କବିତା 'ତୁମରି ଇଚ୍ଛାରେ' - ବିନୟ ମହାପାତ୍ର

ତୁମରି ଇଚ୍ଛାରେ ସବୁ କିଛି ଘଟୁଛ ତ ଏଠି,
ସକାଳର ସୂର୍ଯ୍ୟ ଆସୁଛି ପ୍ରତି ସକାଳରେ
ଯାଉଛି ବି ସଂଧ୍ୟାର ଗୋଧୂଳି ଲଗନେ,
ପ୍ରତି ବସନ୍ତରେ ମଳୟ ବୋହୁଛି,
ରଙ୍ଗେ ରଞ୍ଜିତ କୁଶୁମେ ଧରିତ୍ରୀ ହସୁଛି ।

ନିଦାଘର ଝାଞ୍ଜି ଅବା
ଧାରା ଶ୍ରାବଣର ମୂଷଳଧାର ବର୍ଷା,
ସବୁ କିଛି ତୁମରି ଇଚ୍ଛାରେ ହେଉଛି ।
ମୁଁ ତୁମ ଇଚ୍ଛା ମାନଙ୍କ ଆଗରେ ମଥା ନୁଆଁଉଛି ।
ହେ ଇଚ୍ଛାଧାରୀ,
ତୁମକୁ ମୁଁ ପ୍ରଣାମ କରୁଛି, କିନ୍ତୁ
ମୋ ଇଚ୍ଛା ମାନଙ୍କର କ’ଣ?

ମୋ ଇଚ୍ଛା ମାନଙ୍କୁ କାମନାର ନାଆଁ ଦେଇ
ଆଖି ବୁଜିଦେଲ, ମୋତେ କହିଦେଲ
'କାମନାର ବିନାଶରେ ଦୁଃଖର ବିନାଶ',
ପଚାରି ପାରେ କି ପ୍ରଭୁ,
ମୋର ଏ କାମନା ସବୁ ଆସିଲେ କେଉଁଠୁ?
ମାୟାଧର କହନ୍ତି ତୁମକୁ,
ତୁମେତ ମାୟାର ଜାଲ ବିଝେଇଛ,
ଦାନା ବି ବିଛାଡି ଦେଇଛ,
ଧୁର୍ତ୍ତ ବ୍ୟାଧଟିଏ ପରି ନଜର ରଖିଛ,
ମୁଁ ଯେବେ କାମନାର ଦାନା ଲୋଭେ,
ଫସି ଯାଏ ତୁମରି ଜାଲରେ,
‘ଚିଡିଆ ଫସ୍ ଗୟା’ କହି
ତାଳି ମାରି ଆନନ୍ଦରେ,
ତୁମେ ତାମସା ଦେଖୁଛ ।

ହେ ଲୀଳାମୟ, ଏ କି ବିଚିତ୍ର ଲୀଳା ରଚିଛ ?
କାମନାର ସମୁଦ୍ରରେ ମାଛଟିଏ କରି,
ପୁଣି ମୋତେ,
‘ବଚକେ ରହନାରେ ବାବା’
ଗୀତ ଶୁଣାଉଛ !
କୁହ ଥରେ ପାଣିରେ ରହି,
ପାଣିଠାରୁ ଅଲଗା କେମିତି ରହିବି ?
‘କରି କରାଉ ଥାଏ ମୁହିଁ’ର ଯଶ
କୁହ କିମ୍ପା ତୁମକୁ ମୁଁ ଦେବି ।
ହେ ଇଚ୍ଛାମୟ, ହେ ମାୟାଧର,
ହେ ମୋର ପ୍ରିୟ, ହେ ଲୀଳାମୟ,
ତୁମେ ଧନ୍ୟ,ଧନ୍ୟ ତୁମ ଇଚ୍ଛା,
ଧନ୍ୟ ତୁମ ମାୟା, ସର୍ବୋପରି ଧନ୍ୟ
ମୟାର ଏ ଲୀଳା ଯେ ରଚିଛ ।

ଯାହା ବି କରୁଛ ତୁମେ,
ତୁମ ମନୋରଞ୍ଜନ ପାଇଁ ତ କରୁଛ,
ମାଙ୍କଡକୁ ନାଚ ନଚାଇଲା ବେଳେ,
ମଦାରୀ କଣ ପଚାରେ,
ହେ ବାନର ରାଜ,
ତୁମକୁ କେମିତି ଲିଗୁଛି,
ମଜା ଆସୁଛି କି ନାହିଁ?
ତୁମେ ତ ପୋଖତ ମଦାରୀ,
ଏତିକି ମୋ ଇଚ୍ଛା, ଏତିକି ମାଗୁଛି ପ୍ରଭୁ,
ତୁମ ମନୋରଞ୍ଜନ ପାଇଁ,
ତୁମ ଇଚ୍ଛା ଅନୁଶାରେ, ତୁମ ନିର୍ଦ୍ଦେଶରେ,
ଯେପରି, ମୁଁ ଭଲ ନାଚିପାରେ ଆଉ
ଭଲ ନାଚ ଦେଖଇ ପାରିବି,
ସେଇମିତି ମୋତେ ଭଲ ନାଚୁଆଟିଏ କର ।
-----------------------------------
ପଟିଆ, ଭୂବନେଶ୍ୱର, ଓଡିଶା

Post a Comment

0 Comments