ଧରଣୀରେ
ରୂପାଜହ୍ନର ଜୋଛନା ବିଛାଡ଼ି ହେଲାପରି, ମନ ଅଗଣାରେ ସ୍ମୃତିର ରୂପାଜନ୍ହ ଖିଲି ଖିଲି ହାସରେ ଚିକଚିକ ଜୋଛନା
ବିଛେଇଦିଏ । ସେ ଉଦ୍ଭାସିତ ଆଲୁଅରେ ଉଙ୍କିମାରେ ହଜିଲା ଅତୀତ, ଯାହା ଅଛି ଶତାୟୁ
ସତ କିନ୍ତୁ ଅନେକ ମଧୁର ସ୍ମୃତି ବିଜଡ଼ିତ । ସେ ହୀରା, ନୀଳା, ମୋତି, ମାଣିକ ପସରା ପରି
କେବେ ସୁଖ ବିଜଡ଼ିତ ତ କେବେ ଦୁଃଖ ବିଜଡ଼ିତ ।
ହଜିଲା ‘ଅତୀତ’କୁ ହାତ ମୁଠାରେ ଧରି ରଖି ନ ପାରିବାର ଅବଶୋଷ ମନରେ ବହୁତ ଆସେ
। ସେ ସୁନ୍ଦର ଓ ମଧୁର ସ୍ମୃତିକୁ ମୁଁ ଛାଡ଼ି
ଆସିଛି ବହୁତ ପଛରେ । ସମୟ, ପାଣି ଓ ଜୁଆରକୁ
କେହି କେବେ ହାତ ମୁଠାରେ ବାନ୍ଧି ରଖିପାରି ନାହାନ୍ତି ।
ସେମାନେ ସ୍ଵାଧୀନ ଓ ସ୍ଵୟଂ ସଂପୂର୍ଣ୍ଣ ନିଜ ଗତିରେ ଆଗେଇ ଚାଲନ୍ତି । ଶାମୁକା ଗର୍ଭରୁ
ମୁକ୍ତାପରି ଓ ମୃଗନାଭି କସ୍ତୁରୀପରି ସ୍ମୃତି ଉପାଦେୟ । ପିଲାଦିନ ବନ୍ଧାପଡେ ଅତୀତ ପାଖରେ
କିନ୍ତୁ ସ୍ମୃତିର ମିଠା ମହକ ଫଗୁର ରଙ୍ଗପରି ଝରଝର ହୋଇ ଝରିପଡ଼େ । ‘ସ୍ମୃତି’ ମହନୀୟ, ଲୋଭନୀୟ ଓ ଏକକ
ଅନନ୍ୟ ।
ପିଲାଦିନେ ମୁଁ ବହୁତ ଚୂଳବୁଲି ଓ ଚଗଲି ଥିଲି । ତିନି ପିଢୀଧରି ଆମ ବଂଶରେ କେହି ଝିଅ ନଥିଲେ । ମୁଁ ଯେହେତୁ ପ୍ରଥମ ସନ୍ତାନ ଓ କନ୍ୟା, ସମସ୍ତେ ମୋତେ ବହୁତ ଆଦର କରୁଥିଲେ । ମୁଁ ତା’ର ଫାଇଦା ହାସଲ କରୁଥିଲି । ମୋର ବେଶୀ ଡରଭୟ ନଥିଲା । ନୂଆନୂଆ ଏକ୍ସପେରିମେଣ୍ଟରେ ମୁଁ ରୁଚିରଖେ । ପିତାମାତାଙ୍କ ପ୍ରତି ଭକ୍ତି ଓ ଭୟ ମଧ୍ୟ ମୋର ବହୁତ ଥିଲା । ମୋ ମା ଜଣେ ଆଦର୍ଶ ଗୃହିଣୀ । ସର୍ବଦା ସେ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରୁଥିଲା ଓ ସେମାନଙ୍କ ସମ୍ପର୍କରେ ଆମକୁ ଶିକ୍ଷା ଦେଉଥିଲା । ଶାଳୀନତା, ସୁସଂସ୍କାର, ଆଚାର ବ୍ୟବହାର, ରୀତିନୀତି ଓ ଚଲିଚଳନ ସମ୍ପର୍କରେ ସେ ଆମକୁ ଶିକ୍ଷାଦିଏ । ମା’ ଠାରୁ ସର୍ବଦା ଶୁଣିଶୁଣି ଅସହାୟ ଲୋକମାନଙ୍କ ପ୍ରତି ମୋ ମନରେ ଦରଦଭାବ ଆସିଯାଏ ।
ଆମ
ଗାଁର ଅନ୍ଧୁଣୀ ସତିଆ ମା ଏକାକୀ ରାହୁଥାଏ । ତା’ର ସ୍ଵାମୀ ଓ
ପିଲାମାନେ ସମସ୍ତେ ମୃତ୍ୟୁବରଣ କରିଥାନ୍ତି । ମୋ
ମା ବହୁତ ସମୟରେ ଡକେଇ ଖାଇବାକୁ ଦେବା, ଲୁଗାପଟା ଦେବା ଇତ୍ୟାଦି କାର୍ଯ୍ୟକରେ । ଏପରିକି ସତିଆ ମା
ଚାଲିଲାବେଳେ ଯଦି ତା’ ବାଡ଼ି ଭୁଲିଯାଏ ବା ଝୁଣ୍ଟିପଡ଼େ ମା ମୋ ଦ୍ଵାରା ଏସବୁ କାମ କରାଏ ।
ଧୀରେ ଧୀରେ ମୋ ଭିତରେ ସଚେତନଭାବ ଆସେ ଓ ମୁଁ ସ୍ଵତଃପ୍ରବୃତ୍ତ ଭାବେ ଧାଇଁଯାଇ ତାକୁ ସାହାଯ୍ୟ
କରେ । ମୋରି ବଯସର ପିଲାଙ୍କୁ ନେଇ ମୁଁ ଗୋଟେ ଗ୍ରୁପ ଗଠନ କଲି, ଯାହାର ନାଁ ଥିଲା ‘ସହାୟ ଗ୍ରୁପ’ । ମଣିଷ, ଜୀବଜନ୍ତୁ ଓ
ପଶୁପକ୍ଷୀଙ୍କୁ ଆମେ ସାହାଯ୍ୟ କରୁଥିଲୁ । ଯାହାର ପରିଣାମ ଅନେକ ପକ୍ଷୀ ଓ ପଶୁ ଆମ ଘରେ ରହିଲେ
କାରଣ ଯାହାର ମା’ ନଥାନ୍ତି, ମୁଁ ତାଙ୍କୁ ଆମ ଘରକୁ ନେଇଆସେ ମୁଁ ଓ ମୋ ମା ସେମାନଙ୍କର ଯତ୍ନ ନେଉ
। ଏ ସବୁ ମା’ର ପ୍ରେରଣାରେ ମୁଁ
କରେ ।
ଯେହେତୁ
ମୁଁ ଟିକେ ଚଗଲି ଥିଲି ତେଣୁ ଆମ ଗ୍ରୁପ ଦ୍ଵାରା ଅନ୍ୟ ବାଡ଼ିରୁ ପିଜୁଳି, କାକୁଡ଼ି ଇତ୍ୟାଦି
ଚୋରିକରି ଆଣି ଖାଉଥିଲୁ କିନ୍ତୁ ଯେବେ ଧରାପଡି କଥା ଘରଯାଏ ଗଲା ମା’ ମୋତେ ବହୁତ
ଗାଳିକଲା । ସେବେଠୁ ଏ କାମରେ ଆଉ ମନ ଦେଲିଣି ବରଂ ସାହାଯ୍ୟ କରିବାକୁ ସର୍ବଦା ତତ୍ପର ରହିଲି ।
ମୋ
ବାପା ଭେଟେନାରୀ ଡାକ୍ତର ଥିଲେ। ସେ ସର୍ବଦା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାକିରି କରୁଥିଲେ । ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲି ଗଞ୍ଜାମର
ସେରଙ୍ଗ ଗ୍ରାମକୁ ବଦଳି ହେଲା । ଜେଜେ ମା’ କହିଲା ତୁ ତୋ ପିଲା ଓ ବୋହୂଙ୍କୁ ନେଇ
ସେ ସ୍ଥାନକୁ ଯା । ଏବେ ମୋର ବଳବୟସ ଅଛି ମୁଁ ଘର ସମ୍ଭାଳିବି । ଆଗକୁ ପାରିବିନି । ମୋ ମା ମନା କରୁଥିଲା, କିନ୍ତୁ ଜେଜେମାର
ବାଧ୍ୟ ବାଧକତାରେ ବାପା ଆମକୁ ନେଲେ । ମୁଁ ଉପକୂଳବର୍ତ୍ତୀ ଅଞ୍ଚଳ ଜଗତସିଂହପୁରର ଲୋକ। ସେ
ସ୍ଥାନରେ ପାହାଡ ପର୍ବତ ଘେରା ପ୍ରାକୃତିକ ଦୃଶ୍ୟ ଓ କୁଳୁକୁଳୁ ତାନରେ ଝଋଯାଉଥିବା ଝରଣାକୁ ଦେଖି
ବିମୁଗ୍ଧ ହୋଇଗଲି । ସର୍ବଦା ସେଠାରେ ରହିବାର ଆଗ୍ରହ ଜନ୍ମୁଥାଏ।
ସେ
ସ୍ଥାନକୁ ଯିବାର ଗୋଟିଏ ମାସପରେ ମୋ ସାଙ୍ଗମାନେ କହିଲେ ଆମେ କାଲି ‘ପେଡିସିଲି’ ପାହାଡ଼କୁ ବୁଲିଯିବୁ
ତୁ ଯିବୁନି? ମୁଁ ବିନା ପରାମର୍ଶରେ ଯାଇପାରିବିନି ତେଣୁ କଲି କହିବି କହିଲି ।
ବାପା ଯେତେବେଳେ ମନାକଲେ ମୋ ଆଖିରେ ଲୁହ ଛଳଚ୍ଛଳ ହୋଇଗଲା । ମୁଁ ମା’ର ସହାୟତା ଲୋଡିଲି
ମା’ ବି ସେକଥା କହିଲା । ମୋ ଆଖିରୁ ଠପ୍ ଠପ୍ ହୋଇ ଲୁହ ଖସିଲା । ମା
ମାଟିକେ ଉଦାର ଚରିତ୍ରର ଥିଲା ତେଣୁ ସେ କହିଲା, ତୁ ଏଠି ନୂଆ, ତୋ
ଜୀବନରେ ପ୍ରଥମେ ପାହାଡ଼ ପର୍ବତ ଦେଖୁଛୁ । ସେ
ରାସ୍ତାରେ ଯିବାରେ ମଧ୍ୟ ତୁ ଅଭ୍ୟସ୍ତ ନୁହଁ, ଯଦି କିଛି ଅସୁବିଧା ହେଲା ବାପା ଖୁବ୍
ରାଗିବେ । ଯଦି କିଛି ବଦ୍ମାସି ନକରି ଭଲରେ ଭଲରେ
ଫେରିବୁ ବୋଲି ମୋତେ କଥା ଦେବୁ ତ ତୋତେ ଛାଡିବି । ଲୁହ ଧାରଧାର ନିଗାଡ଼ି ହଁ କରିଦେଲି ତା’ପରେ ଖୁସି ମନରେ
ସାଙ୍ଗମାନଙ୍କ ସହ ଗଲି । ସେଠାରେ ବହୁତ
ମଉଜମସ୍ତି କରି ଆମେ ପାଞ୍ଚଟା ବେଳେ ଫେରିବା ପାଇଁ ବାହାରିଲୁ ।
ସାଙ୍ଗମାନେ
ଗୋଟେ ବିରାଟ ବଡ ପଥର ଚଟାଣପରି ଦିଶୁଥାଏ ଉପରୁ ତଳକୁ ଢାଲୁପରି ଅଛି । ସେଠି ବସି ତଳକୁ ଖସିବାକୁ
କହିଲେ । ମୁଁ ନୀରବ ରହିଲି । ସେମାନେ କହିଲେ ଆମେ ସର୍ବଦା ଏପରି ଖସୁ କିଛି ଅସୁବିଧା ହୁଏନି ।
ତୁ ନୂଆ ତ ତେଣୁ ତୋ ହାତ ଧରି ଶଶିକଳା ଖସିବ । ଦୁହେଁ ମିଶିକି ଖସିଲେ କିଛି ଅସୁବିଧା ହେବନି
। ତାହା ହିଁ ହେଲା କିନ୍ତୁ କିଛି ବାଟ ପରେ ଶଶି
ହାତରୁ ମୋ ହାତ ଖସିଗଲା ମୁଁ ଗଡିଗଡି ଆସି ତଳେ ପଡିଲି । କହୁଣି ଓ ଆଣ୍ଠୁ ସଂପୂର୍ଣ୍ଣ ଛିଣ୍ଡି
ଯାଇଥିଲା; ଏପରିକି କଣା ହୋଇ ଦିଶୁଥିଲା । ଭୟରେ ମୁଁ ଜଡସଡ ହୋଇଗଲିଣି ।
ଚାଲିବା ମୋ ପାଇଁ ବହୁତ କଷ୍ଟ । ମୋ ସାଙ୍ଗମାନେ ମତେ ବହୁତ କଷ୍ଟରେ ମୋ ଘରେ ଆଣି ଛାଡିଲେ ।
ବାପାଙ୍କ ଭୟରେ ଦାନ୍ତ ଚିପି ସବୁ କଷ୍ଟକୁ ସାହିଯାଉଥିଲି । ବହୁତ ଗାଳି ଶୁଣିଲି । ଔଷଧ ଓ ଇଂଜେକସନ ଦ୍ଵାରା ଗୋଟିଏ ମାସପରେ ସୁସ୍ଥ ହୋଇ
ସ୍କୁଲକୁ ଗଲି ।
ଗାଁରେ
ଥିଲାବେଳେ ରାତ୍ରିରେ ମୁଁ ପାଠ ପଢିବାକୁ ଭଲପାଏନି । ସନ୍ଧ୍ୟାଦିଆପରେ ମୁଁ ମୋ ଜେଜେମା କୋଳରେ
ଶୋଇଯାଏ । ଜେଜେମାର ବୟସ ହୋଇଯାଇଥିଲା । ସେ
ସନ୍ଧ୍ୟାରେ ବିଶ୍ରାମ ନିଏ କିନ୍ତୁ ମୁଁ ତାର’ ଫାଇଦା ଉଥାଏ । ମା ଡାକେ କିନ୍ତୁ ମୁଁ ଉଠେନି । ଜେଜେମା ମଧ୍ୟ କୁହେ
ହାଉ ଶୋଇଥାଉ କାଲି ପଢିବ । ମା’ ବହୁତ ରାଗିଯାଏ କିନ୍ତୁ ସେ ମତେ ମାରି ପାରେନି କାରଣ ସେତେବେଳେ
ବୋହୁମାନେ ଶାଶୁ ଶ୍ଵଶୁରଙ୍କୁ ବେଖାତିର କରୁନଥିଲେ । ସେମାନେ ବହୁତ ସମ୍ମାନ ଦେଉଥିଲେ, ଭକ୍ତି ମଧ୍ୟ
କରୁଥିଲେ।
ମୁଁ ସପ୍ତମ ଶ୍ରେଣୀରେ ପଢିଲାବେଳେ ସେ ବର୍ଷ ରାଜାରେ ଦୋଳି ଖେଳୁଖେଳୁ
ମୁଁ ପଡି ଯାଇଥିଲି। ରାଜାପର୍ବ ବଡପର୍ବ । ପୋଡ଼ପିଠା, ପାନ ଓ ଦୋଳି ହିଁ
ପ୍ରଧାନ । ଆମ ବାଡ଼ିରେ ବାଉଁଶ ଦୋଳି ଲାଗିଥିଲା ।
ମୁଁ ପେଙ୍ଗା ମାରୁଥିଲି । ପାଞ୍ଚ ମିନିଟ ପରେ ଦୋଳିର ଦଉଡି ଛିଣ୍ଡିଗଲା ମୁଁ ପଡିଗଲି ଓ ଦୋଳି
ପଟା ମୋ ଗୋଡ଼ ଉପରେ ରହିଗଲା । ପ୍ରବଳ କଷ୍ଟ ମୋତେ ହେଲା ।
ଦୀର୍ଘ ଏକମାସ ପର୍ଯ୍ୟନ୍ତ ମୁଁ ଅସୁସ୍ଥ ରହିଲି । ମୋର ପ୍ରପର ଟ୍ରୀଟମେନ୍ଟ ହେଲା ପରେ
ମୁଁ ସୁସ୍ଥ ହୋଇ ସ୍କୁଲକୁ ଗଲି । ମୁଁ ସିନା ଅସୁସ୍ଥ ହେଲି କିନ୍ତୁ ମୋଟ ଆଉ ଗୋଟେ ଉପକାର ହେଲା
। ମୋ ବାପା ପ୍ରତି ମାସରେ ବହୁତ ମାଗାଜିନ
ମଗାନ୍ତି । ସେ ପର୍ଯ୍ୟନ୍ତ ମୁଁ ମାଗାଜିନ ଦେଖେ ଓ ରଖିଦିଏ କିନ୍ତୁ ସେ ମାସଭିତରେ ମୁଁ ସବୁ
ମ୍ଯାଗାଜିନ ପଢିଲି ଓ କିଛି କିଛି ଲେଖା ମଧ୍ୟ ଲେଖିଲି ।
ମୋର ପ୍ରଥମ ଲେଖା କବିତା ଥିଲା । ମୋ ଲେଖାଲେଖି ପ୍ରେରଣାର ଉତ୍ସଥିଲେ ମୋ ବାପା
ଶ୍ରୀଯୁକ୍ତ ବିଷ୍ଣୁଚରଣ ତ୍ରିପାଠୀ । ମୁଁ ଆଜି
ଯାହା ଲେଖୁଛି ତାଙ୍କ ପ୍ରେରଣା ଓ ଆଶୀର୍ବାଦରୁ।
ମୋର
ଏପରି ଅନେକ ଦୁଃଖଦ ଅନୁଭୂତି ଅଛି କାରଣ ଅତି ଭଲପାଇବାର ଫାଇଦା ମୁଁ ସର୍ବଦା ଉଠାଉଥିଲି । ଏ
ପରିଣତ ବୟସରେ ସେ ମଧୁର ସ୍ମୃତିକୁ ରୋମନ୍ଥନ କଲେ ଆନନ୍ଦ ଯେତିକି ଲାଗେ ହସ ମଧ୍ୟ ସେତିକି ଲାଗେ
। ବଡ ସ୍ଵର୍ଣ୍ଣୀମ ବର୍ଣ୍ଣ ବିଭାମୟ ମୋ ପିଲାଦିନ । ଅନେକ ମଧୁର ସ୍ମୃତି ଅଛି ଯାହା ସୀମିତ
ସମୟରେ ଅବର୍ଣ୍ଣନୀୟ ॥
0 Comments