ଯୁଗେ ଯୁଗେ ପ୍ରତ୍ୟେକ ଦେଶରେ ଜ୍ଞାନୀ, କର୍ମୀ ଓ ତ୍ୟାଗୀ ପରମାନନ୍ଦମୟ ବହୁ ସାଧୁ, ସନ୍ୟାସୀ, ମୁନି, ଋଷି, ତତ୍ତ୍ୱଦର୍ଶୀ ଯୁଗଜନ୍ମା ମହାପୁରୁଷଗଣ ଲୋକ ସମାଜରେ ନିଜର ଅମୃତ ବାଣୀକୁ ଘୋଷଣା କରି ଆସିଛନ୍ତି । ସବୁ ଧର୍ମାବଲମ୍ବୀ ତତ୍ତ୍ୱଦର୍ଶୀ ଏହି ସନ୍ଥ ମହାପୁରୁଷମାନେ ଗୋଟିଏ କଥା ଦର୍ଶାଇଛନ୍ତି, ସବୁ ପ୍ରକାର ଭେଦ ରହିତ ଜ୍ଞାନହିଁ ଅଜ୍ଞାନ । ଯେପର୍ଯ୍ୟନ୍ତ ଭେଦକୁ ଅତିକ୍ରମ କରାଯାଇ ନାହିଁ, ଦୂରେଇ ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ହୃଦୟର ଏଶୂନ୍ୟ ତଟଭୂମିପରେ ଅଭେଦର ପ୍ରତିଷ୍ଠା ଲାଭ ନାହିଁ । ଏପରିକି ସେପର୍ଯ୍ୟନ୍ତ ମନୁଷ୍ୟ କେବେ ଥରେ ଆତ୍ମ ସନ୍ତୋଷ ପାଇ ପାରିବନାହିଁ । ନିଜକୁ କୃତାର୍ଥ ଅନୁଭବ କରି ପାରେନାହିଁ ।
ଜ୍ଞାନ ସାଧନା କ୍ଷେତ୍ରରେ ମନୁଷ୍ୟର ପ୍ରାଣ ଜଣା ଅଜଣାର ସବୁ ପ୍ରକାର ଶ୍ରେୟ ବିଷୟର ମୂଲ୍ୟକୁ ବଡ ଅଦ୍ଭୂତ ପ୍ରକାର ଅଧିକାର ନିମନ୍ତେ ବ୍ୟାକୁଳ ହୋଇ ଉଠେ । ଅହରହ ବିଭିନ୍ନ ପ୍ରକାର କାର୍ଯ୍ୟ ଭିତରେ ସେ ଏହାକୁ ଖୋଜିଚାଲେ । ଅନେକ ଜାତୀୟ ପ୍ରତ୍ୟେକ୍ଷ ଗୋଚର ସତ୍ୟକୁ ଏକ ବ୍ୟାପକତମ ମହାସତ୍ୟର ଅନ୍ୱେଷଣ କରେ । ପରିଦୃଶ୍ୟମାନ ବିଚିତ୍ର କ୍ରିୟାକୁ ନିୟାମକ ରୂପେ ସେ' ଏକ ମହାଶକ୍ତିର ସାକ୍ଷାତ୍ କାର ପ୍ରାପ୍ତ କରିବାକୁ ଚାହେଁ । ତେଣୁ ସେ ନିରନ୍ତର ଭାବେ ଅନେକ ଭିତରେ ଏକକୁ ଖୋଜେ । ଏହା କେବଳ ମାନବ ପ୍ରାଣର ସ୍ୱାଭିବିକ ଧର୍ମ । କହିବାକୁ ଗଲେ, ଏକ ଭିତରେ ବହୁତର ଉପସ୍ଥିତି । ଏକ'ରେ ଅନେକଙ୍କ ମିଳନ, ଏକର ଆଶ୍ରୟରେ ଅନେକଙ୍କ ସମ୍ବନ୍ଧ ଓ ସ୍ଥିତି । ବିନାଶ କାଳରେ ଏକ ଭିତରେ ଅନେକଙ୍କ ବିଲୀନକୁ ଅନୁଭବ ମାନବ ହୃଦୟର ଏହା ପ୍ରଥମ ସତ୍ୟ । ଏସବୁ କାରଣରୁ ବୈଜ୍ଞାନିକ ବିଶ୍ଳେଷଣାନୁଯାୟୀ ବିଭିନ୍ନ ପଦାର୍ଥ ଭିତରେ କେଉଁ ପ୍ରକାର ସାଦୃସ୍ୟ, ସହଯୋଗିତା ଦେଖାଇବାକୁ ପଡେ । ବିଭିନ୍ନ ପ୍ରକାର କ୍ରିୟା ଭିତରେ କେଉଁ ପ୍ରକାର ଯୋଗସୂତ୍ର, ସାମଂଜସ୍ୟ ରହିଛି, ବିଭିନ୍ନ ଘଟଣା ମଧ୍ୟରେ କେଉଁ ପ୍ରକାର ଏକତାର ସ୍ପର୍ଶ ଉପଲବ୍ଧ କରିହୁଏ, ତାହାହିଁ ମାନବୀୟ ବୁଦ୍ଧି । ଏସବୁକୁ କୌଣସି ଏକ ଐକ୍ୟର ଅଭେଦ ଭୂମିକୁ ଆବିଷ୍କାର କରିବାରେ ବ୍ୟସ୍ତ ରହେ । କ୍ରମଶଃ ଏହି ଉନ୍ନତ ବିଚିତ୍ର ମୟ ଜଗତ ସହ ଯେତେଯେତେ ପରିଚୟ ହୁଏ, ସେହି ପରିମାଣରେ ସେ ପ୍ରତ୍ୟେକ ପଦାର୍ଥ ଭିତରେ ଏକ ପ୍ରକୃତିଗତ ଓ କ୍ରିୟାଗତ ଐକ୍ୟ ସୂତ୍ରର ବିଦ୍ୟାମୟତାକୁ ଉପଲବ୍ଧି କରେ । ସମସ୍ତ ଜଗତ ଭିତରେ ଏକ ଅଙ୍ଗାଙ୍ଗୀ ଯୋଗର ଅନୁଭୂତି ଲାଭ କରେ ।
ସମସ୍ତ ଜଗତର ମୂଳଭିର୍ତ୍ତି, ପ୍ରତ୍ୟେକ ବୈଚିତ୍ର୍ୟର ଅଭେଦ ଭୂମି, ଅସଂଖ୍ୟ କ୍ରିୟା'ର ମୂଳ ଉତ୍ସ । ସତେ ଯେଭଳି ଏକ ମହାଶକ୍ତିମୟ ରୂପ ପ୍ରକାଶ ସତୃଷ୍ଣାର ସାକ୍ଷାତ୍ କାର ପାଇଁ ଆକାଂଙକ୍ଷା ତୀବ୍ର ହୋଇଯାଏ । ସର୍ବକାରଣ କାରଣ ସର୍ବଶକ୍ତିଚାର ପ୍ରତୀୟମାନ ହୋଇଥାନ୍ତି । ଏହି ଅଦ୍ୱିତୀୟ ସତୃଷ୍ଣ ସାକ୍ଷାତ୍ କାର ହେବା ଫଳରେ ସବୁ ଜ୍ଞାତ ହୋଇଯାଏ । ନାମ ରୂପରେ ଆଭ୍ୟନ୍ତରୀଣ ତତ୍ତ୍ୱ ସଙ୍ଗରେ ମାନବ ହୃଦୟର ପରିଚୟ ସଂସ୍ଥାପିତ ହୁଏ । କେବଳ ଏହା ନୁହେଁ ଜ୍ଞାତା ଏବଂ ଶ୍ରେୟକୁ ମଧ୍ୟ ଅତ୍ୟନ୍ତ ଅଭେଦ ଭୂମି ସହ ପରିଚୟ ହେବା ଜାଣିବାରେ ଆଗ୍ରହ ଘନିଭୂତ ହୁଏ । ଫଳତଃ ବିଶ୍ୱ ସଂସାର ସହ ହୃଦୟର ଐକ୍ୟାନୁଭୂତି ଘଟେ । ବିଶ୍ୱର ସ୍ଥାବର ଜଙ୍ଗମ ପ୍ରତ୍ୟେକ ପଦାର୍ଥକୁହିଁ ଆତ୍ମାର ଅଭିନ୍ନ ବୋଧ କରି ଆଲିଙ୍ଗନ କରେ । ସମସ୍ତ ଜାଗତିକ କ୍ରିୟା ଭିତରେ ନିଜର ଅଭିବ୍ୟକ୍ତିତ୍ୱକୁ ଦର୍ଶନ କରେ । ଯାହାକି ମାନବ ହୃଦୟ ସର୍ବବ୍ୟାପକ ହୋଇଯାଏ । ଏଭଳି ଦର୍ଶନ ହେଉଛି ସମ୍ୟକ୍ ଦର୍ଶନ । ଯେଉଁ ଦର୍ଶନରେ ମାନବ ହୃଦୟର ଜ୍ଞାନ-ସାଧନା ସାର୍ଥକ ପାଳଟେ । ହୃଦୟ ନିର୍ମଳ ପବିତ୍ର ହୋଇଯାଏ ।
କିନ୍ତୁ ମାନବ ହୃଦୟ କେବଳ ଜ୍ଞାନ ସାଧକ ନୁହେଁ । ଏହା କର୍ମ ସାଧକ ଓ ଭୋଗ ଦାୟକ । କର୍ମ ଓ ଭୋଗ ଭିତରେ ଏହାର ସତ୍ ଜ୍ଞାନ ନିଜକୁ ସ୍ଥାପିତ କରେ । ଜ୍ଞାନକୁ ଉତ୍କର୍ଷ କରିବା ସହିତ ଏହାର କର୍ମ ଓ ଭୋଗର ଉତ୍କର୍ଷ ନହେବା ପର୍ଯ୍ୟନ୍ତ ସେ କେବେ ସମ୍ୟକ୍ ତୃପ୍ତି ଅନୁଭବ କରିପାରେ ନାହିଁ । ଏହାର ଜ୍ଞାନ ଯଦି ଅଭେଦ ଭୂମିରେ ପ୍ରତିଷ୍ଠିତ ହୁଏ, ତେବେ ଏହାର କର୍ମ ଓ ଭୋଗ ମଧ୍ୟ ସେହି ଅଭେଦ ଭୂମିପରେ ପ୍ରସୂତ ହୁଏ । ଯାହାଫଳରେ ଏ ବିଚିତ୍ର କ୍ରିୟା ସମନ୍ୱିତ ବିଶ୍ୱ ଜଗତରେ ସେ କେବଳ ଏକହିଁ ଲୀଳାବିଳାସକୁ ଦର୍ଶନ କରିଥାଏ, ଏବଂ ନିଜକୁ ମଧ୍ୟ ତା'ସହ ଅଭିନ୍ନ ରୂପରେ ନିଜକୁ ଅନୁଭବ କରେ । ଏଥିପାଇଁ କୌଣସି ଅନାଗ୍ରହ ଆକାଂଙକ୍ଷା ନଥାଏ । ଏହାର ଇଚ୍ଛାକୁ ମଧ୍ୟ କୌଣସି ଆଘାତ ଲାଗେ ନାହିଁ । ଏହାର କର୍ମ ଓ ଆନନ୍ଦ ସମ୍ଭୋଗ ମଧ୍ୟ କୌଣସି କ୍ଷେତ୍ରରେ ବାଧା ପ୍ରାପ୍ତ ହୁଏ ନାହିଁ । ବିଶ୍ୱର ପ୍ରତ୍ୟେକ କାର୍ଯ୍ୟ ଭିତରେ ସେ ଯେଉଁ ପ୍ରକାର ଲୀଳା ବୈଚିତ୍ରକୁ ଦର୍ଶନ କରେ, ଅନୁଭବ କରେ, ସେହି ପ୍ରକାର ନିଜର କର୍ମକୁ ମଧ୍ୟ ଲୀଳାଭିବ୍ୟକ୍ତ ରୂପରେ ଆସ୍ୱାଦନ କରେ । ଏହାର ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି ଦ୍ୱାରା ସକଳ କର୍ମ ସମ୍ପାଦିତ ହୁଏ । ଏସବୁ ଏହି ବିଶ୍ୱମୂଳଭୂତ ଏକ କର୍ମ ସୂରୂପ ଅଟେ । ତା'ର ଅନ୍ତର ମଧ୍ୟରେ ଯାହାବି ସଂକଳ୍ପ ଉଦିତ ଘଟେ, ସେସବୁ କେବଳ ଗୋଟିଏ ସଂକଳ୍ପ ପାଲଟେ । ଏହାର କର୍ମରେ ଯେଉଁ ଫଳ ପ୍ରସୂତ ହୁଏ, ଏହା ଏକହିଁ । ଏହି ଫଳର ସଂଭୋକ୍ତା ଅଟେ ।
ଏସବୁର ସକଳ କର୍ମ ଓ ଫଳର ସେ'ହିଁ କେବଳ ଭୋକ୍ତା ପାଲଟେ । ସେହି ସର୍ବ କର୍ତ୍ତା, ସର୍ବ ଭୋକ୍ତା, ସର୍ବ ଶକ୍ତିଧର, ଶକ୍ତିବାନ୍, ସର୍ବ ନିୟନ୍ତା, ପରମ ପୁରୁଷ ପାଲଟି ଯାଏ । ସ୍ୱକୀୟ ମହିମାରେ ଏହି ପରମତତ୍ତ୍ୱ ସହ ଏହାର ଐକ୍ୟାନୁଭୂତି ଘଟେ । ମାନବ ପ୍ରାଣର ସ୍ୱରାଜ୍ୟ ସିଦ୍ଧଭୂତ ପ୍ରକୃତିଗତ ବିଶ୍ୱରାଜତ୍ୱର ପ୍ରତିଷ୍ଠା ଘଟେ । ଏହି ପରମ ପୁରୁଷଙ୍କ ସୂରୂପହିଁ, ଏହାର ସୂରୂପ ପାଲଟେ । ପରମ ତତ୍ତ୍ୱର ବିଭୂତିହିଁ ତା'ର ବିଭୂତି ହୋଇଯାଏ । ଏପରିକି ପରମ ତତ୍ତ୍ୱ ବିଶ୍ୱରାଜ୍ୟହିଁ ଏହାର ସାମ୍ରାଜ୍ୟ ପାଲଟି ଯାଏ ।
``ସର୍ବେଷୁ ଲୋକେଷୁ କାମାଚାର" ହେବାର ସେଭଳି କୌଣସି ବାଧା ବିଘ୍ନ ଘଟେନାହିଁ । କିନ୍ତୁ ନିଜ ପାଇଁ କୌଣସି ପ୍ରକାରର ସୁଖ-ସଂମ୍ଭୋଗର ପ୍ରଭାବ, ପ୍ରତି ଗତିର କାମନା ତା' ହୃଦୟରେ କେବେ ଜନ୍ମେ ନାହିଁ । ଏକ ଐଶ୍ୱରୀକ ଭାବ ଜଗତରେ ବିଚରଣ କରେ । ସକଳ କର୍ମ ସାଧନ ମାନବ ସେବାରେ ପରିଣତ ହୋଇଯାଏ ।
ଏପ୍ରକାର ଅମୂଲ୍ୟ ଜ୍ଞାନ ସାଧନ କରି ମଣିଷ ଯେତେବେଳେ ପ୍ରଭୃଙ୍କ ପ୍ରେରଣାରେ କର୍ମ କ୍ଷେତ୍ରରେ ଅବତୀର୍ଣ୍ଣ ହୁଏ, ସେତେବେଳେ ତା'ର କୌଣସି ବ୍ୟକ୍ତି ଗତ ପ୍ରାପ୍ତ୍ୟ ବା ଭୋକ୍ତା ହେବା ତା'ର କର୍ମଧାରାର ନିୟାମକ ଘଟେ ନାହିଁ । ବିଶ୍ୱ କଲ୍ୟାଣରେହିଁ ତା'ର ସକଳ କର୍ମର ନିୟାମକ ହୁଏ । ସାଧାରଣ ତା'ର ଦେହେନ୍ଦ୍ରିୟ ମନ, ଯେଉଁ ପ୍ରକାର ସାମାଜିକ, ରାଷ୍ଟ୍ରିୟ ନୈତିକ ଓ ଆଧ୍ୟାତ୍ମିକ ଆବେଷ୍ଠନୀ ମଧ୍ୟରେ ଅବସ୍ଥାପିତ ହୋଇଥାଏ, ସେହି ଅନୁସାରେ ତାର ସ୍ୱକର୍ମ ନିଦ୍ଧାରିତ ହୁଏ । ତଦାନୁସାରେ ତା'ର କର୍ମକୁ ବାହ୍ୟ ଆକୃତିରେ ନିରୂପିତ ହୋଇଯାଏ । କିନ୍ତୁ ତାର ସକଳ କର୍ମର ଉଦ୍ଗମସ୍ଥଳ ପାଲଟେ ଏକ ଅନାବିଳ ବିଶ୍ୱ ପ୍ରେମରେ । ଏହାର ପ୍ରାଣ ବିଶ୍ୱ ପ୍ରାଣ ସହିତ ନିତ୍ୟଯୁକ୍ତ ହୋଇଯାଏ । ତା'ର ଦେହେନ୍ଦ୍ରିୟ ବିଶ୍ୱ ପ୍ରାଣର ସେବାରେ ଉତ୍ସର୍ଗିକୃତ ରହେ । ବିଶ୍ୱ ପ୍ରାଣହିଁ ତା'ର ଦେହେନ୍ଦ୍ରିୟ ମନ ଓ କର୍ମ ଭିତରେ ସ୍ୱୟଂ ଲୀଳାବିଳାସ କରେ ।
ଅଭେଦ ସମଭାବନା ଦୃଷ୍ଟି ନେଇ କର୍ମ ସାଧନାରେ ବ୍ରତୀ ହେବା ଜାଣି ଗୋଟିଏ କର୍ମସିଦ୍ଧ ସହିତ ଅନ୍ୟ କର୍ମସିଦ୍ଧକୁ ବିରୋଧ କରେ ନାହିଁ । ଗୋଟିଏ ପଟରେ ପ୍ରଭୃତ୍ୱ ପ୍ରତିଷ୍ଠା, ଅନ୍ୟ ପଟରେ ଦାସତ୍ୱ ନହେବାର ପ୍ରଟେଷ୍ଟା । ଗୋଟିଏ କର୍ମଶକ୍ତି ଅନ୍ୟ ଗୋଟିଏ କର୍ମଶକ୍ତିକୁ ବ୍ୟାହତ ହେବାକୁ କେବେ ଦିଏ ନାହିଁ । ସକଳ କର୍ମ ଗୋଟିଏ ସେବାରେ ନିବେଦିତ ହୁଏ, ଏକ ବିଶ୍ୱ ପ୍ରାଣହିଁ ସମସ୍ତ କର୍ମର ଫଳଭୋକ୍ତା ପାଲଟେ, ସେଠାରେ ବିରୋଧର ଅବକାଶ ନ'ଥାଏ । ହୃଦୟ ଭିତରେ ହିଂସା, ଦ୍ୱେଷ, ଘୃଣା, ଆଦିର କୌଣସି ଆବିଳତା ନ'ଥାଏ । ହୃଦୟରେ ସକଳ କର୍ମ(ବୃତ୍ତି)କୁ ଏକ ପ୍ରେମ ବୃତ୍ତିରେ ପରିଣତ କରେ । ପ୍ରେମହିଁ ହୃଦୟର ସୂରୂପଗତ ଏକମାତ୍ର ବୃତ୍ତି ବୋଲି ଅନୂଭୂତ ହୁଏ । ଏଭଳି କି ସକଳ ପ୍ରେମର ଅଭିବ୍ୟକ୍ତ ପାଲଟି ଅନାବିଳ ପ୍ରେମ ଧାରାରେ ଯେତେବେଳେ ପ୍ରବାହିତ ହୁଏ, ସେତେବେଳେ ବିଶ୍ୱାନ୍ତର୍ଯ୍ୟାମିଙ୍କୁ ଏକ ପରମତତ୍ତ୍ୱ ପ୍ରେମାନନ୍ଦ ସୂରୂପ ଉପଲବ୍ଧି କରିହୁଏ । ବିଶ୍ୱର ପ୍ରତ୍ୟେକ ଘଟଣାରେ ତାଙ୍କ ପ୍ରେମ ବିଳାସର ପରିଚୟ ମିଳିଥାଏ । ସମଗ୍ର ବିଶ୍ୱ ଅଫୁରୁନ୍ତ ପ୍ରେମ ଆନନ୍ଦର ଖେଳ ପାଲଟିଯାଏ । ସେହିଁ ଖେଳ ନାୟକ, ମାନବ ହୃଦୟ ପ୍ରେମମୟ ପାଲଟି ଯାଏ । ସକଳ ଜଗତ ତାଙ୍କ ଅନୁଭୂତିରେ, ପ୍ରେମଭାବ ଗଠିତ ହୋଇ ଶେଷରେ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ମଣ୍ତିତ ତଥା ଅକ୍ଷୟ ଆନନ୍ଦର ଭଣ୍ତାର ପାଲଟେ ।
ଯେତେବେଳେ ସମଭାବାପନ୍ନ ଅଭେଦ ଦୃଷ୍ଟି ଜନିତ ପ୍ରେମରେ ହୃଦୟ ପରିପୂର୍ଣ୍ଣ ହୋଇଯାଏ, ସେତେବେଳେ ପ୍ରତ୍ୟେକ ମାନବ ହୃଦୟର ଭୋଗାକାଂଙକ୍ଷା ସମ୍ୟକ୍ ପରିତୃପ୍ତି ଲାଭ କରେ । ଅନ୍ତରରେ ପ୍ରେମାନନ୍ଦ ମହାନନ୍ଦ ସୂରୂପ ଅବିଚ୍ଛନ୍ନ ଅନୁଭୂତି ଜାଗରିତ ହୋଇଥାଏ । ଫଳତଃ ଏହି ପ୍ରେମାନନ୍ଦ ସୂରୂପହିଁ ବୈଚିତ୍ର ବିଳାସର ସମ୍ଭୋଗ ପାଲଟେ । କେବଳ ଭିତର ଓ ବାହାରେ ଆନନ୍ଦ ଭାବହିଁ ରହେ । ବିଶ୍ୱ ବ୍ରହ୍ମାଣ୍ତରେ କୌଣସି ଆନନ୍ଦର ବିରୋଧ ସତ୍ତା ଦେଖା ଦିଏ ନାହିଁ । ଏହି ଦୃଷ୍ଟିରୁ ମାନବ ହୃଦୟରେ ସକଳ ଅଭାବ, ଅଭିଯୋଗ, ଶୋକ, ତାପ, ଭୟ, ଆଶଙ୍କା, ଭାବନା କିଛିବି ସ୍ପର୍ଶ କରି ପାରେ ନାହିଁ । ଆନନ୍ଦ ଉଲ୍ଲାସ ବିଳାସ ରାଜ୍ୟରେ ନିରାନନ୍ଦର କୌଣସି ସ୍ଥାନ ନ'ଥାଏ । ଏଭଳି ଅମୃତାସ୍ୱାଦନ ଭିତରେ ମୃତ୍ୟୁର କୌଣସି ଭାବନା କେବେ ଉଦିତ ହୁଏ ନାହିଁ ।
ତେଣୁ ଏଭଳି ଏକ ଦୁର୍ଲଭ ନିତ୍ୟ ସତ୍ୟ ପ୍ରେମାନନ୍ଦ ପରମ ତତ୍ତ୍ୱ ସଙ୍ଗରେ ମିଳନହିଁ ମାନବ ହୃଦୟର ଚିର ଆକାଂଙକ୍ଷା । ଏହି ମହାମିଳନର ଆକାଂଙକ୍ଷାହିଁ ସଂସାରରେ ତା'ର ଚିର ଅସନ୍ତୋଷର କାରଣ ଅଟେ । ଏହି ଆକାଂଙକ୍ଷା ତା'ର ସ୍ୱଭାବରେ ଚିରକାଳ ନିହିତ । ଏହାର କାରଣ, ଏହାର ଇନ୍ଦ୍ରିୟ, ମନ, ବୁଦ୍ଧି, ହୃଦୟ, ନେତି ନେତି, ଆହୁରି ଚାହେଁ, ଆହୁରି ଚାହେଁ, ଅସୀମ ଅତୃପ୍ତ ଭାବେ କହି ଦୌଡୁଥାଏ । କୁହାଯାଇଛି, ''କାମନାର ବିନାଶରେ ଦୁଃଖର ବିନାଶ ", ତେବେ କଣ କାମନାର ବିନାଶ ଅଛି ? କାମନାର ବିନାଶତ ଏକ କାମନା ଏକ ଅକଳ୍ପିତ ଆକାଂଙକ୍ଷା । ତେଣୁ ସାଂସାରିକ ଅପରିଚ୍ଛନ୍ନ ଜୀବନ ଭିତରେ ଅନେକ ପ୍ରକାରର ଜ୍ଞାନ, ବହୁ କର୍ମ ଓ ଭୋଗ ମଧ୍ୟରେ ସେ ଶାନ୍ତି ଟିକେ ପାଏ ନାହିଁ । ଯେତେବେଳେ ସେ ପରିଚ୍ଛନ୍ନ ଏକ ଅଦ୍ୱିତୀୟ ତତ୍ତ୍ୱ ସଙ୍ଗରେ ମିଳିତ ହୋଇ ନିତ୍ୟ ସମଭାବପନ୍ନ ଅଭେଦ ଭୂମିରେ ପ୍ରତିଷ୍ଠା ଲାଭ କରେ, ସେତେବେଳେ ମାନବ ହୃଦୟରେ ଆତ୍ମ ସନ୍ତୋଷର ତୃପ୍ତି ଘଟେ । ଇଷତ୍ ରକ୍ତିମା ଓଠରେ ଅମୃତ ବୋଳା ଚିର ହାସ୍ୟର ରେଖାଟିଏ ଟାଣି ହୋଇଯାଏ । ତାହାହିଁ ତା'ର ଜ୍ଞାନର ସାର୍ଥକତା, କର୍ମର ସାର୍ଥକତା ଓ ଭୋଗର ସାର୍ଥକତା !!!
-----------------------------------------------------------
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-4
ଦୂରଭାଷ : 94377 40280
Email : Laxmansahoo9040@gmail.com
0 Comments