ଗାଁ ଠାରୁ ୫୦ କିଲୋମିଟର ଦୂର ଗୋଟିଏ
ପଞ୍ଚାୟତ ହାଇସ୍କୁଲରେ ମୋର ପୋଷ୍ଟିଙ୍ଗ ହୋଇଥାଏ। ସବୁବେଳେ ବସ୍ ଯୋଗେ ଯିବା
ଆସିବା ସମ୍ଭବ ନ ହେବାରୁ, ସେ ପାଖ ସହରଟିରେ ଘରଭଡା ନେଇ ସ୍କୁଲକୁ ଯିବାଆସିବା କରେ। ପ୍ରତିଦିନ ୨ କିଲୋମିଟର
ରାସ୍ତା ଚାଲିଚାଲି ଯାଏ। ମୁଁ ସବୁବେଳେ ଜଣେ ବୟସ୍କ ବୃଦ୍ଧଙ୍କୁ ଗାଈ ଚରାଉଥିବାର ଦେଖେ କେବେ କେମିତି ଅନ୍ୟଆଡେ
ଚରାଉଥିଲେ ଦେଖିପାରେନା। ସେ ରାସ୍ତା କଡରେ ତାଙ୍କ ଗୁହାଳ ବି ଥିଲା। ଯିବା ଆସିବା ଭିତରେ ଆମ ଦୁହିଙ୍କ ମଧ୍ୟରେ ଆଖିରେ ଆଖିରେ ଉକୁଟି
ଉଠିଥିଲା ଗୋଟିଏ ଅବ୍ୟକ୍ତଭାବର ସମ୍ପର୍କ। କେବେ ଭାବର ଆଦାନ ପ୍ରଦାନ ନ ଥିଲା କିନ୍ତୁ।
ଦିନେ ଫେରିଲା ବେଳେ ହଠାତ୍
ବର୍ଷା ମାଡିଆସିଲା। ବର୍ଷାରୁ ରକ୍ଷା ପାଇବାକୁ, ବୃଦ୍ଧଙ୍କ ଗୁହାଳକୁ ଦୌଡିଗଲି
ଆଶ୍ରୟପାଇଁ, ଭିତରେ ସେ ଗାଈ ବାନ୍ଧୁଥିଲେ। ମୋତେ ଦେଖି ଏକରକମ ଦୌଡି
ଆସି କହିଲେ – ଆସ ମା’ ଆସ, ଏଠି ଟିକିଏ ରହିଯିବ। ବର୍ଷା ଛାଡିଲେ
ଚାଲିଯିବ, ଯଦି ଅଧିକ ସନ୍ଧ୍ୟା ହୋଇଯାଏ ମୁଁ
ଛାଡିଦେଇ ଆସିବି। ବେଶ୍ କିଛି ସମୟ ବର୍ଷା
ଲାଗିରହିଲା। ଭିତରେ ଗୋଟେ ଦଉଡିଆ ଖଟ
ପଡିଥାଏ, ମୋତେ ସେଠି ବସିବାକୁ କହିଲେ ସେ।
ମୁଁ ମୋ ଆଡୁ ହିଁ କଥା ଆରମ୍ଭକଲି। ମଉଷା! ମୁଁ ଦେଖୁଛି ତମେ
ସବୁବେଳେ ଏଇ ଗାଈ-ବଳଦ ମାନଙ୍କ ସେବା-ଯତ୍ନ କରୁଛ, ଘରେ ଅନ୍ୟ କେହି ନାହାନ୍ତି କି? ନା-ନା- ଅଛନ୍ତି ଯେ’ଝା କାମରେ ବ୍ୟସ୍ତ ରହନ୍ତି । ମୋର ବା’ ଆଉ ବା’ କାମ କ’ଣ! ନା – ମଉଷା ସେ କଥା ନୁହଁ ଯେ, ତମ ବୟସ କ’ଣ ଆଉ ଏସବୁ କରିବାପାଇଁ, ପୁଅ କି ନାତି ଏହାକୁ କରିପାରିଥାନ୍ତେ। ସଭିଏଁ ଅଛନ୍ତି ମାଆ, କିନ୍ତୁ ମୋ ପାଇଁ ଏ କାମ ନିଧାର୍ଯ୍ୟ। ମୁଁ ନ କଲେ ଏ ବେଜୁବାନ
ଜନ୍ତୁମାନଙ୍କର କଥା କିଏ ଆଉ ବୁଝିବାକୁ ଅଛି? ମୁଁ ବୁଝିପାରିଲିଣି ମଉଷା, ସମସ୍ତେ ଅଛନ୍ତି; ଅଥଚ ତମ ପାଇଁ ଏହା ନିଧାର୍ଯ୍ୟ କାହିଁକି? ସେ ଅନିଚ୍ଛାସତ୍ତ୍ୱେ କଥା ଆରମ୍ଭ କଲେ ...
ସୁଖ ଦୁ:ଖ ହେଉଛି ଜୀବନ ଇତିହାସର ଗୋଟିଏ
ଗୋଟିଏ ଫର୍ଦ୍ଧ ମାଆ। ମୋ ଜୀବନ ଇତିହାସର
ସବୁପୃଷ୍ଠା କେବଳ ଯୁଦ୍ଧରେ ହିଁ ଲିପିବଦ୍ଧ। ଜୀବନ ଯୁଦ୍ଧ ପେଟପାଟଣା ପାଇଁ ଗରିବ ପରିବାରରେ ଜନ୍ମହୋଇ ଜୀବନଟା
କେବଳ ସଂଘର୍ଷରେ ହିଁ କଟିଗଲା। ମୋର ଜମିବାଡି ତ କମ୍ ଥିଲା ତା’ ସାଙ୍ଗକୁ ବଢି ମରୁଡିର କ୍ଷତି ପାଇଁ ଅଭାବ ମୋତେ ଛାଡି ଯାଉନଥିଲା। କୁଟୁମ୍ବ ପ୍ରତିପୋଷଣ ହେତୁ
ମୂଲଲାଗି ବା ଜଙ୍ଗଲରୁ କାଠକାଟି ଗୁଜାରଣ ମେଣ୍ଟାଏ।
ଏମିତି ସୁଖେ ଦୁ:ଖେ ତିନି ଝିଅ
ଯାହିଁତାହିଁ ବାହା ହୋଇ ଚାଲିଗଲେ। ଦୁଇ ପୁଅରୁ ବଡ ପୁଅକୁ ପାଠ ପଢାଇବା ପାଇଁ ମୋର ପାରିଶ୍ରମିକ ଓ କିଛି ଜମି ସହିତ ତା’ ମାଆର ବିବାହ ବେଳର ଗହଣା ଓ ବାସନକୁସନ
ବି ବିକ୍ରି ସରିଥିଲା। ବଡପୁଅ ଏବେ ପଦସ୍ଥ ସରକାରୀ
କର୍ମଚାରୀ, ଦୂର ସହରରେ ପିଲା ଛୁଆଙ୍କୁ ନେଇ ଖୁସିରେ
ଅଛି। ସାନପୁଅ ଜମିବାଡିର ସ୍ୱଳ୍ପ
ଆଦାୟ ଓ ଗାଁରେ ଦୋକାନଟିଏ ଦେଇ ତା’ ପରିବାର ପୋଷୁଛି। ଚଳିବା ପାଇଁ ଘର ଖଣ୍ଡେ ଆଗରୁ ହିଁ ଥିଲା। ସବୁ ଏକରକମ ଠିକ୍-ଠାକ୍ ଚାଲିଥିଲା ତାଙ୍କ ମା’ ମଲା ପର୍ଯ୍ୟନ୍ତ। ମାଆର ଶୁଦ୍ଧିକ୍ରିୟାକୁ
ନେଇ ଦୁଇ ଭାଇଙ୍କ ମଧ୍ୟରେ ଲାଗିଲା କନ୍ଦଳ। କଥା କଟାକଟିଠୁ ହାତ ଉଠାଉଠି ଯାଏଁ କଥାଗଲା। ସାନ ପୁଅର ଅଭିଯୋଗ ବଡକୁ
ପାଠପଢେଇ ବଡଲୋକ କରେଇଲ, ସେ ଶୁଦ୍ଧି ପାଇଁ ସବୁ ଖର୍ଚ ବହନକରୁ। ବଡପୁଅ ବି ସାନ ପ୍ରତି ଦୟାମାୟା ନାହିଁ। ସେ କହିଲା ଏତେ ଦିନ
ଜମିବାଡିର ଆଦାୟ ଖାଇଲା, ଶୁଦ୍ଧିକାର୍ଯ୍ୟ ସେ ତୁଲାଉ। ଶେଷରେ ଗାଁ ଲୋକଙ୍କ ମଧ୍ୟସ୍ଥ ବୁଝାବଣାରେ ଦୁଇଭାଇ ଭାଗବାଣ୍ଟି କାମଟି
କୌଣସି ପ୍ରକାରେ ଯଥାତଥା ସାରିଲେ । ତା’ ପରଠୁ ଦୁହିଙ୍କ ଭିତରେ କୌଣସି ସମ୍ପର୍କ ନାହିଁ। ଘର ଜମିବାଡି ନିଜନିଜ ଭିତରେ
ଭାଗକଋ ନେଲେଣି । ମାଉସୀ ଚାଲିଗଲା ପରେ ମୁଁ
କେଉଁ କୁଳର ହୋଇପାରୁନି ମାଆ। ବଡପୁଅ ତା’ ପାଖକୁ ଦିନ କେତେ ଡାକି ନେଇଥିଲା। କିନ୍ତୁ ବଡବୋହୁର
ସବୁକଥାରେ ଗରଗର ଚିଡାପଣ। ଖାଇବାବେଳକୁ ବାସିପଖାଳ ଓ ଅଈଣ୍ଠା ଅଣ୍ଡଳ ଦିଏ। ତା’ ପୁଣି ତା’ର ଇଚ୍ଛା ମୁତାବକ। ଖାଇପିଇ ଶୋଇଯାଏ ତା’ ନିଦ ଭାଙ୍ଗିଲେ ମୋତେ ବାଢେ। ପୁଅ ଅଫିସ ଚାଲିଯାଏ; ଏ ସବୁ ଜାଣେନା ଆଉ ଜାଣିଲେ ବା’ କ’ଣ କରିପାରିଥାନ୍ତା, ସେ ତ ବୋହୁର ବୋଲକରା । ଶେଷରେ ବାଧ୍ୟହୋଇ ଗାଁରେ
ଛାଡିଦେଇଗଲା। ଏଠି ବି ସେଇଆ ସାନ
ପୁଅବୋହୂ ନାତିନାତୁଣୀ କଥା ହୁଅନ୍ତିନି ମୋ ସହ। ଏହା ବି ଗୋଟେ ପ୍ରକାର ଠିକ୍ ହୋଇଛି। ନତୁବା ପାଉଁଶ ତଳର ଅଗ୍ନି
ସ୍ଫୁଲିଙ୍ଗଟି କେତେବେଳେ ହୁଏତ ଲେଲିହାନ ଶିଖା ପାଲଟିନଯିବ କିଏ କହିବ! ଖାଇବାବେଳେ
କାଉ-କୁକୁରଙ୍କୁ ଦେବାଭଳି ବଢାଦିଅନ୍ତି ମୋ ପାଇଁ, ଯେମିତି ମୋତେ ଚିହ୍ନି ନାହାନ୍ତି ସେମାନେ। ମୋର ବାର୍ଦ୍ଧକ୍ୟ ଭତ୍ତା
ମିଳୁଛି, ଦେହ ଖରାପ ହେଲେ ଗାଁ’ର କାହା ହାତରେ ବି ଔଷଧ କିଣି ଖାଇନିଏ। ମୋ ଗୋଡ଼ହାତ ହିଁ ମୋ
ପୁଅଝିଅ, ଆଉ ଜନ୍ତୁ ଗୁଡାକ ବି ମୋ ସନ୍ତାନ ପରି। ଏମାନଙ୍କ ମେଳରେ ସମୟ
ଖୁସିରେ କଟିଯାଏ। ସାନପୁଅର ସମୟ ନାହିଁ
ଏମାନଙ୍କ ଦେଖାରଖା କରିବାକୁ। ଆଉ ନାତିନାତୁଣୀ ମାନେ ପଢାପଢି କରନ୍ତି ତାଙ୍କର ବା’ ବେଳ କାହିଁ ଏସବୁ ପାଇଁ? ଦିନେ ଦିନେ ୟା’ଙ୍କ କାମରେ ରହି ଖାଇବାବେଳ ମୋର ଗଡିଯାଏ। ଅପରାହ୍ନରେ ଖାଇବା ଖାଦ୍ୟ ହଜମ ହୁଏନା, ତେଣୁ ରାତ୍ରୀ ଭୋଜନପାଇଁ ଘରକୁ ନ ଯାଇ ଗୁହାଳରେ ହିଁ ଶୋଇଯାଏ। ମାଉସୀ ଚାଲିଗଲା ପରେ ମୁଁ
ବହୁତ ଏକ ଏକା ହୋଇଯାଇଛି ମାଆ। ଦିନଦିନ ବର୍ଷ ବର୍ଷ ଧରି ଜୀବନର ଅନେକ ଦ୍ଵିଧାଗ୍ରସ୍ତ ମୂହୁର୍ତ୍ତ
ଗୁଡିକ ମିଶିକି ଯୁଝିଥିଲୁ। ସେ ଭଲରେ ଭଲରେ ଚାଲିଗଲା। ମୋର ସେ ସୁଖଦ ସମୟ
କେବେ ଆସିବ ଜାଣିନି। ଏଇ ପାଳିତ ପୁଅଝିଅଙ୍କ ଭିତରେ ହିଁ ଦିନେ ଦିକ୍-ଦିକ୍ ହୋଇ ଜଳୁଥିବା ଜୀବନ ଦୀପଟି ହଠାତ୍
ଦପକିନା ଲିଭିଯିବ... ଏହା କହି ବୃଦ୍ଧଙ୍କ ଆଖି ଲୁହ ଛଳଛଳ ହୋଇଗଲା ଓ ମୋର ବି।
ଅନ୍ତହୀନ ସମୟର ସୀମା ସରହଦ ଆଗକୁ
ଲମ୍ବିଛି। ଦୁଇପୁଅଙ୍କର ଜୀବନରେ କ’ଣ ଦୁଖ ଯନ୍ତ୍ରଣାର ଗାଥା ଆସିବନି କେବେ! ବଞ୍ଚିବାର
ମୋହ ଏତେ ପ୍ରଗାଢ ଯେ, ଜୀବନର ପ୍ରଲମ୍ବିତ ରାସ୍ତାର ଖାଲ, ଖମା ଅରମା କିଛି ଦେଖାଯାଉନି ସେମାନଙ୍କୁ। ଜୀବନ ପରିଧିର କ୍ଷଣିକ ପାର୍ଥିବ ସୁଖ ଟିକିଏ ପାଇଁ କେତେ ମୋହମଗ୍ନ
ସେମାନେ।
0 Comments