁ ଦୁଆର ଦିଆ ।
ଦିଆ ପୁରୁଷ
ଯାଚି ଯାଉଥିଲା କଟକ ମିଠେଇ
ପୁଅକୁ ହେଲାଣି ବାର ବରଷ ।
ଦିନକର ଭାତ, ଯୁଗକର କଥା ।
ଦିନେ ନାଇଁ କାଳେ ନାଇଁ
ଗେଲ୍ହା ପୁନିଅଂକୁ ମାଇଁ ମାଇଁ ।
ଦୀପ ତେଜିଲେ ହାତ ଚିକ୍କଣ ।
ଦୀପ ରୁଖା ଉପରେ ପିମ୍ପୁଡ଼ି ଚଢିଲେ
ସ୍ଵର୍ଗ ଆଉ ଡି ଆଙ୍ଗୁଳ ବୋଲି ଭାବେ ।
ଦୀପରୁ ମାଇପା ସଇଲା
ପ୍ରଭୁଙ୍କ ଲୀଳା ଶେଷ ହେଲା ।
ଦୂର ପର୍ବତ ସୁନ୍ଦର
ଦୂର ବନ୍ଧୁ ସୁନ୍ଦର ।
ଦୃଢେ ତରନ୍ତି
ମୂଢେ ତରନ୍ତି
ମଝି ମଝିଆ ବୁଡି ମରନ୍ତି ।
ଦେଇଚୁ ଯାହା ପରଲୋକକୁ
ଥୋଇଚୁ ଯାହା ପରଲୋକକୁ ।
ଦେଖା ସୁନ୍ଦର କଖାରୁ ବଡି ।
ଦେଖା ସୁନ୍ଦର ବଉଳା ଗାଈ
ଦୁହିଂଲା ବେଳକୁ ଟୋପାଏ ନାହିଁ ।
ଦେବା ଠାରୁ ପୂଣ୍ୟ ନାହିଁ
ମାଗିବା ଠାରୁ ହୀନ ନାହିଁ ।
ଦେବା ଦେବା କହୁଥିବା
ନାହିଁ ନଦେବା ନକରିବା ।
ଧାନ ଯା’ର, ଲୋଭ ତା’ର ।
ଧରା ନ ପଡ଼ିଲେ ଚୋର ବି ସାଧୁ ।
ଧାଇଁ ନପାରଇ ପାଇକ ଆଗେ,
ଟାଣ କରୁଥାଇ ମାଈପ ଆଗେ ।
ଧାନ ଗୋଟି ଗୋଟି
ଖଇ ଗୋଟି ଗୋଟି
            ବାଛୁ ବାଛୁ ଦିନ ସରିଲା
ବାପାଙ୍କୁ କହିବ
ହଡ଼ା ନ ବିକିବ
            ବାବାଜୀ ହୋଇବା ନୋହିଲା ।
ଧୀର ପାଣି ପଥର କାଟେ
ତରବର ହେଲେ ଆଣ୍ଠୁ ଫାଟେ ।

Post a Comment

0 Comments