ବିଷକନ୍ୟା – ସୁଶାନ୍ତ ଦାଶ

ବିଷକନ୍ୟାର ଚୁମ୍ବନରେ
ନୀଳରଙ୍ଗ ପାଲଟି ଯାଉଥିବା
ଅବୋଧ ପ୍ରେମିକ ପରି
ନୀଳରଙ୍ଗ ପାଲଟିବା ହିଁ
ମୋର ଭାଗ୍ୟ

ଅପ୍ସରୀ ଠୁ ସୁନ୍ଦରୀ ବୋଲି
ତମକୁ ପ୍ରେମ କଲି
ନିଜର କଲି
ସ୍ଵର୍ଗଠୁ ତୁମକୁ ମୁଁ
ତୋଳି ଆଣିଲି

ବିଷକନ୍ୟା କହେ
ମୁଁ ପବିତ୍ରତାର ଉଦାହରଣ
ଆତ୍ମା ମୋର ପବିତ୍ର
ହୃଦୟ ମୋର ଶୁଦ୍ଧ
ଦେହ ମୋର ସ୍ଵଚ୍ଛତାର
ବାସ୍ନାରେ ବାସ୍ନାୟିତ
ମୋର ଚୁମ୍ବନରେ
ତମେ ବିଷାକ୍ତ ପାଲଟି
ନୀଳରଙ୍ଗ ପାଲଟିବା ହିଁ
ମୋ ପାଇଁ ସର୍ବଶ୍ରେଷ୍ଠ
ବିସ୍ମୟର କାରଣ
ମୁଁ କିନ୍ତୁ ପବିତ୍ରତାର
ଉଦାହରଣ

ଦେଖ
ସୂର୍ଯ୍ୟର ପ୍ରଥମ କିରଣ
ସ୍ପର୍ଶରେ ରକ୍ତାକ୍ତ ହୋଇ
ପାଲଟିଯାଏ ପୃଥିବୀ ବିଷାକ୍ତ
ମର୍ତ୍ତ୍ୟମଣ୍ଡଳ ସଂପୂର୍ଣ୍ଣଭାବେ
ନୀଳରଙ୍ଗରେ ରଙ୍ଗାୟିତ ହୁଏ
ବଞ୍ଚିଥିବା ଜୀବନ ସବୁ
କ୍ରମଶଃ ଶେଷ ହୁଏ

ତେଣୁ
ମୋର ବା
ଦୋଷ କଣ,
ମୋରି ଚୁମ୍ବନରେ ତୁମେ
ନୀଳରଙ୍ଗ ପାଲଟୁଛ ତ ପାଲଟ
ସ୍ଵର୍ଗ ପ୍ରାପ୍ତି ହୁଅ, ଜନ୍ମ ନିଅ
ପୁନଃଶ୍ଚ ସ୍ଵର୍ଗ ପ୍ରାପ୍ତି ହୁଅ
ପୁନଃଶ୍ଚ ଜନ୍ମ ନିଅ

ଜନ୍ମ ଜନ୍ମାନ୍ତର ପାଇଁ
ମତେ ହିଁ ପ୍ରେମ କର
ମତେ ହିଁ ପ୍ରେମ କର
ହେଲେ ମତେ
ବିଷକନ୍ୟା ନ କୁହ
ବିଷକନ୍ୟା ନ କୁହ
--------------------------------------------------
'ନୀଳାଦ୍ରି ନିବାସ', ୬ ବାପୁଜୀ ନଗର ବ୍ୟାଙ୍କ କଲୋନୀ, ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୪
ମୋବାଇଲ- ୯୪୩୭୦୨୫୦୯୭

Post a Comment

0 Comments