ତୋ ମୋ ଭିତରର ‘ସମ୍ପର୍କ’ ।
ବେଦିରେ ହୋମନିଆଁଠାରୁ ଦଶଦିଗପାଳଯାଏଁ
ସମସ୍ତେ ସାମିଲ ତୋ-ମୋ ଭଲ ପାଇବା ଭିତରେ
ଆମ ଗାଁ ଜହ୍ନ ହେଉ ଅବା ତୁମ ଗାଁ ନୀଳକଇଁ
ଆମ ଗାଁ ତାଳବନ ହେଉ, ଅବା ପୁଣି ତୁମ ଗାଁ ନଦୀପଠା
ସବୁଠି ବାଜେ ଆମ ସମ୍ପର୍କର ସାହାନାଇ
ମିଳନ ରାଗର ରାଗିଣୀ ଶୁଭେ ଚତୁର୍ଦିଗେ ।
ପ୍ରୀତିର ପରଶ ନେଇ ଆସେ ଚଗଲା ଫଗୁଣ
ବୋଳି ଦିଏ ପ୍ରୀତିର ଅବିର ମୁଠେ ଆମ ଦେହେ
ସମ୍ପର୍କ ଆହୁରି ନିବିଡ ହୁଏ ତୋ ମୋ ଭିତରେ ।
ଆମ ନୁଆଂଣିଆ ଚାଳଘର
ମୋତେ ରାଜ ଉଆସ ପରି ଲାଗେ
ତୋ ସାତସିଆଁ ନାଲି ଶାଢୀଟିରେ ତୋ ମୁହଁ
ମୋତେ ପରୀଟିଏ ପରି ଦିଶେ ।
ଦିବସର କର୍ମ କ୍ଳାନ୍ତ ଜୀବନ କଟେଇ
ମୁଁ ଯେବେ ଫେରିଆସେ ତୋ ପାଖକୁ
ତୋ ଚିରା ପଣତରେ ମୋ ମୁହଁ ପୋଛି ଦେଲା ବେଳେ
ମିଳିଯାଏ ମୋତେ ଆୟୁତ ଯୁଗର ସୁଖ ।
ତୋ ହାତର ପଖାଳ କଂସା ଓ ବଢିଚୁରାରେ
ମୋତେ ଯେତିକି ଆତ୍ମତୃପ୍ତି ମିଳେ
ଆମ ଅଭାବି ଜୀବନର ଅଭାବ ଭିତରେ
ମୁଁ ବଜାରରୁ ତୋ ପାଇଁ ଆଣିଥିବା
ଶସ୍ତା ଟିକିଲି ଫତେ, କି ପାନିଆ’ ଟିଏରେ
ତୋ ଓଠରେ ଖେଳିଯାଏ ହସର ଲହରୀ ମାଳା
ଆଉ ମୋ ମନର ଅକୁହା କଥାକୁ ବୁଝି
ତୁ ଆସି ଆଉଜି ପଡୁ ମୋ ଛାତିରେ ।
ଛିଣ୍ଡା ମଶିଣା ବି ପାଲଟି ଯାଏ
ରଜନୀଗନ୍ଧାର ମଧୁଶଯ୍ୟା
ମନ ଆତ୍ମାର ମିଳନରେ ତଲ୍ଲିନ
ଆମେ ଦୁହେଁ ନିବିଡ ହୁଅନ୍ତି ।
ତୁମ ବାହୁରେ ବନ୍ଧା ସୁଦଶାବ୍ରତର ବ୍ରତ ଖଣ୍ଡେ
ଆଉ ମଥାରେ ଲାଗିଥିବା ମୋ ନାଁର
ସିନ୍ଦୁର ଟୋପେ ତ ‘ସମ୍ପର୍କ’
ତୋ-ମୋ ଭିତରେ ॥
0 Comments