ମୋ ଗାଆଁ, ମୋ ମାଆ - ପ୍ରଣତି ମହାପାତ୍ର

ସେନେହ ଶରଧା ମମତାରେ ବୋଳା
ମୋ ଗାଆଁ, ମୋ ମାଆ,
ବାରମାସେ ତେର ପୁନେଇ ପରବେ
ପାଳନ୍ତି ସାରା ଓଡ଼ିଆ।

ପୁରୁବ ପୁରୁଷ ରଖି ଯାଇଛନ୍ତି
କେତେ ଯେ ନୀତି ନୀୟମ,
ପରବପର୍ବାଣୀ ପିଠା ପଣା ପୁଣି
କରିବାକୁ ନାନା କରମ।

ପରିବାରର ଯେ ବଡ଼ପୁଅ ଝିଅ
ସହିଥାନ୍ତି ଯେ କଷଣ,
ବନ୍ଦାପନା କରି ନୂଆବସ୍ତ୍ର ଦେଇ
ବରନ୍ତି ଶ୍ରେଷ୍ଠ ବରଣ।

ରଜପର୍ବ, ପୁଣି ପ୍ରଥମା ଅଷ୍ଟମୀ
ଆଉ ଯେତେ ଓଷା ବାର,
ପାଳନରେ ଅବହେଳା ନ କରନ୍ତି
ନିଛକ ଓ ନିଦର୍ଶନ ଏହା ଆମ
ସଂସ୍କୃତି ଓ ପରମ୍ପରାର।

ପଢୁଆଁ ଅଷ୍ଟମୀ ଆଜି ପରା ଭାଇ
ମନେ ପଡେ ଭାରି ମୋର,
ବଡିଭୋରରୁ ହଳଦୀପତରେ ମାଆ
କରେ ଏଣ୍ଡୁରି ପିଠା,
ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧି
ଆନନ୍ଦରେ ଖାଉ ପିଠା ମିଠା।

ଭାଇଭଉଣୀଙ୍କୁ କେଡ଼େ ସରାଗରେ
ମାଆ ଦେଉଥାଏ ଖୋଇ,
କିଏ  ଖୋଇଦେବ ବହୁତ ଦୂରେ ମୁଁ
ମାଆ ଯେ ମୋ ପାଖେ ନାହିଁ।

ଆଖିରୁ ଟୋପାଏ ଲୁହ ଝରିଗଲେ
କାନିରେ ପୋଛି ସେ ଦିଏ,
ବାହାକରି ପରଘରକୁ ପଠାଇ
 କିଏ କେତେ ପର କରିଦିଏ।

ମାଆ ଅଛି ସିନା ପାଖେ ମୋର ନାହିଁ
କିଏ ବୁଝିବ ମୋ ମନ କଥା,
ସବୁବେଳେ ତାକୁ ଭାଳିହୁଏ ସିନା
ଆଉ ବୁଝିବ କିଏ ମୋ ମନବ୍ୟଥା।

ଯେତେଦୁଷ୍ଟ ହେଲେଯେତେକଷ୍ଟ ଦେଲେ
ସହେ ମୋ ମାଆ ମୋ ଗାଆଁ,
ପରକରି ଦେଇ କେମିତି ରହୁଛୁ
କହିବୁ କି ଥରେ ମାଆ।

Post a Comment

0 Comments