ଭକ୍ତକବି
ଗୋପବନ୍ଧୁ ଦାଶ ଚତୁର୍ଦ୍ଦଶ ବର୍ଷ ବୟସରେ ତାଙ୍କ ଜୀବନର ପ୍ରଥମ କବିତା ଲେଖିଥିଲେ ବୋଲି ସୂଚନା
ମିଳେ । ପିଲାଦିନେ ନିଜ ଗାଁରେ ତାଙ୍କ ପିତାମାତାଙ୍କ ପ୍ରତିଷ୍ଠିତ ଭାଗବତ ଘରେ ଯେଉଁ ‘ଭାଗବତ ସପ୍ତାଙ୍ଗ’ ବସେ, ସେଥିରେ
ଭକ୍ତପ୍ରାଣ ଗୋପବନ୍ଧୁ ବରାବର ବାଲ୍ୟାବସ୍ଥାରୁ ଉପବାସୀ ରହି ହବିଷ୍ୟାନ୍ନ ଖାଇ ଭାଗବତ ପାରାୟଣ କରୁଥିଲେ
ଏବଂ ସେହି ଭକ୍ତକବି ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଭାଗବତ ତାଙ୍କ ଜୀବନରେ ଭକ୍ତିର ଉତ୍ସ ଫିଟାଇ ଦେଇଥିଲା
ଓ ତାଙ୍କ ଜୀବନରେ କବିତାର ପ୍ରଥମ ମୂର୍ଚ୍ଛନା ସେଥିରୁ ହିଁ ପ୍ରକଟିତ ହୋଇଛି।
ବିଶ୍ଵପ୍ରୀତି, ସ୍ଵଦେଶ-ମୁକ୍ତି ଓ ଇଶ୍ଵର-ଭକ୍ତି ତାଙ୍କ
ଜୀବନବ୍ୟାପୀ ସାଧନା ଓ ଭାବନାର ତ୍ରିବେଣୀ-ଧାରା। ପ୍ରଥମ ସଙ୍ଗୀତ, ‘ପ୍ରାର୍ଥନା’ରେ ତାଙ୍କର ପ୍ରଭୁପାଦରେ ପ୍ରଥମ ଜଣାଣ ହେଉଛି :-
“ଉତ୍କଳମାତାର ଅତିତ ଯଶ,
ବିପୁଳ
ବିଭବ ବଳ ସାହସ
ସୁମରିଣ
ଫାଟିଯାଏ ହୃଦୟ,
ଦେଖି
ଅବସ୍ଥାର ଏ ବିପର୍ଯୟ
ରକ୍ତ-ମାଂସ-ଦେହ
ଧରି ଯେ,
ଅଧୀର ଆତୁର କିଏ ସେ ନ ହେବ
ଦେଖି
ମାତା ଏତେ ସଋ ଯେ ।“
ପୁଣି ଶେଷ ଚରଣରେ ପ୍ରାର୍ଥନା ହେଉଛି
: -
“ସଂସାର
ତୁମୁଳ ରଣପ୍ରାଙ୍ଗଣେ,
ଉତ୍କଳର
ଦୀନ ତନୟ-ଗଣେ,
ପଛରେ
କେବେହେଁ ନ ପଡୁ ଦେବ,
ଶ୍ରୀଛାମୁରୁ
ଏହି ଆଦେଶ ହେବ,
ଘେନି
ଅପୂର୍ବ ଉତ୍ସାହ ଯେ,
ଭାରତର ମହା ଜାତୀୟ
ତରଙ୍ଗେ
ମିଶୁ
ଉତ୍କଳ ପ୍ରବାହ ଯେ ।“
ବିଶ୍ଵପ୍ରୀତିର ପରାକାଷ୍ଠା ଦେଖାଇ
ଅନ୍ୟ ଏକ କବିତାରେ ସେ ପୁଣି ଗାଇଛନ୍ତି –
“ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ,
ବିଶ୍ଵହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ,
ସର୍ବେ ଆମ୍ଭେ ଏକ ଇଶ୍ଵର-ସନ୍ତାନ,
ସାଧ ବିଶ୍ଵହିତ ତେଜି ଅଭିମାନ ।“
ନିଜ ଜୀବନର ପୂର୍ଣ୍ଣ ଯୌବନ ସମୟ
୨୬ବର୍ଷ ବୟସର ପ୍ରଥମ ପ୍ରବେଶରେ କବିତା ଲେଖି ସେ ପ୍ରାର୍ଥନା କରିଛନ୍ତି –
“ଧର୍ମ ଅନୁକୂଳ ଯେବେ ମୋ କାମନାଚୟ,
ସାଧାନେ ଶକତି ଦିଅ ପ୍ରଭୁ ଦୟାମୟ ।“
ବିଶ୍ଵପ୍ରୀତି, ସ୍ଵଦେଶମୁକ୍ତି ଓ ଇଶ୍ଵର-ଭକ୍ତି, ତାଙ୍କ ଚିନ୍ତାର ଏହି ତ୍ରିବେଣୀ-ଧାରା ସେ ତାଙ୍କ ଲେଖା ଓ କବିତାରେ ବୁହାଇ ଦେଇ ଯାଇଛନ୍ତି
ଏବଂ ସେ ଭାବରେ ଦେଶବାସୀ ଉଦ୍ଦୀପିତ ହୁଅନ୍ତୁ, ଏ ବାସନା ଓ ବ୍ୟାକୁଳତା
ତାଙ୍କ ପ୍ରାଣକୁ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଆଲୋଡ଼ିତ କରିଛି ।
0 Comments