ଆସ ଫୁଲଟିଏ ହେବା - କବିଶ୍ରୀ ପ୍ରମୋଦ କୁମାର ପୃଷ୍ଟି (ଭଜନାନନ୍ଦ)



ଫୁଲର ଫୁଲରେ ରଙ୍ଗ  ପସରାରେ ମନ ପ୍ରଫୁଲ୍ଲିତ ହୁଏ
ନିଜ ବଦନରେ ହସ ଫୁଟୁ ଥିଲେ ସଦା ଜନମନ ମୋହେ     ୧॥


ସହାସ୍ୟ ବଦନ ସକାରାତ୍ମକ ଭାବ ଭେଦ ନଥାଏ ଯା ମନ
ସେହି ଭାବ ଟିକେ ଗ୍ରହଣ କରନ୍ତି ବିଶ୍ଵରାଜ ନାରାୟଣ         ୨॥

ଜାତି, ଧର୍ମ,ବର୍ଣ୍ଣ  ଭେଦ ରହେ ନାହିଁ ଫୁଲତ ସଭିଙ୍କ ପ୍ରିୟ
ଦେବା ଦେବୀମାନେ ପ୍ରସନ୍ନ ହୁଅନ୍ତି  ସମପର୍ଣରେ ସଦୟ     ୩॥

ମହାଭାଗ୍ୟ ଆସି ଉପସ୍ଥିତ ହୁଏ ଜୀବନ ସାର୍ଥକ  କରି
ନିଜ ପାଇଁ ନୁହେଁ ପରହିତ ପାଇଁ ଦେବତା ସମ ବିଚାରି      

ଉନ୍ମେଷ, କଢର, ବିକାଶ ସୁନ୍ଦର ଆତ୍ମ। ହୁଏ ପରିପୂର୍ଣ୍ଣ
ବିକାଶ ସୁବାସ ବାଣ୍ଟି ମଉଳିଣ ପୁଣି ଫୁଟିବ ଜୀବନ                       

ଦିବ୍ୟ ମହକେ ବାଣ୍ଟି ବାଣ୍ଟି ଦେଇ ଥାଏ ଛାଡି ଆପଣା ରୂପ
ରୂପ ଲୁଚି ଯାଏ ରଙ୍ଗ ଲାଗି ରହେ ଟିକି ମହକର ଛାପ        

ଏ ଓଲଟ ବୃକ୍ଷ ମଣିଷ ଶରୀର ମସ୍ତିଷ୍କର ମୂଳଦେଇ
ଗଢିଛି ବିଧାତା ଅମୃତ ଚିନ୍ତନ ଇଶ୍ଵର ପ୍ରିୟ ବୋଲାଇ         

କି ସୁନ୍ଦର ଆହା ନୟନ କମଳ କର ପଲ୍ଲବସମ୍ଭାର 
କର୍ମ ସମ୍ପାଦନେ ପାଦ ଅଛି ଦେଇ ସୁକର୍ମ କରି ବିଚାର        

ନିଜ ଇନ୍ଦ୍ରି ପାଇଁ କର୍ମ ଯେ କରଇ ତାହାକୁ ବୋଲନ୍ତି କାମୀ
ଇଶ୍ଵର ପ୍ରୀତ୍ୟର୍ଥେ କର୍ମ ଯେ କରନ୍ତି ତାହାକୁ ବୋଲନ୍ତି ପ୍ରେମୀ ॥୯

ପ୍ରଭୁଙ୍କ ସେବାରେ ଫୁଲଟିଏ ହୋଇ ଜୀବନ ଦେବା ବିତାଇ
ଆସ ଆସ ମିତ ଆସହେ ସଙ୍ଗାତ ଫୁଟି ଫୁଲଟିଏ ହୋଇ      ୧୦॥
-----------------------

ଶ୍ରୀ ଅଭିରାମ ନିବାସ
ବ୍ୟାଙ୍କ କଲୋନୀ, ଛତ୍ରପୁର, ଗଞ୍ଜାମ (ଓଡିଶା)
ଫୋନ ନଂ --୯୮୬୧୪୭୭୪୩୪

Post a Comment

1 Comments