ଜ୍ଵାଳାରେ ଯାଜ୍ଞସେନୀ - କଳ୍ପଲତା ମହାପାତ୍ର


ଦ୍ଵାପରର ଦର୍ପଣରେ...
ପ୍ରତିଫଳନ ହେଉଥିବା ପ୍ରତିବିମ୍ବର
କେତୋଟି ଚେହେରା...
ସେ ଦିନର ହତବାକ୍ ଭୀଷ୍ମପିତାମହ,
ଆଜିର ଅସୀମିତ ପରିଧିରେ ଅବଲୁପ୍ତ
ସେ ଦିନର ଯୁଧିଷ୍ଟିର,
ଆଜି ନିରବେ ଗୁମୁରି ଝୁରୁଥିବା
ପାରା ଯୁଗଳର ଘୁମୁରା ସ୍ପନ୍ଦନ
ପୁଣି ସେ ଦିନର ଦୁର୍ଯୋଧନ ଦୁଃଶାସନ,
ଆଜିର ବାୟୁମଣ୍ଡଳର ପ୍ରତିଟି ପ୍ରବାହରେ –
ପ୍ରବାହମାନ ଘୁଣ୍ୟ ନିଶ୍ଵାସ ପ୍ରଶ୍ଵାସର ଜ୍ଵଳନ
କିନ୍ତୁ... ସେ ଯୁଗର ପ୍ରତିଟି ଜ୍ଵାଳାରେ ଜଳି
ଝଲସୁଥିବା ଜ୍ଵାଳାମୁଖୀ ଯାଜ୍ଞସେନୀର
ଅନଳ ସିକ୍ତ ପ୍ରତିଶୋଧ,
ଆଜି କଣ୍ଟକିତ ସପ୍ତଫେଣିରେ ଆଚ୍ଛାଦିତ 

ତେଣୁ ପ୍ରତି ଗୋଲାପ ବନ,
ରକ୍ତ ଜର୍ଜରିତ ପଦଚିହ୍ନରେ ଛାପିତ
ଦୁର୍ଯୋଧନର ବାହୁରକ୍ତେ ମୁକୁଳା କେଶକୁ
ଧୋଇବାର ପ୍ରୟାସରେ,
କେଶ ତା କେରିକେରି ହୋଇ
ଦୁବଘାସର ମୂଳତଳେ ନିର୍ଲିପ୍ତ

ପର୍ଣ୍ଣଶାଳେ ଆଜି ତା ଚିତ୍କାର ଅବଗୁଣ୍ଠିତ,
ତେଣୁ,
ପୀଡ଼ିତା ଯାଜ୍ଞସେନୀର ପ୍ରଖର ଜ୍ଵାଳାରେ,
ସମାଜ ଆଜି ଅତଳଗହ୍ଵରେ
ଅବକ୍ଷେପିତ, ଅବକ୍ଷେପିତ

Post a Comment

0 Comments