ଜୀବନ୍ତ ଦେବତା "ମୋ ବାପା" - ପ୍ରଣତି ମହାପାତ୍ର

ଆସନ୍ତ କି ଆଉ ଥରେ ମୋ ପାଶକୁ,
ଦେଖନ୍ତି ତୁମର ସେହି ମହନୀୟ ରୂପକୁ,
ଅନୁଭବ କରନ୍ତି ସେହି ରୂପର ବାସ୍ନାକୁ।
ଯେଉଁ ବାସ୍ନାରେ ବାସ୍ନାୟିତ
 ହୋଇଯାନ୍ତା ମୋର
ତନୁମନ,
ପ୍ରଫୁଲ୍ଲିତ ହୋଇଯାନ୍ତା ମୋର
ଏ ନିଶ୍ଚଳ ଶରୀର।
ଇଛା ହୁଏ ମଥାରଖି ନିଶ୍ଚିନ୍ତାରେ
କିଛିକ୍ଷଣ  ଶୋଇବାକୁ,
ତୁମର ସେ ସାଗର ସଦୃଶ
ବକ୍ଷ ଉପରେ,
ବିଶାଳ ବକ୍ଷରେ ମଥାରଖି ଭୁଲିଯାନ୍ତି
ଜୀବନରେ ହୁତୁହୁତୁ ହୋଇ
ଜଳୁଥିବା ଅଭାବୀ ଜଞ୍ଜାଳ କୁ।
ଅନୁଭବ କରନ୍ତି ଏକ ଦିବ୍ୟ ସତ୍ତାକୁ।
କୁହୁକ ହାତ ପରଶରେ ଧୋଇଯାନ୍ତା
ମୋ ଜୀବନର ସମସ୍ତ
ଦୁଃଖ, କଷ୍ଟ ଓ ଜନ୍ତ୍ରଣା ସବୁ।

******

ବହଳ ବହଳ ଦୁଃଖ,କ୍ଲେଶ,ତୃଷାର୍ତ୍ତ,
କ୍ଷୁଧାର୍ତ୍ତ ର କଳାଅନ୍ଧାରକୁ
ଢାଙ୍କି ରଖୁଥିବା ତୁମର ସେହି
ଆତ୍ମବିଶ୍ବାସ, କର୍ମଠତା,
ହୃଦୟର ଗଭୀରତା କୁ ମାପୁଥିବା ,
ନୀଳଚକ୍ର ବାନା ସଦୃଶ ଗାମୁଛାକୁ।
ଜାବୁଡ଼ି ଧରିବାକୁ ଭାରୀ ଇଚ୍ଛାହୁଏ ବାପା ....
ତେଜୋଦୀପ୍ତ,ଆଭାମୟ
 ଦରୋଟି ହସର,
କମନୀୟ କଳା ମଚମଚ
ମୁଖ ମଣ୍ଡଳକୁ,
ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ।
ବାପା...
ଇଚ୍ଛା ହୁଏ,
ମୋ ଜଗତର ସର୍ବୋତ୍ତମ ପୁରୁଷ,
ମୋ ପାଇଁ ସର୍ବମୟ କର୍ତ୍ତା,
ମୋ ପ୍ରାଣଦାତା,
ମୋ ଶୁଭଚିନ୍ତକଙ୍କ
ଶ୍ରୀଚରଣ ବନ୍ଦନା, ଅର୍ଚ୍ଚନା କରି,
ନିଜକୁ କୃତାର୍ଥ ମଣିବାକୁ।
ଭାରି ଇଚ୍ଛା ହୁଏ ବାପା ।
ତୁମ ଅନୁପସ୍ଥିତିର ସୁଯୋଗ ନେଇ
ମୋ ଅଜାଣତରେ
ମୋ ଆଖିରୁ ବହିଯାଏ
ଅବାରିତ ଗଙ୍ଗା ଯମୁନାର ଧାରା।
ଭାରି ଇଚ୍ଛା ହୁଏ
ତୁମ ପ୍ରଶସ୍ତ ବକ୍ଷରେ ମଥା ରଖିବାକୁ,
ଭାରି ଇଚ୍ଛା ହୁଏ
ବାପା...।

===========
ବାଲେଶ୍ଵର

Post a Comment

0 Comments