ଅଜୟ ଓ ମୁଁ ଦୁହେଁ
ଘନିଷ୍ଠ ବନ୍ଧୁ। ବନ୍ଧୁ କହିଲେ ପିଲାଟି ବେଳୁ ଏକାଠି ବଢିବା, ଏକାଠି ଖେଳିବା, ଏକାଠି ପଢିବା। ଦୁଇଟି
ଶରୀର ଅଥଚ ଗୋଟିଏ ଆତ୍ମା, ଗୋଟିଏ ମନ। ଆପଦେ ବିପଦେ, ସୁଖରେ ଦୁ:ଖରେ, ହସରେ ଲୁହରେ
ଏକାକାର ଏକାନ୍ତ ନିଜର। ଆଜି ବଡହୋଇ ଦୁହେଁ କଲୁଣି ଘର ସଂସାର। ଅଜୟ ଟିକିଏ ପାରିବାର, ମୁଁ ଟିକିଏ
ଦୁର୍ବଳ ତଥାପି ଯେଣେତେଣେ କରି ଚଳାଇ ଆସେ ଜୀବନ ଜଞ୍ଜାଳ। ଅଥଚ ଦୁହିଁଙ୍କ ଭିତରେ ସେଇ ଆପଣା ପଣ।
ଆଜି କିନ୍ତୁ ବହୁତ ଦିନ ପରେ ବନ୍ଧୁ ମୋର ମନେ ପକାଇଥିଲେ କରିଥିବା ଅର୍ଥ ସହଯୋଗର, ଯାହା ନଥିଲା ଭରଣ, ଥିଲା ଋଣ। ଯାହାକୁ ନା ସେ ବୁଝେଇ ପାରିଥିଲା, ନା ମୁଁ ବୁଝି ପାରିଥିଲି। ସେ ଯାହା ହେଉ ଆଜି କରିବାକୁ ହେବ ପୂରଣ। ପଚାରିନେଲି ବନ୍ଧୁଙ୍କୁ ବହୁଦିନ ତଳୁ ଭୁଲି ସାରିଥିବା ଅର୍ଥର ପରିମାଣ। ଯାହା ଶୁଣିଲି ଶରୀରରୁ ଚାଲିଗଲା ପ୍ରାଣ, କାରଣ ମୂଳ ଠାରୁ ସୁଧା ଥିଲା ଅଧିକା ତିନିଗୁଣ। ଦୁଖ କଷ୍ଟରେ ଭରି ଆସିଲି ଋଣ ସତ, ଅଥଚ ମନ ଭିତରେ ସର୍ବଦା ଆନ୍ଦୋଳିତ ହୁଏ ଏକ ପ୍ରଶ୍ନ – ବନ୍ଧୁତା କହିଲେ କ’ଣ? ନେଇ ଜାଣିବା ନା ଦେଇ ଜାଣିବା? ଭୁଲ କେଉଁଠି? ଆମ ବନ୍ଧୁତାରେ ନା ଅପ୍ରକାଶିତ ମନର ଭାବନାରେ, ଯାହା ଆମ ବନ୍ଧୁତାରେ ବାନ୍ଧିନେଲା ବନ୍ଧ !!
0 Comments