ଆମ ସଂସ୍କୃତି - ବି.ସତ୍ୟମ୍ ଆଚାରୀ

ଡାକୁଛି ମୁଁ ବର୍ତ୍ତମାନ ଆସ ଆସ ଅତୀତ,
କାହିଁକି ଦୂରେଇ ଦେଉଛ ମୋତେ    ମୁଁ ତୁମ୍ଭର ମିତ ।
ଆମକୁ ଅପେକ୍ଷା କରିଛି ଆମ ବନ୍ଧୁ ଭବିଷ୍ୟତ,
ସଂସ୍କୃତି ଓ ପରଂପରାରେ ଭରିଦେବା
ଆମ ଦେଶ ଭାରତ।
କାନ୍ଦୁଅଛି ଆମ ମାତୃଭୂମି ପାଶ୍ଚାତ୍ୟ ସଂସ୍କୃତି ଦେଖି,
ନାରୀକୁ ସୁନ୍ଦର ଓଢ଼ଣା ତାହାର
ଅତୀତ ରହିଛି ସାକ୍ଷୀ ।
ମଥାର ସିନ୍ଦୂର କାନ୍ଦି କହେ ଆଜି
ଟିକିଲି ହେଲା ମୋ ବଇରୀ,
ରୁଣୁଝୁଣୁ ଆଉ ବାଜୁ ନାହିଁ ହାତେ ବିଧବା ସାଜିଲା ନାରୀ ।
ଧର୍ମପତ୍ନୀ ଆଜି ବିଧର୍ମୀ ସଜେଇ
ପିନ୍ଧନ୍ତି ପାଶ୍ଚାତ୍ୟ ବେଶ ,
ଗୃହଲକ୍ଷ୍ମୀ ନାରୀ  ଦେଲେଣି ପାଶୋରି ରଖନ୍ତି ନାହିଁ ସେ ଯଶ ।
ରାତି ନ ପାହୁଣୁ ଶଯ୍ୟା ତ୍ୟାଗ କରି
ଗୋମୟର ଜଳ ଢ଼ାଳି,
କୁଳବଧୁ ମାନେ ଚଉଁରା ମୁଳରେ ଦୀପ ଦେଇ ଥାନ୍ତି ଜାଳି ।
ହୁଳହୁଳି ଶବ୍ଦ ଶୁଭୁନାହିଁ ଆଉ
ଚରଣେ ପ୍ରଣାମ ନୋହିଲା,
ସଲାମ୍ ନମସ୍ତେ ଟାଟା ବାଏ କହି
ପରମ୍ପରା ହଜିଗଲା।
ସ୍ଵପ୍ନ ହୋଇଗଲା ଗୀତା ଭାଗବତ
କର୍ଣ୍ଣରେ ନ ଶୁଭେ ଆଉ,
ବୃଦ୍ଧ ପିତା ମାତା ଜରାଶ୍ରମେ ଛାଡି
ସୁଖେ ରହି ଥାନ୍ତି ପୁଅ ବୋହୁ ।
ଗୋମାତାକୁ କରି ପର ଶ୍ଵାନକୁ ନିଜର ଅରଜନ୍ତି ପୁଣ୍ୟ ଫଳ,
ଫାଷ୍ଟଫୁଡ୍ ଖାଦ୍ୟକୁ ନିଜର କରି
ଦୂରେଇ ଦେଲେଣି ପଖାଳ ।
ଆଧୁନିକ ନାଁ ରେ ନଗ୍ନତା ବେଶକୁ
ପ୍ରଶ୍ରୟ ଦେଇଛି ନାରୀ,
ଆପଣା ମହତ ଆପେ ନ ରଖିଲେ
ରକ୍ଷା କରିବେ କି ହରି ।
ଆସ ମା ଭଉଣୀ ସଂସ୍କୃତିକୁ ଆଣି
ପ୍ରତି ଘରେ ଢ଼ାଳି ଦେବା,
ବିଦେଶୀ ସଂସ୍କୃତି ବର୍ଜ୍ଜନ କରି
ସ୍ଵଦେଶୀ ଭାରତ ଗଢ଼ିବା ।
ମାତୃଭାଷାକୁ କରିଲେ ନିଜର
ସୃଷ୍ଟି ହବ ଆମ ସାହିତ୍ୟ,
ଲେଖନୀକୁ ମୁଁ ବିରାମ ଦେଇ
କବିତା ମୋର କଲି ଅନ୍ତ ।
===================
୯୭୭୮୭୭୫୨୨୬

Post a Comment

0 Comments