ପୂର୍ଣ୍ଣ ପ୍ରସୂନ - ଡ. କୁଳମଣି ଓଝା

ଶୁଣ ଶୁଣ ଶୁଣ ସଦାନନ୍ଦ !
ଶ୍ରୁତି ଡେରି ଶୁଣ !!
କେଉଁ ଏକ ସଫେଦ ରଙ୍ଗର
ଶ୍ରୁତି ସୁଖଦାୟୀ ଅଶ୍ରୁତ ଆହ୍ଲାଦର
ଶାସ୍ତ୍ରୀୟ ଆଳାପଟେ ଶୁଣ !!!
ନିରବ ନିଃଶବ୍ଦ ନିଶୀଥିନିର
ନିରୋଳା ଲଗ୍ନରେ, ମନ୍ଦ୍ର-ସପ୍ତକରେ
କର୍ଣ୍ଣ ପାତି ଶୁଣ ସଦାନନ୍ଦ !
କୋମଳ ଗାନ୍ଧାରର ସୁରେ ସୁରେ
ନିଜ ରୂପର ନୂଆ ଏକ ପ୍ରତିରୂପ
ଆଙ୍କିଦିଅ ଜଳ ତରଙ୍ଗରେ ;
ଠିକ ସେତେବେଳେ.......
ବିରହୀ ଯକ୍ଷର ଅନୁଲୋମ ମିଳନ ଲଗ୍ନରେ l

ସଦାନନ୍ଦ ! ତମେ ନିଶ୍ଚେ ପ୍ରାଣୋପମ ପାର୍ଥିବ ପ୍ରକାଶ !!
ତମେଇ ତ ଅନନ୍ତ ଆନନ୍ଦର ଅବାରିତ ଛନ୍ଦ,
ଏବେ ଟିକେ ଶୁଣ ! ଶୁଣ ସଦାନନ୍ଦ !!
କେତେ ଦିନ ଆଉ ସେଇ ବଖୁରିକିଆ ଘରେ
ଏକା ବସି ଘାଣ୍ଟୁଥିବ ତତ୍ତ୍ୱ ଆଉ ଗଦା ଗଦା ତଥ୍ୟ?
ଅଭିମାନରେ କି ଉଚ୍ଚାଟନରେ
ନିଜକୁ ଦୂରେଇ ନେବ ସବୁ ପୁରୁଷାର୍ଥ,
ଅଭିଜାତ ପ୍ରପଞ୍ଚର ଉନ୍ମୁଖ ମାର୍ଗରୁ?

ସଦାନନ୍ଦ !
ଏଣେ ଟିକେ ଚାହଁ !
କି ପରିବ୍ୟାପ୍ତ ପ୍ରଶାନ୍ତିର ମୁଗ୍ଧ ଜହ୍ନରାତି,
ଅନେକ ଅବ୍ଦରୁ ଅପେକ୍ଷିଛି ଅନୁକ୍ଷଣ
ସଦ୍ୟସ୍ନାତ ଫୁଲଙ୍କ ଫଗୁଣ,
ଦେଖିନିଅ ଆଖି ଫେଇ
ମୁକୁଳମାନଙ୍କ ମୌନତାକୁ ନିରିଖେଇ ଦେଖ !
ଖୋଲିଦିଅ ଭିତରର ଅହଂ-ଆଭରଣ
ସଲ୍ଲଜ ପ୍ରଜାପତିଙ୍କ ସଚିତ୍ର ଡେଣାରେ
ଘୂରିଆସ ଥରୁଟିଏ
ରୂପାନ୍ତରଣର ବିମୁଗ୍ଧ ବେଳାରେ ;
ଫିଙ୍ଗିଦିଅ ଯେତେ ସବୁ
ଭିନ୍ନମନ୍ୟତାର ଅବାଂଛିତ ଆର୍ତ୍ତି
ଆସ ଏବେ ତିଆରିବା ନୂଆ ଏକ
ସୁନୀଳ ସକାଳ, ନିଜକୁ ଶୂନଟିଏ କରି
ପୂର୍ଣ୍ଣ କରିଦେବା ଚାରି ପାଖର
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଚିତ୍ର ଆଉ ଚରିତ୍ରଙ୍କ
ସ୍ମିତ-ମୁଗ୍ଧ ଘର ଓ ବାହାର l

Post a Comment

0 Comments