ନାଗରିକ – ପୁଷ୍ପାଞ୍ଜଳି ପଟ୍ଟନାୟକ

  • ବାବୁ, ମୋତେ କୁଆଡ଼େ ନେଉଛ? ମୁଁ ପରା ଭିକାରିଟାଏ। ମତେ ଛୁଇଁଲେ ପାପ ବାବୁ; ଆମେ ପାପୀ ଲୋକ।
  • କିଏ କହିଲା ତମେ ପାପୀ? ତମେ ଏ ଦେଶର ନାଗରିକ, ତମର ଆମଭଳି ଅଧିକାର ଅଛି ବଞ୍ଚିବାରେ, ଚାଲ ତମକୁ ଆଉ ଭିକ୍ଷା ମାଗିବାକୁ ପଡ଼ିବନି, ତମକୁ ଭିକ୍ଷା ଦେବାକୁ ହେବ।
  • କିଛି ବୁଝିପାରୁନି ବାବୁ! ମୋ ପାଖରେ ତ କିଛି ନାହିଁ, ଦେଖୁନ ମୋ କନା ବୁଜୁଳାଟା, ଖାଲି ଚିରା କନା ଗଣ୍ଡେ, ଚେପା ରସଥାଳିଟେ ବାବୁ, ତମ ଗୋଡ଼ହାତ ଧରୁଛି, ମତେ ଛାଡ଼ିଦିଅ ବାବୁ, ମୁଁ ଭିକ ମାଗି ଦିନ ବଞ୍ଚୁଛି। ତମେ ଯଦି ଚାହିଁବ ତମର ଏ ଜାଗାଛାଡ଼ି ଅନ୍ୟତ୍ର ଚାଲିଯିବି।
  • ଆରେ ତମେ ଏମିତି ଛାଟିପିଟି ହେଉଛ କାହିଁକି? ତମକୁ କ’ଣ ଆମେ ଶୂଳି ଦେବାକୁ ଯାଉଛୁ? ତମେ ପରା ଭୋଟ ଦେବ ଆମ ପାର୍ଟିକୁ।
  • ଭୋଟ! ହେଲେ ମୋର କ’ଣ ନାଁ ଗାଁ ଅଛିଯେ ଭୋଟ ଦେବି?
  • ତମର ନ’ହେଲା ନାଇଁ। ଅନ୍ୟ ପାଇଁ ତ ଦେଇ ପାରିବ। ଆସ ଚଞ୍ଚଳ ଆସ।
  • ହେଲେ ବାବୁ ମୋତେ ସେଥିରୁ କିଛି ମିଳିବ?
  • ମିଳିବ, ତମେ ଯାହା ଚାହିଁବ ତାହା ମିଳିବ।  କୁହ ତୁମର କ’ଣ ଇଚ୍ଛା?
  • ବାବୁ ସାନ ତୁଣ୍ଡେ ବଡକଥା, କିଛି ଭାବିବନି। ଆମ ଦେଶରୁ ଗରିବୀ ହଟେଇ ଦିଅ ବାବୁ। ଆମ ଭଳି ଭିକ୍ଷାଥାଳି ଧରି ବୁଲିବା ଲୋକମାନଙ୍କୁ ଚିରଦିନ ପାଇଁ ମୁକ୍ତ କରିଦିଅ । ଏତିକି ମୋର ବିନତି ବାବୁ ।
  • ହଉ ହଉ ତମକଥା ହେବ ଯେ ମାତ୍ର ସମୟ ଲାଗିବ ।
  • ସମସ୍ତେ କହିଲା ପରି ତମେ ମଧ୍ୟ କହୁଛ ବାବୁ। ଆଜିର ମିଛ ପ୍ରତିଶ୍ରୁତି କାଲିକି ରହେନି, ନଇ ବଢିରେ ଘରବାଡି ଧୋଇଗଲା ଭଳି ମିଛ ପ୍ରତିଶ୍ରୁତିଯାକ ସମୟ ସୁଅରେ ଧୋଇ ହୋଇଯାଏ ।
  • ତମ କଥାହିଁ ହେବ ତମେ ଚିନ୍ତା କରନା,  ବର୍ତ୍ତମାନ ତମରତ’ କିଛି ଦିନ ପାଇଁ ପେଟ ପୁରିଯିବନା?
ହଁ ବାବୁ ତମେ ଦେଲେ ପୁରିବ ନଦେଲେ ମଧ୍ୟ ପୁରିବ। ଆଉ ନପୁରିଲେ ମଧ୍ୟ ଆମେ ମନକୁ ବୁଝେଇ ଦେବୁ,  ହେଲେ ମଧ୍ୟ ତମ ବଡବଡୁଆଙ୍କ ପେଟ ଯେତେ ଖାଇଲେ ମଧ୍ୟ ପୁରିବନି। (ଏ କଥା ତୁଣ୍ଡ ଖୋଲି କହି ପାରୁନଥିଲା ଭିକାରିଟା)
  • କ’ଣ ଭାବୁଛ, ଯିବନାହିଁ ?
  • ଚାଲ ବାବୁ, ନ ଯାଇ ଚାରା ଅଛି! ଅଳ୍ପ ସମୟ ପାଇଁ ମଧ୍ୟ ଦେଶର ନାଗରିକଟିଏ ହୋଇ ପାରିବି!

Post a Comment

0 Comments