କୁମାର ପୂର୍ଣ୍ଣିମାର ପୂର୍ବରାତ୍ରୀ । ଭୋରରୁ
ହାଲକା ଶୀତ ପଡୁଛି । କେନ୍ଦୁଝରରେ ଶୀଘ୍ର ଥଣ୍ଡାପଡିଯାଏ । ସୂର୍ଯ୍ୟ ଉଦୟହେବା ପୂର୍ବରୁ କୁମାରୀ
କନ୍ୟାମାନେ ଖଇରେ ସାତପ୍ରକାର ଫଳ ଓ ଫୁଲଦେଇ ସାତ ଆଞ୍ଜୁଳି ଦିଅନ୍ତି । ମାନିନୀଦେବୀ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି ଗଭୀର
ନିଦ୍ରାରେ ଶୋଇଥିବା ନିଜର ଏକମାତ୍ର କନ୍ୟାକୁ ଉଠେଇବାପାଇଁ ଡାକୁଛନ୍ତି । ମିତାର କିନ୍ତୁ
ସୋର୍-ଶବ୍ଦ ନାହିଁ । ବାଧ୍ୟହୋଇ ମାନିନୀଦେବୀ ଝିଅ ଉପରେ ପାଣି ଢାଳି ଦେଇଛନ୍ତି । ଓହୋ ମୀତାର
କି ଗର୍ଜନ । ସତେ କି କାନ ଫାଟିଯିବ । କିଏ ବମ୍ ପକେଇଲା କି । ଏ କଣ ମାମା ମତେ ଟିକେ ଶାନ୍ତିରେ
ଶୋଇବାକୁ ଦେ ଆଞ୍ଜୁଳି ବେଳ ଡେରିହୋଇଯାଉଛି ତୁ ବାଥ୍-ରୁମରେ ପଶିଲେ ଶୀଘ୍ର ବାହାରିବା ତୋ ପାଇଁ
କଷ୍ଟ । ବହୁତ ସମୟ ତୁ ବାଥ୍-ରୁମରେ ବିତାଉ । ଏଣୁ ମୁଁ ତୋତେ ଶୀଘ୍ର ଉଠିବାପାଇଁ ପାଣି ଢାଳିଲି
ନହେଲେ ଆଞ୍ଜୁଳି ବେଳ ଡେରିହେବ।
ମାମା! ମୁଁ ତୋତେ କାଲିଠୁ ମନା କରିଥିଲି
ଆଞ୍ଜୁଳି ଦେବିନି । କାହାକୁ ଆଞ୍ଜୁଳି ଦେବି? କାହିଁକି ଆଞ୍ଜୁଳି ଦେବି? ଏକବିଂଶ
ଶତାବ୍ଦୀରେ ଚନ୍ଦ୍ରଙ୍କୁ କେହି ଦେବତା ବୋଲି ମାନୁନାହାନ୍ତି । ଲୋକମାନେ ଚନ୍ଦ୍ରପୃଷ୍ଟରେ ଜାଗା
କିଣିବାକୁ ତତ୍ପର ହେଲେଣି । ସେ ପୁଣି କି ଦେବତା? ମାନିନୀଦେବୀ
ରାଗରେ ଗରଗର ହେଲେ ଓ ଝିଅକୁ ବହୁତ ପାଟିକଲେ । ବଡପାଟିରେ ସେ କହିଲେ – ଶୀଘ୍ର ଉଠି ନିଜର
ନିତ୍ୟକର୍ମ ସାରି ଆଞ୍ଜୁଳି ପାଇଁ ପ୍ରସ୍ତୁତ ହୋଇଯା’ଆ । ମୁଁ ମୋର
ନିତ୍ୟକର୍ମ ସବୁ ସାରିଦେଇଛି । ଏବେ ମୁଁ ସବୁ ସଜଡା-ସଜଡି କରୁଛି, ତୁ ଶୀଘ୍ର
କାର୍ଯ୍ୟ ସମାପନ କରି ଆସେ।
ମିତାଲି କହିଲା ମୁଁ ଯିବି ସତ, କିନ୍ତୁ ଗୋଟିଏ ସର୍ତ୍ତରେ । ମାନିନୀଦେବୀ ଆବାକାବା ହୋଇ ମିତାଲିକୁ ଚାହିଁଲେ । ମୁଁ ଏଇ ବର୍ଷ ଏଇ ପୂଜା କରିବି କିନ୍ତୁ ଆସନ୍ତା ବର୍ଷକୁ ଆଉ ଏ ପୂଜା ମୁଁ କରିବି ନାହିଁ । ମୋତେ ଆସନ୍ତା ବର୍ଷକୁ ଏ ପୂଜା କରିବା ପାଇଁ ବାଧ୍ୟ କରିବୁନି । ଯଦି ମୋ ସର୍ତ୍ତରେ ରାଜି ହେବୁ ତ ମୁଁ ମୋର ନିତ୍ୟକର୍ମ ସାରିବି । ସମୟ ଅତିକ୍ରାନ୍ତ ହୋଇଯାଉଛି । ତେଣୁ ଅଗତ୍ୟା ବାଧ୍ୟହୋଇ ମାନିନୀଦେବୀ ମିତାଲିର ସମସ୍ତ ସର୍ତ୍ତ ମାନିନେଲେ ।
ମିତାଲି ନିତ୍ୟକର୍ମ ସାରି ନିଜର ନୂତନ ପୋଷାକ ପରିଧାନ କରି ସୁର୍ଯଙ୍କୁ ଖଇ ଓ ଫଳର ସାତ ଆଞ୍ଜୁଳି ଟେକିଲା । ମାନିନୀଦେବୀ ସୂର୍ଯ୍ୟଙ୍କୁ ଓ ଝିଅକୁ ବନ୍ଦାପନା କଲେ । ପ୍ରକୃତରେ ଏହା କୁମାରୀପୂଜା । ଦୀର୍ଘଦିନରୁ ଓଡିଶାରେ ଏ ପରମ୍ପରା ରହିଆସିଛି । ମାନିନୀଦେବୀ ମିତାଲିକୁ ମନ୍ଦିର ଯିବାକୁ ଓ ଗୁରୁଜନଙ୍କୁ ପାଦ ଛୁଇଁ ପ୍ରଣାମକରିବାକୁ କହିଲେ ।
ମିତାଲି ଉତକ୍ଷିପ୍ତହୋଇ କହିଲା, ଯୁଗଯାଇ କୁଆଡେ ପହଞ୍ଚିଲାଣି ମୋତେ ପାଦଛୁଇଁ ପ୍ରଣାମ କରିବାକୁ କହୁଛି । ମୁଁ ବିଜ୍ଞାନର ଛାତ୍ରୀ ମୋତେ ଏ ସବୁ ଅନ୍ଧବିଶ୍ଵାସ ଓ ପରମ୍ପରା ଭଲଲାଗେନି ।
ମା’ କହିଲେ ଏ ସବୁ ଭାରତୀୟ ସଂସ୍କୃତି । କାହିଁ କେଉଁ ଆଦିମକାଳରୁ ଏ ପ୍ରଥା ପରମ୍ପରା ଚଳିଆସୁଛି । ତୁ ବିଜ୍ଞାନ ପଢିଲୁଯେ ସେଉଠୁ କଣ ହେଇଗଲା? ବିଜ୍ଞାନଦ୍ଵାରା ମାଟି କ’ଣ ସୁନା ହୋଇଗଲା ନା’ ପାଣି ସର୍ବତ ହୋଇଗଲା? ସେପରି ଏସବୁ ଆମପାଇଁ ଗୌରବାବହ କାର୍ଯ୍ୟ । ଯାହା ଭାରତ ଛଡା ଅନ୍ୟ କେଉଁଠି ଦେଖିବାକୁ ଏହା ମିଲେନି । ଚୁପ୍ ରହ ମୁଁ ଯାହା କହୁଛି ସେ ଅନୁସାରେ କାର୍ଯ୍ୟକର ।
ହଁ, ତୋ କଥା ମାନିବି? ତୁ ଯାହା କରୁଛୁ କଣ ସବୁ ଠିକ କାମ କରୁଛୁ? ମୁଁ କ’ଣ ଭୁଲ କଲି କହ? ମାମା! ତୁ ପରିବେଶ ପ୍ରଦୂଷଣ କରୁଛୁ, ଯଜ୍ଞ ମାଧ୍ୟମରେ । ଯଜ୍ଞର ଧୂଆଁ ହିଁ କ୍ଷତିକାରକ । ନା’ ନା’ ଏହା ଠିକ୍ ନୁହେଁ । କ’ଣଟା ଠିକ୍ ତୁ ମୋତେ ବୁଝେଇଦେ । ତା ପରେ ମୁଁ ଯଜ୍ଞରେ ଆହୁତି ଦେବି ।
ମାନିନୀଦେବୀ କହିଲେ, ଭଗବତ ଗୀତାରେ ଅଛି “ଯଜ୍ଞାତ୍ ଭବତି ପର୍ଜନ୍ୟ:” ତା’ ଅର୍ଥ ହେଉଛି, ଜୀବନୀଶକ୍ତି ଭରପୁର ରହିଥାଏ । ଯଜ୍ଞମାଧ୍ୟମରେ ବର୍ଷା ହୁଏ । ବର୍ଷାହେଲେ ଭଲ ଫସଲ ହୁଏ । ସେ ଫସଲକୁ ଉପଯୋଗ କରି ସମସ୍ତ ମାନବ-ସମାଜ ସୁଖରେ ରୁହନ୍ତି ।
ତୁ ଚନ୍ଦ୍ରଙ୍କୁ କାହିଁକି ଯଜ୍ଞରେ ଆଣୁଛୁ? ମାନେ? ତୁ ମାମା ଆହୁତି ସମୟରେ ମନ୍ତ୍ରପାଠକରୁଛୁ – “କ୍ଷୀର ପୁତ୍ରାୟ ବିଦ୍ମହେ ଅମୃତ ତତ୍ତ୍ଵାୟ ଧୀମହି ତନ୍ନୋ ଚନ୍ଦ୍ର ପ୍ରଚୋଦୟାତ ।” ହଁ, ଚନ୍ଦ୍ରହେଲେ ମନର ଦେବତା । ଏ ମନ୍ତ୍ରଦ୍ଵାର ମନ ଠିକରହିବ ଓ ମାନସିକ ଶାନ୍ତି ମିଳିବ। ହଉ ତୁ ସର୍ବଦା ଶାନ୍ତିରେ ରହ କିନ୍ତୁ ମୋତେ ଆସନ୍ତା ବର୍ଷକୁ ଆଉ ଜମା ବାଧ୍ୟ କରିବୁନି । ମାନିନୀଦେବୀଙ୍କୁ ଏ କଥାସବୁ ଖରାପ ଲାଗିଲା କିନ୍ତୁ ବାଧ୍ୟହୋଇ ଝିଅର ଏ ସବୁ କଥାକୁ ସେ ହଜମ କରିନେଲେ ।
ମା’ କୁ ୟାଡୁସ୍ୟାଡୁ ଗୁଡେଇ ତୁଡେଇ ବେଜାଏ ଫାଲତୁ ପ୍ରଶ୍ନ ପଚାରି ଥକିଗଲା । ନିଜ ସାଙ୍ଗମାନଙ୍କ ଗହଣରେ ବୁଲିବାକୁ ବାହାରିଲା । ସନ୍ଧ୍ୟା ସମୟରେ ଚନ୍ଦ୍ରପୁଜା ହେଲା । ନନା ଆସି ପୂଜାକାଲେ । ଚନ୍ଦ୍ରଙ୍କ ପାଇଁ ଚାନ୍ଦଚକଟାହେଲା । ସାଙ୍ଗମାନଙ୍କ ସହିତ ନଦୀକୁ ଯାଇ, ଜହ୍ନି-କାକୁଡି କଷିରେ ଦାନ୍ତଘଷି, ଚାନ୍ଦଚକଟା ଖାଇ କୌଣସି ସାଙ୍ଗ ସହିତ ଚାନ୍ଦ ବସିବାକୁ ଝିଅକୁ ମାନିନୀଦେବୀ କହିଲେ।
ଏ କି ନିୟମ? ଏ ତ’ ନିଉଟନଙ୍କ ‘ଲ’ ଠାରୁ ବଳିପଡିଲା । ମିତାଲି ବିରକ୍ତ ହୋଇ ମାମା ସହିତ ଯୁକ୍ତିତର୍କ କଲା । ମୋତେ ଏ ଗୋଲକ ଧନ୍ଦାରେ ପୁରାନି । ଏ ସବୁ ବେକାର ଓ ମୂଲ୍ୟହୀନ କଥା । ମୁଁ ଏ ସବୁ କେବେ ବି କରିବିନି । ମିତାଲି ନିଜ ଜିଦ୍ଦରେ ଅଟଳ ରହିଲା । ଦୁ:ଖ ଓ ମନସ୍ତାପରେ ମାନିନୀଦେବୀ ଚୁପ ରହିଲେ ।
ଦାଣ୍ଡରୁ ଭାସି ଆସୁଥିଲା –
“ କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳବେଣୀ ...
କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି
ଖେଳିବାକୁ ମନ ଲୋ ... ଫୁଲ ବଉଳବେଣୀ”
ମାନିନୀଦେବୀ ନିଜର ଅତୀତର ତାଜା ସ୍ମୃତିକୁ ରୋମନ୍ଥନକରି
ଯେତିକି ଖୁସିହୋଇ ବିଭୋର ହେଉଥିଲେ, ସେତିକି ଦୁଖରେ ଅଧୀର ହେଉଥିଲେ ଝିଅର ଏ ଅଯୌକ୍ତିକ ଓ ଖାପଛଡା କଥାକୁ
ନେଇ । ବିଜ୍ଞାନର ଯୁଗ ଆଜି ବୈଜ୍ଞାନିକ
ରୀତିନୀତିରେ ଅତିଷ୍ଠହୋଇ ଆମର ପରମ୍ପରାକୁ ସବୁ ଭୁଲି ଯାଉଛିବୋଲି ସେ ଦୁଖିତ ଓ ମର୍ମାହତ ମଧ୍ୟ
ହେଉଥିଲେ ।
0 Comments