ତେଜିଲେ ଅରୁଣ ସପ୍ତରଙ୍ଗ ଘେନି
ଅରୁଣ ଅରୁଣିମା ବର୍ଣ୍ଣାଢ୍ୟ ନେଇ
ବିରାଜିଲା ନବ ବସ୍ତ୍ରେ ଉଷା ସୁନ୍ଦରୀ ।
ଶୈଳସ୍ରୋତସ୍ଵତି ନୀଳ ବନସ୍ଥଳୀ ପରେ
ଲତା କୁଞ୍ଜେ କୁଞ୍ଜେ ଶିଶିର ମୁକ୍ତା ଝରେ
ଅରଣ୍ୟ ସୁମନ ସୁରଭି ପୁଞ୍ଜି ପୁଞ୍ଜି ହୋଇ
ସୌରଭେ ଉଷାକୁ ଦେଲେ ଅର୍ଘ୍ୟାଞ୍ଜଳି।
ବନଦେବୀ ବିମଣ୍ଡିତ ବନସ୍ପତି ପ୍ରଶାଖେ
ସୁଲଳିତ ସଙ୍ଗୀତ ଗାଏ କୋଇଲି କଣ୍ଠେ
ପ୍ରଭଞ୍ଜନ ପତ୍ରେ ପତ୍ରେ ହୋଇ କଲ୍ଲୋଳିତ
ପର୍ଣ୍ଣେ ପର୍ଣ୍ଣେ କରେ ସତେ ଆଲଟ ଚାମର ।
ସୁଶୀଳତା ସ୍ନିଗ୍ଧ ଛାୟା ଗହଳ ଦ୍ରୁମ ତଳେ
ମୃଗ, ମୟୂରୀ ନାଚ ଅପୂର୍ବ ଶୋଭା ତଳେ
ବିଛୁରେ ଝରଣା ଜଳେ ଆଦିତ୍ୟ ଆଭା
ଦିଗ ଦିଗନ୍ତେ ଝଟକେ ତା’ ଅଶରନ୍ତି ବିଭା ।
ବର୍ଣ୍ଣାଢ୍ୟ ଶୋଭାର ଅପୂର୍ବ ବିଭା ନେଇ
ଗଗନୁ ଅବତରିଛି ଉଷା ସୁନ୍ଦରୀ
ଉଷା ସୁନ୍ଦରୀର ସୌମ୍ୟକାନ୍ତି ରୂପେ
ବସନ୍ତ ପ୍ରିୟ ନିରୀକ୍ଷଣେ ବିମୋହିତେ ।
ଉଦୟ ଉତ୍ସବେ ବସନ୍ତ ଉଷାର ମିଳନ
ଆସିଛି ପ୍ରକୃତି ବକ୍ଷେ ଏ ଶୁଭଲଗନ
ସୁଶୋଭିତ ପ୍ରାଣୀ ସୁଷମା ଦର୍ଶନେ
ଉତ୍ଫୁଲ୍ଲିତ ପ୍ରାଣୀ ଚିତ୍ତ ବସନ୍ତ ପଦାର୍ପଣେ
ଜାଗୁ ନବ ଆଶା ଆହ୍ଵାନ ପ୍ରତି ପ୍ରାଣେ ପ୍ରାଣେ ॥
0 Comments